ଭକତ ନା ଭିକାରି

ଡ. କୁଳାଙ୍ଗାର
ଆମମାନଙ୍କଠାରେ ଭକ୍ତି ଓ ଭିକ୍ଷାଭାବ ଖୁନ୍ଦି ହୋଇଅଛି। ଦୁଇଟିର ସମନ୍ବୟ କାଳେ ଆମ ଜୀବନରେ ସମୃଦ୍ଧି ଆଣିଥାଏ। ଭକତ ଠାକୁରଙ୍କୁ ନାନାପ୍ରକାର ମିନତି କରି ଭିକ ମାଗିବା ଆମର ପୁରାତନ ଭକ୍ତକବିମାନେ ନାନା ଢଙ୍ଗରେ ଲେଖିଛନ୍ତି। କିନ୍ତୁ ଆଜି ଆସନ୍ତୁ ସ୍ବୟଂ ଠାକୁରଙ୍କ ପାଇଁ ଭିକାରି ପାଲଟି ଯାଉଥିବା ଭକତଙ୍କ ସମ୍ପର୍କରେ ଜାଣିବା!
କିଛିଦିନ ତଳେ ମୋ ସାଙ୍ଗର ଜଣେ ବିଦେଶୀ ସାଙ୍ଗ ତାଙ୍କ ଘରକୁ ଆସିଥିଲା। ମୋ କଥା ପଢୁ ପଢୁ ଆପଣ ମନେମନେ ପଚାରିବେଣି- ଉଁ… ତା’ର ପୁଣି ବିଦେଶୀ ସାଙ୍ଗ କୁଆଡୁ ଆସିଲେ? କୁଆଡୁ ଆଉ ଆସିବେ! ସାମାଜିକ ଗଣମାଧ୍ୟମ ମୁଖପୁସ୍ତକ (ଫେସବୁକ୍‌)ରେ ପରା ମାଳମାଳ ବିଦେଶୀ ବନ୍ଧୁ। ଅବଶ୍ୟ ସେଥିରୁ ଅଧିକାଂଶ ଠକ ଓ ନକଲି, ତେବେ କିଛି ବନ୍ଧୁ ଅସଲି। ସେଇ ଅସଲି ବନ୍ଧୁ ଗୋଟିଏ ତା’ ପାଖକୁ ଆସିଥିଲା ଆଶା ନେଇ। ଆଶା କେମିତି ଧରାଧରି କରି ଲୁଚିକରି ପୁରୀରେ ଯାଇ ଦେଉଳରେ ପଶି ଜଗନ୍ନାଥଙ୍କୁ ଦର୍ଶନ କରିବ!
ଏଥିପାଇଁ ପ୍ରାରମ୍ଭିକ ଯୋଗାଯୋଗ ହେଉହେଉ ବାତ୍ୟା ଆସିଗଲା। ତାହା ପୁଣି ପୁରୀରେ ମାଡ଼ ହେବ ଶୁଣି ବିଦେଶୀ ବନ୍ଧୁଟି ଡରିଗଲା। ତା’ ପର କଥା ତ ଆପଣ ଜାଣନ୍ତି। ବିନା ବିଜୁଳିରେ ସିଏ ଦି ଦିନ ରହିଗଲା ସିନା ସେ ଗୋରା ଚମଡାକୁ ହାତପଙ୍ଖା କାଟୁକଲା ନାଇଁ। ଅଗତ୍ୟା ସିଏ ବିଦେଶୀ ବନ୍ଧୁକୁ ଧରି ଅନ୍ୟ ସହରୀମାନଙ୍କ ପରି ଗାଆଁକୁ ବାହାରିଲା। କିଛିବାଟ ଯିବା ପରେ ଦଳେ ଲୋକ ଚିତାତିଳକ ହୋଇ ହାତରେ ପିତ୍ତଳ ଥାଳି ଧରି ଗାଡିଟାକୁ ଅଟକେଇଲେ। ବିଚରାଗୁଡାକ ବାତ୍ୟାବିପନ୍ନ ହୋଇଥାଇପାରନ୍ତି। କିନ୍ତୁ ଏ ଅଞ୍ଚଳରେ ତ ବାତ୍ୟାର ନାଁଗନ୍ଧ ନାହିଁ, ଲାକଗୁଡାକ ମଧ୍ୟ ଉଜ୍ଜ୍ୱଳିଆ ଦେଖାଯାଉଛନ୍ତି। କାର୍‌ ସାମ୍ନାରେ ମାନବଶୃଙ୍ଖଳ ଗଢି ଲୋକଗୁଡିକ ଛିଡା ହୋଇଯାଆନ୍ତେ, ଅଗତ୍ୟା ସିଏ ଗାଡି ଅଟକାଇ ପଚାରିଲା- କ’ଣ ହେଲା?
ଟୋକାଟିଏ ଦାନ୍ତ ନେଫେଡି କହିଲା- ତ୍ରିନାଥ ଠାକୁରଙ୍କର ବାର୍ଷିକ ଉତ୍ସବ ହେବ! ସିଏ କହିଲା- ହେବ ତ ହେଉ, ମୋତେ ଅଟକାଉଛ କାହିଁକି? ଟୋକାଟି ପାଟିକୁ ଓସାରି କହିଲା- ଖୁସିରେ ଯାହା ଦେବେ! ସିଏ କହିଲା- ଖୁସି କେମିତି ହେବି, ମୁଁ ତ ଘରେ ବିଜୁଳି ନାହିଁ, ପାଣି ନାହିଁ ଓ ଖାଇବା ନାହିଁ ବୋଲି ଦୁଃଖରେ ଘରକୁ ପଳଉଛି। ଏହା କହି ସିଏ ଗାଡିର ଗତି ବଢ଼ାନ୍ତେ ଅନ୍ୟ ଜଣେ ସ୍ବଳ୍ପଅକ୍ଷରୀ ଭାଷା ପ୍ରୟୋଗ କରି ତାଙ୍କ ଭିତରୁ ଜଣେ କହିଲା- …ଟାକୁ ଛାଡି ଦିଅରେ ଦବନି..!!
ସିଏ ଆଗକୁ ବଢ଼ନ୍ତେ ଏ ସବୁକୁ ଜଳଜଳ କରି ଚାହୁଁଥିବା ବିଦେଶୀ ବନ୍ଧୁଟି ପଚାରିଲା- ସେ ଲୋକଗୁଡାକ ଭିକ ମାଗୁଥିଲେ, ତମେ ଦେଲନି କାହିଁକି? ସିଏ ହସି କରି କହିଲା- ସେମାନେ ଭିକାରି ନୁହନ୍ତି, ଭକତ! ଠାକୁରଙ୍କର ଆନୁଆଲ୍‌ ଡେ କରିବାକୁ ଭିକ୍ଷା ମାଗୁଥିଲେ।
କିଛିବାଟ ଯାଇଛନ୍ତି କି ନାହିଁ ଆଗ ଛକରେ ସମାନ ଢଙ୍ଗରେ ଆଉ ଦଳେ ଲୋକ ଅଟକେଇଲେ ଆଉ ପୁଣି ମାଗିଲେ! ସିଏ ସେଇ ସମାନ ଢଙ୍ଗରେ ନାସ୍ତି କରି ଆଗକୁ ବଢ଼ନ୍ତେ ବନ୍ଧୁ ପଚାରିଲା- ଏଠି ବି କ’ଣ ଗଡ୍‌ଙ୍କର ଆନୁଆଲ୍‌ ଡେ? ସିଏ କହିଲା- ନାଇଁ ଏଠି ଗଡ୍‌ ଓ ଗଡ୍ଡିଆଣୀଙ୍କର ବିବାହ ମାନେ ସାଦି! ସେଥିପାଇଁ ଭୋଜିଭାତ ହେବ! ପାଞ୍ଚହଜାର ଲୋକ ଖାଇବେ। ଠାକୁରଙ୍କୁ ଜିନିଷପତ୍ର ଦିଆଯିବ!! ବନ୍ଧୁ କହିଲା- ଓଃ ହୋ! ତମର ଏଠି ଠାକୁର ବି ଜାନିଯୌତୁକ ନିଅନ୍ତି?
ସିଏ ଲାଜରେ ଗାଡ଼ିର ଗତି ବଢ଼ାନ୍ତେ ଆଗରେ ଗୋଟେ ବଡ଼ ବାଉଁଶ ବାନ୍ଧି ଦିଆଯାଇଛି। ଅତଏବ ଗାଡି ନ ଅଟକେଇ ଗତି ନାଇଁ! ସିଏ ଗାଡି ଅଟକାନ୍ତେ ଭକତଟିଏ ଏକ ହଜାର ଏକଟଙ୍କା ଲେଖାଥିବା ରସିଦ୍‌ ବଢ଼େଇ ଦେଲା। ସିଏ ପଚାରିଲା- କ’ଣ? ଭିକାରି ଭକତ କହିଲା- ବିଶ୍ୱଶାନ୍ତି ମହାଯଜ୍ଞ ଓ ଡ୍ରାମା ହେବ! ସିଏ କହିଲା- ହେବ ତ ହେଉ ମୁଁ ପଇସା ଦେବି କାହିଁକି? ଭକତ କହିଲେ- ବିଶ୍ୱଶାନ୍ତି ହେଲେ ତମେ ବି ସେଥିରୁ ଫାଇଦା ପାଇବନି କି? ସିଏ ଭକତର କଥାରେ ପ୍ରଭାବିତ ହୋଇ ଶହେଟଙ୍କା ବଢ଼େଇ ଦେଲା। ବାଉଁଶ ଉଠିଲା। ଗାଡି ଆଗକୁ ବଢ଼ିଲା। ବନ୍ଧୁ ପଚାରିଲା- ଏଠି କ’ଣ କିଛି ଭଲକାମ ହେବ? ତେମେ ଟଙ୍କା ଦେଲ ଯେ?
ସିଏ ଇଂଲିଶରେ ବୁଝେଇଲା- ୱାର୍ଲଡ ପିସ୍‌ ଫେଷ୍ଟ୍‌ ମାନେ ବିଶ୍ୱଶାନ୍ତି ମହାଯଜ୍ଞ ହେବ! ବନ୍ଧୁ ପଚାରିଲା- ୟେ ଠାକୁର ନା କୁଟନୀତିଜ୍ଞ? ଆଗକୁ ବହୁ ଛକରେ ଏମିତି ବହୁ ଭିକାରି ଭକତେ ଗାଡି ଅଟକାଇଲେ। ଦିଆ ନଦିଆ ହୋଇ ଶେଷରେ ଗାଆଁପାଖ ହେଲା। ବିଦେଶୀ ବନ୍ଧୁ ପଚାରିଲା- ତମର ଏଠି ଠାକୁରେ ଭକତଙ୍କ ଜରିଆରେ ଯାତ୍ରୀଙ୍କୁ ଏତେ ହଇରାଣ କରନ୍ତି?
ସିଏ କହିଲା- ଜମା ନୁହେଁ, ବରଂ ବାରମ୍ବାର ଏପରି ଗାଡି ଅଟକେଇବା ଦ୍ୱାରା ଏ ଭକ୍ତମାନେ ଆମର ବହୁତ ମଙ୍ଗଳ କରିଥାଆନ୍ତି! ନଚେତ୍‌ ରାସ୍ତା ଯଦି ସମ୍ପର୍ଣ୍ଣ ଫାଙ୍କା ଥାଆନ୍ତା ତେବେ ଆମେ ଅତି ଜୋର୍‌ରେ ଗାଡି ଚଳେଇ ଆଗକୁ ମାଡି ପଳାନ୍ତେ। ଧୀରେ ଧୀରେ ଗାଡିର ଗତି ବଢ଼ନ୍ତା। ଫଳରେ ନିୟନ୍ତ୍ରଣ ହରାଇ ନାନା ଦୁର୍ଘଟଣା ହୁଅନ୍ତା। ଏମିତିରେ କେତେ ଧନ ଜୀବନ ଅକ୍ଳେଶରେ ବଞ୍ଚି ଯାଉଛି ଦେଖ!
ତା’ କଥା ଶୁଣି ବିଦେଶୀବନ୍ଧୁ କହିଲା ତା’ ମାନେ ତମ ଠାକୁର ଏଠି ଟ୍ରାଫିକ୍‌ ନିୟନ୍ତ୍ରଣରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥାଆନ୍ତି।
ମାର୍ଫତ-ଗାନ୍ଧୀ ପଣ୍ଡା, କଳାଘର-ଲେମ୍ବୋ, ଅଲରା, ନରସିଂହପୁର, କଟକ, ମୋ- ୯୩୩୮୫୮୧୩୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri