ଶିକ୍ଷା, ସମାଜ ଓ ସାମାଜିକତା

ଜଷ୍ଟିସ୍‌ ଡ. ଦୀପକ ମିଶ୍ର

ଏକ ଶ୍ରେଣୀକକ୍ଷରୁ ହିଁ ରାଷ୍ଟ୍ରର ଭାଗ୍ୟ ନିର୍ଦ୍ଧାରଣ କରିହେବ, ଏ ମନ୍ତବ୍ୟ ରାଷ୍ଟ୍ରୀୟ ଶିକ୍ଷା କମିଶନଙ୍କର। ତେଣୁ ଶିକ୍ଷାନୁଷ୍ଠାନ କେବଳ ଇଟା-ବାଲି-ପଥର-ସିମେଣ୍ଟ-ଲୁହାଛଡ଼ ତିଆରି କଂକ୍ରିଟ କୋଠରି ନୁହେଁ, ତାହା ଜ୍ଞାନ-ଉତ୍ସର ଭଣ୍ଡାର ଓ ପ୍ରଜ୍ଞାର ନାଭିକେନ୍ଦ୍ରଠୁ ବି ଅଧିକ। ସେଠାରୁ ପ୍ରବାହିତ ଶିକ୍ଷା-ଝର ସମାଜକୁ ସ୍ଥାଣୁତ୍ୱରୁ ମୁକ୍ତି ଦିଏ ଏବଂ ବିକଶିତ କରେ।
ଆନନ୍ଦଦାୟକ ଅସାଧାରଣ ଅନୁଭୂତି ଓ ଉଚ୍ଚାଭିଳାଷ ବିନା ଜୀବନଟା ଯେ ନିରସ ଓ ଫମ୍ପା ଏ କଥା ସମସ୍ତଙ୍କୁ ଜଣା। ତେଣୁ ଯେକୌଣସି ସମାଜର ବିକାଶ ସାଧନ ପାଇଁ ସର୍ବୋତ୍ତମ ମାଧ୍ୟମ ହେଉଛି ଶିକ୍ଷା। ଶିକ୍ଷା ଦ୍ୱାରା ଲୋକଶକ୍ତିକୁ ଅଧିକ କ୍ରିୟାଶୀଳ କରିହୁଏ। ୨୦୧୩ ମସିହାରେ ମିଚେଲ ଓବାମା ଇଷ୍ଟର୍ନ କେନ୍‌ଟୁକି ୟୁନିଭର୍ସିଟିରେ ଯେଉଁ ଅଭିଭାଷଣ ଦେଇଥିଲେ, ତାହା ଏଠାରେ ସ୍ମରଣଯୋଗ୍ୟ। ଛାତ୍ରୀଛାତ୍ର ରଚନାତ୍ମକ କାର୍ଯ୍ୟରେ ନିୟୋଜିତ ହେବାକୁ ସେ ଅନୁରୋଧ କରି କହିଥିଲେ ଯେ, ଯେଉଁମାନଙ୍କ ସହ ମତଭେଦ ଅଛି, ସେମାନଙ୍କ ସହ ମିଶିବାକୁ କିଛି ସମୟ ଦିଅନ୍ତୁ। ଅସମ୍ମତି ପ୍ରକାଶ କରିବା ଅର୍ଥ ନୁହେଁ ଯେ ବୈରତା ସୃଷ୍ଟି ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା। ଏକ ପ୍ରଗତିଶୀଳ ସମାଜ ପାଇଁ ବିଭିନ୍ନ ମତ ବା ମନ୍ତବ୍ୟ ସ୍ବାଗତଯୋଗ୍ୟ। ଭାରତୀୟ ସମ୍ବିଧାନର ପ୍ରସ୍ତାବନାରେ ଏହା ଉଲ୍ଲିଖିତ, ଯାହା ଭ୍ରାତୃଭାବକୁ ସୁଦୃଢ଼ କରେ। ମହାବିଦ୍ୟାଳୟ ଶିକ୍ଷା ପ୍ରତ୍ୟେକ କଲେଜପଢୁଆଙ୍କ ଜୀବନରେ ପରିବର୍ତ୍ତନ ଓ ବିକାଶର ଏକ ଉଲ୍ଲେଖନୀୟ ପର୍ଯ୍ୟାୟ। ବ୍ୟକ୍ତିତ୍ୱ ବିକାଶର ଏହା ଗୁରୁତ୍ୱପୂର୍ଣ୍ଣ ଆଧାର। କଲେଜ ଜୀବନରେ ଆହରଣ କରିଥିବା ଶିକ୍ଷା, ଦକ୍ଷତା ଓ ଜ୍ଞାନ ସାରା ଜୀବନ ବ୍ୟକ୍ତି ପାଖରେ ରହିଯାଏ।
ଜୀବନକୁ ସଫଳତା ଦିଗରେ ଆଗେଇନେବାକୁ କଲେଜ ଜୀବନର ଶିକ୍ଷା କେବଳ ସହାୟକ ନୁହେଁ, ଏହା ବ୍ୟକ୍ତିର ଲୁକ୍କାୟିତ ବୌଦ୍ଧିକତା ଓ ଜ୍ଞାନ ପିପାସାର ଉଚ୍ଚତର ସାମର୍ଥ୍ୟକୁ ଉନ୍ମୋଚନ କରିଥାଏ। ଯଦି ଏହି ଅନ୍ତର୍ନିହିତ କ୍ଷମତାକୁ ଆବିଷ୍କାର କି ଉଦ୍ଦୀପିତ କରା ନ ଯାଏ, ଏହା ଛୋଟ ଛୋଟ ବିପଦ ସୃଷ୍ଟି କରେ। ଅନ୍ୟପକ୍ଷରେ ଏହି କ୍ଷମତାର ସର୍ବାଧିକ ବିନିଯୋଗ ଦକ୍ଷ ବୃତ୍ତିଧାରୀ ଗଢ଼ିବା ସହିତ ଅଜଣା ଆହ୍ବାନର ମୁକାବିଲା ପାଇଁ ସାମର୍ଥ୍ୟ ଆଣି ଦେଇଥାଏ।
ଆସନ୍ତା କିଛିବର୍ଷ ମଧ୍ୟରେ ଭାରତ ବହୁ ଘଟଣାର ସମ୍ମୁଖୀନ ହେବ। ଭିଜନ-୨୦୨୦ର ଲକ୍ଷ୍ୟ ରହିବ କ୍ରିୟାଭିମୁଖୀ। ଦ୍ରୁତ ପରିବର୍ତ୍ତନଶୀଳ ତଥା ଆହ୍ବାନଯୁକ୍ତ ବିଶ୍ୱରେ ଅନ୍ତହୀନ ଶିକ୍ଷାକୁ ଉପେକ୍ଷା କରିବା ଅସ୍ପୃହଣୀୟ। ଶିକ୍ଷା ଥରକର କାର୍ଯ୍ୟ ନୁହେଁ, ସମ୍ଭାବନାକୁ ଖୋଜିବା ଏକ ଅସରନ୍ତି ପ୍ରକ୍ରିୟା। ଶିକ୍ଷାର ଶେଷ ବୋଲି କିଛି ନାହିଁ। ଶିକ୍ଷା ପ୍ରକ୍ରିୟାର ବିଶେଷତ୍ୱ ହେଉଛି ଏହା ସର୍ବଥା ଗତିଶୀଳ ଓ ଜ୍ଞାନୋଦ୍ଦୀପକ। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର କହନ୍ତି, ମଣିଷର ମନ ମହାସାଗରଠୁ ଗଭୀର ଓ ମହାଶୂନ୍ୟଠାରୁ ଅଧିକ ପରିବ୍ୟାପ୍ତ। ଶିକ୍ଷା ସହ ସମ୍ପୃକ୍ତ ଶିକ୍ଷକ ବା ଶିକ୍ଷାର୍ଥୀଙ୍କୁ ପୂର୍ଣ୍ଣପ୍ରାଣରେ ଶିକ୍ଷାର ବିକାଶମୂଳକ ଚିନ୍ତାଧାରାକୁ ଆପଣାଇବାକୁ ପଡ଼ିବ। ଶିକ୍ଷା ସମାଜ ବିକାଶର ମାର୍ଗଦର୍ଶକ ଓ ଉତ୍‌ପ୍ରେରକ। ଜନଗଣଙ୍କୁ ଶକ୍ତିଶାଳୀ କରିବାରେ ଏହା ଏକ ଅବିଚ୍ଛେଦ୍ୟ ମାଧ୍ୟମ ବୋଲି କୁହାଯିବ। ନିପୀଡ଼ିତ ଜନତାଙ୍କ ସଶକ୍ତୀକରଣ ଓ ସାହଚର୍ଯ୍ୟ ପାଇଁ ଶିକ୍ଷାର ଭୂମିକାକୁ ଭୁଲିଗଲେ ଚଳିବ କି? ଉତ୍ତର ନିଶ୍ଚୟ ନା। ସେମାନଙ୍କ ଉତ୍ଥାନର ମୌଳିକ ଓ ବୈଷୟିକ ଉପକରଣ ହେଉଛି ଶିକ୍ଷା। ସ୍ବାମୀ ବିବେକାନନ୍ଦଙ୍କ ମତରେ ଯେଉଁ ଶିକ୍ଷା ସାଧାରଣ ମଣିଷକୁ ତା’ର ଜୀବନ ସଂଗ୍ରାମରେ ସହଯୋଗ କରିପାରେ ନାହିଁ, ଯାହା ମାନବ ଚରିତ୍ରକୁ ସଜାଡି ସୁଦୃଢ଼ କରିପାରେ ନାହିଁ, ମାନବୀୟ ପ୍ରେମରେ ଯାହା ଉଚ୍ଛଳ ନୁହେଁ ଏବଂ ଯେଉଁଥିରେ ସିଂହର ପରାକ୍ରମ ନାହିଁ, ତାକୁ ଶିକ୍ଷା ବୋଲି କହିବାର ଯଥାର୍ଥତା କ’ଣ?
ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷାରେ ନିର୍ଦ୍ଦିଷ୍ଟ ମେଳ ପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇଦେବା ଯେକୌଣସି ରାଷ୍ଟ୍ରର ପ୍ରଥମ କର୍ତ୍ତବ୍ୟ। ଏହାର ଅଭାବରେ ରାଷ୍ଟ୍ରର ଆର୍ଥତ୍କ-ସାମାଜିକ ବିକାଶ ବିଘ୍ନିତ ହୁଏ। ଏ ପ୍ରସଙ୍ଗରେ ନୋବେଲ ବିଜୟୀ ପ୍ରଫେସର ଅମର୍ତ୍ତ୍ୟ ସେନ କହନ୍ତି, ଶିକ୍ଷାର କକ୍ଷ ବାହାରେ ଯଦି ଅମେ ଜନତାର ବିପୁଳ ଅଂଶକୁ ବାଦ୍‌ ଦେଇ ଚାଲିଥିବା, ତେବେ ପରିଣତିରେ ଆମେ ଆଂଶିକ ସୁରକ୍ଷିତ ଏକ ବିଶ୍ୱ ହିଁ ଗଢୁଥିବା। ଜନସମୁଦାୟକୁ ଗଢ଼ି ବିସ୍ତାରିତ କରିବା ଶିକ୍ଷାର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏଥିସହ ଛାତ୍ରୀଛାତ୍ରଙ୍କ ସମଷ୍ଟିଗତ ସ୍ବାଭାବିକ ପ୍ରବୃତ୍ତି ଓ ବ୍ୟକ୍ତିତ୍ୱର ବିକାଶ କରିବା ମଧ୍ୟ ଶିକ୍ଷାର ଲକ୍ଷ୍ୟ। ଅନ୍ୟ ଅର୍ଥରେ କୁହାଯିବ ଯେ ଶିକ୍ଷା ମାନବିକ ଜୀବନ ପ୍ରକ୍ରିୟାର ଦିଗ୍‌ବଳୟକୁ ପ୍ରସାରିତ କରେ। ଜ୍ଞାନାର୍ଜନ ଶିକ୍ଷାର କେବଳ ଗୋଟିଏ ଦିଗ। ଶିକ୍ଷା ବିକାଶରେ ଏହାର ଭୂମିକା ଅତୁଳନୀୟ। ମାନବବାଦ, ଶୃଙ୍ଖଳା, ଉଦାରତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଜିଜ୍ଞାସା ପାଇଁ ଆଗ୍ରହ ଓ ସଂସ୍କାର ଆଦି ଭଲ ଗୁଣଗୁଡ଼ିକ ଉତ୍ପନ୍ନ କରିବା ଶିକ୍ଷାର ବୈଶିଷ୍ଟ୍ୟ। ମାନବ ଜୀବନକୁ ଆଲୋକିତ କରିବାରେ ଏସବୁର ଆବଶ୍ୟକତା ରହିଛି।
ଉତ୍ତମ ଶିକ୍ଷା ବ୍ୟବସ୍ଥାରେ ନୈତିକତା ଉଚିତ ଆଚରଣ ଓ ଯୁକ୍ତିଯୁକ୍ତ ମୂଲ୍ୟବୋଧ ଥାଏ, ଯାହା ଅତୀତ ଓ ଭବିଷ୍ୟତର ବିଭ୍ରାନ୍ତିକର ତଥା ହାନିକାରକ ନିଷ୍ପତ୍ତିକୁ ନିଷ୍ପ୍ରଭ କରିଥାଏ। ଆମ ଶିକ୍ଷାନୁଷ୍ଠାନଗୁଡିକରେ କାମ କରିବା ପାଇଁ ପ୍ରତିଭାବାନ ଓ ବୌଦ୍ଧିକ ଶକ୍ତିସମ୍ପନ୍ନ, ସାଧୁତାସମ୍ପନ୍ନ ଗବେଷକଙ୍କର ପ୍ରୟୋଜନୀୟତା ରହିଛି। ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ବୁଝି ଗବେଷକଙ୍କୁ ଅଭିନବ ସମାଧାନ ପନ୍ଥା ବାହାର କରିବାକୁ ପଡ଼ିବ। ଏକବିଂଶ ଶତାବ୍ଦୀରେ ସମାଜର ଅଭିବୃଦ୍ଧି ଜ୍ଞାନ ଓ ଅଭିନବତ୍ୱ ଉପରେ ନିର୍ଭର କରେ। ଗବେଷଣା, ଅଭିନବତ୍ୱ ଓ ଅବିରତ ଶିକ୍ଷାକୁ ଉତ୍ସାହିତ କରୁଥିବା ଶିକ୍ଷାୟତନ ଦ୍ୱାରା ହିଁ ଏହା ସମ୍ଭବ। ଉନ୍ନତ ଗବେଷଣାଲବ୍ଧ ସିଦ୍ଧାନ୍ତକୁ କେବଳ ଶିକ୍ଷାୟତନ ଭିତରେ ସୀମିତ ନ ରଖି ଯଥାସମ୍ଭବ ଏହାର କାର୍ଯ୍ୟାନ୍ବୟନ କରିବାକୁ ହେବ। ଏଥିପାଇଁ ଗବେଷକ ଓ ଯୋଜନା ପ୍ରଣୟନକାରୀଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ଶିକ୍ଷକ ଶିକ୍ଷା ଜାତୀୟ ପରିଷଦ’ ମାମଲାରେ ଅନୁଧ୍ୟାନ କରି କହିଛନ୍ତି ଯେ, ଅନୁଶୀଳନପୂର୍ଣ୍ଣ ବିକଶିତ ତାଲିମ ଓ ତୀକ୍ଷ୍‌ଣ ବୁଦ୍ଧି ଶକ୍ତି ଦ୍ୱାରା ଶିକ୍ଷାରେ ପରିଶୁଦ୍ଧତା ଓ ପୂର୍ଣ୍ଣତା ହାସଲ କରାଯାଇପାରିବ। ସେଥିପାଇଁ ଉନ୍ନତ ଶିକ୍ଷାଦାନ ଶିକ୍ଷକଙ୍କ ଉତ୍ତମ ରୁଚି ଓ ଧର୍ମର ପରିଚାୟକ। ଜଣେ ଭଲ ଶିକ୍ଷକ ଦେଶର ସୁବ୍ୟବସ୍ଥିତ ସଭ୍ୟତାର ପ୍ରତିନିଧିତ୍ୱ କରିଥାଏ।
ଆଲବର୍ଟ ଆଇନଷ୍ଟାଇନ କହନ୍ତି, ଅଧ୍ୟୟନକୁ କଦାପି ବୋଝ ଭାବନ୍ତୁ ନାହିଁ। ଜ୍ଞାନ ଆହରଣକୁ ବରଂ ଏକ ଈର୍ଷାଯୋଗ୍ୟ ସୁଯୋଗ ଭାବନ୍ତୁ। ଆମ ପ୍ରତ୍ୟେକଙ୍କର ଯଦିଓ ବ୍ୟକ୍ତିଗତ ଲକ୍ଷ୍ୟ ଓ ସ୍ବପ୍ନ ରହିଛି, କିନ୍ତୁ ସେସବୁ ସମ୍ପୂର୍ଣ୍ଣ ଭାବେ ଆତ୍ମକୈନ୍ଦ୍ରିକ ନ ହୋଇ ସମାଜମୁଖୀ ହେବା ଆବଶ୍ୟକ। କାରଣ ଶିକ୍ଷାର ଉପଯୋଗରେ ମରୁଭୂମି ନୁହେଁ, ମରୁଦ୍ୟାନ ସୃଷ୍ଟି ହିଁ ଆମର ଲକ୍ଷ୍ୟ। ଅତୀତକୁ ସମ୍ମାନ କରିବା ଦ୍ୱାରା ଭବିଷ୍ୟତକୁ ଶକ୍ତି ସଂଚାରିତ କରିହୁଏ। ଆଜିର ପରିବର୍ତ୍ତନଶୀଳ ସମାଜରେ ବ୍ୟକ୍ତିସତ୍ତା ହିଁ ସର୍ବାଧିକ ଶକ୍ତିଶାଳୀ ପରିବର୍ତ୍ତନକାରୀ- ଆମକୁ ଏହା ମନେରଖିବାକୁ ହେବ। କହିବା ବହୁଲ୍ୟ ଯେ, ଛାତ୍ର ଜୀବନରୁ ହିଁ ବ୍ୟକ୍ତିସତ୍ତାର ଭୂମିପୂଜନ ହୋଇଥାଏ।
(ଷ୍ଟିଓ୍ବାର୍ଟ ସାଇନ୍ସ କଲେଜର ହୀରକ ଜୟନ୍ତୀ ଉତ୍ସବରେ ଜଷ୍ଟିସ୍‌ ମିଶ୍ରଙ୍କ ଇଂଲିଶ ଅଭିଭାଷଣ: ଓଡ଼ିଆ ରୂପାନ୍ତର-ଡ. ନୃସିଂହ ଷଡ଼ଙ୍ଗୀ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri