Categories: ବାଣିଜ୍ୟ

ଅଟୋ ଡିଲରଙ୍କ ଲାଗି ଏସ୍‌ବିଆଇର ପଦକ୍ଷେପ;ଋଣ ପୈଠ ଅବଧି ବଢାଇଲା

ନୂଆଦିଲ୍ଲୀ, ୧୯-୮: ଘରୋଇ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏଥିଯୋଗୁ ଅନେକ କମ୍ପାନୀ ବର୍ତ୍ତମାନ ସେମାନଙ୍କ ଉତ୍ପାଦନ ବନ୍ଦ କରୁଥିବା ଦେଖାଯାଉଛି। ସେହିଭଳି ଆଉ କିଛି କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଡିଲରଶିପଗୁଡିକ ବିଭିନ୍ନ କାରଣଯୋଗୁ ବନ୍ଦ ହୋଇ ଯାଉଥିବା ଦେଖାଯାଉଛି। ଅଟୋ ଡିଲରଙ୍କ ସମସ୍ୟାକୁ ଧ୍ୟାନରେ ରଖି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପଦକ୍ଷେପ ଗ୍ରହଣ କରିଛି। ବ୍ୟାଙ୍କ ଅଟୋ ଡିଲରଙ୍କ ଋଣ ପୈଠ ଅବଧିକୁ ବଢାଇ ଦେଇଥିବା ଜଣାପଡିଛି। ଅଟୋ ଶିଳ୍ପରେ ଚାହିଦା ହ୍ରାସ ଏବଂ ଇନଭେନଟୋରୀ ପୁନର୍ଗଠନ ନେଇ ଡିଲରଶିପଗୁଡିକ ବର୍ତ୍ତମାନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖି କିଛି କିଛି କ୍ଷେତ୍ରରେ ଋଣ ପୈଠ କରିବା ଅବଧିକୁ ବଢାଯାଇଥିବା ଏସ୍‌ବିଆଇର ଡିଜିଟାଲ ଏବଂ ରିଟେଲ ବ୍ୟାଙ୍କିଙ୍ଗ ଏମ୍‌ଡି ପି.କେ. ଗୁପ୍ତା କହିଛନ୍ତି। ସାଧାରଣତଃ ଋଣ ପୈଠ ସମୟ ୬୦ ଦିନ ରହିଥିବା ବେଳେ ଏହାକୁ ୭୫ ଦିନ ଏବଂ ଅନ୍ୟ କିଛି କ୍ଷେତ୍ରରେ ୯୦ ଦିନକୁ ବୃଦ୍ଧି କରାଯାଇଛି। ସେହିଭଳି ଲୋକମାନେ କିଭଳି ସୁଲଭ ସୁଧହାରରେ ଋଣ ନେଇ କାର କ୍ରୟ କରିପାରିବେ ତାକୁ ଧ୍ୟାନରେ ରଖଯାଇଛି। ଗ୍ରାହକଙ୍କ ଚାହିଦା ପୂରଣ ଲାଗି ଅଟୋ ଡିଲର ଯେଭଳି ଭାବେ ସମସ୍ୟା ସମ୍ନା ନ କରିବେ ତାକୁ ଗୁରୁତ୍ୱ ଦିଆଯାଉଥିବା ଗୁପ୍ତା କହିଛନ୍ତି।

Share