Categories: ବାଣିଜ୍ୟ

ଅକ୍ଟୋବର ପହିଲାରୁ ସମସ୍ତ ପ୍ରକାର ଋଣ ଶସ୍ତା କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୯:ଦେଶର ସର୍ବବୃହତ୍‌ ବ୍ୟାଙ୍କ କୁହାଯାଉଥିବା ଏସ୍‌ବିଆଇ ପାର୍ବଣ ପୂର୍ବରୁ ନିଜର ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅକ୍ଟୋବର ପହିଲାରୁ ସମସ୍ତ ଫ୍ଲୋଟିଂ ରେଟ୍‌କୁ ଏକ୍ସଟରନାଲ ବେଞ୍ଚମାର୍କ ରୂପରେ ରେପୋ ରେଟ୍‌ ସହ ଯୋଡିବାକୁ ନିଷ୍ପତ୍ତି ନେଇଛି। ଫଳରେ ଏମ୍‌ଏସ୍‌ଏମ୍‌ଇ, ରିଟେଲ ଓ ହାଉସିଂ ଋଣ ଶସ୍ତା ହେବ। ଅକ୍ଟୋବର ପହିଲାରୁ ସମସ୍ତ ପ୍ରକାର ନୂଆ ପରିବର୍ତ୍ତନଶୀଳ(ଫ୍ଲୋଟିଂ) ରେଟ୍‌ ଲାଗୁ ଥିବା ପର୍ସନାଲ, ଖୁଚୁରା ଓ ଏମ୍‌ଏସ୍‌ଏମ୍‌ଇ ଋଣକୁ ବାହ୍ୟ ବେଞ୍ଚମାର୍କ ସହ ଯୋଡିଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ବ୍ୟାଙ୍କଗୁଡ଼ିକୁ ନିଜର ସ୍ବତନ୍ତ୍ର ବେଞ୍ଚମାର୍କ ନିର୍ଦ୍ଧାରଣ କରିବାକୁ ସୁଯୋଗ ଦିଆଯାଇଛି। ବ୍ୟାଙ୍କଗୁଡ଼ିକ ରେପୋ ରେଟ୍‌, ତ୍ରୈମାସ ଅଥବା ୬ ମାସ ରାଜସ୍ବ ବିଲ୍‌ ଅଥବା ଫାଇନାନ୍ସିଆଲ ବେଞ୍ଚମାର୍କ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଦ୍ୱାରା ଜାରି କରାଯାଇଥିବା ଯେକୌଣସି ବଜାର ସୁଧ ହାର ମାନଦଣ୍ଡକୁ ଚୟନ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ତାଙ୍କ ନିର୍ଦ୍ଦେଶରେ କହିଥିଲେ।

Share