ବାବୁ… ପଇସାଟିଏ ଦିଅ

ସୁଧାକର ଦାସ
ଆଜି ସକାଳୁ ପରିବା ବ୍ୟାଗ ଧରି ବାହାରିଲି ବଜାରକୁ। ପୁଅ କହିଲା, ବାପା ମାସ୍କ ପିନ୍ଧି ଯାଅ। ପତ୍ନୀ କହିଲା, ହୁସିଆର୍‌! ସମସ୍ତଙ୍କଠୁ ଦୂରେଇ ଦୂରେଇ ରହିବ, ସାଙ୍ଗ ସାଥୀ କେହି ଦେଖାହେଲେ ଦୂରରୁ ନମସ୍କାର କରି ହାତ ହଲେଇ ଚାଲି ଆସିବ। ମୁଁ ହଁ ହଁ କହି ଘରୁ ବାହାରିଗଲି। ମୋ ଅନୁମାନ ପୂରା ଠିକ୍‌ ଥିଲା। ବଜାରଟା ଖାଁ ଖାଁ। ଭିଡଭାଡ ନାହିଁ। ପରିବା ବିକାଳିଙ୍କ ମୁହଁରେ ରୁମାଲ ଓ ଗାମୁଛାର ମାସ୍କ। ଘରୁ ଅର୍ଡର ଥିଲା ପୋଟଳ ନେବା ପାଇଁ। ମୁଁ ପୋଟଳ ବାଛିବାକୁ ହାତ ବଢେଇଲାବେଳକୁ ପରିବାବାଲା ପାଟି କଲା, ହାଁ ହାଁ, ଛୁଅଁନ୍ତୁନି। ଆମେ ଏବେ କାହାକୁ ପରିବା ଛୁଇଁବାକୁ ବି ଦଉନୁ। ବାର ପ୍ରକାର ଲୋକ ହାତ ମାରିଲେ କାହା ହାତରୁ ଯେ କରୋନା ଭୂତାଣୁ ପୋଟଳକୁ ସଂକ୍ରମିତ ନ ହେଇଯିବ କିଏ କହିବ? ପରିବା ବିକାଳି କଥା ଶୁଣି ଯେତିକି ଖୁସି ଲାଗିଲା ତା’ଠୁ ଅଧିକ ମୁଁ ଆଶ୍ୱସ୍ତ ହେଲି ଯେ ଅତି କମ୍‌ରେ ମୁଁ ଯୋଉ ପୋଟଳ ଏବେ ଘରକୁ ନେଇଯିବି ସେଥିରେ କରୋନା ଭାଇରସ୍‌ ନାହିଁ। ତା’ ପରେ ପରିବା ବିକାଳି ପୁଣି କହିଲା, ଆପଣମାନଙ୍କ ଭଲ ପାଇଁ ଆମେ ସମସ୍ତେ ଏମିତି କରୁଛୁ। ମୁଁ ବି ଦେଖିଲି ଆଖପାଖ ସବୁ ଦୋକାନରେ ସମାନ ଅବସ୍ଥା। ମୁଁ ସାମାନ୍ୟ ହସି କହିଲି, ସେକଥା ଠିକ୍‌ ଯେ କିନ୍ତୁ ତମେ ଏବେ ପଇସା ନବ କେମିତି? ପରିବା ବିକାଳି କହିଲା, ଆପଣ ଫୋନ୍‌ରେ ପଇସା ପଠେଇ ଦେଇପାରିବେ। ମୁଁ କହିଲି, ଆରେ ବାବୁ ସେସବୁ ବ୍ୟବସ୍ଥା ତ ମୋ ଫୋନ୍‌ରେ ନାହିଁ। କିନ୍ତୁ ମୋ କଥାକୁ ଧ୍ୟାନ ନ ଦେଇ ମୋ’ଠୁ ଦୁଇ ମିଟର ଦୂରରେ ଠିଆ ହୋଇ ଆଉଜଣେ ଭଦ୍ରଲୋକ ଯିଏ କି ଆଳୁ ବାଛିବାକୁ ଯାଉଥିଲେ, ତାଙ୍କ ଉଦ୍ଦେଶ୍ୟରେ ବଡ ପାଟି କରି ପରିବା ବିକାଳି କହିଲା, ଆରେ ଭାଇ ଛୁଅଁନ୍ତୁନି ଛୁଅଁନ୍ତୁନି। ଯାହା ଦରକାର ମୁଁ ଦେଇଦେବି। ଖାଲି ଏତିକି ମତେ କୁହନ୍ତୁ ଆପଣ ଯାହା ନେବେ ତା’ ପାଇଁ ଫୋନ୍‌ରେ ପଇସା ଦେଇପାରିବେ ତ? ଲୋକଟି ହଁ ହଁ କହି ମୋ ଆଡେ ଚାହିଁଲା। ମୁଁ ଚିହ୍ନି ପକେଇଲି। ଲୋକଟି ମୋ ଶଳାର ସଡ଼ୁ ‘ବିରଞ୍ଚି’। ବିରଞ୍ଚି ମତେ ନମସ୍କାର କଲା ଆଉ ପରିବା ବିକାଳି ତା’ ପାଇଁ ଆଳୁ ଓଜନ କରିବା ଭିତରେ ଆମେ ଟିକେ ସୁଖଦୁଃଖରେ ମାତିଗଲୁ। ସୁଖଦୁଃଖ ମାନେ ଏଇ କରୋନା କଥା। ଜନଜୀବନ ଅସ୍ତବ୍ୟସ୍ତ, ସାମାଜିକ ଜୀବନ ବିପର୍ଯ୍ୟସ୍ତ। ସବୁଆଡେ କେମିତି ଭୟ ଓ ଆତଙ୍କର ରାଜୁତି। ପରିବା ବିକାଳି ବିରଞ୍ଚିର କହିବା ମୁତାବକ ସବୁ ପରିବା ବାନ୍ଧିସାରିବା ପରେ ମତେ ଅନେଇ କହିଲା, ଆଜ୍ଞା ପୋଟଳ ଦେଢକିଲୋ ଦେଲି। ଆଉ କ’ଣ ନେବେ? ମୁଁ କହିଲି, ନା ନା ତମକୁ ତ ପଇସା ଦବାର ସୁବିଧା ମୋ ପାଖରେ ନାହିଁ। ଥାଉ, ମୁଁ ପୁଅକୁ ପଠେଇବି ସେ ସବୁ ପରିବା ଆସି ତମଠୁ ନେଇଯିବ। ଏସବୁ ଶୁଣି ବିରଞ୍ଚି ସୌଜନ୍ୟ ଦୃଷ୍ଟିରୁ କହିଲା, ନା ମ’ ଭାଇ, ଯାହା ନବା କଥା ନିଅନ୍ତୁ ନା… ମୁଁ ମୋ ଫୋନ୍‌ରୁ ତାଙ୍କୁ ପଇସା ଦେଇଦେବି। ମତେ ଟିକେ ଅସହଜ ଲାଗିଲା। କିନ୍ତୁ ମୁଁ କିଛି କହିବା ଆଗରୁ ସାମାନ୍ୟ ଦୂରତାରେ ଠିଆ ହେଇ ରହିଥିବା ବିରଞ୍ଚି ମତେ ହାତ ଯୋଡି କହିଲା, ଇଏ ଗୋଟେ କଥା ନା ଭାଇ, ପ୍ଲିଜ୍‌ ଆପଣ ମନା କରନ୍ତୁନି। ଉତ୍ତରରେ ମୁଁ ମୋ ମୁହଁରେ ଯେଉଁ ସ୍ମିତ ହସଟି ଖେଳାଇଲି, ସେଥିରେ ଥିଲା କୃତଜ୍ଞତା ଆଉ ଧନ୍ୟବାଦର ଆଭାସ। ବିରଞ୍ଚି ପରିବା ପୁଟୁଳି ଧରି ତା’ ବାଇକ୍‌ ପାଖକୁ ଚାଲିଗଲା। ମୁଁ ବାହାରିଲି ଆଗକୁ। ହଠାତ୍‌ ମୋ ମନକୁ ଗୋଟେ ଭାବନା ଆସିଲା ଯେ ଦେଢକିଲୋ ପୋଟଳର ପଇସା ମୁଁ ବିରଞ୍ଚିକୁ ଦେଇଦେଲେ ଅସୁବିଧା କ’ଣ ହବ? ମୁଁ ଫେରିପଡି ଡାକିଲି, ବିରଞ୍ଚି ରୁହ ରୁହ ଗୋଟେ ମିନିଟ୍‌ କହୁ କହୁ ମୁଁ ପହଞ୍ଚିଗଲି ବିରଞ୍ଚିର ବାଇକ୍‌ ପାଖରେ। ମୁଁ ବିରଞ୍ଚିର ନିକଟତର ହେଉଥିବାବେଳେ ସେ ମତେ କହିଲା, ଭାଇ ପ୍ଲିଜ୍‌ ଗୋଟେ ମିଟର ଦୂରତାରେ ରୁହନ୍ତୁ। ମତେ ଜମା ଆଶ୍ଚର୍ଯ୍ୟ ଲାଗିଲାନି। ବରଂ ବିରଞ୍ଚିର ସଚେତନ ମନୋଭାବକୁ ମୁଁ ମନେ ମନେ ପ୍ରଶଂସା କଲି। ଆଉ କିଛି ନ କହି ମୁଁ ପକେଟରୁ ପର୍ସ ବାହାର କଲି। ବିରଞ୍ଚି ବୋଧେ ବୁଝିପାରିଲା। ମତେ କହିଲା, ଭାଇ ପରିବାବାଲା ପଇସା ନେଉନି ପରା… ମୁଁ କେମିତି ନେବି? ତା’ପରେ ସାମାନ୍ୟ ହସି ପୁଣି କହିଲା, ଭାଇ ଆମର ବିଚାରଧାରା ହେଲା କୌଣସି ବିପତ୍ତିକୁ ମୁକାବିଲା କରିବାକୁ ଆମେ ଏକାଠି ହେବା ଉଚିତ। ଯଦି ଏମିତି ନ କରିବା ତେବେ ଆମ ପତନ ସୁନିଶ୍ଚିତ। କିନ୍ତୁ ଏବେର ସମୟକୁ ମୁକାବିଲା କରିବା ପାଇଁ ଏଇ ବିଚାରଧାରାକୁ ସଂପୂର୍ଣ୍ଣ ବଦଳେଇବାକୁ ପଡୁଛି। ମାନେ, ଏବେ ଏକତ୍ରିତ ହେଲେ ବିପର୍ଯ୍ୟୟ। ଅଲଗା ଅଲଗା ରହିଲେ ଜୀବନ ନିରାପଦ ଆଉ ଦେଶ ବି ସୁରକ୍ଷିତ। ମୁଁ କହିଲି ନା ନା ଏକତାର ସବୁବେଳେ ଜୟ। ଏବେ ଆମେ ସମସ୍ତେ ମନରେ ଏକ ରହିବା ଜରୁରୀ। ମାନେ, ଏ ବିପର୍ଯ୍ୟୟକୁ ମୁକାବିଲା କରିବାକୁ ଆମେ ସମସ୍ତେ ସଜାଗ ସଚେତନ ହେଲେ, ସମଭାବାପନ୍ନ ହେଲେ କରୋନା ସଂକ୍ରମଣ ବ୍ୟାପିବା ପ୍ରତିହତ ହୋଇପାରିବ। ବିରଞ୍ଚି ତା’ ବାଇକ୍‌ ଷ୍ଟାର୍ଟ ମାରି କହିଲା, ହଁ ହଁ ଏଇଟା ତ ପୂରା ପକ୍କା କଥା ଭାଇ। ମୁଁ କାହିଁକି କେଜାଣି ଅଜାଣତରେ ଚାହିଁଦେଲି ପରିବା ବିକାଳିର ମୁହଁକୁ। ସେ ବି ହସୁ ହସୁ କହିଲା, ଏକତା ନ ଥିଲେ କ’ଣ କିଛି ହୁଏ ଆଜ୍ଞା! ମୁଁ କହିଲି, ବହୁତ ଭଲ, ହେଲେ ମୋ ପର୍ସରେ ଯୋଉ ଦେଢ ଦି’ ହଜାର ଟଙ୍କା ଅଛି ତାକୁ ଦେବି ମୁଁ କାହାକୁ? ଆଉ ନବ କିଏ? ଠିକ୍‌ ଏତିକିବେଳେ ଜଣେ ଭିକାରି ତା’ ରସ ଗିନାରେ ପଡିଥିବା ଖୁଚୁରା ପଇସାକୁ ଝଣ ଝଣ କରି କହିଲା, ବାବୁ… ପଇସାଟିଏ ଦିଅ। ମୁଁ ସ୍ତବ୍ଧ ହେଇଯାଇ ଟିକେ ଭାବିଲି- ପରିବାବାଲା, ସାଙ୍ଗସାଥୀ କରୋନା ଭୟରେ ମୋ ପର୍ସରୁ ପଇସା ନବାକୁ ଇଚ୍ଛା କରୁ ନ ଥିବାବେଳେ ନିରୀହ ଭିକାରି ଜଣଙ୍କୁ ସେଥିରୁ କିଛି ପଇସା ଦେବା ଉଚିତ ହେବ ତ? ଆମ ଜୀବନ ଜୀବନ, ତା’ ଜୀବନ କ’ଣ ଜୀବନ ନୁହେଁ? କିନ୍ତୁ ପୁଣି ଭାବିଲି, ବିନା ଭିକ ଓ ବିନା ଖାଦ୍ୟରେ ତା’ ପରି ଭିକାରିମାନେ ବଞ୍ଚିବେ କେମିତି?
ସ୍ବାହା, କେନାଲ ରୋଡ୍‌, ଛତ୍ର ବଜାର, କଟକ, ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri