ଠିକ୍‌ ସମୟରେ ବିଫଳ : ରାଜଧାନୀ ଜଳମୟ

ଭୁବନେଶ୍ୱର,୨୫ା୧୦ : ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ରାଜଧାନୀ ଭୁବନେଶ୍ୱର ଜଳମୟ ହୋଇପଡ଼ିଛି। ଠିକ୍‌ ସମୟରେ ଯୋଜନା ବିଫଳ ହୋଇଥିବାବେଳେ ଗୁରୁବାର ସହରର ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି କଲୋନୀ ରାସ୍ତାରେ ବର୍ଷା ପାଣି ସହ ଡ୍ରେନ୍‌ ଆବର୍ଜନା ଜମି ରହିବାରୁ ଲୋକେ ନାନା ହଟହଟା ହେଉଛନ୍ତି। ରାସ୍ତାଠାରୁ କେତେକ ଡ୍ରେନ୍‌ର ଉଚ୍ଚତା ଅଧିକ ରହିଥିବା ଓ ଡ୍ରେନ୍‌ରେ ଆବର୍ଜନା ସହ ମାଟିବାଲି ଜମି ରହିଥିବାରୁ ଜଳ ନିଷ୍କାସନ ହୋଇ ନ ପାରି ରାସ୍ତାକୁ ଚାଲି ଆସୁଛି। ଫଳରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ସହ ନର୍ଦ୍ଦମା ପାଣି ଭାସୁଥିବାରୁ ଲୋକେ ନାକ ଟେକି ଯାତାୟାତ କରୁଛନ୍ତି। ମିଳିଥିବା ସୂଚନାନୁସାରେ, ନୟାପଲ୍ଲୀ, ଚିନ୍ତାମଣୀଶ୍ୱର, ଗ୍ୟାରେଜ ଛକ, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ଜନପଥ, ମଞ୍ଚେଶ୍ୱର, ଜୟଦେବ ବିହାର, ବମିଖାଲ, ସୌଭାଗ୍ୟ ନଗର, କଟକରୋଡ ଆଦି ବହୁ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କେତେକ କଲୋନୀ ଓ ବସ୍ତିରେ ବହୁ ଲୋକଙ୍କ ଘରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଥିଲା। ରାସ୍ତାରେ ପାଣି ଜମି ରହିଥିବାରୁ ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ଠପ୍‌ ହୋଇଯାଇଥିଲା। ବିଏମ୍‌ସି ଓ ଡ୍ରେନେଜ ବିଭାଗର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ସ୍ମାର୍ଟସିଟିରେ ଏଭଳି ପରିସ୍ଥିତି ବାରମ୍ବାର ସୃଷ୍ଟି ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି।

ଗ୍ୟାରେଜ୍‌-କଳ୍ପନା-ରସୁଲଗଡ଼:
ଲାଗିଗଲା ୨ ଘଣ୍ଟା
୩୦ ମିନିଟର ରାସ୍ତା, ହେଲେ ଗୁରୁବାର ଅତିକ୍ରମ କରିବାକୁ ଲାଗିଲା ୨ ଘଣ୍ଟା। ବର୍ଷାପାଣିର ସୁଅ ଓ ରାସ୍ତା ଆବର୍ଜନାମୟ ଯୋଗୁ ସାମନ୍ତରାପୁରରୁ ଗାଡିଗୁଡ଼ିକ ଲମ୍ବା ଧାଡ଼ିରେ ଅଟକି ରହିଥିଲା। ଡ୍ରେନରୁ ଲେଉଟାଣି ପାଣି ବଡ଼ ସମସ୍ୟା ସୃଷ୍ଟି କରିଥିଲା। ଗ୍ୟାରେଜ୍‌ ଛକରୁ ରବି ଟକିଜ୍‌, କଳ୍ପନାରୁ ଓଲ୍ଡ ଷ୍ଟେଶନ ବଜାର, ଲକ୍ଷ୍ମୀସାଗର ଛକରୁ ଝାରପଡ଼ା ଓ ବମିଖାଲରୁ ରସୁଲଗଡ଼ ଅତିକ୍ରମ କରିବାକୁ ଲୋକଙ୍କୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଦୁର୍ଗନ୍ଧରେ ନାକ ଫାଟି ପଡୁଥିଲା।
ବେହେରାସାହିରେ ଜମୁଛି ଇସ୍କନ
ମନ୍ଦିର ସମ୍ମୁଖ ପାଣି
ନୟାପଲ୍ଲୀ ବେହେରାସାହିରୁ ୮ ନମ୍ବର କଲ୍ୟାଣ ମଣ୍ଡପକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବା ସହ ଲୋକଙ୍କ ଘରେ ମଧ୍ୟ ପଶିଛି। ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ରାମପ୍ରସାଦ ସ୍ବାଇଁ କହିଛନ୍ତି, ବେହେରା ସାହିରେ ବର୍ଷାଜଳ ନିଷ୍କାସନ ଠିକ ଭାବେ ହେଉଥିଲା। ହେଲେ ଇସ୍କନ ସମ୍ମୁଖରୁ ପାଣି ଜମିବା ସମସ୍ୟା ଦୂର କରିବା ପାଇଁ ସେଠାରେ ଥିବା ସାଇଫନ ମୁହଁକୁ ଭାଙ୍ଗି ଦିଆଯିବା ଫଳରେ ସେହିବାଟ ଦେଇ ଆସୁଥିବା ଆର୍ବଜନା ଓ ଜଳ ବେହେରାସାହି ଅଞ୍ଚଳରେ ଜମି ରହି ଏପରି ସମସ୍ୟା ସୃଷ୍ଟି କରୁଛି।
ଜନପଥରେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି
ଅସରାଏ ବର୍ଷା ହେଲେ ସ୍ମାର୍ଟ ଜନପଥର ବିକଳ ଦୃଶ୍ୟ ସାମ୍ନାକୁ ଆସୁଛି। ଡ୍ରେନ ଚ୍ୟାନେଲ ସଫା ନ ଥିବାରୁ ପାଣି ଦୀର୍ଘ ସମୟ ଧରି ଜମି ରହୁଥିବାବେଳେ ଯାତାୟାତ କରିବାରେ ବହୁ ସମସ୍ୟା ଦେଖାଦେଉଛି। ଲଘୁଚାପ ବର୍ଷା ଯୋଗୁ ଜନପଥର ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ, ଗୁରୁଦ୍ୱାରା ଛକରୁ ୟୁନିଟ-୩ ଶ୍ରୀୟା ଛକ ଯାଏ ଓ ରମାଦେବୀରୁ ବାଣୀବିହାର ଛକ ଯାଏ ବର୍ଷା ପାଣି ନିଷ୍କାସିତ ନ ହୋଇପାରି ରାସ୍ତାରେ ଲହଡ଼ି ଭାଙ୍ଗୁଛି।
ବିଭିନ୍ନ ତଳି ଅଞ୍ଚଳରେ ଘରେ ପଶିଲା ପାଣି
ଭୁବନେଶ୍ୱରର ତଳି ଓ ବସ୍ତି ଅଞ୍ଚଳରେ ଲୋକଙ୍କ ଘରେ ବର୍ଷାପାଣି ପଶିଛି। ଭିଏସ୍‌ଏସ୍‌ ନଗର ପଥରବନ୍ଧ ବସ୍ତି, ଶହୀଦନଗର ଶାନ୍ତିପଲ୍ଲୀ ବସ୍ତି, ସାଲିଆ ସାହି, ଶିଶୁଭବନ ଛକ ନିକଟରେ ଥିବା ଝରଣା ସାହି ଆଦି ବହୁ ବସ୍ତିରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପାଣି ପଶି ଯାଇଥିବାରୁ ରୋଷେଇବାସ ମଧ୍ୟ ଠପ୍‌ ପଡ଼ିଥିବା ଜଣାପଡ଼ିଛି।
ଯୋଜନା କାର୍ଯ୍ୟକାରୀ କେବେ?
ସହରର ଜଳବନ୍ଦୀ ସମସ୍ୟାକୁ ଏଡ଼ାଇବା ଲାଗି ବିଏମ୍‌ସି ବିଭିନ୍ନ ସମୟରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ, ନଗର ଉନ୍ନୟନ ବିଭାଗ, ଗୃହ ବିଭାଗ ସହିତ ଆଲୋଚନା କରିଛି। ଏପରି କି ବିଭିନ୍ନ ବିଭାଗ ସହାୟତାର ହାତ ବଢାଇବା ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅର୍ଥ ଦେଇଛନ୍ତି। ହେଲେ ଠିକ୍‌ ସମୟରେ ବ୍ୟବସ୍ଥା ବିଫଳ ହେଉଛି। ଗତ କିଛିଦିନ ତଳେ ବିଏମ୍‌ସି ନଗର ଉନ୍ନୟନ ବିଭାଗକୁ ଡ୍ରେନର ସମ୍ପ୍ରସାରଣ ପାଇଁ ହଜାର କୋଟିର ବ୍ୟୟ ଅଟକଳ ପ୍ରଦାନ କରିଥିଲା। ହେଲେ ସେନେଇ ଏଯାବତ୍‌ ଏହାର ସ୍ଥିତି କ’ଣ ଓ ବିଏମ୍‌ସି କେବେ ସହରବାସୀଙ୍କୁ ଜଳବନ୍ଦୀ ସମସ୍ୟାରୁ ମୁକୁଳାଇବ ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି।

ପୁରୁଣା ଭୁବନେଶ୍ୱର: ପ୍ରବଳ ବର୍ଷା ଫଳରେ ଶ୍ରୀଲିଙ୍ଗରାଜ ମନ୍ଦିରର ମହନୀ, ଭୋଗମଣ୍ଡପ ଏବଂ ଦେଉଳରୁ ପାଣି ଝରିଥିଲା। ମନ୍ଦିର ପରିସରରେ ଥିବା ଭୁବନେଶ୍ୱରୀ ମନ୍ଦିରରୁ ବର୍ଷାଜଳ ଝରିବା ଦେଖା ଯାଇଥିଲା। ଏକାଦଶ ଶତାବ୍ଦୀର ଏହି ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣରେ ଭାରତୀୟ ପତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)ର ହାଲୁକା ମନୋଭାବ ପାଇଁ ଏଭଳି କୀର୍ତ୍ତିରାଜି, ମଠ, ମନ୍ଦିରଗୁଡ଼ିକ ଅବକ୍ଷୟ ହେବାକୁ ଲାଗିଛି। ତ୍ରୟୋଦଶ ଶତାବ୍ଦୀର ବୈତାଳେଶ୍ୱର ମନ୍ଦିର ଓ ଏହା ନିକଟ ଶିଶିରେଶ୍ୱର ମନ୍ଦିର ପ୍ରତିବର୍ଷ ଭଳି ଗୁରୁବାର ମଧ୍ୟ ପାଣିରେ ବୁଡି ଯାଇଥିଲା। ଏହି ମନ୍ଦିରରେ ପୂଜା ପାଉଥିବା ଅଷ୍ଟଭୁଜା ମା’ ଚାମୁଣ୍ଡାଙ୍କ ପୂଜାର୍ଚ୍ଚନାରେ ସମସ୍ୟା ଦେଖା ଦେଇଥିବା ସେବାୟତ କହିଛନ୍ତି। ତେବେ ଏହି ମନ୍ଦିରର ସମସ୍ୟା ୧୫ ବର୍ଷରୁ ଊର୍ଦ୍ଧ୍ୱ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ମୋଟର ସାହାଯ୍ୟରେ ନିଷ୍କାସନ ବ୍ୟବସ୍ଥା କରି ସହଜ ଉପାୟ ଅବଲମ୍ବନ କରୁଛନ୍ତି। କିନ୍ତୁ ଏହି ପାଣି ଦ୍ୱାରା ଐତିହ୍ୟ ମନ୍ଦିରର ପାର୍ଶ୍ୱ ଦେବୀଦେବ, ସୂକ୍ଷ୍ମ କାରୁକାର୍ଯ୍ୟ ଅବକ୍ଷୟ ହୋଇଗଲାଣି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମେରୁ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଘଟଣ: ଗଛକୁ ପିଟିଲା ବାଇକ, ଘଟଣାସ୍ଥଳରେ…

ବୌଦ୍ଧ,୧୫।୪( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବଡବନ୍ଧଠରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ…

ପୁଣି ଇରାନ ଆଗରେ ୨ଟି ବଡ଼ ସର୍ତ୍ତ ରଖିଲା ଆମେରିକା, ଜାଣନ୍ତୁ କ’ଣ…

ଓ୍ବାଶିଂଟନ୍‌,୧୫।୪: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସପ୍ତାହରେ ଆମେରିକା…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ଏକା ହୋଇଗଲା ଆମେରିକା, ଟ୍ରମ୍ପଙ୍କ ହାତ ଛାଡିଦେଲେ ଏହି ସବୁ ନିକଟତମ ବନ୍ଧୁ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ସହିତ ଯୁଦ୍ଧରେ ଗଭୀର ଭାବରେ ଜଡିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଏହି ଆଘାତ ତାଙ୍କ ନିଜ…

ଚାଇନାକୁ ଲାଗିବ ବଡ଼ ଝଟ୍‌କା: ଜୀବନରେଖା ଶେଷ କରିଦେବେ ଟ୍ରମ୍ପ! ଆମେରିକାର ସାଥ୍‌ ଦେବ ଭାରତ

ଓ୍ବାଶିଂଟନ୍‌,୧୫।୪: ମଧ୍ୟପ୍ରାଚ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଏକ ନୂତନ ପ୍ରସଙ୍ଗ ଉଭା ହୋଇଛି ଯାହା ବିଶ୍ୱ ଦୃଷ୍ଟି ଆକର୍ଷଣ କରିଛି। ଆମେରିକା ଇରାନ…

ଅନୁ ଗର୍ଗଙ୍କ ବଡ଼ ଘୋଷଣା: ଓଡ଼ିଶା ହେବ ‘ଏସିଆ’ର….

ଭୁବନେଶ୍ୱର,୧୫ା୪(ରବିନାରାୟଣ ଜେନା):ଓଡ଼ିଶାରେ ସମୃଦ୍ଧ ଐତିହ୍ୟ, ବିବିଧ ସଂସ୍କୃତି ଓ ପ୍ରାକୃତିକ ମନୋରମ୍ୟ ରହିଛି। ଏହାକୁ ନେଇ ବିଶ୍ୱସ୍ତରୀୟ ପର୍ଯ୍ୟଟକମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେନେଇ ପର୍ଯ୍ୟଟନ…

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri