ଛାଡ଼ଖାଇ ମାହାତ୍ମ୍ୟ

ଡ଼. କୁଳାଙ୍ଗାର

ଛାଡ଼ଖାଇ ଶବ୍ଦଟି ଉଚ୍ଚାରଣ ମାତ୍ରେ ସଂଖ୍ୟାଧିକ ଲୋକଙ୍କର ପାଟିରେ ପାଣି ଭରିଯାଏ। ନ ହୁଅନ୍ତା ବା କିପରି? ମଣିଷ ମାତ୍ରେ ହିଁ ଆଇଁଷିଆ ଯେ! ସେହି ଆଇଁଷିଆମାନଙ୍କର ମହାପର୍ବ ହେଉଛି ଛାଡ଼ଖାଇ। ଏଇଦିନ ସମସ୍ତେ ଖୁସ୍‌। ମାସସାରା ଆଇଁଷ ଛାଡ଼ିଥାଆନ୍ତୁ କି ନ ଛାଡ଼ିଥାଆନ୍ତୁ ଏଇଦିନ କିନ୍ତୁ ଅଧିକାଂଶ ସାଦା ଖାଇବା ଛାଡ଼ି ଦେଇଥାଆନ୍ତି।
ତେବେ ଏ ଛାଡ଼ଖାଇ ଶବ୍ଦଟି ଓଡ଼ିଆଙ୍କଠାରେ ଭରି ରହିଥିବା ମସଗୁଲିଆ ଭାବକୁ ପ୍ରକାଶ କରିଥାଏ। ଛାଡ଼ଖାଇ କହିଲେ ନ ଜାଣିଥିବା ଲୋକଟି ଭାବିବ ବୋଧେ ଏଇଟା ଖାଇବା ଛାଡ଼ିବାର ଦିନ ହୋଇଥିବ! ଯୋଉ ଦିନଟି ଲୋକେ ଖାଇବା ଛାଡ଼ି ଦେଉଥିବେ!! ପ୍ରକୃତରେ କିନ୍ତୁ ଏଇଦିନ ବେଶି ଖିଆଖିଇ!!!
ନାଆଁଟି ସିନା ଛାଡ଼ଖାଇ; ଏଇ ଦିନଟି କାହାକୁ କିନ୍ତୁ ଛାଡ଼ନାଇଁ। ବୋଧ ହୁଏ ସେଇଥି ପାଇଁ ଏଇ ଦିନଟିର ନାମଟି ଛାଡ଼ଖାଇ! ଏମିତି ହୋଇଥାଇ ପାେରେ; ପଶୁପକ୍ଷୀମାନେ କହୁଥିବେ କାହାକୁ ବାହାରକୁ ଛାଡ଼ନାଇଁ ମଣିଷମାନେ ଖାଇଦେବେ।
ପୂର୍ବରୁ ଲୋକେ ତୃଣଭୋଜୀ ଥିବେ। ଦିନ ଦିନ ଧରି ସାଦା ଖାଇ ଆସିଥିବେ। ହଠାତ୍‌ ଲୋକଙ୍କ ଭିତରେ ଜଣେ ଆଇଁଷିଆଙ୍କର ଆବିର୍ଭାବ ହୋଇଥିବ। ସିଏ ବହୁ ଆନ୍ଦୋଳନ କରିବା ପରେ ଏଇ ଦିନ ବୋଧ ହୁଏ ସଫଳ ହୋଇଥିବେ! ଭାରତଛାଡ ଆନ୍ଦୋଳନ ପରି ଏଇଦିନଟି ସାଦାଛାଡ଼ ଦିବସ ରୂପେ ସେଇ ଦିନଠାରୁ ପାଳନ ହେଉଥାଇ ପାରେ। ଛାଡ଼ଭାଇ ଆଜିଠୁ ଆଇଁଷ ଖାଇବା ବୋଲି ଏ ଦିବସଟି ସ୍ମରଣୀୟ ହୋଇଥାଇ ପାରେ।
ତାହାକୁ ସ୍ମରଣୀୟ କରିବା ପାଇଁ ଏବଂ ପୂର୍ବ ପୁରୁଷଙ୍କ ସ୍ମୃତିରେ ଆମେ ପୂର୍ବ ମାସଟିକୁ ପୁଣ୍ୟ ଓ ପବିତ୍ର ମାସ ଭାବରେ ସାଦା ଖାଇ ପାଳନ କରୁଥାଇ ପାରୁ।
ଏହାକୁ ସୁଚାରୁ ରୂପେ ପାଳନ କରିବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ଉପାୟମାନ ଅବଲମ୍ବନ କରିଥାଆନ୍ତି। କେତେ ଲୋକ ତ କାର୍ତ୍ତିକ ମାସ ଆରମ୍ଭରୁ ସାଦା ଖାଇବା ସହିତ ଘରେ ଛେଳି, ମେଣ୍ଢା ଅବା ଘୁଷୁରିଟିଏକୁ ଛାଡ଼ଖାଇ ପାଳନ କରିବା ଉଦ୍ଦେଶ୍ୟରେ ପାଳନ କରିଥାଆନ୍ତି। ବହୁଲୋକ ପଞ୍ଚକ ପାଞ୍ଚଦିନଟି ହିଁ ସାଦା ଖାଇ ପାଳନ କରିଥାଆନ୍ତି ।
କିନ୍ତୁ ଜଣାପଡେନି କେତେବେଳେ ଏଇ ପାଞ୍ଚଦିନ ଛାଡ଼ଖାଇ ପାଳନ ଯୋଗାଡ଼ରେ ବିତି ଯାଇଥାଏ।
ହତ୍ୟା କରିବା ମଣିଷର ସହଜାତ ପ୍ରବୃତ୍ତି। ଏହାକୁ ଖୋଲାଖୋଲି ପ୍ରଦର୍ଶନ କରିବାର ପର୍ବଟି ହେଲା ଛାଡ଼ଖାଇ। ଏହା ନିରୀହ ଉପରେ ସବଳ ବିଜୟ ରୂପେ ପାଳନ ହେଉଅଛି । ଛାଡ଼ଖାଇ ପୂର୍ବଦିନ ଛେଳି ତା’ ଛୁଆମାନଙ୍କୁ ଧରି ମେଁ ମେଁ କରି କାନ୍ଦିଲା!
ଛୁଆ ପଚାରିଲେ- ମାଆଲୋ ମାଆ… ତୁ କାନ୍ଦୁଚୁ କିଆଁ? ମାଆଛେଳି କହିଲା- କାଲି ମଣିଷମାନେ ଛାଡ଼ଖାଇ ପାଳିବେ ତେଣୁ ମୁଁ ମରିବି। ଛୁଆମାନେ କହିଲେ- ଆଉ ଆମେ? ମାଆଛେଳି କହିଲା- ତମେ ଛୋଟଗୁଡା ଆରବର୍ଷକୁ ତମ ପାଳି। ସେତେବେଳକୁ ତୁମ ମାନଙ୍କର ଛୁଆ ହୋଇ ସାରିଥିବେ। ଛୁଆମାନେ କହିଲେ- ଓହ… ଛୁଆଙ୍କୁ ଛାଡ଼ି ମାଆକୁ ମାରିବା ପର୍ବକୁ ତା’ହେଲେ ଛାଡ଼ଖାଇ କହନ୍ତି!!
ପର୍ବରେ ବଳି ପଡ଼ିବା ତ ଆମର ପୁରାତନ ପ୍ରଥା ା ଏ ଛାଡ଼ଖାଇ ପର୍ବରେ ତେଣୁ ଅସଂଖ୍ୟ ପଶୁପକ୍ଷୀ ବଳି ପଡ଼ିଥାଆନ୍ତି ା ତଫାତ୍‌ ଏତିକି ଅନ୍ୟ ପର୍ବମାନଙ୍କରେ ଠାକୁର ଠାକୁରାଣୀ ନାମରେ ପଶୁପକ୍ଷୀକୁ ହତ୍ୟାକରି ତାହାକୁ ପ୍ରସାଦ ରୂପେ ଭକ୍ଷଣ କରୁଥିବା ବେଳେ ଛାଡ଼ଖାଇ ପର୍ବରେ କିନ୍ତୁ ମଣିଷ ନିଜରୂପ ପ୍ରଦର୍ଶନ କରି ନିଜ ପାଇଁ ହିଁ ହତ୍ୟା କରି ତାହାଙ୍କୁ ଭୋଜନ କରିଥାଏ ା ଅତଏବ ଏହା ମଣିଷ ହୃଦୟରେ ଧର୍ମାନ୍ଧତା ଓ କପଟତା ପରି ମାରାତ୍ମକ ଗୁଣକୁ ରୋକିବାରେ ସହାୟକ ହୋଇଥାଏ।
କାର୍ତ୍ତିକ ମାସରେ ପାର୍ଟ ଟାଇମ୍‌ ନିରାମିଷାଶୀଙ୍କ ସଂଖ୍ୟା ବଢିବାରୁ ଚାରିଆଡେ ଛେଳି, ମେଣ୍ଢା, ଘୁଷୁରି, କୁକୁର, ମାଙ୍କଡ଼, ବିରାଡ଼ି, କୁକୁଡ଼ା, ବଗ, କାଉ, ପାରା, ବଣି, ମୂଷା ଆଦିଙ୍କର ସଂଖ୍ୟା ବହୁ ଗୁଣିତ ହୋଇଥାଏ ା କିନ୍ତୁ ଛାଡ଼ଖାଇ ପାଳନ ହେବାଦ୍ୱାରା ଏପରି ପଶୁପକ୍ଷୀମାନେ ଏକା ଥରକରେ ଧ୍ୱଂସ ପାଇଯାଇଥାଆନ୍ତି। ଫଳରେ ମଣିଷଠାରେ ଭୟ କମିବା ସହିତ ପରିବେଶ ସ୍ବଚ୍ଛ ରହିବାରେ ସହାୟକ ହୋଇଥାଏ। ମାଂସ କ୍ରୟ ଏବଂ ଭକ୍ଷଣରେ ଯଦିଓ ଆମେ ତାହାକୁ କେବଳ ମଟନ ଓ ଚିକେନ ଏଇ ଦୁଇଟି ବର୍ଗରେ ବିଭକ୍ତ କରିଛୁ, ଅସଲରେ କିନ୍ତୁ ଆମେ ଛାଡ଼ଖାଇରେ ବହୁ ପ୍ରକାର ମାଂସ ଖାଇ ଥାଉ। ଖାଇବାକୁ ବାଧ୍ୟ ହୋଇଥାଉ। କାରଣ ଏକାବେଳକେ ଏତେ ଲୋକ ଯଦି ଅଉଲୁ ମାଂସ ଚାହିଁବେ ବିଚରା ମାଂସ ଦୋକାନୀ ଏତେ ବୋଦା ଓ କୁକୁଡ଼ା ଆଣିବ କୋଉଠୁ? କାହାକୁ ଯଦି ମନା କରିଦେଲା ତେବେ ତାଆର ମନଦୁଃଖ ହେବ। ଅତଏବ ଏପରି ନାନା ରକମର ପଶୁହତ୍ୟା ବହୁଜନ ହିତାୟ, ବହୁଜନ ସୁଖାୟ! ତା’ ଛଡ଼ା ଏପରି ମାଂସ ଭକ୍ଷଣ କରିବା ଦ୍ୱାରା ମଣିଷଠାରେ ଗୁଣକାରୀ ନିରପେକ୍ଷତା ଭାବ ପ୍ରକାଶ ପାଇଥାଏ।
ମାଛରେ ଅବଶ୍ୟ ବିଶେଷ ଗଫଲତି ନାହିଁ। ଖାଲି ଯାହା ମାସେ ତଳର ବରଫଦିଆ ମାଛ ଉପରେ ସବୁଜ ଦଳକିଛି ପକେଇ ଦେଇ ପୋଖରୀରୁ ଧରା ହୋଇଥିବା ଦେଶୀମାଛ କହି ବିକିଦେବା କଥା। ନ ବିକିବେ ବା କାହିଁକି? ଆହେ ଆମେ ମାସେକାଳ ଆମିଷ ତ ଖାଇଲେ ନାଇଁ! ସେତେବେଳେ ଆନ୍ଧ୍ରରୁ ଆସିଥିବା ଟ୍ରକ୍‌ ଟ୍ରକ୍‌ ମାଛକୁ ବ୍ୟବସାୟୀମାନେ କ’ଣ ଫୋପାଡିବେ ନା କ’ଣ? ବହୁ ପରିମାଣରେ ଓଡ଼ିଆମାନେ ଆନ୍ଧ୍ରାମାଛ ଖାଇବା ଦ୍ୱାରା ଏହା ଆମଠାରେ ଭାରତର ମହାନ୍‌ ସଂଘୀୟ ଭାବନା ପ୍ରକଟିତ କରାଇଥାଏ।
ଏହିଦିନ ବହୁତ ପରିମାଣରେ ଆମିଷ ବିକ୍ରି ହେବା ସହିତ ଆଳୁ, ପିଆଜ, ରସୁଣ, ଅଦା, ଟମାଟୋ ଓ ମସଲା ମସଲି ବିକ୍ରି ହୋଇଥାଏ। ଆମିଷ ଖାଇବା କାରଣରୁ ମଦ ପିଇବା ମଧ୍ୟ ବଢିଥାଏ। ଉଭୟ ବାଟରେ ଆମ ରାଜକୋଷକୁ ବେଶ୍‌ ମୋଟା ଅଙ୍କର ଅର୍ଥ ଯାଇଥାଏ; ଯାହା ସାମୂହିକ ବିକାଶ କାର୍ଯ୍ୟରେ ଲାଗିଥାଏ। ଅତଏବ ଛାଡ଼ଖାଇ ପର୍ବ ପାଳନ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥାଏ।
ଧୀରେ ଧୀରେ ଏହାର ମାହାତ୍ମ୍ୟକୁ ବୁଝି ବହୁସ୍ଥାନରେ ଛାଡ଼ଖାଇ ମହୋତ୍ସବମାନ ଆୟୋଜନ ହୋଇଗଲାଣି। ଯେଉଁଠି କାର୍ତ୍ତିକ ପୂର୍ଣ୍ଣିମା ସନ୍ଧ୍ୟାରୁ ହିଁ ଲୋକେ ଛାଡ଼ଖାଇ ପାଳନ ଆରମ୍ଭ କରିଦେଇଥାଆନ୍ତି। ମଞ୍ଚରେ ବହୁ କଳାକାର ପୂର୍ଣ୍ଣ ପରିଧାନ ଛାଡ଼ି ଦେଇଥାଆନ୍ତି। ମାଇକି ଆଗରେ ବକ୍ତା ଭାଷଣ ଛୋଟ କରିବା ଛାଡ଼ କରିଦେଇଥାଆନ୍ତି। ଛାଡ଼ିବା ଆମ ଜାତକରେ ନାଇଁ, ତେଣୁ ପ୍ରତିବର୍ଷ ଆମେ କାର୍ତ୍ତିକରେ ଯେତିକି ପୁଣ୍ୟ ଅର୍ଜନ କରୁ ଛାଡ଼ଖାଇ ଦିନଟିରେ ପାପ ମାଧ୍ୟମରେ ସେତକକୁ ଛାଡିଦେଉ।
ନରସିଂହପୁର, କଟକ
ମୋ- ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri