Categories: ବାଣିଜ୍ୟ

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି;ଅଗଷ୍ଟରେ ସର୍ବାଧିକ ଗାଡ଼ି ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ଼ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିକୁ ତଳିତଳାନ୍ତ କଲାଣି। କ୍ରମାଗତ ଦଶମ ମାସ ହେଲା ଗାଡ଼ି ବିକ୍ରି ହ୍ରାସ ପାଇ ଚାଲିଛି। ଗାଡ଼ି ନିର୍ମାଣକାରୀ ସଂଗଠନ ସିଆମ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପାସେଞ୍ଜର ଗାଡ଼ି ବିକ୍ରି ଗତବର୍ଷର ଏହି ଅବଧି ତୁଳନାରେ ଅତ୍ୟନ୍ତ କମ୍‌ ରହିଛି। ପ୍ରାୟ ସମସ୍ତ କମ୍ପାନୀର ଗାଡ଼ି(ଦୁଇ, ତିନି ଓ ୪ ଚକିଆ) ବିକ୍ରି ସର୍ବାଧିକ ହ୍ରାସ ପାଇଛି। ସିଆମ ତଥ୍ୟ ଅନୁଯାୟୀ, ଅଗଷ୍ଟରେ ପାସେଞ୍ଜର ଗାଡ଼ି ବିକ୍ରି ଗତବର୍ଷ ଅପେକ୍ଷା ୩୧.୫୭ ପ୍ରତିଶତ ହ୍ରାସ ପାଇ ୧,୯୬,୫୨୪ ରହିଛି। ଗତବର୍ଷ ଏହି ସମୟରେ ୨,୮୭, ୧୯୮ ଗାଡ଼ି ବିକ୍ରି ହୋଇଥିଲା। ଗାଡ଼ି ବିକ୍ରିର ଏହା ଦୀର୍ଘ ୨୧ ବର୍ଷର ସର୍ବନିମ୍ନ ସ୍ତର। ୧୯୯୭-୯୮ପରେ ଗାଡ଼ି ବିକ୍ରି ଅଗଷ୍ଟ ମାସରେ ସର୍ବନିମ୍ନ ସ୍ତର ଛୁଇଁଛି। ସେହିପରି ବାଇକ ବିକ୍ରି ୩ ବର୍ଷର ସର୍ବନିମ୍ନ ସ୍ତର ଛୁଇଁସାରିଲାଣି। ସିଆମ ପକ୍ଷରୁ ସୋମବାର ଦିଆଯାଇଥିବା ତଥ୍ୟରେ କୁହାଯାଇଛି ଯେ,ଅଗଷ୍ଟରେ ଘରୋଇ ବଜାରରେ କାର୍‌ ବିକ୍ରି ୪୧.୦୯ ପ୍ରତିଶତ ହ୍ରାସ ପାଇ ୧,୧୫,୯୫୭ ରହିଛି, ଯାହା କି ବର୍ଷକ ପୂର୍ବରୁ ଏହି ସମୟରେ ୧,୯୬,୮୪୭ ଥିଲା। ଏହି ଅବଧିରେ ଦୁଇଚକିଆ ଯାନ ବିକ୍ରି ୨୨.୨୪% କମିଛି ଏବଂ ୧୫,୧୪,୧୯୬ ଗାଡ଼ି ବିକ୍ରି ହୋଇଛି। ବର୍ଷକ ପୂର୍ବରୁ ଏହି ମାସରେ ଦେଶରେ ୧୯,୪୭,୩୦୪ ଦୁଇଚକିଆ ଗାଡ଼ି ବିକ୍ରି ହୋଇଥିଲା। ତନ୍ମଧ୍ୟରୁ କେବଳ ମୋଟର ସାଇକେଲ ବିକ୍ରି ୨୨.୩୩% ହ୍ରାସ ପାଇ ୯,୩୭,୪୮୬ ରହିଛି। ବର୍ଷକ ପୂର୍ବରୁ ୨୦୧୮ ଅଗଷ୍ଟରେ ୧୨,୦୭,୦୦୫ ବାଇକ ବିକ୍ରି ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ, ଅଗଷ୍ଟରେ କମର୍ସିଆଲ ଗାଡ଼ି ବିକ୍ରି ୩୮.୭୧ ପ୍ରତିଶତ ହ୍ରାସ ପାଇ ୫୧,୮୯୭ ରହିଛି। ଏଣୁ ସମସ୍ତ ପ୍ରକାର ଗାଡ଼ି ବିକ୍ରିକୁ ହିସାବକୁ ନେଲେ ଅଗଷ୍ଟରେ ମୋଟ ଗାଡ଼ି ବିକ୍ରି ୨୩.୫୫% ହ୍ରାସ ପାଇ ୧୮,୨୧,୪୯୦ ରହିଛି। ପୂର୍ବ ବର୍ଷ ଏହି ସମୟରେ ୨୩,୮୨,୪୫୬ ଗାଡ଼ି ବିକ୍ରି ହୋଇଥିଲା। ସେହିପରି ଭାରି ଯାନ ବିକ୍ରି ୫୪.୩% କମି ୧୫,୫୭୩ରେ ପହଞ୍ଚତ୍ଛି। ଅନୁରୂପ ଭାବେ ହାଲୁକା ବାଣିଜି୍ୟକ ଯାନ ବିକ୍ରି ଗତବର୍ଷ ଅପେକ୍ଷା ୨୮% ହ୍ରାସ ପାଇ ୩୬,୩୨୪ରେ ପହଞ୍ଚତ୍ଛି।

Share