ଷଣ୍ଢମାର୍କା ଟୋକା

ମନ-ମାନଚିତ୍ର

ଡ. ନରହରି ବେହେରା

ମାଇନର ପଢ଼ିବାବେଳେ ମୋ ଜେଜେ ଥରେ ପାଖକୁ ଡାକି କହିଲେ- ଆରେ ନାତିଆ, ସବୁ କରିବୁ, ହେଲେ ଷଣ୍ଢମାର୍କା ଟୋକାଙ୍କ ପାଖ ମାଡ଼ିବୁ ନାହିଁ। ଏମାନଙ୍କର ଦୟାମାୟା ବୋଲି କିଛି ନାହିଁ। ଏମାନେ ଯାହା କରନ୍ତି କେବଳ ନିଜ ସ୍ବାର୍ଥ ପାଇଁ। ସେଦିନ ମୁଁ ଏ କଥାର ଅର୍ଥ ବୁଝି ନ ପାରି ଜେଜେମା’ଙ୍କୁ ପଚାରିଲି। ସେ ମୋତେ ହସିଦେଇ କହିଲେ, ବଡ଼ ହେଲେ ତୁ ସବୁ ବୁଝିଯିବୁ, ଏତେ ବ୍ୟସ୍ତ କାହିଁକି? କିଛିଦିନ ପରେ ମୁଁ ଜାଣିଗଲି, ଆମେ କିଛି ଜିନିଷ କିଣିବାବେଳେ ସେଥିରେ ଥିବା କମ୍ପାନୀମାନଙ୍କର ଚିହ୍ନ ଖୋଜୁଥାଉ। ତାକୁ ବ୍ରାଣ୍ଡ ବା ଟ୍ରେଡ୍‌ମାର୍କ କୁହାଯାଏ। ତେଣୁ ଷଣ୍ଢମାର୍କା ଟୋକାଙ୍କଠାରେ ନିଶ୍ଚୟ କିଛି ଷଣ୍ଢ କମ୍ପାନୀର ଚିହ୍ନ ଥିବ। ତେଣୁ ଟୋକାମାନଙ୍କ ପିଠିପେଟକୁ ଦେଖେ, କାଳେ କିଛି ଚିହ୍ନ ଥିବ। ମାତ୍ର ମୋତେ କିଛି ଚିହ୍ନ ମିଳେ ନାହିଁ। ତେବେ କୋଉ ଟୋକାଙ୍କୁ ଷଣ୍ଢମାର୍କା ବୋଲି ଚିହ୍ନି ତାଙ୍କଠାରୁ ଦୂରେଇ ରହିବି ଜାଣିପାରିଲିନି। ସତରେ କ’ଣ ଏ ଦୁନିଆରେ ଷଣ୍ଢମାର୍କା ଟୋକା ଅଛନ୍ତି! ଜେଜେ କ’ଣ ମୋତେ ମିଛ କହିଲେ? ଏବେ ଜେଜେ ଆଉ ଜେଜେମା’ ଆରପାରିରେ। ସେ କଦାପି ମିଛ କହି ନ ଥିବେ। ମୁଁ କାହାକୁ ନ ପଚାରି, ନିଜେ ଷଣ୍ଢମାର୍କା ଟୋକାଙ୍କୁ ଖୋଜି ବାହାର କରିବି ବୋଲି ମନେ ମନେ ସ୍ଥିର କରିନେଲି।
ସବୁ ଟୋକାଙ୍କୁ ନିରୀକ୍ଷଣ କଲି। ବାଟଘାଟରେ ଧୀରମନ୍ଥର ଗତିରେ ଚାଲୁଥିବା ଏବଂ ମଝି ରାସ୍ତା ହେଉ କି ରାସ୍ତାକଡ଼ରେ ବାଦଶାହା ପରି ଶୋଇ ପାକୁଳି କରୁଥିବା ଷଣ୍ଢକୁ ବି ଦେଖୁଥିଲି। ଏମାନଙ୍କୁ ଦେଖି ଦେଖି ମୋର ଷଣ୍ଢମାର୍କା ଟୋକାଙ୍କ ସମ୍ପର୍କରେ ଏକ ପ୍ରକାର ଧାରଣା ହୋଇଗଲା। ଏ ଟୋକାମାନେ ଅନ୍ୟମାନଙ୍କଠାରୁ ସ୍ବତନ୍ତ୍ର। ଷଣ୍ଢ ପରି ଏମାନଙ୍କର କାହାକୁ ଖାତିର ନ ଥାଏ। ସାଙ୍ଗ ହୋଇ ବୁଲୁ ବୁଲୁ କେବେ କେବେ ଷଣ୍ଢ ଲଢ଼େଇ ପରି ମାରପିଟ୍‌ କରନ୍ତି। ଏହା ହିଁ ଷଣ୍ଢମାର୍କା ଟୋକାଙ୍କର ସାଧାରଣ ଲକ୍ଷଣ। ଏମିତି ସଂଜ୍ଞାଟା ମନେମନେ ସିନା ତିଆରି କରିଦେଲି ହେଲେ ସେହି ଟୋକାଙ୍କୁ ସାକ୍ଷାତ୍‌ ଦର୍ଶନ ନ କରିବାଯାଏ ମୋ ସଂଜ୍ଞା କିଛି ଅପୂର୍ଣ୍ଣ ରହିଗଲା ପରି ମନେହେଲା।
ସେଦିନ ଅଫିସ୍‌ରେ ବସିଥିଲି। ଦୁଇ ଚାରି ଜଣ ଛଅଫୁଟିଆ ଟୋକା ଅଫିସ୍‌ ଭିତରକୁ ପଶିଆସିଲେ। ସୁନେଲି ରଙ୍ଗର ଚୁଟି, କଳା ଚଷମା ଓ ହାତରେ ବଳା ପିନ୍ଧିଥିବା ଏ ଟୋକାମାନଙ୍କୁ ଦେଖି ଟିକିଏ ହଡ଼ବଡ଼େଇ ଗଲି। ସେମାନେ ବେପରୁଆ ଭାବରେ ମୋ ଆଗ ସିଟ୍‌ରେ ବସିପଡ଼ି ଧମକ ଦେବା ଢଙ୍ଗରେ କହିଲେ- ହୋ ଅଫିସର, ତମ ଅଫିସ୍‌ରୁ ମହାନ୍ତିବାବୁର ବଦଳି ହେବନାହିଁ। ଆମେ କହୁଛୁ ମାନେ ସେ ଏଇଠି ରହିବେ। ଯଦି ସେ ଏଠୁ ଯିବ, ତୁମେ ଜୀବନ ନେଇ ଫେରିବନି। ଆମେ ସବୁ ମନ୍ତ୍ରୀଙ୍କ ଲୋକ। ଆମକୁ ନ ପଚାରି ସେ କିଛି କରନ୍ତି ନାହିଁ। ଆମେ ଯେମିତି କହିବୁ ସେମିତି ହେବ। ଆମ କଥା ମନେ ରଖିଥିବ, ନ ହେଲେ ପୁଅ ଅଖା ଧୋଉଥିବୁ ଗୁଣ ଗାଉଥିବୁ- ଏତିକି କହୁ କହୁ ମୋ ଉପରକୁ ବେପରୁଆ କଟାକ୍ଷ ଝାଡ଼ିଦେଇ ମୋର କିଛି କଥା ନ ଶୁଣି ଚାଲିଗଲେ।
ସେମାନେ ଚାଲିଗଲା ପରେ ଅଫିସ୍‌ର ପୁରୁଖା ପିଅନ ଆସି କହିଲା- ସାର୍‌ ଏମାନେ ଷଣ୍ଢମାର୍କା ଟୋକା। ନିଜ ଇଚ୍ଛାର ମାଲିକ। ଷଣ୍ଢ ଶିବ ମହାପ୍ରୁଙ୍କୁ ଧରି ବୁଲିବା ପରି ଏମାନେ ନେତା କି କିଛି ବଡ଼ବଡ଼ିଆଙ୍କୁ ଦିନରାତି ଧରି ବୁଲୁଥାନ୍ତି। ତେଣୁ ଏମାନେ ଚାରିଦଉଡ଼ି କଟା। ଠିକ୍‌ ଷଣ୍ଢ ପରି। ରାଜରାସ୍ତା ହେଉ କି କାହା ବିଲବାଡ଼ି ସବୁଠି ବେଧଡ଼କ ଦଖଲ କରିନିଅନ୍ତି। କାହାକୁ ଖାତିର୍‌ ନାହିଁ। ବେଳେ ବେଳେ ଏମାନେ ଏମିତି ଉଦଣ୍ଡ ହୋଇଯାଆନ୍ତି ଯେ ନିଜ ଅଧିକାର ଜାହିର କରିବା ପାଇଁ ନିଜ ଭିତରେ ଲଢ଼େଇ ଆରମ୍ଭ କରିଦିଅନ୍ତି। ଏ ଲଢ଼େଇରେ ସେମାନେ ଏମିତି ଖଣ୍ଡିଆ ଖାବରା ହେଇଯାଆନ୍ତି ଯେ ଗୋଟିଏ ଜାଗାରେ କିଛିଦିନ ପଡ଼ି ରହିଥାନ୍ତି। ତଥାପି ସେମାନଙ୍କର ବହପ କମେ ନାହିଁ। ଏ ଷଣ୍ଢମାର୍କା ଟୋକାମାନେ ଏମିତି। ଏମାନଙ୍କର କେହି ନିଜର ନ ଥାନ୍ତି। ରାଜନୀତିଆଙ୍କ ପରି ଦଳ ଛାଡ଼ିଲେ ଶତ୍ରୁ ଆଉ ଦଳ ଯୋଡ଼ିଲେ ନିଜ ପନତ୍ୀଠାରୁ ବି ନିଜର ହେଇଯାଆନ୍ତି। ପୁଣି ପାନରୁ ଚୂନ ଖସିଗଲେ ଲଢ଼େଇ କରି ଜୀବନ ଦେବାକୁ ବି ପଡ଼ିପାରେ। ଏମାନଙ୍କୁ ଟିକିଏ ସାବଧାନ ଥିବେ ସାର୍‌। ଆର୍କମେଡିସ୍‌ ଖୋଜି ଖୋଜି ସୂତ୍ର ପାଇଗଲା ପରି ମୁଁ ଏତେଦିନ ଧରି ଖୋଜୁଥିବା ଷଣ୍ଢମାର୍କା ଟୋକାଙ୍କର ସାକ୍ଷାତ୍‌ ଦର୍ଶନ ପାଇଗଲି। ଷଣ୍ଢମାର୍କା ଟୋକାଙ୍କ ଧମକ ଶୁଣି ଯେତିକି ଦୁଃଖୀ ହୋଇଥିଲି ତା’ଠାରୁ ବେଶି ଖୁସି ହୋଇଥିଲି ବହୁ ଦିନରୁ ଖୋଜୁଥିବା ଷଣ୍ଢମାର୍କା ଟୋକାଙ୍କର ସାକ୍ଷାତ୍‌ ଦର୍ଶନ କରି।
କିଛିଦିନ ବିତିଗଲା। ଅଫିସ୍‌ରୁ ଫେରିବାବେଳେ ରାସ୍ତା ଉପରେ ବହୁତ ଲୋକ ରୁଣ୍ଡ ହୋଇଥିବାର ଦେଖିଲି। ଗାଡ଼ିରୁ ଓହ୍ଲାଇ ଘଟଣା କ’ଣ ବୋଲି ଜାଣିବା ପାଇଁ ଗହଳି ଭିତରକୁ ପଶିଯାଇ ଯାହା ଦେଖିଲି, ସେଥିରେ ମୋ ପାଦତଳୁ ମାଟି ଖସିଗଲା ପରି ଲାଗିଲା। କିଛିଦିନ ତଳେ ଯେଉଁ ଷଣ୍ଢମାର୍କା ଟୋକାମାନେ ମୋ ଅଫିସ୍‌କୁ ଯାଇ ଧମକ ଚମକ ଦେଇଆସିଥିଲେ ସେମାନଙ୍କ ମଧ୍ୟରୁ ଦି’ଜଣ ରକ୍ତାକ୍ତ ହୋଇ ଦରମଲା ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ନାକରୁ ରକ୍ତଧାର ବୋହି ଯାଉଥାଏ। ହାତଗୋଡ଼ର ଅବସ୍ଥା ମଧ୍ୟ ତଦ୍ରୂପ। ପାଖରେ ଥିବା ପୋଲିସବାବୁ ମୋତେ କହିଲେ- ସାର୍‌, ଅନ୍ୟ ଦଳର ଗୁଣ୍ଡାମାନେ କୌଣସି କାରଣରୁ କାଲି ରାଗିଯାଇ ଏମିତି କାଣ୍ଡ ଭିଆଇଛନ୍ତି। ଏମାନଙ୍କ ପାଇଁ ଏଇଟା ସାଧାରଣ ଘଟଣା ସାର୍‌। ଆଜି ସେମାନେ ୟାଙ୍କୁ ମାରିଛନ୍ତି, ଏମାନେ ବି କାଲି ତାଙ୍କର ଏଇ ଅବସ୍ଥା କରିଦେବେ। ଏମାନଙ୍କୁ ଦେଖି ଦେଖି ଆମ ଦେହସୁହା ହୋଇଗଲାଣି। ଏମାନଙ୍କୁ ଯେତେ ବୁଝାଇଲେ ବୁଝିବେନି, ଏମିତି ଷଣ୍ଢ ପରି ପରସ୍ପର ମଧ୍ୟରେ ଲଢ଼େଇ କରି ମରିବେ, ଆମକୁ ଖାଲି ଦହଗଞ୍ଜ କରିବେ।
ଷଣ୍ଢମାର୍କା ଟୋକାଙ୍କର ଏ ଅବସ୍ଥା ଦେଖି ମୋର ମନେପଡ଼ିଲା ଗାଁରେ ଶୁଣାଯାଉଥିବା ଗୋଟିଏ ଲୋକୋକ୍ତି- ଷଣ୍ଢର ଅନେଶତ ପୁଅ, ମଲାବେଳକୁ ବାଉଁଶ ବୁଦା ଭରସା। ଯେତେ ଦର୍ପ ଦେଖାଇ ରାଜରାସ୍ତାକୁ ଦଖଲ କଲେ, ବହପ ଦେଖାଇ ପରର ବାଡ଼ି କ୍ଷେତ ଖାଇଲେ ବି ଶେଷକୁ ଏହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଥାଏ। ପାଖରେ ଆହା କହିବାକୁ କେହି ନ ଥାନ୍ତି। ଷଣ୍ଢ ସିନା ପଶୁ ବୋଲି ସେ ଏ କଥା ଜାଣିପାରେ ନାହିଁ, ମାତ୍ର ଏ ଷଣ୍ଢମାର୍କା ଟୋକା ତ ମଣିଷ। ସେମାନେ ତ ଜାଣିପାରନ୍ତି ଏମିତି ହେବାର କି କରୁଣ ପରିଣତି! ତଥାପି ଆଟୋପ ଦେଖାଇବାରେ କି ଆନନ୍ଦ ପାଆନ୍ତି? ରାଧାନାଥଙ୍କ ଉକ୍ତି ୟାଙ୍କ ପାଇଁ ପୂରା ପ୍ରଯୁଜ୍ୟ ‘ତଥାପି ମନାସଇ ଲଭି ଏ ଦଶା, ମେଣ୍ଟାଇବାକୁ ଭବ ଭୋଗ ଲାଳସା।’କ୍ଷମତା ଏବଂ ସାମୟିକ ସୁଖ ପାଇଁ ଏମାନେ ଯେଉଁ ଆତଙ୍କରାଜ ସୃଷ୍ଟିକରି ନିଜର ମୂଲ୍ୟବାନ୍‌ ଜୀବନକୁ ଉତ୍ସର୍ଗ କରି ଦେଉଛନ୍ତି, ସେମାନେ ଯଦି ଦେଶ ପାଇଁ କାମ କରି ନିଜ ଜୀବନକୁ ଉତ୍ସର୍ଗ କରିପାରନ୍ତେ ତେବେ ଏ ଦେଶର ଭାଗ୍ୟ ନିଶ୍ଚୟ ବଦଳିଯାଆନ୍ତା!
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ,
ଭଦ୍ରକ, ମୋ-୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri