Categories: ବାଣିଜ୍ୟ

ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ନିଯୁକ୍ତି ହରାଇଲେ ୧ ଲକ୍ଷ

ନୂଆଦିଲ୍ଲୀ,୭-୧୨: ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ଗତ ବର୍ଷେ ମଧ୍ୟରେ ୧ ଲକ୍ଷ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ହରାଇଛନ୍ତି। ଅକ୍ଟୋବର ୨୦୧୮ ଠାରୁ ଚଳିତ ବର୍ଷ ଜୁଲାଇ ମଧ୍ୟରେ ଏହି ଲୋକଙ୍କ ନିଯୁକ୍ତି ଯାଇଥିବା ଜଣାପଡିଛି। ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଏହି ଶିଳ୍ପର ମୋଟ କାରବାର ୧୦% ହ୍ରାସ ଘଟିଥିବା ଅଟୋମୋଟିଭ କମ୍ପୋନେଣ୍ଟ ମାନୁଫାକଚରର୍ସ ଆସୋସିଏଶନ ପକ୍ଷରୁ ସୂଚନା ରହିଛି। ଯାନ ବାହାନ ମାନୁଫାକଚରିଂ ୧୫ରୁ ୨୦% ହ୍ରାସ ହେବା ଯୋଗୁ ଅଟୋ ଯନ୍ତ୍ରାଂଶ ଶିଳ୍ପ ଉପରେ ଏହାର ଗଭୀର ପ୍ରଭାବ ପରିଲକ୍ଷିତ ହୋଇଥିବା ଶିଳ୍ପ ସୂତ୍ରରୁ ଜଣାପଡିଛି। ଏହି ଶିଳ୍ପର କାରବାର ୧୦.୧% ଖସିବା ଯୋଗୁ ଏହା ମୋଟ ୧.୭୯ ଲକ୍ଷ କୋଟି ଟଙ୍କା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ ବଡ ଧରଣର ହ୍ରାସ ବୋଲି ଜଣାଯାଇଛି। ଗତ ବର୍ଷ ଏହି ସମୟ ମଧ୍ୟରେ କାରବାର ୧.୯୯ ଲକ୍ଷ କୋଟି ଟଙ୍କା ରହିଥିଲା।
ସୂଚନା ମୁତାବକ, ମାନ୍ଦାବସ୍ଥା ଯୋଗୁ ଚଳିତ ଆର୍ଥତ୍କ ବର୍ଷ ଗତ ତ୍ରୈମାସରେ ଏହି ଶିଳ୍ପରେ ୨ ବିଲିୟନ ଡଲାରର ନିବେଶ ପ୍ରଭାବିତ ହୋଇଛି। ସଂଘର ସଭାପତି ଦୀପକ ଜୈନ କହିଛନ୍ତି ଯେ, ଗତ ବର୍ଷେ ମଧ୍ୟରେ ସବୁ ସେଗମେଣ୍ଟରେ ଯାନ ବିକ୍ରି କମିଛି। ଯାନ ମାନୁଫାକ୍‌ଚରିଂ ୧୫ରୁ ୨୦% ହ୍ରାସ ହେବା ଯୋଗୁ ଯନ୍ତ୍ରାଂଶ ସେଗମେଣ୍ଟ ଉପରେ ଏହାର ପ୍ରଭାବ ପଡିଛି। ଏହି ସମୟରେ ଉକ୍ତ ଶିଳ୍ପର କାର୍ଯ୍ୟକ୍ଷମତା ୮୦%ରୁ ହ୍ରାସ ଘଟି ୫୦%କୁ ଖସିଛି। ଗାଡି ଚାହିଦା ହ୍ରାସ, ବିଏସ୍‌ -୬ ଯାନରେ ନିବେଶ, ନଗଦ ସମସ୍ୟା ଏବଂ ଇ-ଯାନକୁ ନେଇ ସରକାରଙ୍କ ନୀତି ସ୍ପଷ୍ଟ ନ ହେବା ଯୋଗୁ ଏହା ଦ୍ୱାରା ଶିଳ୍ପ ଉପରେ ନକାରାତ୍ମକ ପ୍ରଭାବ ରହିଛି। ସବୁ ପାର୍ଟସ ଉପରେ ସମାନ ଭାବେ ୧୮% ଜିଏସ୍‌ଟି ଲାଗୁ କରାଇବାକୁ ଶିଳ୍ପ ପକ୍ଷରୁ ଦାବି କରାଯାଇଛି।

Share