ସମ୍ପାଦକୀୟ/ସବୁଆଡ଼େ କ୍ଷତି

୧୯୯୧ରେ ଭାରତୀୟ ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଥିଲା। ଉଦାରୀକରଣ ନୀତି ଅବଲମ୍ବନ କରାଯିବା ପରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆସିବା ସହ ଘରୋଇ କ୍ଷେତ୍ର ବ୍ୟାପକ ହୋଇଥିଲା। ଭାରତରେ ପୁଞ୍ଜିନିବେଶ ପାଇଁ ବିଦେଶୀଙ୍କୁ ଅନୁମତି ଦିଆଯାଇଥିଲା। ମୁକ୍ତ ଅର୍ଥନୀତି ଯୋଗୁ ସରକାରୀ ସ୍ତରରେ ଥିବା ଲାଇସେନ୍ସରାଜ୍‌ ପ୍ରତ୍ୟାହାର ହେଲା ବୋଲି କୁହାଯାଇଥିଲା। ଏଭଳି ସଂସ୍କାରର ସୁଫଳ ଅବଶ୍ୟ କିଛି ବର୍ଷ ପରେ ଦେଶକୁ ମିଳିଥିଲା। ହେଲେ ଏବର ସ୍ଥିତି ଦେଖିଲେ ଅଧିକାଂଶ ସରକାରୀ ଓ ଘରୋଇ ସଂସ୍ଥା କ୍ଷତିରେ ଚାଲୁଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଓ ଏୟାର ଇଣ୍ଡିଆ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏବେ ଅନ୍ୟତମ ପ୍ରମୁଖ ସରକାରୀ ସଂସ୍ଥା ଇଣ୍ଡିଆ ପୋଷ୍ଟ (ଭାରତୀୟ ଡାକସେବା) ୨୦୧୮-୧୯ ଆର୍ଥିକବର୍ଷରେ ୧୫ ହଜାର କୋଟି ଟଙ୍କା କ୍ଷତି କରିଛି। ବିଏସ୍‌ଏନ୍‌ଏଲ୍‌ ଓ ଏୟାର ଇଣ୍ଡିଆଠାରୁ ଏହାର କ୍ଷତି ପରିମାଣ ଟପିଯାଇଛି। ଉଲ୍ଲେଖଯୋଗ୍ୟ, ବିଏସ୍‌ଏନ୍‌ଏଲ୍‌ ୮ ହଜାର କୋଟି ଟଙ୍କା କ୍ଷତି ସହିଥିବା ବେଳେ ଏୟାର ଇଣ୍ଡିଆର ପରିମାଣ ରହିଥିଲା ୫,୩୪୦ କୋଟି ଟଙ୍କା। କେବଳ ରାଷ୍ଟ୍ରାୟତ୍ତ ସଂସ୍ଥା ନୁହନ୍ତି, ଘରୋଇ ଟେଲିକମ୍‌ ଓ ଏୟାରଲାଇନ୍ସ ମଧ୍ୟ ସଙ୍କଟରେ ପଡ଼ିଛନ୍ତି। ସଦ୍ୟ ହଇରାଣରେ ପଡ଼ିଥିବା ଜେଟ୍‌ ଏୟାରଓ୍ବେଜ୍‌ ବନ୍ଦ ହେବା ଅବସ୍ଥାରେ ଆସି ପହଞ୍ଚିଛି। ଗୋଟିଏ ପରେ ଗୋଟିଏ ସରକାରୀ ଓ ଘରୋଇ ଉଦ୍ୟୋଗ ଆର୍ଥିକ ସଙ୍କଟ ଦେଇ ଗତିକରିବା ଭାରତୀୟ ଅର୍ଥନୀତି ପାଇଁ ସତର୍କଘଣ୍ଟି ପାଲଟିଲାଣି।
ଭାରତରେ ଏବେ ସାଧାରଣ ନିର୍ବାଚନ ଚାଲିଛି। ପ୍ରତ୍ୟେକ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି। କୌଣସି ଦଳ ଆର୍ଥିକ ଦିଗକୁ ଦୃଷ୍ଟି ନ ଦେଇ ଯେଉଁଭଳି ଭାବେ ସୁବିଧା ଘୋଷଣା କରିଚାଲିଛନ୍ତି, ତାହାକୁ ସୁସ୍ଥ ମସ୍ତିଷ୍କର ଜଣେ ବ୍ୟକ୍ତି କେବେହେଲେ ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଏ ଦେଶରେ ସୁବିଧା ଓ ଫାଇଦା କେଉଁଠାରୁ ମିଳିପାରିବ ତାହାକୁ ଜନସାଧାରଣ ଯେଭଳି ସହଜରେ ଜାଣିପାରିଥାଆନ୍ତି, ଅର୍ଥନୀତି ଭଳି ଜଟିଳ ପ୍ରସଙ୍ଗକୁ ବୁଝିପାରୁ ନ ଥିବାରୁ ରାଜନୈତିକ ଦଳ ଓ ନେତାମାନେ ସେମାନଙ୍କୁ ଭକୁଆ କରି ରଖୁଛନ୍ତି। ସମାଜର ବିଭିନ୍ନ ବର୍ଗଙ୍କୁ ସନ୍ତୁଷ୍ଟ କରିବା ଲାଗି ସରକାରୀ ତହବିଲରେ ଅର୍ଥ ପର୍ଯ୍ୟାପ୍ତ ନ ଥିଲା ବେଳେ ମାଗଣା ଘୋଷଣା କିଭଳି ଫଳବତୀ ହୋଇପାରିବ, ସେ ସଂକ୍ରାନ୍ତ ପ୍ରଶ୍ନ କୌଣସି ଭୋଟର ପଚାରୁଥିବା ଲକ୍ଷ୍ୟ କରାଯାଉ ନାହିଁ। କେନ୍ଦ୍ରରେ ଭାଜପା ସରକାରଙ୍କ ବିଗତ ୫ ବର୍ଷର ଶାସନକୁ ଦେଖିଲେ ଏ ଦେଶରେ କେବଳ ଏକ ପ୍ରଚାରସର୍ବସ୍ବ ବାତାବରଣ ସୃଷ୍ଟି କରାଯାଇଥିବା କୁହାଯାଉଛି। ଏହି ସରକାର ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରି ସମଗ୍ର ଅର୍ଥନୀତିକୁ ପଙ୍ଗୁ କରିଦେଇଛି। ଏହାର ସବୁଠାରୁ ଖରାପ ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ପଡ଼ିଛି। ନିକଟ ଅତୀତରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ନିଯୁକ୍ତି ହାର ବିଗତ ୪୫ ବର୍ଷ ମଧ୍ୟରେ ଅତ୍ୟନ୍ତ ନିମ୍ନ ସ୍ତରକୁ ଚାଲିଯାଇଛି। ତ୍ରୁଟିପୂର୍ଣ୍ଣ ବ୍ୟାଙ୍କିଙ୍ଗ୍‌ ନୀତି ଯୋଗୁ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ (ଏନ୍‌ପିଏ) ୧୦ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି। ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୋକ୍ସିଙ୍କ ସହିତ ଆହୁରି ୩୬ ଜଣ ବ୍ୟବସାୟୀ ଦେଶ ଛାଡ଼ି ପଳାଇ ଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍ବୀକାର କରିଛି। ପୁଣି ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀକୁ ଅତ୍ୟଧିକ ଅନୁଗ୍ରହ ଦିଆଯିବା ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତା ସ୍ତର ଦୁର୍ବଳ ହୋଇଯାଇଛି। ଟେଲିକମ୍‌ କ୍ଷେତ୍ର ଏହାର ଜ୍ୱଳନ୍ତ ଉଦାହରଣ।
ଭୁଲ ଅର୍ଥନୈତିକ ନୀତି ସମଗ୍ର ବ୍ୟବସ୍ଥାକୁ ଧ୍ୱଂସ କରିଦେଇଥାଏ। ଭାରତରେ ରାଜନୈତିକ ଦଳ ଓ ନେତାମାନେ ଦେଶ ସମ୍ମୁଖୀନ ହେଉଥିବା ବାସ୍ତବ ସମସ୍ୟାକୁ ଗୁରୁତ୍ୱ ନ ଦେଇ ଲୋକଙ୍କୁ ନିମ୍ନ ସ୍ତରର ସୁବିଧା ଯାଚି ଦୀର୍ଘ ସମୟ ଶାସନ ଗାଦିରେ ବସିବାକୁ ଉଚିତ ମଣୁଛନ୍ତି। କେଉଁ କାରଣ ଯୋଗୁ ଗାଁଠୁ ସହରଯାଏ ଶାଖା ମେଲିଥିବା ବୃହତ୍‌ ଡାକ ସଂସ୍ଥା କ୍ଷତିରେ ପଡ଼ିଲା, ତାହା ଉପରେ ଅନୁଧ୍ୟାନ କରାଯାଉ ନାହିଁ। ଦେଶର ଆର୍ଥିକ ମେରୁଦଣ୍ଡ ସବଳ ନ ହେଲେ ସାମାଜିକ ସ୍ତରରେ ବିକାଶ ହୋଇପାରିବ ନାହିଁ। ବର୍ତ୍ତମାନ ନିର୍ବାଚନ ଚାଲୁଥିବାରୁ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକ ‘ବିକାଶ’କୁ ବିଭିନ୍ନ ତରିକାରେ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରିବାରେ ବ୍ୟସ୍ତ। ‘ଚୂନା ନ ଦେଖି ପିଠା’ ତିଆରି କରୁଥିବା ରାଜନୈତିକ ଦଳ ଓ ନେତାମାନେ ବାସ୍ତବ ପରିସ୍ଥିତିକୁ ବୁଝିବା ଆବଶ୍ୟକ ହୋଇପଡ଼ିଲାଣି। ‘ଋଣ କରି ଘିଅ ପିଇବା’ ଭଳି ମନୋବୃତ୍ତି ବ୍ୟକ୍ତିଗତ ସ୍ତରରୁ ସରକାରଯାଏ ରହିଲେ, କୌଣସି ଜାତୀୟ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଆଗକୁ ଯେଉଁଠାରେ ଯେଉଁ ଦଳ କ୍ଷମତାକୁ ଆସନ୍ତୁ ନା କାହିଁକି, କଠୋର ଅର୍ଥନୈତିକ ସ୍ଥିତି ଏକ ବୃହତ୍‌ ସମସ୍ୟା ଭାବେ ଉଭା ହେବା ଥୟ।


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ ଏକତାର ବେଳ ଆସିଛି

ପହଲଗାମ୍‌ ଆତଙ୍କବାଦ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନି ପରେ ଭାରତ ଆରମ୍ଭ କରିଥିବା ଅପରେଶନ ସିନ୍ଦୂର ଏସୀୟ ରାଜନୀତିକୁ ସ୍ପଷ୍ଟ କରିଦେଇଛି। ଭାରତ ତା’ର...

ଶ୍ରବଣ କୁମାର କାହାଣୀ କେତେ ଜରୁରୀ

ଆଜିକାଲି ପିଲାମାନଙ୍କ ବୌଦ୍ଧିକ ଓ ମନସ୍ତାତ୍ତ୍ୱିକ ଏବଂ ଶାରୀରିକ ବିକାଶ ସହ ସାଂସ୍କୃତିକ ଓ ବ୍ୟବହାରିକ ସ୍ତରରେ ମଧ୍ୟ ବିକାଶ ହେବା ଆବଶ୍ୟକତା ପରିଲକ୍ଷିତ ହୁଏ।...

ସମୃଦ୍ଧିର ଦର୍ଶନ

ଭାରତରେ ଏବେ ସାମାଜିକ କାର୍ଯ୍ୟକଳାପ ଓ ଜାତିବିରୋଧୀ ଅଭିଯାନଗୁଡ଼ିକ ସହ ବୌଦ୍ଧଧର୍ମକୁ ଦୃଢ଼ ଭାବେ ଯୋଡ଼ାଯାଉଛି। କିନ୍ତୁ ଦେଖିବାକୁ ଗଲେ ସମ୍ରାଟ ଅଶୋକଙ୍କ ଶାସନକାଳ ଖ୍ରୀଷ୍ଟପୂର୍ବ...

ଅମୂଲ୍ୟ ସମ୍ପଦ ଇତିହାସ

ଏପ୍ରିଲ ୨୨ରେ ପହଲଗାମ୍‌ରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କଲେ। ତା’ର ପ୍ରତିଶୋଧ ନେବାକୁ ଭାରତ ‘ଅପରେଶନ୍‌ ସିନ୍ଦୂର’ ଆରମ୍ଭ କଲା ଓ ପରେ...

ଉପକୂଳ ବିମାନବନ୍ଦର ସମସ୍ୟା

ପୁରୀଠାରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ପ୍ରତିଷ୍ଠା ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଜେ ସ୍ଥଳୀ ପାଇଁ ପୁରୀ ଜଗତ ପ୍ରସିଦ୍ଧ। ଧାର୍ମିକ...

ସହରୀ ବନ୍ୟା

କର୍ନାଟକରେ ୧୮ ମେ’ରୁ ହୋଇଥିବା ପ୍ରବଳ ବର୍ଷାରେ ୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହାର ରାଜଧାନୀ ବେଙ୍ଗାଲୁରୁରେ ଜଣେ ନାବାଳକଙ୍କ ସମେତ ୩ ଜଣ ସହରୀ...

ଏଇ ଭାରତରେ

ବିଭିନ୍ନ ଫସଲ କରି କ୍ଷତି ସହିବା ପରେ ସ୍ତ୍ରୀର ଗହଣା ବିକ୍ରିକରି ସୁନୀଲ କୋଲ୍‌ପେ ୧୬ଟି ମଇଁଷି କିଣି ଏକ ସ୍ମାର୍ଟ ଡାଇରି ଫାର୍ମ କରିଛନ୍ତି...

ଶିକ୍ଷାର ମାନବବାଦୀ ଆଭିମୁଖ୍ୟ

କ୍ଷା ହେଉଛି ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ତଥା ଜାତୀୟ ଆଶା, ଆକାଂକ୍ଷା ଓ ସ୍ବପ୍ନର ରୂପକାର। ସୁସମାଜ ଗଠନ ନିମନ୍ତେ ଶିକ୍ଷକମାନେ ଆଜିର ଶିଶୁମାନଙ୍କୁ ଶିକ୍ଷାଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri