ଅଣ ଓଡ଼ିଆ ବୋଲି ଖାଇବାକୁ ମିଳୁନି

ବାମରା,୨।୪(ଡି.ଏନ.ଏ.)-ଲକ୍‌ ଡାଉନ୍‌ ପାଇଁ ବାହାର ରାଜ୍ୟର ଶ୍ରମିକ ଓଡିଶାରେ ଫସି ରହିଛନ୍ତି। ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ହେଲେ ବାମରା ବ୍ଳକ ଗୋବିନ୍ଦପୁର ପଞ୍ଚାୟତରେ ଅନୁସରଣ କରାଯାଉ ନାହିଁ। ଗତ ପ୍ରାୟ ୨୦ ବର୍ଷ ହେବ ବାମରାସ୍ଥିତ ଗଣେଶନଗରରେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ପ୍ରାୟ ୧୨ ଜଣ ଲୋକ ରହି ଆସୁଛନ୍ତି । ସେମାନେ ପ୍ରତିଦିନ ସାଇକେଲରେ ବୁଲି ବୁଲି ପୁରୁଣା ଭଙ୍ଗାରୁଜା ଲୁହା, ଟିଣ, ପ୍ଲାଷ୍ଟିକ, ଅଦରକାରୀ ଖବରକାଗଜ ଓ ବହି ଆଦି କିଣିବା ପରେ ବିକ୍ରି କରିଥାଆନ୍ତି । ଯାହା ରୋଜଗାର ହୁଏ ସେଥିରେ ଚାଳିଥାନ୍ତି। ହେଲ ଲକ୍‌ ଡାଉନ ପରେ ସେମାନେ ନିଜ ଘରକୁ ଯାଇ ନ ପାରି ବାମରାରେ ହିଁ ଅଟକି ରହିଛନ୍ତି । ସେମାନଙ୍କ ପାଖେ ଯାହା କିଛି ଥିଲା ସବୁ ସରିଯିବା ପରେ ଏବେ ସେମାନେ ଖାଇବେ ପିଇବେ କ’ଣ ସେ ନେଇ ଚିନ୍ତାରେ ପଡିଛନ୍ତି। ତେବେ ଏ ନେଇ ଗୋବିନ୍ଦପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସୁଜିତ ନାଏକଙ୍କୁ ପଚାରିବାରୁ ପଞ୍ଚାୟତରେ ଶହେ ଯୋଗ୍ୟ ଲୋକଙ୍କୁ ଏସଏଚଜି ଜରିଆରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଯଦି ଆଉ କିଏ ରହି ଯାଇଥିବେ ତେବେ ସେମାନଙ୍କ ପାଇଁ ମଧ୍ୟ ସୁବିଧା କରାଯିବ ବୋଲି କହିଛନ୍ତି।