Categories: ବାଣିଜ୍ୟ

ଅଗଷ୍ଟରେ ଜିଏସ୍‌ଟି ସଂଗ୍ରହ ୧.୪୩ ଲକ୍ଷ କୋଟି

ନୂଆଦିଲ୍ଲୀ,୨।୯:ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଫଳରେ କ୍ରମାଗତ ଭାବେ ଟିକସ ଆଦାୟ ପୂର୍ବ ଅପେକ୍ଷା ଅଧିକ ହୋଇଥିବା ସରକାର ମଧ୍ୟ ସ୍ବୀକାର କରିଛନ୍ତି। ବିଶେଷକରି ଏକକ ଟିକସ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ ହେବାଠାରୁ ଟିକସ ସଂଗ୍ରହ ମଧ୍ୟ ପ୍ରତି ମାସ ବୃଦ୍ଧି ପାଉଛି। ଏପରିକି ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ଅଗଷ୍ଟରେ ଦେଶର ଜିଏସ୍‌ଟି ରାଜସ୍ବ ସଂଗ୍ରହ ୧.୪୩ ଲକ୍ଷ କୋଟରୁ ଅଧିକ ହୋଇଛି। ଏପରିକି କ୍ରମାଗତ ୬ଷ୍ଠ ମାସ ପାଇଁ ୧.୪ ଟ୍ରିଲିୟନରୁ ଅଧିକ ଜିଏସ୍‌ଟି ସଂଗ୍ରହ ରାଶି ରହିଛି। ହେଲେ ଚଳିତ ବର୍ଷ ଜୁଲାଇର ଜିଏସ୍‌ଟି ରାଜସ୍ବ ସଂଗ୍ରହ ୧.୪୯ ଲକ୍ଷ କୋଟି ତୁଳନାରେ ୪% କମ୍‌ ରହିଛି। କିନ୍ତୁ ୨୦୨୧ ଅଗଷ୍ଟ ତୁଳନାରେ ଏହା ୨୮% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୧ ଅଗଷ୍ଟରେ ଜିଏସ୍‌ଟି ସଂଗ୍ରହ ୧.୧୨ ଟ୍ରିଲିୟନ ହୋଇଥିଲା।
ଚଳିତ ବର୍ଷ ଅଗଷ୍ଟ ମାସରେ ସଂଗ୍ରହ ହୋଇଥିବା ମୋଟ ୧,୪୩,୬୧୨ କୋଟିର ଜିଏସ୍‌ଟି ମଧ୍ୟରୁ କେନ୍ଦ୍ରୀୟ ଜିଏସ୍‌ଟି ୨୪,୭୧୦ କୋଟି ଟଙ୍କା ରହିଥିବା ବେଳେ ରାଜ୍ୟ ଜିଏସ୍‌ଟି ୩୦,୯୫୧ କୋଟି ଟଙ୍କା ରହିଛି। ସେହିଭଳି ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି ବାବଦକୁ ୭୭,୭୮୨ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ସେସ୍‌ ବାବଦକୁ ମୋଟ ୧୦,୧୬୮ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଚଳିତ ବର୍ଷ ଅଗଷ୍ଟରେ ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ ୧୭% ବୃଦ୍ଧି ପାଇ ୩୮୮୪ କୋଟିରେ ପହଞ୍ଚତ୍ଛି।

Share