ଅଙ୍ଗନଓ୍ବାଡି କେନ୍ଦ୍ର ରୋଷେଇଘରୁ ମୃତଦେହ ମିଳିବା ଘଟଣା: ପୋଲିସ-ଜନତା ମୁହାଁମୁହିଁ

ଚିତ୍ରକୋଣ୍ଡା, ୧୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗାଁମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ ଘରୁ ରାଜୁ ହାନ୍ତାଳ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସୋମବାର ମଧ୍ୟ ଉତ୍ତେଜନା ଲାଗିରହିଛି। ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି। ଫଳରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ପ୍ରକାଶ ଯେ, ଗତ ଶୁକ୍ରବାର ରାଜୁ ଦୁଇ ଝିଅଙ୍କସହ ଜନ୍ତାପାଇଠାରେ ହେଉଥିବା ସପ୍ତାହିକ ହାଟକୁ ଔଷଧ ଓ ରାସନ କିଣିବାକୁ ଯାଇଥିଲେ। ସେଠାରେ ସାଦା ପୋଷାକ ପିନ୍ଧିଥିବା ବିଏସ୍‌ଏଫ୍‌ ଯବାନମାନେ ରାଜୁଙ୍କୁ ଡାକି ନେଇଥିବା ତାଙ୍କ ଝିଅ କହିଥିଲେ। ତା’ ପରଠାରୁ ରାଜୁ ଘରକୁ ଫେରି ନ ଥିଲେ। ଶନିବାର ଯନ୍ତାପାଇ ଅଙ୍ଗନବାଡ଼ି ରୋଷେଇ ଘରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ଏ ନେଇ ଶନିବାର ମୃତକଙ୍କ ପରିବାର ସହିତ ଗ୍ରାମବାସୀ ପାପରମେଟଲା ଥାନା ଘେରାଉ କରିଥିଲେ।