ବିଶେଷଜ୍ଞ ଆମଦାନି

ଡ. ସୁବାସ ଚନ୍ଦ୍ର ପାତ୍ର
କିଛି ବର୍ଷ ତଳେ ସଚିବାଳୟସ୍ଥ (ଏବର ଲୋକସେବା ଭବନ) ସାଧାରଣ ପ୍ରଶାସନ ବିଭାଗକୁ କୌଣସି ଏକ କାମରେ ଯାଇଥିଲି। ବିଭାଗକୁ ପ୍ରବେଶ ଅଳିନ୍ଦର କାନ୍ଥରେ କଳା ଲାମିନେଟ୍‌ ଉପରେ ପିତ୍ତଳ ଅକ୍ଷରରେ ଲେଖାଥିଲା, ‘ଚୁପ୍‌! ମହାଜ୍ଞାନୀ କାର୍ଯ୍ୟରତ!’ (ସାଇଲେନ୍‌ସ, ଜେନିୟସ୍‌ ଆଟ୍‌ ୱାର୍କ)। ମନରେ ଦ୍ୱନ୍ଦ୍ୱ ଜନ୍ମିଲା। ସଚିବାଳୟର ସବୁ ବିଭାଗରେ ମହାଜ୍ଞାନୀ ହାକିମମାନେ କାମ କରନ୍ତି। ଖାଲି ସାଧାରଣ ପ୍ରଶାସନ ବିଭାଗ କାନ୍ଥରେ ଏ ସତର୍କବାଣୀ କାହିଁକି? ଅବଶ୍ୟ ସେ ଲେଖାଟି ଏବେ ଅଛି କି ନାହିଁ ଜାଣେ ନାହିଁ।
ଏ ପ୍ରସଙ୍ଗ ଅବତାରଣାର କାରଣ ଆମ ପ୍ରଦେଶରେ ଏତେ ମହାଜ୍ଞାନୀ ଥିଲାବେଳେ ସବୁକଥାରେ ବିଶେଷଜ୍ଞ ଆମଦାନି କାହିଁକି କରାଯାଉଛି? ନନ୍ଦନକାନନର ହାତୀକୁ ହରପିସ୍‌ ହେଲା। କୁହାଗଲା, ଏହା ଏକ ବିରଳ ରୋଗ। ଏ ବିଷୟରେ ଆମର ବିଶେଷ ଧାରଣା ନାହିଁ। କେରଳରୁ ବିଶେଷଜ୍ଞ ଆସିଲେ ଚିକିତ୍ସା ହେବ। ଶ୍ରୀମନ୍ଦିରରୁ ପଥର ଖସିଲା, ନାଟ ମନ୍ଦିର କାନ୍ଥ ଫାଟିଲା। କୁହାଗଲା ରୁର୍‌କିରୁ, ଆଇଆଇଟି ଚେନ୍ନାଇରୁ ବିଶେଷଜ୍ଞ ଆସି ପରୀକ୍ଷା କରି ରିପୋର୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ହେବ। କୋଣାର୍କ ପ୍ରସଙ୍ଗରେ ସେହି ଏକା କଥା କୁହାଗଲା। ଜଗା-କାଳିଆ ଚିକିତ୍ସିତ ହୋଇ କଟକ ଫେରିଲା ପରେ ମଧ୍ୟ ଏହି ବିଶେଷଜ୍ଞ ଭୂତ ସେ ଯାଆଁଳା ପିଲାଦ୍ୱୟକୁ ଛାଡୁନାହିଁ। କଥା କଥାକେ କୁହାଯାଉଛି, ‘ଆମେ ଏମ୍‌ସର ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ଜାରି ରଖିଛୁ।’
ମାନବିକ ସ୍ବାସ୍ଥ୍ୟ, ପଶୁ ଚିକିତ୍ସା, କୋଠାବାଡ଼ି ରକ୍ଷଣାବେକ୍ଷଣ ଆଦି ବିଶେଷ କ୍ଷେତ୍ର ଛାଡ଼ି ଓଡ଼ିଶାରେ ଯଦି ଗୋଟିଏ ଜନ ଆନ୍ଦୋଳନ କରାଯାଏ ତାହା ପାଇଁ ମଧ୍ୟ ‘ବିଶେଷଜ୍ଞ’ ଖୋଜା ପଡୁଛି। ଅର୍ଥାତ୍‌ ପୋସ୍କୋ ବିରୋଧରେ ପାରାଦୀପରେ ଲଢ଼େଇ ହେବ କିନ୍ତୁ ଖୋଜାପଡୁଛି ଅରୁନ୍ଧତୀ ରାୟ ବା ଆନ୍ନା ହାଜାରେଙ୍କ ଭଳି ସଂଗ୍ରାମୀମାନଙ୍କୁ, କାରଣ ସେମାନେ ନ ଆସିଲେ ସଂଗ୍ରାମର ଉଚ୍ଚତା ବଢ଼ିବନି!
ଏବେ ସୁପର ସ୍ପେଶାଲାଇଜେଶନର ଯୁଗ। ସମସ୍ତଙ୍କୁ ସୁପର ସ୍ପେଶାଲିଷ୍ଟଙ୍କ ପରାମର୍ଶ ଦରକାର। ଠିକ୍‌ ଅଛି। ତେବେ କେତେଜଣ ଓଡ଼ିଆ ଡାକ୍ତର, ଇଞ୍ଜିନିୟର, ଶିକ୍ଷାବିତ୍‌୍‌, ପ୍ରାଣୀ ଚିକିତ୍ସକଙ୍କୁ ଅନ୍ୟ ରାଜ୍ୟ ସରକାର ବା କେନ୍ଦ୍ର ସରକାର ଲୋଡୁଛନ୍ତି? ଖାଲି ଓଡ଼ିଆ ସ୍ବାଭିମାନ ଭୂଲୁଣ୍ଠିତ ହେଉନାହିଁ, ଆମ ପ୍ରଦେଶର ମାନବସମ୍ବଳ ଏହି ମନୋଭାବର ଶିକାର ହେଉଛି। ନିଜର ବୌଦ୍ଧିକ ସ୍ଥିତିକୁ ନେଇ ଆମେ ଏତେ ସନ୍ଦିହାନ ଯେ, ଆମ ଅବସ୍ଥା ଏତେ ବିକଳ ଯେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ବା ରିଜର୍ଭ ବ୍ୟାଙ୍କର ଗଭର୍ନର ତ ଦୂରର କଥା ଭାରତ ସରକାରଙ୍କ କୌଣସି ସାଧାରଣ ବିଭାଗର ମୁଖ୍ୟ ପଦରେ ବା କୌଣସି ଏକ ବ୍ୟାଙ୍କ ବା କମ୍ପାନୀର ପ୍ରମୁଖ ପଦବୀରେ ଜଣେ ଓଡ଼ିଆ ଅଧିଷ୍ଠିତ ହେଲେ ତାହା ଗଣମାଧ୍ୟମରେ ଏକ ବିଶାଳ ଖବର ହୋଇ ବାହାରୁଛି। ସତେଯେମିତି ଏ ସଫଳତା ଓଡ଼ିଆ ଜାତିର ଭାଗ୍ୟର କଥା। ବୋଧହୁଏ ଏଇଠି ଆରମ୍ଭ, ଏଇଠି ଶେଷ! ବରଂ ଏହା ଆମର ପ୍ରାପ୍ୟ ଏବଂ ଏହା ଏକ ସାଧାରଣ ପ୍ରକ୍ରିୟା ବୋଲି ଆମେ ଭାବିବା ଉଚିତ।
ମେଧା ନ ଚିହ୍ନିବା ବା ଚିହ୍ନି ନ ପାରିବାର ଛଳନା କରିବାରେ ଓଡ଼ିଶାର ବେଶ୍‌ ସୁନାମ ଅଛି। ତା’ ନ ହୋଇଥିଲେ ପ୍ରଖ୍ୟାତ କବି, ସମାଲୋଚକ ତଥା ମୌଳିକ ଚିନ୍ତାନାୟକ ଡ. ମାୟାଧର ମାନସିଂହ ଲଣ୍ଡନରୁ ଡକ୍ଟରେଟ୍‌ କରିଥିବା ସତ୍ତ୍ୱେ ଓଡ଼ିଶା ସରକାରୀ କଲେଜର ଅଧ୍ୟାପକ ଚୟନ ଅବକାଶରେ ପ୍ରଥମ ଥର ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ତାଙ୍କୁ ଅଯୋଗ୍ୟ ଘୋଷିତ କରି ନ ଥାନ୍ତେ, ଯେଉଁଥିପାଇଁ ସେ କିଛିଦିନ ସ୍କୁଲରେ ଶିକ୍ଷକତା କରି କିଛି ବର୍ଷ ପରେ ଦ୍ୱିତୀୟ ଥର ପରୀକ୍ଷାରେ ସଫଳ ହୋଇ କଲେଜ ଶିକ୍ଷାରେ ପ୍ରବେଶ କଲେ। ବିଜୁ ପଟ୍ଟନାୟକ ଏ କ୍ଷେତ୍ରରେ ଟିକେ ବ୍ୟତିକ୍ରମ ଥିଲେ। ଆବଶ୍ୟକତା ଅନୁଯାୟୀ ସେ ଭିନ୍ନ ଭାବରେ ପ୍ରତିଭା ଖୋଜି ଆଣୁଥିଲେ, ଯାହାର ଉଦାହରଣ ପ୍ରଖ୍ୟାତ ବ୍ରିଟିଶ ଜୀବବିଜ୍ଞାନୀ ଜେ.ବି.ଏସ୍‌. ହାଲଡେନ୍‌ଙ୍କୁ ଆଣି ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ପଦବୀ ସୃଷ୍ଟି କରି ନିଯୁକ୍ତି ଦେବା। ଏହା ଷାଠିଏ ଦଶକର କଥା, ଯେତେବେଳେ ବିଶେଷ ଜ୍ଞାନ କ୍ଷେତ୍ରରେ ଓଡ଼ିଶା ପଛୁଆ ଥିଲା।
ତେବେ ବୁଦ୍ଧିକୈନ୍ଦ୍ରିକ ସେବା ଯଥା- ଶିକ୍ଷା, ସ୍ବାସ୍ଥ୍ୟ, ଇଞ୍ଜିନିୟରିଂ, କୃଷି, ଜଳସମ୍ପଦ, ପ୍ରାଣୀ ଚିକିତ୍ସା, ଖଣି ତଥା ଜଙ୍ଗଲ ପରିଚାଳନା ଆଦି କ୍ଷେତ୍ରରେ ଓଡ଼ିଶାର ଦୁର୍ଦ୍ଦଶାର କାରଣ କ’ଣ? ପ୍ରମୁଖ କାରଣ ହେଲା ସବୁ ବିଭାଗର ଭୟଙ୍କର ଅମଲାତନ୍ତ୍ରୀକରଣ, ଅର୍ଥାତ୍‌ ଉଚ୍ଚତମ ଅମଲାମାନେ ଅଜ୍ଞତା ବା ଈର୍ଷା ବା ଗୁରୁତ୍ୱହ୍ରାସ ଆଶଙ୍କାର ଶିକାର ହୋଇ ଏ ସମସ୍ତ ଦକ୍ଷତାକୈନ୍ଦ୍ରିକ ବିଭାଗରେ ନିୟୋଜିତ କର୍ମଚାରୀମାନଙ୍କ ବିକାଶର ଦ୍ୱାର ଉନ୍ମୁକ୍ତ କରିବା କ୍ଷେତ୍ରରେ ଅନ୍ତରାୟ ସାଜୁଛନ୍ତି। ସେ ଡାକ୍ତର ଅବା ଇଞ୍ଜିନିୟର ଅବା ଶିକ୍ଷକ ଅବା କୃଷିବିଜ୍ଞାନୀ ହୁଅନ୍ତୁ- ଚାକିରିରେ ଯୋଗଦାନ ଦିନ ସେମାନଙ୍କ ଯେତିକି ଜ୍ଞାନ ଓ ବୌଦ୍ଧିକତା ଥିଲା ସେହି ଅବସ୍ଥାରେ ତାହା ରହି ଯାଉଛି। ସେମାନଙ୍କ ଜ୍ଞାନର ନବୀକରଣ ଘଟୁନାହିଁ। ଜ୍ଞାନଭିତ୍ତିକ ବିଭାଗର ଏହି ଅଫିସରମାନଙ୍କ ନିୟମିତ ବୌଦ୍ଧିକ ଅଗ୍ରଗତି ତଥା ଜ୍ଞାନ ରାଇଜରେ ଘଟୁଥିବା ସଦ୍ୟତମ ଘଟଣା ସହ ପରିଚିତି ପାଇଁ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଉନାହିଁ। ଫଳରେ ବହୁତ ସମ୍ଭାବନା ଓ ପ୍ରଚଣ୍ଡ ପ୍ରତିଭା ନେଇ ବୃତ୍ତିରେ ପ୍ରବେଶ କରିଥିବା ଏହି କର୍ମଚାରୀମାନେ ଟେବୁଲକୈନ୍ଦ୍ରିକ ଜୀବନଯାପନ କରି ପରବର୍ତ୍ତୀ ସମୟରେ ଜୀବନ୍ତ ଜୀବାଶ୍ମରେ ପରିଣତ ହେଉଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ହିଁ ପ୍ରତି କଥାରେ ବିଶେଷଜ୍ଞ ବା ପରାମର୍ଶଦାତାମାନଙ୍କ ପାଖକୁ ଦୌଡ଼ିବାକୁ ପଡୁଛି। ଅଥଚ ପରାମର୍ଶଦାତା ଯୋଗାଡ଼ ଓ ନିଯୁକ୍ତିରେ ଯେତିକି ଖର୍ଚ୍ଚ କରାଯାଉଛି ସେହି ପଇସାରେ ପ୍ରତି ବିଭାଗରେ ସମସ୍ତେ ନ ହେଲେ ବି କିଛି ଦକ୍ଷ ଅଫିସରଙ୍କୁ ସଦ୍ୟତମ ଜ୍ଞାନ ଲାଭର ସୁବିଧା ଦେଇ ଏକ ବିଭାଗୀୟ ମେଧାଭଣ୍ଡାର ଗଢ଼ି ତୋଳି ହୁଅନ୍ତା, ଯେଉଁମାନେ ସେ ବିଭାଗ ସମ୍ବନ୍ଧରେ ଆଧୁନିକତମ ନିର୍ଭରଯୋଗ୍ୟ ପରାମର୍ଶ ଦେବାର କ୍ଷମତା ରଖନ୍ତେ।
ହାଲୁକା ସାନ୍ତ୍ୱନାର ବିଷୟ ଯେ ମୁଖ୍ୟ ସଚିବ ଅସିତ୍‌ ତ୍ରିପାଠୀ ତୃଣମୂଳସ୍ତରରେ ମେଧା ବିକାଶ ନିମନ୍ତେ ଛୋଟ ପଦକ୍ଷେପଟି ନେଉଛନ୍ତି। ସଚିବାଳୟରେ ନିଯୁକ୍ତ ଏଏସ୍‌ଓମାନଙ୍କର ଜ୍ଞାନ, ଦକ୍ଷତା ଓ ସୃଜନଶୀଳତାର ଉପଯୋଗ ପାଇଁ ସେମାନଙ୍କ ପରାମର୍ଶ ସମ୍ବଳିତ କିଛି ଫାଇଲ ଏସ୍‌ଓ ବା ଡିଓଙ୍କୁ ନ ଦେଇ ଉପରିସ୍ଥ ଅଫିସରଙ୍କୁ ପଠାଇପାରିବାର ବ୍ୟବସ୍ଥା କରି ଏକ ନୂତନ ମାର୍ଗ ଖୋଲିଛନ୍ତି। ସରକାର ଖାଲି ଯୋଗ୍ୟ ପୋଲିସ ବା ଡାକ୍ତରଙ୍କୁ ପୁରସ୍କୃତ ନ କରି ସମସ୍ତ ବିଭାଗକୁ ଏହା ସମ୍ପ୍ରସାରିତ କରନ୍ତୁ ଏବଂ ବ୍ୟବସ୍ଥାର ପରିବର୍ତ୍ତନ କରି ଦକ୍ଷତାଭିତ୍ତିକ ବିଭାଗର ଅତି ଯୋଗ୍ୟ କର୍ମଚାରୀମାନଙ୍କୁ ବିଶେଷଜ୍ଞ କରି ଗଢ଼ିତୋଳନ୍ତୁ, ଯେଉଁମାନଙ୍କୁ ଅନ୍ୟ ପ୍ରଦେଶ ଖୋଜିବ, କେନ୍ଦ୍ର ସରକାର ଖୋଜିବେ ଏବଂ ଏହାଦ୍ୱାରା ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା ଅଧିକ ପ୍ରସ୍ଫୁଟିତ ହେବ।
ମୋ-୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri