Categories: ବାଣିଜ୍ୟ

ଅଗଷ୍ଟରୁ ଅନ୍‌ଲାଇନରେ କିଣି ହେବ ବିଦେଶୀ ମୁଦ୍ରା

ନୂଆଦିଲ୍ଲୀ,୮-୬: ବିଦେଶ ଯିବାକୁ ଥିବା ବ୍ୟକ୍ତିବିଶେଷ ଅଥବା କ୍ଷୁଦ୍ର ବ୍ୟବସାୟୀ ଅଗଷ୍ଟରୁ ଅନ୍‌ଲାଇନରେ ବିଦେଶୀ ମୁଦ୍ରା କିଣିପାରିବେ। ଏଥିଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ଏକ ପ୍ଲାଟଫର୍ମ ଆରମ୍ଭ କରିବାକୁ ଯାଉଛି। ଏ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କ ଏକ ବିବୃତି ଜାରି କରିଛି। ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, କ୍ଲିୟରିଂ କର୍ପୋରେଶନ ଅଫ୍‌ ଇଣ୍ଡିଆ ଏକ ନୂଆ ପ୍ଲାଟଫର୍ମ ଡେଭଲପ୍‌ କରିଛି। ଏହାର ଏବେ ପରୀକ୍ଷା ଚାଲିଛି। ଅଗଷ୍ଟ ପ୍ରଥମ ସପ୍ତାହରୁ ସାଧାରଣ ନାଗରିକ ଏହି ପ୍ଲାଟଫର୍ମର ବ୍ୟବହାର କରିପାରିବେ। ସୂଚନାଯୋଗ୍ୟ ଯେ, ବିଦେଶୀ ମୁଦ୍ରା କାରବାର ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବେ ସଂଗଠିତ ନୁହେଁ। ବିଦେଶୀ ମୁଦ୍ରା କିଣିବା ଲାଗି ଲୋକଙ୍କୁ ୧ରୁ ୩% ପର୍ଯ୍ୟନ୍ତ କମିଶନ ଦେବାକୁ ପଡୁଛି।
ଏହାକୁ ଧ୍ୟାନରେ ରଖି ୨୦୧୭ରେ ଆର୍‌ବିଆଇ ଏକ ଅନ୍‌ଲାଇନ ପ୍ଲାଟଫର୍ମ ବିକଶିତ କରିବା ଲାଗି ପ୍ରସ୍ତାବ ଦେଇଥିଲା। ଏହି ପ୍ଳାଟଫର୍ମ ଆରମ୍ଭ ହୋଇଯିବା ପରେ ସାଧାରଣ ଲୋକ ବିଦେଶୀ ମୁଦ୍ରାକୁ ଗୋଟିଏ କ୍ଲିକ୍‌ରେ ସହଜରେ କିଣି ବା ବିକି ପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ କୌଣସି କମିଶନ ନିଆଯିବ ନାହିଁ। ଲୋକଙ୍କୁ ଆନ୍ତଃବ୍ୟାଙ୍କ ଦର ହିସାବରେ ବିଦେଶୀ ମୁଦ୍ରା କିଣାବିକା କରିବାକୁ ସୁଯୋଗ ଦିଆଯିବ। ନୂଆ ପ୍ଲାଟଫର୍ମରେ ଗ୍ରାହକଙ୍କ ରେଜିଷ୍ଟ୍ରେଶନ ଜୁଲାଇ ପହିଲାରୁ ଆରମ୍ଭ କରିବାକୁ ଫରେନ ଏକ୍ସଚେଞ୍ଜ ଡିଲର ଆସୋସିଏଶନ ନିଜର ସମସ୍ତ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛି। ଡିଲର୍ସଙ୍କ କହିବାନୁଯାୟୀ, ଏହି ପ୍ଲାଟଫର୍ମ ଜରିଆରେ ଯେଉଁ ବିଦେଶୀ ନୋଟ୍‌ ବିକ୍ରି କରାଯିବ, ଦେଶକୁ ଫେରୁଥିବା ବ୍ୟକ୍ତିଙ୍କଠାରୁ ତାହା ଫେରସ୍ତ ନିଆଯିବ। ଏହାଛଡ଼ା ଭାରତର ବ୍ୟାଙ୍କରେ ଡଲାର ବିକୁଥିବା ଏନ୍‌ଆର୍‌ଆଇଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ।

Share