Posted inଫୁରସତ

ତେଜସ୍ବିନୀଙ୍କ ସାହସର ଗାଥା: ରୋଡ୍‌ ରୋମିଓଙ୍କୁ ଟେକି କଚାଡ଼ିଥିଲେ ବବିନା, ମହଙ୍ଗା ପଡ଼ିଲା ଚିନ୍ମୟୀଙ୍କଠାରୁ ଛିନତାଇ

ନାରୀ କେବେ ଲଜ୍ଜାର ଗହଣା ପିନ୍ଧା ଲାଜକୁଳୀ ଲତା ତ କେବେ ମମତାମୟୀ ମା’। କେବେ ପୁଣି ସେ ଧୈର୍ଯ୍ୟ ଓ ସହନଶୀଳତାର ଜୀବନ୍ତ ପ୍ରତିମା। ହେଲେ ଯେବେ ତା’ ଧୈର୍ଯ୍ୟର ବନ୍ଧବାଡ ଭାଙ୍ଗେ ସେ ନେଇପାରେ ଉଗ୍ରରୂପ। ଆଉ ତା’ ସମ୍ମୁଖରେ ଥିବା ମହିଷାସୁର ରୂପୀ ଅତ୍ୟାଚାରୀକୁ ସେ କରିପାରେ ଦମନ। ତା’ ତେଜରେ ଲୁଚିଯାଏ ସବୁ ଅନ୍ୟାୟ, ଅତ୍ୟାଚାରର ଅନ୍ଧକାର। ସେମିତି କେତେଜଣ ତେଜସ୍ବିନୀ ମହିଳାଙ୍କ ସାହସର ଗାଥା ଏଥରର ପ୍ରଚ୍ଛଦ ପ୍ରସଙ୍ଗରେ….

ରୋଡ୍‌ ରୋମିଓଙ୍କୁ ଟେକି କଚାଡ଼ିଲେ, ବସ୍‌ ଉଠ କରାଇ ଉଚିତ ଶିକ୍ଷା ଦେଲେ:
ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ବବିନା ମହାଳିକ। ସେ ଚର୍ଚ୍ଚିତା ତାଙ୍କ ସାହସ ପାଇଁ। ଏକୁଟିଆ ରୋଡ୍‌ ରୋମିଓଙ୍କୁ ଧୂଳି ଚଟେଇ ମାଡ଼ ମାରିବାକୁ ନେଇ। ତାଙ୍କର ଏଇ ସାହସିକତା ପାଇଁ ଏବେ ସେ ପାଲଟିଛନ୍ତି ଅନେକ ଝିଅଙ୍କ ଆଦର୍ଶ। ଘର ତାଙ୍କର ଭୁବନେଶ୍ୱର, ରସୁଲଗଡସ୍ଥ ଜିଜିପି କଲୋନୀରେ ଥିବା ଜଗନ୍ନାଥ ନଗରରେ। ପରିବାର କହିଲେ ବାପାମା’ ଦୁଇଭାଇ, ଭାଉଜ, ବଡ଼ ଭଉଣୀ ଓ ଦୁଇ ଝିଆରୀଙ୍କୁ ନେଇ। ପରିବାରରୁ ହିଁ ସାହସୀ ହେବାର ଖୋରାକ ପାଇଛନ୍ତି। ତାଙ୍କ ଭାଇ ତାଙ୍କୁ କହନ୍ତି, ଘରେ ଝିଅ ହୋଇ ରହ। ହେଲେ ବାହାରକୁ ବାହାରିଲେ ପୁଅ ଭଳି ରହିବୁ। ଆଉ ବାପା କହନ୍ତି, ଅନ୍ୟାୟ ଦେଖିଲେ ଚୁପ୍‌ ରହିବୁନି। ଅନ୍ୟାୟକୁ ପ୍ରତିବାଦ କରିବୁ୍‌। ତେବେ ସେଦିନ ସମ୍ପର୍କରେ ବବିନା କହନ୍ତି, ‘ସେପ୍ଟେମ୍ବର ୮ ତାରିଖର କଥା। ସେଦିନ ଥିଲା ମୋର ଜନ୍ମଦିନ। ତେଣୁ ମାର୍କେଟ ବାହାରିଥାଏ କିଛି କିଣାକିଣି କରିବା ପାଇଁ। ସମୟ ୩ରୁ-୪ଟା ହେବ। ସ୍କୁଟିରେ ଗଲାବେଳେ ଜଗନ୍ନାଥ ନଗରରୁ ଦୁଇଜଣ ଯୁବକ ବାଇକରେ ମତେ ପିଛା କରିବା ଆରମ୍ଭ କଲେ। ଅନେକ ଖରାପ କଥା ବି କହିଲେ। କିଛି ସମୟ ପରେ ସେମାନେ ମୋ ପାଖାପାଖି ହୋଇଗଲେ। ମିରର୍‌ ଦେଖି ଅଭଦ୍ର କଥା କହିଲେ। ଶେଷରେ ମୋ ସହିବା ସୀମା ଟପିଗଲା। ମୁଁ ସେମାନଙ୍କୁ ଆଗରେ ରଖି ନିଜେ ତାଙ୍କ ପଛେ ପଛେ ଆସିଲି। ଏମିତି କିଛି ବାଟ ଗଲାପରେ ବମିଖାଲ କେନାଲ ରୋଡ ଏରିଆରେ ଥିବା ଏକ ହମ୍ପସ୍‌ରେ ସେମାନଙ୍କ ଗାଡି ସ୍ଲୋ ହୋଇଗଲା। ମୁଁ ମୋ ଗାଡିର ବେଗ ବଢେଇ ତାଙ୍କ ଗାଡି ପାଖରେ ରଖି ତାଙ୍କୁ ବାଡେଇ ଦେଲି। ଫଳରେ ସେମାନେ ପଡ଼ିଗଲେ। ପଛ ପିଲା ମତେ ମାରିବାକୁ ହେବାରୁ ମୁଁ ତା’ ହାତ ଓ ବେକ ଧରିକି ଫୋପାଡି ଦେଲି। ତା’ପରେ ଦୁଇଜଣଙ୍କ ହେଲମେଟ୍‌ ବାହାର କରି ପିଟିଲି। ବେକ, ହାତ, ଗୋଡକୁ ନିର୍ଧୂମ ଗୋଇଠା ବିଧା ମାରିଲି। ଟେକି କି କଚାଡିଲି ବି। ଅନେକ ଗାଳି କଲି। ଉଠ ବସ୍‌ କରେଇ ବୁଝେଇଲି। ଏଇ ଦୃଶ୍ୟ ଲୋକମାନେ ଦେଖୁଥାଆନ୍ତି। ଘଟଣା ପରେ ମୁଁ ମାର୍କେଟ ଯାଇ ଶପିଂ ବି କଲି। ଘରୁକୁ ଆସି ରାତିରେ ବାର୍ଥଡେ’ ସେଲିବ୍ରେଟ୍‌ କରି ଶୋଇପଡିଲୁ। ହେଲେ ସକାଳ ହେବାରେ ଗୋଟିଏ ପରେ ଗୋଟିଏ ଗଣମାଧ୍ୟମରୁ କଲ୍‌ ଆସିବା ଛୁଟିଲା। ଆଉ ଚ୍ୟାନେଲ ଅନ୍‌ କରି ଦେଖିଲି ମୁଁ ସେଇ ଦୁଇ ବଦ୍‌ମାସ୍‌ଙ୍କୁ ପିଟୁଥିବାର ଦୃଶ୍ୟ। ଘରକୁ ଗଣମାଧ୍ୟମ ପ୍ରତିନିଧିମାନେ ଆସିବା ଆରମ୍ଭ କରିଦେଇଥିଲେ। ମୋ ସହ ଏ କ’ଣ ଘଟୁଥିଲା ବୁଝିପାରୁ ନ ଥିଲି। କଥା ସାରା ଓଡ଼ିଶାରେ ବ୍ୟାପୀ ସାରିଥିଲା।’ ଏଇ ସାହସିକତା ପାଇଁ ପରେ କମିଶନର ଅଫ୍‌ ପୋଲିସ୍‌ ଡ. ସୁଧାଂଶୁ ଷଡଙ୍ଗୀ ତାଙ୍କୁ ସମ୍ମାନିତ କରିଥିଲେ। ଆଉ ଆଗାମୀ ଦିନରେ ସ୍ପେଶାଲ ପୋଲିସ୍‌ ଅଫିସର୍‌ ପଦବୀ ଦେବାକୁ ପ୍ରତିଶ୍ରୁତି ଦେଲେ। ଏହା ପରେ ଗଭର୍ନର ପ୍ର. ଗଣେଶୀ ଲାଲ ବବିନାଙ୍କୁ ପ୍ରଶଂସା କରିବା ସହ ସମ୍ମାନିତ କଲେ। ଆନ୍ଧ୍ରପ୍ରଦେଶ ଗଭର୍ନର ବିଶ୍ୱଭୂଷଣ ହରିଚନ୍ଦନ, ଅନନ୍ତ ନାରାୟଣ ଜେନା ଓ ବିଭିନ୍ନ ସଂସ୍ଥା ବି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କ ସାହସକୁ ପ୍ରଶଂସା କରିଛନ୍ତି। ବବିନା କହନ୍ତି,‘ ମୁଁ ‘ଏମପାଓ୍ବାରିଂ ଓମେନ’ ନାମରେ ଫେସ୍‌ବୁକ୍‌ରେ ଏକ ପେଜ୍‌ ଖୋଲିଛି, ଯେଉଁଥିରେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ମହିଳା ନିଜ କଥା ଜଣେଇବେ। ଆଉ ଆବଶ୍ୟକ ସ୍ଥଳେ ମୁଁ ପୋଲିସଙ୍କୁ ସଙ୍ଗରେ ନେଇ ସେହି ଝିଅ ଅବା ମହିଳାଙ୍କୁ ସାହାଯ୍ୟ କରିବି।’

ମହଙ୍ଗା ପଡ଼ିଲା ଛିନତାଇ
୩ ବର୍ଷ ତଳର ଏଇ ଘଟଣା। ରାତିରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କଠାରୁ ଛିନତାଇ କରିଥିଲେ ତିନିଜଣ ବାଇକ୍‌ ସବାର ଯୁବକ। ହେଲେ ସେମାନେ ଜାଣି ନ ଥିଲେ ଯେ ଏଇ କାମ ପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ହେବ। ଯୁବତୀଜଣକ ସେହି ତିନିଜଣଙ୍କ ଉପରେ ଭାରି ପଡ଼ିଥିଲେ। ଆଉ ନିସ୍ତୁକ ମାଡ ଖାଇଲେ। ଶେଷରେ ଗିରଫ ହୋଇ ଜେଲ୍‌ ବି ଯିବାକୁ ପଡିଲା। ସେହି ଯୁବତୀଜଣକ ଥିଲେ କରାଟେକା ଚିନ୍ମୟୀ ଭୂୟାଁ। ଘର ଭୁବନେଶ୍ୱର ଲକ୍ଷ୍ମୀସାଗରରେ। ସେଦିନ ଘଟଣା ସମ୍ପର୍କରେ ଚିନ୍ମୟୀ କହନ୍ତି, ‘୨୦୧୬, ସେପ୍ଟେମ୍ବର ୨୫ ତାରିଖର କଥା। ରାତି ପ୍ରାୟ ୯.୩୦ ହେବ। ମୁଁ ଉତ୍କଳ କରାଟେ ସ୍କୁଲରୁ ଟ୍ରେନିଂ ସାରି ଘରକୁ ସ୍କୁଟିରେ ଫେରୁଥାଏ। ଅଳ୍ପ କିଛି ବାଟ ଯାଇଛି ମୋବାଇଲ୍‌ ରିଂ ହେଲା। ସ୍କୁଟିକୁ ସାଇଡ୍‌ କରି ମୋବାଇଲ୍‌ ଦେଖିଲି ମା’ କରିଥିଲେ। ରିସିଭ୍‌ କରି କଥା ହେଲି। ମା’ ପଚାରିଲେ କେତେବେଳେ ଫେରୁଛୁ? ମୁଁ କହିଲି- ଯାଉଛି ରାସ୍ତାରେ ଅଛି। ଏତିକି ବେଳେ ତିନି ଜଣ ବସିଥିବା ଏକ ବାଇକ୍‌ ମୋ ପାଖରେ ସ୍ଲୋ ହୋଇ ମୋ ହାତରୁ ମୋବାଇଲ୍‌ ଓ ବେକରୁ ଚେନ୍‌ ଛଡାଇ ନେଇଗଲେ। ହଠାତ୍‌ ଏମିତି ଏକ ଘଟଣାକୁ ନେଇ ମନରେ ଭୟ ଆସିଥିଲା ସତ। ହେଲେ ସାର୍‌ କହନ୍ତି, ମୃତ୍ୟୁ ଥରେ ଆସେ। ତେଣୁ ସାହସର ସହ ଲଢିକି କାହିଁକି ନ ମରିବା। ଆଉ ମୁଁ ତାଙ୍କୁ ପିଛା କରିବା ଆରମ୍ଭ କଲି। ପ୍ରିୟା ହୋଟେଲ ଗଳି ଦେଇ ଆଇଜି ପାର୍କ କଲ୍ଚରାଲ ୟୁନିଭର୍ସିଟି ଯାଏଁ ପିଛା କଲି। ଏହା ଭିତରେ ସେମାନେ ମତେ ଅନେକ ଥର ଗାଡିରେ ଥାଇ ଗୋଇଠା ମାରିଥିଲେ। ଗୋଇଠା ମାରିବା ଦେଖି ଅନୁମାନ କଲି ଯେ, ସେମାନଙ୍କ ପାଖରେ ହତିଆର୍‌ ନାହିଁ। ମୋ ସାହସ ବଢ଼ି ଯାଇଥିଲା। ଆଉ ତାଙ୍କୁ ପ୍ରାୟ ୩ କି.ମି. ପିଛା କଲି। ମଉକା ଦେଖି ତାଙ୍କ ଗାଡିକୁ ପଛ ପଟୁ ଧକ୍କାଦେଲି। ସେମାନେ ତଳେ ପଡ଼ିଗଲେ। ମୁଁ ବି ପଡ଼ିଥିଲି। ହେଲେ ଉଠିକି ଆଗ ତାଙ୍କ ବାଇକ୍‌ ଚାବି କାଢି ଆଣିଲି। ଆଉ ସେମାନଙ୍କ ଭିତରୁ ଜଣକୁ ମାରିବା ଆରମ୍ଭ କଲି। ତା’ ମାସ୍କ ଖୋଲି ଦେଲି। ଅନ୍ୟ ଦୁଇଜଣ ଗାଡି ଚାବି ଛଡାଇବାକୁ ଧସ୍ତାଧସ୍ତି କରୁଥାଆନ୍ତି। ମୁଁ ପାଟି କରିବା ଆରମ୍ଭ କଲି। ଲୋକ ଜମା ହେବାକୁ ଆରମ୍ଭ କରିବାରୁ ଅନ୍ୟ ଦୁଇଜଣ ଦୌଡି ପଳାଇଲେ। କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ପକେଟରୁ ମୋ ମୋବାଇଲ୍‌ ଖସିପଡିଲା। ମୁଁ ମାରିଥିବା ତୃତୀୟ ବ୍ୟକ୍ତିଜଣକ ବି ଖସିଗଲା। ହେଲେ ସାଙ୍ଗେ ସାଙ୍ଗେ ପିସିଆର୍‌କୁ ଫୋନ୍‌ କରିଥିଲି। ଆଉ ସେମାନେ ତୁରନ୍ତ ପହଞ୍ଚତ୍ଥିଲେ। ବାଇକ୍‌ ଜବତ ହେଲା ମୁଁ ସେମାନଙ୍କ ନାଁରେ କ୍ୟାପିଟାଲ ଥାନାରେ ଏଫଆଇଆର୍‌ ରେଜିଷ୍ଟର କଲି। ୩-୪ ଦିନରେ ସେହି ତିନିଜଣ ଧରାପଡ଼ିଗଲେ। ଚିହ୍ନଟ ପାଇଁ ଡକାଗଲା। ଯେହେତୁ ଜଣଙ୍କ ମୁଖା ଖୋଲିବାରେ ସଫଳ ହୋଇଥିଲି ତେଣୁ ଜଣଙ୍କୁ ଚିହ୍ନି ପାରିଲି। ତା’କୁ ପଚରାଉଚରା କରି ଅନ୍ୟ ଦୁଇଜଣ ବି ଧରାପଡିଲେ।’ ଏହି ଦୁଃସାହସିକ କାମ ପାଇଁ ଚିନ୍ମୟୀଙ୍କୁ କମିଶନରେଟ୍‌ ପୋଲିସର ୯ମ ରେଜିଂ ଡେ’ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପେଶାଲ ପୋଲିସ୍‌ ଅଫିସର୍‌ର ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏବେ ସେ ଓଡ଼ିଶା ପୋଲିସର ମହିଳା କର୍ମଚାରୀ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆତ୍ମରକ୍ଷା କୌଶଳ ଶିକ୍ଷା ପ୍ରଦାନ କରୁଛନ୍ତି। ବାପା କ୍ଷୀରୋଦ କୁମାର ଭୂୟାଁ ଓ ମା’ ମଞ୍ଜୁଲତା ଝିଅର ସାହସିକତା ପାଇଁ ବେଶ୍‌ ଗର୍ବିତ। ଚିନ୍ମୟୀ କହନ୍ତି, ‘ପିଲାବେଳୁ ମା’ କହିଥିଲା ପରିସ୍ଥିତି ବାଧ୍ୟ କଲେ ଅନ୍ୟକୁ ମାରିକି ଆସିବୁ। ହେଲେ କେବେ ମାଡ ଖାଇ ଆସିବୁନି। ଏଇ କଥା ମତେ ସବୁବେଳେ ସାହସ ଦେଇ ଆସିଛି। ଛୋଟବେଳୁ କିଛି ଭୁଲ ଘଟୁଥିଲେ ମୁଁ ତା’ର ପ୍ରତିବାଦ କରିଆସିଛି। ସବୁବେଳେ ଭାବେ ଯାହା ପୁଅ କରୁଛନ୍ତି, ମୁଁ କାହିଁକି ପାରିବିନି । ତେଣୁ ପୁଅଙ୍କ ପରି ବୁଲେଟ୍‌ ଚଲାଏ। ଏମିତିକି ମହର୍ଷି କଲେଜରେ ପଢିଲାବେଳେ ପୁଅଙ୍କର ଡେୟାରଡେଭିଲ ଗ୍ରୁପ୍‌ ଥିଲା। ତାକୁ ଦେଖି ମୁଁ ବି ସେମିତି ଏକ ଗ୍ରୁପ କଲି। ମତେ ଭରସା କରି କିଛି ଝିଅ ଏଥିରେ ଯୋଗ ଦେଲେ। ଏବେ ଆମେ ୧୧ ଜଣ ଝିଅ ବୁଲେଟ୍‌ରେ ପିରାମିଡ ପରି ରହି ସାଧାରଣତନ୍ତ୍ର ଦିବସ ଓ ଗଣତନ୍ତ୍ର ଦିବସରେ ଡେୟାର ଡେଭିଲ ଶୋ’ କରୁଛୁ। ଏହାବ୍ୟତୀତ କରାଟେରେ ମୁଁ ଜାତୀୟ ପୁରସ୍କାର ହାସଲ କରିଛି। ଏନ୍‌ସିସି କ୍ୟାଡେଟ ମଧ୍ୟ। ଆଉ ଆର୍‌ଡିସି କ୍ୟାମ୍ପରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିଲି। ସେଥିରେ ଶୁଟିଂ ଓ ଫ୍ଲାଇଂରେ ମେଡାଲ ପାଇବା ସହ ଡ୍ରିଲ୍‌ର କଣ୍ଟିଜେଣ୍ଟ କମାଣ୍ଡର ଥିଲି।

ସାହସୀ ପ୍ରୀତିସ୍ମିତା ପାଲଟିଲେ ଦେବଦୂତ
ଫନୀର ଭୟାବହତା କେତେ ଥିଲା ସାରା ଓଡ଼ିଶାବାସୀ ଅନୁଭବ କରିସାରିଛନ୍ତି। ଏହା ପୂର୍ବରୁ ପାଣିପାଗ ବିଭାଗ ଓ ସରକାରଙ୍କ ତରଫରୁ ଫନୀର ଭୟାବହତା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ସତର୍କ କରାଯାଉଥିଲା। ହେଲେ କେନ୍ଦ୍ରାପଡା ଜିଲାର କିଛି ଉପାନ୍ତ ଅଞ୍ଚଳର ଲୋକ ଏହା ସମ୍ପର୍କରେ ନ ଥିଲେ ସେତେଟା ସଚେତନ। ହେଡକ୍ୱାର୍ଟରରୁ ଅର୍ଡର ଆସିବାମାତ୍ରେ ଉକ୍ତ ଜିଲାର ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ଜଣେ ମହିଳା କନଷ୍ଟେବଳ ଏଭଳି ସାହସିକତାର ସହ ଲୋକଙ୍କୁ ସାହାଯ୍ୟ କଲେ ଯେ, ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ସାଜିଥିଲେ। ଆଉ ପାଲଟିଗଲେ ହିରୋ। ସେ ହେଉଛନ୍ତି ପ୍ରୀତିସ୍ମିତା ପରିଡ଼ା। ୨୪ ବର୍ଷୀୟା ପ୍ରୀତିସ୍ମିତା କହନ୍ତି, ‘ଅର୍ଡର ଆସିବା ମାତ୍ରେ ଆମେ ଗ୍ରୁପ୍‌ ହୋଇ ପୋଲିସ୍‌ ଗାଡିରେ ବିଭିନ୍ନ ଉପାନ୍ତ ଅଞ୍ଚଳକୁ ଯାଇଥିଲୁ। ହେଲେ କିଛି ସ୍ଥାନ ଏମିତି ଥିଲା ଯେଉଁଠି ଚାରିଚକିଆ ଗାଡି ନେବା ସମ୍ଭବ ନ ଥିଲା। ତେଣୁ ମୁଁ ଚାଲି ଚାଲି ସେହି ଗାଁକୁ ଯାଇଥିଲି। କିଛି ଲୋକ ତ ଘର, ଗାଁ ଛାଡି ଆସିବାକୁ ପ୍ରସ୍ତୁତ ନ ଥିଲେ ତାଙ୍କୁ ଅନେକ ବୁଝାଇବାକୁ ପଡ଼ିଥିଲା। ରାଜି ହେବା ପରେ ଆଶ୍ରୟସ୍ଥଳକୁ କେମିତି ନେବି ଭାବି ସେଠାକାର ଜଣେ ବ୍ୟକ୍ତିଙ୍କ ବାଇକ୍‌ ମାଗିଥିଲି। ବହୁ ବର୍ଷ ପୂର୍ବେ ବାଇକ୍‌ ଶିଖି କିଛିଦିନ ଚଲେଇଥିଲି। ହେଲେ ତା’ପରଠାରୁ କେବେ ଚଲେଇ ନ ଥିଲି। ସବୁବେଳେ ସ୍କୁଟି ହିଁ ଚଲାଉଥିଲି। କିନ୍ତୁ ସେହି ସମୟରେ ମୋ ମନରେ ଏକ ପ୍ରକାରର ଜୋଶ୍‌ ଭରିଯାଇଥିଲା। ଆଉ ସାହସ କରି ବାଇକ୍‌ରେ ଏକାଥରେ ଦୁଇଜଣଙ୍କୁ ବସାଇ କାଦୁଅ, ଖସଡା ଓ ବିଲର ହିଡ ରାସ୍ତାରେ ଚଲାଇ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚାଇଥିଲି। ଥରେ ନେବା ପରେ ମନରେ ସାହସ ଭରି ଯାଇଥିଲା। ମହିଳା, ଶିଶୁ, ବୃଦ୍ଧବୃଦ୍ଧାଙ୍କ ସହ ୩ ଜଣ ଗର୍ଭବତୀଙ୍କୁ ବି ଆଶ୍ରୟସ୍ଥଳରେ ଛାଡିଲି। ମେ’୧ରୁ ୩ ତାରିଖ ଭିତରେ ତାଳଚୁଆ, ରଙ୍ଗଣୀ, ଖସମୁଣ୍ଡା, ପଟାପାରିଆ, ବାଘମାରି, ମଞ୍ଜୁଳାପାଲ୍ଲୀ, ଦୋଳସାହି, କେରୁଆପାଲା ଭଳି ଉପାନ୍ତ ଗାଁରୁ ପ୍ରାୟ ୩୦୦ଜଣଙ୍କୁ ସୁରକ୍ଷିତ ସ୍ଥାନରେ ଛାଡ଼ିଥିଲି। ଫନୀ ପୂର୍ବ ସନ୍ଧ୍ୟାରେ ତ ପବନ ସାଙ୍ଗକୁ ବର୍ଷା ବି ଆରମ୍ଭ ହୋଇଯାଇଥାଏ। ତଥାପି ସ୍ଥାନାନ୍ତର କାର୍ଯ୍ୟ ଜାରି ରଖିଥିଲି।’ ପ୍ରୀତିସ୍ମିତାଙ୍କ ଏହି ସାହସିକତାର କାର୍ଯ୍ୟ କରୁଥିବା ସମୟର ଫଟୋ ସୋସିଆଲ ମିଡିଆରେ ଛାଇ ଯାଇଥିଲା। ଆଉ ଗଣମାଧ୍ୟମରେ ତାଙ୍କ ସାହସିକତାର କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରାଯାଇଥିଲା। ଫଳରେ ସେ ପାଲଟିଗଲେ ସମସ୍ତଙ୍କ ଆଦର୍ଶ।

କାଠମାଫିଆଙ୍କ ସହିତ ଏକାକୀ ଲଢ଼ିଥିଲେ ପଦ୍ମାବତୀ
ଜଣେ କି ଦୁଇ ଜଣ ନୁହନ୍ତି,୮ ଜଣ କାଠମାଫିଆଙ୍କ ସହିତ ଏକାକୀ ଲଢ଼ିଥିଲେ ଜଣେ ମହିଳା ବନ କର୍ମଚାରୀ। ମାଫିଆମାନେ ତାଙ୍କୁ ଘେରାଉ କରି ଡରାଇବା ସହ ଧମକ ଚମକ ଦେଇଥିଲେ। ହେଲେ ସେ ନ ଡରି ସାହସର ସହ ସେମାନଙ୍କୁ ସାମ୍‌ନା କରିଥିଲେ। ଆଉ ତାଙ୍କ ସାହସ ଦେଖି କାଠମାଫିଆମାନେ ଶେଷରେ ଡରି ପଳାଇଥିଲେ। ଘଟଣାଟି ଘଟିଥିଲା ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷି ଅଞ୍ଚଳରେ। ଆଉ ସେହି ସାହସୀ ମହିଳା ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବେତନଟି ବନାଞ୍ଚଳର ମହିଳା ବନ କର୍ମଚାରୀ ପଦ୍ମାବତୀ ବେହେରା। ସେଦିନର ଘଟଣା ସମ୍ପର୍କରେ ପଦ୍ମାବତୀ କହନ୍ତି,‘୨୦୧୮ ଅକ୍ଟୋବର ୧୬ ତାରିଖର ଘଟଣା। ସ୍କୁଟି ଯୋଗେ ମୁଁ ବାରିପଦା ସହର ଉପକଣ୍ଠସ୍ଥ ଲକ୍ଷ୍ମୀପୋଷି ଅଞ୍ଚଳକୁ ଏକ ବ୍ୟକ୍ତିଗତ କାର୍ଯ୍ୟରେ ଯାଉଥାଏ। ସେହି ସମୟରେ ଏକ ପିକଅପ ଗାଡି ଦ୍ରୁତ ଗତିରେ ମତେ ଅତିକ୍ରମ କରି ଆଗକୁ ବଢ଼ୁଥିଲା। ମତେ ସନ୍ଦେହ ହେଲା। ତେଣୁ ସେହି ଗାଡିକୁ ପିଛା କଲି। ଆଉ ଦ୍ରୁତ ବେଗରେ ଯାଇ ମୋ ସ୍କୁଟିକୁ ଉକ୍ତ ପିକଅପ ଗାଡି ଆଗରେ ରଖି ସେମାନଙ୍କୁ ଅଟକାଇଲି। ସ୍କୁଟିରୁ ଓହ୍ଲାଇ ପିକଅପ ଗାଡି ପଛକୁ ଆସି ଦେଖିଲି ଯେ ଗାଡିରେ ମୁଲ୍ୟବାନ କାଠ ଅଛି। ଏହା ଦେଖି ଗାଡିରେ ଥିବା ପ୍ରାୟ ୮ ଜଣ କାଠ ମାଫିଆ ଓହ୍ଲାଇ ମତେ ଘେରିଗଲେ। ସେମାନଙ୍କୁ ନ ଡରି ଗାଡିର କାଗଜପତ୍ର ଓ କାଠ ଚାଲାଣ ସମ୍ପର୍କିତ କାଗଜପତ୍ର ଦେଖାଇବାକୁ କହିଥିଲି। ହେଲେ ସେମାନେ ଧମକ ଚମକ ଦେଇ ଏହି ମାମଲାରେ ମୁଣ୍ଡ ନ ପୂରାଇ ସେଠାରୁ ଚୁପଚାପ ଚାଲି ଯିବାକୁ ଧମକାଇଥିଲେ। କିନ୍ତୁ ସେଥିରେ ନ ଡରି ସେମାନଙ୍କୁ ସାମ୍ନା କରିଥିଲି। ଫୋନ କରି ପିଠାବଟା କାର୍ଯ୍ୟାଳୟକୁ ଖବର ଦେଇଥିଲି। ଏହାଦେଖି କାଠ ମାଫିଆମାନେ ଡରିଯାଇ ଦୌଡି ଖସି ପଲେଇଲେ। ଏହା ପରେ ପିଠାବଟାର ଅଧିକାରୀ ଲକ୍ଷ୍ମୀଧର ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କାଠ ବୋଝେଇ ଗାଡିକୁ ଜବତ କଲେ।’ ବେତନଟି ବନାଞ୍ଚଳର କର୍ମଚାରୀ ହୋଇଥିଲେ ସୁଦ୍ଧା ଅନ୍ୟ ବନାଞ୍ଚଳରେ ହେଉଥିବା ବେଆଇନ କାଠ ଚାଲାଣକୁ ନିଜ ଦାୟିତ୍ୱ ଭାବି ଧରିବାରେ ସକ୍ଷମ ହୋଇଥିବା ପଦ୍ମାବତୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା। ନିକଟରେ ସେ ବିଭାଗୀୟ ପଦୋନ୍ନତି ପାଇ ବାରିପଦା ବନଖଣ୍ଡ ପିଠାବଟା ବନାଞ୍ଚଳ ଅଧୀନ ବାଲଡିହାରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି।

ରୋଡ ରୋମିଓକୁ ମାରି କଲାର ଧରି ରାସ୍ତାରେ ଚଲାଇ ଚଲାଇ ନେଲେ
ବଲାଙ୍ଗୀର ସହର ସାଲେପାଲିର ୨୧ ବର୍ଷୀୟା ଶର୍ମିଷ୍ଠା ମିଶ୍ର ଏବେ ଜଣେ ସାହସୀ ଝିଅ ଭାବେ ପରିଚିତ ା ତାଙ୍କ ସାହସ ପାଇଁ ବଲାଙ୍ଗୀର ଏସପି ସନ୍ଦୀପ ମାଡକର ତାଙ୍କୁ ପ୍ରଶଂସା ପତ୍ର ଦେଇ ସମ୍ମାନିତ ମଧ୍ୟ କରିଛନ୍ତି ା ଦେଓଗଁା ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ବିଏସ୍‌ସି ଶେଷବର୍ଷ ଛାତ୍ରୀ ଭାବେ ଅଧ୍ୟୟନ କରନ୍ତି ଶର୍ମିଷ୍ଠା ା ତାଙ୍କ ଦୁଇ ସାନ ଭଉଣୀ ଲିଚିଷ୍ଠା ଓ ଶ୍ରୁତିଷ୍ଠା ନବମ ଶ୍ରେଣୀର ଛାତ୍ରୀ। ବାପା ସୁଶୀଳ ମିଶ୍ର ଜଣେ ପୂଜକ ା କିଛି ବର୍ଷ ପୂର୍ବରୁ ମା’ ଜ୍ୟୋତ୍ସ୍ନାମୟୀ ମିଶ୍ରଙ୍କ ପରଲୋକ ହୋଇସାରିଛି ା ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଶର୍ମିଷ୍ଠା ଟ୍ୟୁସନ୍‌ କରି ନିଜ ପଢ଼ା ଖର୍ଚ୍ଚ ସହ ଦୁଇଭଉଣୀଙ୍କୁ ବି ସହଯୋଗ କରନ୍ତି ା ତେବେ ଦିନେ ସେ ଶୁଣିଲେ ଯେ, ଦୁଇ ସାନ ଭଉଣୀ ଓ ତାଙ୍କ ସହପାଠିନୀମାନେ ସ୍କୁଲ ଗଲାବେଳେ କିଛି ବଦ୍‌ମାସ ଯୁବକ ସେମାନଙ୍କୁ କମେଣ୍ଟ ମାରି ହଇରାଣ କରୁଛନ୍ତି ା ଏହା ଶୁଣିବା ପରେ ତାଙ୍କ ବାପା ନିଜେ କିଛି ଦିନ ଝିଅମାନଙ୍କୁ ସ୍କୁଲ ନେବା ଆଣିବା କଲେ ା ମାତ୍ର ଯେଉଁଦିନ ସ୍କୁଲ ନେବା ଆଣିବା କରିପାରିଲେ ନାହିଁ ସେମାନଙ୍କ ସ୍କୁଲ ଯିବା ବନ୍ଦ ହୋଇଯାଉଥିଲା ା ଗତ ୨୬ ତାରିଖ ଦିନ ଦୁଇ ଭଉଣୀ ଲିଚିଷ୍ଠା ଓ ଶ୍ରୁତିିଷ୍ଠା ତାଙ୍କ ସହପାଠିନୀଙ୍କ ସହ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବାବେଳେ ପୁଣି ଥରେ ରୋଡ୍‌ ରୋମିଓ ରଘୁନାଥ ଠାକୁର ଓ ତା’ ସାଥୀମାନେ କମେଣ୍ଟ ମାରି ହଇରାଣ କଲେ ା ଏହା ପରଦିନ ଖୋଦ୍‌ ବଡଭଉଣୀ ଶର୍ମିଷ୍ଠା ସ୍କୁଲ ଛୁଟି ପରେ ଦୁଇ ଭଉଣୀଙ୍କ ପଛେ ପଛେ ଫେରିଲେ ା ସବୁଦିନ ଭଳି ସେଦିନ ମଧ୍ୟ ରୋଡ୍‌ ରୋମିଓ ରଘୁନାଥ ଓ ତାଙ୍କ ସହଯୋଗୀମାନେ ସର୍କିଟ ହାଉସ ରାସ୍ତାରେ ଦୁଇ ଭଉଣୀଙ୍କ ସହ ଅନ୍ୟ ଛାତ୍ରୀମାନଙ୍କୁ କମେଣ୍ଟ ମାରିଲେ ା ଏହା ଦେଖି ଶର୍ମିଷ୍ଠା ସହି ନ ପାରି ସିଧା ଦୌଡି ଯାଇ ବିଚ୍‌ ରାସ୍ତାରେ ରଘୁନାଥଙ୍କୁ ଉତ୍ତମ ମଧ୍ୟମ ଦେବା ସହ କାବୁ କରିନେଲେ ା ଏହାଦେଖି ତାଙ୍କ ସହଯୋଗୀମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଗଲେ ା ସେଠାରୁ ଶର୍ମିଷ୍ଠା ରଘୁନାଥଙ୍କୁ କାବୁ କରି କାଲର୍‌ ଧରି ପ୍ରାୟ ୧ କିଲୋମିଟର ଦୂର ମୁଖ୍ୟ ରାସ୍ତାରେ ଚଲାଇ ଚଲାଇ ଆଣି ଟାଉନ୍‌ ଥାନାରେ ଜିମା ଦେଲେ ା ଏହି ଘଟଣାକୁ ସେଦିନ ସହରର ଲୋକମାନେ ଦେଖିଥିଲେ ା ଆଉ ତାଙ୍କ ସାହସକୁ ଭୁରି ଭୁରି ପ୍ରଶଂସା କଲେ ା ବିଧିବଦ୍ଧ ଭାବେ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ଜେଲ ପଠାଇଲା ା ଶର୍ମିଷ୍ଠାଙ୍କ ଏଭଳି ସାହସିକ କାର୍ଯ୍ୟକୁ ବଲାଙ୍ଗୀର ଏସପି ସନ୍ଦୀପ ମାଡକର ପ୍ରଶଂସା କରିବା ସହ ଜିଲା ପୋଲିସ କାର୍ଯ୍ୟାଳୟକୁ ଡାକି ତାଙ୍କୁ ପ୍ରଶଂସା ପତ୍ର ଦେଲେ ା

ନିରବତା, ବୁଝାଏନା ଦୁର୍ବଳତାକୁ। ଯେବେ ସହିବାର ସବୁ ସୀମା ଟପିଯାଏ ସେ ନେଇପାରେ ମା’ ଦୁର୍ଗାଙ୍କ ରୂପ। ଆଉ ଅନ୍ୟାୟ, ଅତ୍ୟାଚାରକୁ କରିପାରେ ସମୂଳେ ବିନାଶ। ଯାହାକୁ ପ୍ରମାଣିତ କରିଆସିଛନ୍ତି ଅନେକ ଦୁଃସାହସୀ ମହିଳା।

-ଶିବାନୀ ମହାନ୍ତି
ସହାୟତା-ରବି ନାରାୟଣ ଚାଲାଣ, ଭାସ୍କର ରାଉତରାୟ, ବୀରେନ୍ଦ୍ର ଝାଙ୍କର, ତ୍ରିନାଥ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri