ସମ୍ପାଦକୀୟ/ଭୁଶୁଡ଼ିଲା ମେଣ୍ଟ

ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟବରଣ କରିଥିବା ରାଜନୈତିକ ଦଳଗୁଡ଼ିକ ବିଫଳତାର କାରଣ ଖୋଜିବାରେ ଲାଗିଛନ୍ତି। କେତେକ ଦଳର ତୁଙ୍ଗ ନେତା ଇସ୍ତଫା ଦେବା ବିଷୟ ଘୋଷଣା କରିଥିବା ବେଳେ ଆଉ କେତେ ଜଣ ନୈତିକ ଦୃଷ୍ଟିକୋଣରୁ ଦାୟିତ୍ୱରୁ ଓହରିଯାଇଥିବା ଦେଖିବାକୁ ମିଳିଛି। ଏବେ ଯେଉଁ ପ୍ରସଙ୍ଗ ଅଧିକ ଚର୍ଚ୍ଚିତ ହୋଇଛି ତାହା ହେଲା ଉତ୍ତରପ୍ରଦେଶରେ ବହୁଜନ ସମାଜପାର୍ଟି (ବିଏସ୍‌ପି) ଓ ସମାଜବାଦୀ ପାର୍ଟି (ଏସ୍‌ପି) ମଧ୍ୟରେ ହୋଇଥିବା ସମ୍ପର୍କ ଛିନ୍ନ ଘଟଣା। ବିଏସ୍‌ପି ସୁପ୍ରିମୋ ମାୟାବତୀ ଘୋଷଣା କରିଛନ୍ତି ଯେ, ଉତ୍ତରପ୍ରଦେଶରେ ଆଗକୁ ୧୧ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନରେ ଦଳ ଏକାକୀ ଲଢ଼ିବ। ଏଥିସହିତ ସେ ଏସ୍‌ପି ପ୍ରତି ସମବେଦନା ଜଣାଇବାକୁ ଯାଇ କହିଛନ୍ତି ଯେ, ବିଏସ୍‌ପି ଏକାକୀ ନିର୍ବାଚନ ଲଢ଼ିବାକୁ ମେଣ୍ଟ ମଧ୍ୟରେ ସ୍ଥାୟୀ ଭାବେ ଅପଡ଼ ସୃଷ୍ଟି ହେଲା ବୋଲି ଧରାଯିବା ଉଚିତ ନୁହେଁ, ବରଂ ଭବିଷ୍ୟତରେ ଅଖିଳେଶ ତାଙ୍କ ରାଜନୈତିକ ଲକ୍ଷ୍ୟରେ ସଫଳତା ପାଇଲେ ଦୁଇ ଦଳ ମିଳିମିଶି କାର୍ଯ୍ୟ କରିବେ। ମାୟାବତୀଙ୍କ ଏଭଳି ସ୍ପଷ୍ଟୀକରଣକୁ ରାଜନୈତିକ ବିଶ୍ଳେଷକମାନେ ଭିନ୍ନ ଦୃଷ୍ଟିରେ ଦେଖିବା ସ୍ବାଭାବିକ। କୁହାଯାଉଛି ଉତ୍ତରପ୍ରଦେଶର ୮୦ ଲୋକ ସଭା ଆସନ ମଧ୍ୟରୁ ବିଏସ୍‌ପି ୧୦ ଓ ଏସ୍‌ପି ୫ ଆସନ ହାସଲ କରି ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ଯେହେତୁ ବିଏସ୍‌ପି ଅଧିକ ଆସନ ପାଇପାରିଛି, ଦାବି କରିଛି ଯେ ଏସ୍‌ପି ପାଖରେ ଯେଉଁ ଯାଦବ ଭୋଟ ଥିଲା ତାହା ଭାଜପା ଆଡ଼କୁ ଚାଲିଯାଇଛି। ଏଭଳି କହିବା ପଛରେ ଉଦ୍ଦେଶ୍ୟ ରହିଛି ଯେ ଏସ୍‌ପି ଯେତିକି ବି ଆସନ ପାଇଛି, ତାହା ବିଏସ୍‌ପିର ଦଳିତ ଭୋଟ ଯୋଗୁ ସମ୍ଭବ ହୋଇଛି। ଅନ୍ୟପକ୍ଷରେ ଏସ୍‌ପି ମୁଖ୍ୟ ଅଖିଳେଶ କହିଛନ୍ତି, ତାଙ୍କ ଦଳ ମଧ୍ୟ ଆଗାମୀ ବିଧାନସଭା ଉପନିର୍ବାଚନରେ ନିଜର ଶକ୍ତି ପ୍ରଦର୍ଶନ କରିବ। ଏତିକିରୁ ବୁଝାଯାଇପାରେ ଯେ ଉଭୟ ଦଳ ଭାଜପାକୁ ହରାଇବା ଲକ୍ଷ୍ୟ ରଖି ଯେଉଁ ମେଣ୍ଟ ଗଠନ କରିଥିଲେ, ଆଶାନୁରୂପ ସଫଳତା ନ ପାଇବାରୁ ଭିନ୍ନେ ହୋଇଯାଇଛନ୍ତି।
ନିବର୍ର୍ାଚନ ପୂର୍ବ ଓ ପରର ରାଜନୈତିକ ଦୃଶ୍ୟପଟ ଦେଖିଲେ ମାୟାବତୀ, ଅଖିଳେଶ, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜନସାଧାରଣ ଗ୍ରହଣ ନ କରିବା ପଛରେ ଅନେକ କାରଣ ରହିଛି। ଯେଉଁ ଗୋଟିଏ କାରଣ ସମସ୍ତଙ୍କ ପାଇଁ କାଳ ହୋଇଛି ବୋଲି ଆଲୋଚନା ହେଉଛି, ତାହା ହେଲା ପ୍ରତ୍ୟେକ ବିରୋଧୀ ନେତା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କଲେ। ଏହା ପରିବର୍ତ୍ତେ ଯଦି ଭାଜପାକୁ ବିରୋଧ କରୁଥିବା ଦଳଗୁଡ଼ିକ ନିଜର ଅର୍ଥନୈତିକ, ସାମାଜିକ ଏବଂ ବହିର୍ବ୍ୟାପାର ସଂକ୍ରାନ୍ତ ନୀତିକୁ ଲୋକଙ୍କ ସମ୍ମୁଖରେ ରଖିଥାଆନ୍ତେ, ହୁଏତ ବାଲାକୋଟ ଏବଂ ଅନ୍ୟ କେତେକ ଅପ୍ରାସଙ୍ଗିକ ପ୍ରସଙ୍ଗ ପ୍ରତି ଜନସାଧାରଣ ଆକର୍ଷିତ ହୋଇ ନ ଥାଆନ୍ତେ। ଯେତେବେଳେ ସବୁ ବିରୋଧୀ ଏକାଠି ହୋଇ ଜଣଙ୍କୁ ଗାଳିଦେଲେ, ସେତେବେଳେ ଲୋକେ ଭାବିନେଇଥାଇପାରନ୍ତି ଯେ ଗାଳି ଖାଉଥିବା ଲୋକ ନିଶ୍ଚିତ ଶକ୍ତିଶାଳୀ ଅଛନ୍ତି ଏବଂ ତାଙ୍କୁ ସମର୍ଥନ କଲେ ସ୍ଥିର ସରକାର ମିଳିପାରିବ। ନିର୍ବାଚନ ଫଳ ବାହାରିବା ପରେ ଭାଜପା ସପକ୍ଷରେ ଜନମତ ଆସିଥିବାରୁ ବିରୋଧୀ ହତାଶ ହୋଇପଡ଼ିଛନ୍ତି। ବିରୋଧୀଙ୍କ ପକ୍ଷେ ବୁଦ୍ଧିମାନର କାର୍ଯ୍ୟ ହୋଇଥାଆନ୍ତା ଯଦି ସେମାନେ କେବଳ ବିରୋଧ କରିବା ନାମରେ ବିରୋଧ କରିବାର ଚିନ୍ତାଧାରାଠାରୁ ଓହରି ଯାଇଥାଆନ୍ତେ। ମୋଦିଙ୍କୁ ବ୍ୟକ୍ତିଗତ ଭାବେ ନାପସନ୍ଦ ନ କରି ତାଙ୍କ ସରକାରଙ୍କ ଭୁଲ୍‌ଭଟକା ଏବଂ କେତେକ ଅବାଞ୍ଛିତ ନୀତିକୁ ସକାରାତ୍ମକ ଶୈଳୀରେ ସମାଲୋଚନା କରିଥାଆନ୍ତେ, ତାହା ହେଲେ ଲୋକେ ହୁଏତ ବିରୋଧୀଙ୍କୁ ଗ୍ରହଣ କରିଥାଆନ୍ତେ। ଏଥିସହିତ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ବା କାର୍ଯ୍ୟକ୍ରମର ବାସ୍ତବତା ଉପଲବ୍ଧି କରି ସରକାରଙ୍କୁ ସହଯୋଗ କରିବାର ଚିନ୍ତାଧାରା ବିରୋଧୀଙ୍କ ମୁଣ୍ଡରେ ନ ଜୁଟିବାରୁ ସେମାନଙ୍କୁ ବିଫଳତା ଚାଖିବାକୁ ପଡ଼ିଲା ବୋଲି କୁହାଯାଉଛି। ଅବଶ୍ୟ ବିରୋଧୀ ଧରି ନେଇଥିଲେ ଯେ ମୋଦିଙ୍କ ବିମୁଦ୍ରୀକରଣ ଓ ଜିଏସ୍‌ଟି ପ୍ରଚଳନ ଭଳି କଠୋର ନିଷ୍ପତ୍ତି ଜନସାଧାରଣଙ୍କ ନିକଟରେ ସରକାରକୁ ନିନ୍ଦିତ କରିଥିବ ଏବଂ ତାହା ଭୋଟରେ ପ୍ରତିଫଳିତ ହେବ। କିନ୍ତୁ ସରକାର ବିରୋଧୀ ହାଓ୍ବା ସରକାରଙ୍କ ସପକ୍ଷରେ ବୋହିଗଲା। ଏଭଳି ହେବା ପଛରେ ଆଉ ଯେଉଁ କାରଣଟି ମୁଖ୍ୟ ଭୂମିକା ଗ୍ରହଣ କରିଛି ବୋଲି ଅନ୍ଦାଜ ଲଗାଯାଉଛି, ତାହା ହେଲା ବିରୋଧୀଙ୍କ ମଧ୍ୟରେ ଏକତା ରହିଲା ନାହିଁ କି କେହି ଜଣେ ସର୍ବମାନ୍ୟ ନେତା ଭାବେ ସାଧାରଣରେ ପ୍ରଦର୍ଶିତ ହୋଇପାରିଲେ ନାହିଁ।
୨୦୧୯ ସାଧାରଣ ନିର୍ବାଚନ ଆଉ ଗୋଟିଏ ଶିକ୍ଷା ଦେଇଗଲା ଯେ, ଭୋଟରଙ୍କୁ କଳିବା ସହଜ ନୁହେଁ। ପୂର୍ବାପେକ୍ଷା ଏଥର ମତଦାତା ବୁଦ୍ଧି ଖଟାଇ ନେତା ବାଛିବାକୁ ପସନ୍ଦ କରିଛନ୍ତି। ଏଥିସହିତ ପାରମ୍ପରିକ ଗଣମାଧ୍ୟମଠାରୁ ସୋସିଆଲ ମିଡିଆକୁ ଭଲ ଭାବେ ଯିଏ ପରିଚାଳନା କରିପାରିଛନ୍ତି, ସେମାନଙ୍କ ଭାଗରେ ଅଧିକ ସଂଖ୍ୟା ପଡ଼ିଛି ବୋଲି କୁହାଯାଉଛି। ବ୍ରିଟିଶ ଐତିହାସିକ, ରାଜନେତା ତଥା ଲେଖକ ଜନ୍‌ ଏମ୍ରିଚ୍‌ ଏଡ୍‌ଓ୍ବାର୍ଡ ଡାଲବର୍ଗ ଆକ୍ଟନଙ୍କ ମତରେ ‘ପାଓ୍ବାର ଟେନ୍‌ଡସ ଟୁ କରପ୍ଟ ଆଣ୍ଡ୍‌ ଆବସଲ୍ୟୁଟ ପାଓ୍ବାର କରପ୍ଟସ ଆବସଲ୍ୟୁଟ୍‌ଲି’। ଅର୍ଥାତ୍‌ କ୍ଷମତା ଦୁର୍ନୀତି ଆଡ଼କୁ ଢଳିଥାଏ ଏବଂ ସମ୍ପୂର୍ଣ୍ଣ କ୍ଷମତା ଦୁର୍ନୀତିରେ ବୁଡ଼ିଯାଏ। ତେଣୁ ଆଜି ଯେଉଁମାନେ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି, ସେମାନଙ୍କ କାର୍ଯ୍ୟଶୈଳୀ ଉପରେ ବିରୋଧୀ ତୀକ୍ଷ୍ମ ନଜର ରଖିବା ଦରକାର। ଧୈର୍ଯ୍ୟ ଧରି ସରକାରଙ୍କ ଭୁଲ ବାଛି ତାହାକୁ ଲୋକଲୋଚନକୁ ଆଣିପାରିଲେ ବିରୋଧୀ ସଫଳତା ପାଇପାରନ୍ତି। ‘ରୋଗ ବିକଳରେ ତାଟିଆ କାମୁଡିଲେ’ ବ୍ୟାଧି କେବେ ବି ଉପଶମ ହୋଇପାରିବ ନାହିଁ। ରାଜନୈତିକ ବ୍ୟକ୍ତିମାନେ ସୁବିଧାବାଦ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ଜନସାଧାରଣଙ୍କ ବାସ୍ତବ ସମସ୍ୟା ବୁଝିଲେ ଲୋକେ ସେମାନଙ୍କୁ ଲୋଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri