Categories: କନ୍ଧମାଳ

ଅଧିକାରୀଙ୍କ ଅନୁପସ୍ଥିତି ନେଇ ଏନ୍‌ଏସି କାର୍ଯ୍ୟାଳୟରେ ତାଲା

ବାଲିଗୁଡ଼ା,୧୫ା୧୦(ଡି.ଏନ୍‌.ଏ.)-ବାଲିଗୁଡ଼ା ଏନ୍‌ଏସିରେ କର୍ମଚାରୀଙ୍କ ଅନୁପସ୍ଥିତି ନେଇ ସୋମବାର କାଉନ୍‌ସିଲରମାନେ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ବିଭିନ୍ନ କାର୍ଯ୍ୟନେଇ ଲୋକମାନେ ଏନ୍‌ଏସିକୁ ଆସୁଥିଲେ। କିନ୍ତୁ ସେଠାରେ ନିୟମିତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟରେ ରହୁନଥିବାରୁ ଲୋକଙ୍କ କାର୍ଯ୍ୟରେ ଅସୁବିଧା ହେଉଥିଲା। ସୋମବାର ମଧ୍ୟ ଏନ୍‌ଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ହିସାବରକ୍ଷକ ଦେବାଶିଷ ମହାନ୍ତି, କର୍ମଚାରୀ ଜୀବନ ଜ୍ୟୋତି ପାତ୍ର, ମୁକେଶ ନାୟକ ପ୍ରମୁଖଙ୍କୁ କାର୍ଯ୍ୟଳୟରେ ଦେଖିବାକୁ ମିଳିନଥିଲା। ତେଣୁ ଅତିଷ୍ଠ ହୋଇ ୧୦ନଂ. କାଉନ୍‌ସିଲର ବରଦା ପ୍ରସନ୍ନ ମିଶ୍ର ଓ ନାରାୟଣ ଡାକୁଆ,୧୩ନଂ. କାଉନସିଲର ଜୟନ୍ତୀ ଜେନା ଅପରାହ୍ନରେ ଏନ୍‌ଏସି କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ସମସ୍ୟାର ସମାଧାନ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଯାଏ ତାଲା ପଡିବ ଏବଂ ଗ୍ରାମବାସୀଙ୍କ ସମେତ ସମସ୍ତ କାଉନ୍‌ସିଲର ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ୩ କାଉନ୍‌ସିଲର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବଙ୍କୁ ଯୋଗାଯୋଗ କରିଥିଲେ, କିନ୍ତୁ ସେ ବାଲିଗୁଡ଼ାରେ ନ ଥିବାରୁ
ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।