Categories: ବାଣିଜ୍ୟ

ଅତ୍ୟାଧୁନିକ ହେଲା ୧.୫ ଲକ୍ଷ ପୋଷ୍ଟଅଫିସ

ନୂଆଦିଲ୍ଲୀ,୨୨-୪: ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟାଟା କନସଲଟାନ୍ସି(ଟିସିଏସ୍‌) ଭାରତୀୟ ପୋଷ୍ଟ ଅଫିସଗୁଡ଼ିକ ଆଧୁନିକ କରିବାରେ ବଡ଼ ଭୂମିକା ନେଉଛି। ଏହାର ସହାୟତାରେ ଅଦ୍ୟାବଧି ୧.୫ ଲକ୍ଷ ପୋଷ୍ଟଅଫିସକୁ ଅତ୍ୟାଧୁନିକ କରାଯାଇସାରିଛି। କମ୍ପାନୀ ଏଥିଲାଗି ଏକୀକୃତ ସମାଧାନ ସେବା ଉପଲବ୍ଧ କରାଇଛି। ପୋଷ୍ଟଅଫିସର ଆଧୁନିକୀକରଣ ଲାଗି ଟିସିଏସ୍‌କୁ ୨୦୧୩ରେ ଠିକା ଦିଆଯାଇଥିଲା। ଟିସିଏସ୍‌ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, କେନ୍ଦ୍ରୀୟ ପ୍ରଣାଳୀର ଏକୀକରଣ(ସିଏସ୍‌ଆଇ) ସମ୍ପୂର୍ଣ୍ଣ ପରିବର୍ତ୍ତନର କେନ୍ଦ୍ରବିନ୍ଦୁରେ ଥିଲା। ଏଥିରେ ଏକୀକୃତ ଇଆର୍‌ପି(ଏଣ୍ଟରପ୍ରାଇଜ ରିସୋର୍ସ ପ୍ଲାନିଂ)ର ଉପଯୋଗ କରିବାକୁ ସାମିଲ କରାଯାଇଥିଲା। ଏହାଦ୍ୱାରା ଡାକ ସେବା, ଅର୍ଥ, ଆକାଉଣ୍ଟ ତଥା ମାନବ ସମ୍ବଳ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିଥାଏ। ଟିସିଏସ୍‌ ପକ୍ଷରୁ ୨୪ ହଜାର ପୋଷ୍ଟଅଫିସରେ ୮୦ ପଏଣ୍ଟ ଅଫ୍‌ ସେଲ୍‌(ପିଓଏସ୍‌) ଟର୍ମିନାଲ ଜରିଆରେ ପିଓଏସ୍‌ ସମାଧାନକୁ କାର୍ଯ୍ୟକାରୀ କରାଯାଇଛି। ଏଥିସହିତ ଏକ ଓ୍ବେବ ପୋର୍ଟାଲ ତିଆରି କରାଯାଇଛି, ଯାହାଦ୍ୱାରା ସାମଗ୍ରୀର ଟ୍ରାକିଂ ସହଜରେ କରାଯାଇପାରିବ। ଏହାଛଡ଼ା ଗ୍ରାହକଙ୍କ ସହାୟତା ଲାଗି ଏକ କଲ୍‌ ସେଣ୍ଟର ସ୍ଥାପନ କରାଯାଇଛି, ଯାହା କି ବିଭିନ୍ନ ଭାଷାରେ କାମ କରୁଛି।

Share