Posted inଫୁରସତ

ପବିତ୍ର ତୀର୍ଥସ୍ଥଳୀ ମେଲୁକୋଟ: କେବେ ଓ କେମିତି ଯିବେ; କ’ଣ ଦେଖିବେ

କର୍ନାଟକସ୍ଥିତ ଏକ ପବିତ୍ର ତୀର୍ଥସ୍ଥଳୀ ଭାବେ ମେଲୁକୋଟର ବେଶ୍‌ ନାଁ ରହିଛି। ଏକାଧିକ ମନ୍ଦିର ଓ ଆଶ୍ରମ ସହିତ ଦେଖିବା ପାଇଁ ଏଠାରେ ରହିଛି ଅନେକ ପୁଷ୍କରିଣୀ, ଅଭୟାରଣ୍ୟ ତଥା ଅନ୍ୟାନ୍ୟ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ…


କର୍ନାଟକର ମାଣ୍ଡ୍ୟା ଜିଲା ଅନ୍ତର୍ଗତ ମେଲୁକୋଟ ହେଉଛି ଏକ ପବିତ୍ର ତୀର୍ଥସ୍ଥଳୀ। ଏହାକୁ କେହି କେହି ମେଲୁକୋଟେ କିମ୍ବା ମେଲକୋଟ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ମନ୍ଦିର, ଆଶ୍ରମ, ପୁଷ୍କରିଣୀ, ବନ୍ୟପ୍ରାଣୀ ଅଭୟାରଣ୍ୟ ତଥା ଅନ୍ୟାନ୍ୟ କେତେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଖାସ୍‌ ସେଇଥିପାଇଁ ଏଠାକୁ ବର୍ଷର ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ।

କେବେ ଓ କେମିତି ଯିବେ
ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲିବାକୁ ଯାଇହେବ। କିନ୍ତୁ ବର୍ଷାଦିନେ ବୁଲାବୁଲି କରିବାରେ ସମସ୍ୟା ଉପୁଜୁଥିବାରୁ ପ୍ରାୟତଃ ଖରାଦିନେ ଓ ଶୀତଦିନେ ପର୍ଯ୍ୟଟକ ଏଠାକୁ ବୁଲି ଯାଇଥାନ୍ତି। ସେହିପର ମହୀଶୂରଠାରୁ ପ୍ରାୟ ୫୧ କି.ମି ଏବଂ ବେଙ୍ଗାଲୁରୁଠାରୁ ପ୍ରାୟ ୧୩୩ କି.ମି ଦୂରରେ ଥିବା ମେଲୁକୋଟକୁ ଯିବାପାଇଁ ଗମନାଗମନର ମଧ୍ୟ ବେଶ୍‌ ଭଲ ସୁବିଧା ରହିଛି। ମହୀଶୂରରୁ ପ୍ରତ୍ୟେକ ଦିନ କେତୋଟି ସରକାରୀ ଓ ବେସରକାରୀ ବସ୍‌ ମେଲୁକୋଟକୁ ଯା’ଆସ କରିଥାଏ। ତା’ଛଡ଼ା ପାଣ୍ଡବପୁରା ଏଠାକାର ନିକଟତମ ରେଳଷ୍ଟେଶନ ହୋଇଥିବାବେଳେ ବେଙ୍ଗାଲୁରୁ ଇଣ୍ଟରନ୍ୟାଶନାଲ ଏୟାର୍‌ପୋର୍ଟ ହେଉଛି ଏଠାକାର ନିକଟବର୍ତ୍ତୀ ବିମାନବନ୍ଦର, ଯାହା ମେଲୁକୋଟଠାରୁ ପ୍ରାୟ ୧୩୩ କି.ମି ଦୂରରେ ଅବସ୍ଥିତ।

କ’ଣ ଦେଖିବେ
ଚେଲୁଭାନାରାୟଣ ସ୍ବାମୀ ମନ୍ଦିର: ମେଲୁକୋଟସ୍ଥିତ ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ଭାବେ ଏହି ମନ୍ଦିରର ବେଶ୍‌ ନାଁ ରହିଛି। ଚେଲୁଭାନାରାୟଣ ସ୍ବାମୀଙ୍କୁ ଉତ୍ସର୍ଗୀକୃତ ଏହି ମନ୍ଦିରର କାରୁକାର୍ଯ୍ୟ ଏତେ ଆକର୍ଷଣୀୟ ଯେ, ଦେଶବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ତେବେ ଚେଲୁଭାନାରାୟଣ ସ୍ବାମୀଙ୍କୁ କେହି କେହି ଥିରୁନାରାୟଣ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି।

ଯୋଗ-ନରସିମ୍‌ହା ସ୍ବାମୀ ମନ୍ଦିର: ଯୋଗ ନରସିମ୍‌ହା ଠାକୁରଙ୍କୁ ଉତ୍ସର୍ଗୀକୃତ ଏହି ମନ୍ଦିର ମଧ୍ୟ ହେଉଛି ମେଲୁକୋଟସ୍ଥିତ ଅନ୍ୟତମ ଆକର୍ଷଣୀୟ ଧାର୍ମିକସ୍ଥଳ। କେବଳ ଏତିକି ନୁହେଁ ପର୍ଯ୍ୟଟକ ଚାହିଁଲେ ମେଲୁକୋଟଠାରୁ କିଛି ଦୂରରେ ଅବସ୍ଥିତ ଥୋଣ୍ଡାନୁର୍‌ ନାମକ ଏକ ସ୍ଥାନକୁ ଯାଇ ସେଠାରେ ଥିବା ନାମ୍ବି ନାରାୟଣ, ପାର୍ଥସାରଥି, ରାମାନୁଜ ଇତ୍ୟାଦି ମନ୍ଦିର ମଧ୍ୟ ଦର୍ଶନ କରିପାରିବେ।

ପୁଷ୍କରିଣୀ: କଲ୍ୟାଣୀ ନାମକ ଏଠାରେ ଏକ ବଡ଼ ପୁଷ୍କରିଣୀ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ପୁଷ୍କରିଣୀର ଚତୁଃପାର୍ଶ୍ୱରେ ଖୁବ୍‌ ସୁନ୍ଦର ପାହାଚମାନ କରାଯାଇଛି, ଯାହା ଦେଖିବାକୁ ଖୁବ୍‌ ଆକର୍ଷଣୀୟ ଲାଗିଥାଏ। କଲ୍ୟାଣୀ ବ୍ୟତୀତ ମେଲୁକୋଟରେ ଆହୁରି ଅନେକ ଛୋଟବଡ଼ ପୁଷ୍କରିଣୀ ମଧ୍ୟ ରହିଛି।

ମେଲକୋଟ ଟେମ୍ପଲ ଓ୍ବାଇଲ୍ଡ ଲାଇଫ୍‌ ସାଙ୍କ୍‌ଚୁୟାରୀ: ଏହା ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ବନ୍ୟପ୍ରାଣୀ ଅଭୟାରଣ୍ୟ, ଯାହାକୁ ୧୯୭୪ ମସିହାରେ ନିର୍ମାଣ କରାଯାଇଥିଲା। ଖାସ୍‌ କରି ଗଧିଆମାନେ ଏଠାରେ ଅଧିକ ଦେଖାଯାଇଥାନ୍ତି। ତା’ଛଡ଼ା ଜଙ୍ଗଲୀ ବିଲେଇ, ଚିତାବାଘ, ବଜ୍ରକାପ୍ତା, ଲୋମଶ ମାଙ୍କଡ଼ ଇତ୍ୟାଦି ବି ଏଠାରେ ଅଛନ୍ତି। ସେହିପରି ୨୦୦ ପ୍ରଜାତିର ପକ୍ଷୀ ମଧ୍ୟ ଏଠାରେ ଦେଖିବାକୁ ମିଳନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri