Categories: ଜାତୀୟ

ଅଧିକ ଟଙ୍କା ରୋଜଗାର ଆଶାରେ କୁଏତ୍‌ ଯାଇ ହଟହଟା: ଖାଇବାକୁ ମିଳୁନି ଦୁଇବେଳା; ଭିଡ଼ିଓ ଭାଇରାଲ

ଚଣ୍ଡିଗଡ଼,୧୫।୬: ଅଧିକ ଟଙ୍କା ରୋଜଗାର ଆଶାରେ କେତେକ ଭାରତୀୟ ଯୁବକ ବିଦେଶରେ ଚାକିରି କରିବାକୁ ଯାଉଛନ୍ତି। ତେବେ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓ ଏଭଳି ଯୁବକଙ୍କ ବିଦେଶରେ ଚାକିରି କରିବା ନିଶାରେ ସୃଷ୍ଟି କରିଛି ବାଧା। ପଞ୍ଜାବରୁ ୫ ଜଣ ଯୁବକ କୁଏତ୍‌ରେ ଉଚ୍ଚ ଦରମାରେ ଚାକିରି କରିବାକୁ ଯାଇ ହଟହଟା ହୋଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ପଠାନକୋଟର ହଲ୍କା ଭୋଆ ଅନ୍ତର୍ଗତ ମାନ ମଙ୍ଗଳ ଗାଁର ଦୁଇଭାଇ ସୁଖଓ୍ବିନ୍ଦର ଏବଂ ବଲଓ୍ବିନ୍ଦରଙ୍କ ସମେତ ୫ ଜଣ ନିଜ ଭିଟା ମାଟି ଛାଡି ଏବେ ବିଦେଶରେ ଭୋକ ଉପାସରେ ପଡ଼ି ରହିଛନ୍ତି। ଭିଡ଼ିଓ ଦେଖିବା ପରେ ସୁଖଓ୍ବିନ୍ଦର ଏବଂ ବଲଓ୍ବିନ୍ଦରଙ୍କଙ୍କ ପିତା ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇଛନ୍ତି। ଶୀଘ୍ର ଯୁବକମାନଙ୍କୁ ଘରକୁ ଫେରାଇ ଆଣିବା ଲାଗି ଅନୁରୋଧ କରିଛନ୍ତି। ୫ ମାସ ତଳେ ଏହି ୫ଜଣ କୁଏତ୍‌ ଯାଇଥିଲେ। ତେବେ ଗତ ୩ ମାସ ଧରି ସେମାନଙ୍କ ପାଖରେ ଚାକିରି ନାହିଁ। ଏଜେଣ୍ଟ ସେମାନଙ୍କ ପାସପୋର୍ଟ ଛଡ଼ାଇ ନେଇଥିବାରୁ ସେମାନଙ୍କ ଘର ଫେରିବା ବାଟ ମଧ୍ୟ ବନ୍ଦ ହୋଇଯାଇଥିବା ସୁଖଓ୍ବିନ୍ଦର ଏବଂ ବଲଓ୍ବିନ୍ଦରଙ୍କ ପିତା ଅଭିଯୋଗ କରିଛନ୍ତି।

Share