ଗୁଣାତ୍ମକ ଶିକ୍ଷା: କେତେ କଥା କେତେ କାମ

ଘାସିରାମ ପଣ୍ଡା
ଜାନୁୟାରୀ ୧୭ରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବରିଷ୍ଠ ପ୍ରଶାସକମାନଙ୍କୁ ସମ୍ବୋଧିତ କରିବା ଅବସରରେ ସମଗ୍ର ରାଜ୍ୟବାସୀ ତାଙ୍କର ପରିବାର ବୋଲି ଦୋହରାଇଥିଲେ। ଏହା ତାଙ୍କର ରାଜନୈତିକ ପରିପକ୍ୱତା ଓ ଉତ୍ତରଦାୟିତ୍ୱକୁ ପରିପ୍ରକାଶ କରୁଛି। ଏହି ଦିନର ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିବା ଦୁଇଟି ଧାଡି ‘ଆମେ ଚାହଁୁ ଶିଶୁମାନେ ଭଲ ପଢ଼ନ୍ତୁ’ ଓ ‘ମୁଁ ଚାହେଁ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳୁ’ ବହୁତ ପ୍ରାସଙ୍ଗିକ ମନେହୁଏ।
ସବୁ ମା’ବାପା ଚାହାନ୍ତି ସେମାନଙ୍କ ପିଲା ଆଦରରେ ବଢୁ, ସମସ୍ତ ସୁବିଧା ସୁଯୋଗ ପାଉ। ନିଜେ ଉପାସରେ ରହିଲେ ବି ପିଲା କିନ୍ତୁ ବିଦ୍ୟାଳୟକୁ ଯାଉ, ଭଲ ପାଠପଢୁ ଏହା କିଏ ନ ଚାହେଁ? ରାଜ୍ୟବାସୀ ଯଦି ତାଙ୍କ ପରିବାର ହୁଅନ୍ତି, ମୁଖ୍ୟମନ୍ତ୍ରୀ ସ୍ବାଭାବିକ ଭାବେ ଏହି ପରିବାରର ମୁଖ୍ୟ। ପରିବାରର ମୁଖ୍ୟ ଭାବରେ ରାଜ୍ୟର ସମସ୍ତ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା କାମନା କରିବା ଓ ସୁବିଧା ଯୋଗାଇଦେବା ତାଙ୍କ ଦାୟିତ୍ୱ।
ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ଥିତି ବିଶେଷ ଭଲ ନାହିଁ। ଶିଶୁଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଆଇନର ପ୍ରଚଳନ ୨୦୦୯ ମସିହାରୁ ହେଲାଣି। ଏଥିରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ କିଛି ମାନ ନିର୍ଦ୍ଧାରଣ କରାଯାଇଛି। ହେଲେ ଏତେଦିନ ପରେ ବି ଦଶ ଭାଗରୁ କମ୍‌ ବିଦ୍ୟାଳୟ ଏହି ମାନ ପୂରଣ କରିଛନ୍ତି। ବିଦ୍ୟାଳୟରେ ତାଲିମପ୍ରାପ୍ତ ନିୟମିତ ଶିକ୍ଷକ, ଶ୍ରେଣୀଗୃହ, ଖେଳପଡ଼ିଆ, ଶୌଚାଳୟ, ବାଧାହୀନ ଯାତାୟାତର ବ୍ୟବସ୍ଥା, ରୋଷେଇ ଘର, ପାଚେରି ନ ରହିଲେ ଶିକ୍ଷା ଗୁଣାତ୍ମକ ହେବ କେମିତି? ସମୟ ଅନୁସାରେ ପାଠ୍ୟପୁସ୍ତକ, ପୋଷାକ ପ୍ରଭୃତି ପହଞ୍ଚେଇବା ଆଜି ବି ଏକ ଆହ୍ବାନ ହୋଇ ରହିଛି। ଜିଲାର ଅନେକ ଗରିବ ପରିବାରର ପିଲା ଆଶ୍ରମ ବିଦ୍ୟାଳୟରେ ପଢ଼ନ୍ତି। ଏହି ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ହେବା, ଅବହେଳାରୁ ମୃତ୍ୟୁ ଘଟଣା ଅଭିଭାବକଙ୍କୁ ଶଙ୍କିତ କରୁଛି। ଫଳରେ ଅନେକ ମା’ବାପା ଝିଅମାନଙ୍କୁ ବିଦ୍ୟାଳୟକୁ ଛାଡିବାକୁ ଅମଙ୍ଗ ହେଉଛନ୍ତି। ଏହା ବାଳିକା ଶିକ୍ଷାରେ ବାଧକ ହେଉଛି।
କମ୍‌ ଉପସ୍ଥାନ ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରାଯାଉଛି। ତିନୋଟି ପର୍ଯ୍ୟାୟରେ ୧୫ରୁ କମ୍‌ ଛାତ୍ରୀଛାତ୍ର ଥିବା ପ୍ରାୟ ୨୫୦୦ ବିଦ୍ୟାଳୟ ବନ୍ଦ ହୋଇସାରିଛି। ଏବେ ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟ ବି ବନ୍ଦ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ଆଦିବାସୀବହୁଳ ଅଞ୍ଚଳ ବିଶେଷ ପ୍ରଭାବିତ ହେଉଛି। ସରକାର ନିଜେ ପ୍ରସ୍ତୁତ କରିଥିବା ନୀତିରେ ରାଜ୍ୟ ରାଜପଥ, ଜାତୀୟ ରାଜପଥ, ରେଳ ଧାରଣା, ପାହାଡ, ଜଙ୍ଗଲ, ନଦୀ, ଝରଣା ଡେଇଁବାକୁ ପଡ଼ିଲେ ବିଦ୍ୟାଳୟ ବନ୍ଦ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ହେଲେ ସରକାରଙ୍କ ନିଜ ଅଧିକାରୀମାନେ ଏହାକୁ ଉଲ୍ଲଂଘନ କରି ଅନେକ ବିଦ୍ୟାଳୟ ବନ୍ଦ କରିଛନ୍ତି। ଫଳରେ ଅନେକ ପିଲା ବିଦ୍ୟାଳୟ ବାହାରେ ରହିବାକୁ ବାଧ୍ୟ ହୋଇଛନ୍ତି। କେବଳ ସେତିକି ନୁହେଁ, ଏମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବି ଏବେ ସ୍ବପ୍ନ। ବିଦ୍ୟାଳୟକୁ ବନ୍ଦ କରିଦିଆଯିବା ହେତୁ ଅନେକେ ବେସରକାରୀ ଅନୁଷ୍ଠାନକୁ ଯିବା ପାଇଁ ବାଧ୍ୟ ହୋଇଛନ୍ତି। ଏହା ସେମାନଙ୍କୁ ଖର୍ଚ୍ଚାନ୍ତ କରୁଛି। ଅନେକଙ୍କ ଧାରଣା ବେସରକାରୀ ଅନୁଷ୍ଠାନରେ ପଢୁଥିବା ପିଲା ଗୁଣାତ୍ମକ ଶିକ୍ଷା ପାଆନ୍ତି ଓ ସୁରକ୍ଷିତ ରୁହନ୍ତି। ଆମ ରାଜ୍ୟରେ ଅନେକ ବେସରକାରୀ ଶିକ୍ଷାନୁଷ୍ଠାନ ବିନା ସ୍ବୀକୃତି ପ୍ରମାଣପତ୍ରରେ ଚାଲୁଛି। ଶିକ୍ଷା ଅଧିକାର ଆଇନ ଅନୁସାରେ ମାନ ପୂରଣ କରି ନ ପାରିଲେ ପ୍ରମାଣପତ୍ର ମିଳେନାହିଁି। ବିନା ସ୍ବୀକୃତି ପ୍ରମାଣପତ୍ରରେ ଶିକ୍ଷା ଅନୁଷ୍ଠାନ ଚଳେଇବା ବେଆଇନ। ଏଣୁ ଏହିଭଳି ବିଦ୍ୟାଳୟରେ ପଢୁଥିବା ପିଲା ଆଦୌ ସୁରକ୍ଷିତ ନୁହନ୍ତି।
ଶିକ୍ଷାରେ ବିକାଶ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା କିଛି ନିଷ୍ପତ୍ତିର ପୁନର୍ବିଚାର କରାଯିବା ଆବଶ୍ୟକ। ଇଂଲିଶ ମାଧ୍ୟମରେ ଶିକ୍ଷା ବର୍ତ୍ତମାନ ସରକାରଙ୍କ ଏକ ବିଶେଷ ପ୍ରୟାସ। ଏଥିପାଇଁ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପିତ ହୋଇଛି। ମାଗଣାରେ ଗୁଣାତ୍ମକ ଶିକ୍ଷା ଆଶାରେ ଏଥିରେ ବଛା ହୋଇଥିବା ପିଲାଙ୍କ ଅଭିଭାବକ ବିଶେଷ ଖୁସି ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ଅନେକ ବିଦ୍ୟାଳୟରେ ଛାତ୍ରୀ/ଛାତ୍ରାବାସ ହୋଇପାରି ନ ଥିବାରୁ ଅଭିଭାବକମାନଙ୍କୁ ବେସରକାରୀ ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ପଡୁଛି। ଏହା ସେମାନଙ୍କ ପାଇଁ ମୁଣ୍ଡକୁ ଖୋସା ବଳେଇ ଯାଉଥିବା ଭଳି ସ୍ଥିତି। ଏବେ ପ୍ରଥମ ଶ୍ରେଣୀରୁ ଇଂଲିଶର ପ୍ରୟୋଗକୁ ନେଇ ଜୋରସୋର ଆଲୋଚନା ଚାଲିଛି। ମାତୃଭାଷାରେ ପ୍ରାଥମିକ ଶିକ୍ଷାର ଆବଶ୍ୟକତା ପ୍ରମାଣସିଦ୍ଧ। ଏହି ପରିପ୍ରେକ୍ଷୀରେ ପ୍ରଥମ ଶ୍ରେଣୀରୁ ଇଂଲିଶର ଆବଶ୍ୟକତା ଓ ସୁଫଳର ପୁନଃଚିନ୍ତନ ଜରୁରୀ।
ପ୍ରତ୍ୟେକ ଶିଶୁଙ୍କୁ ଭଲ ଶିକ୍ଷାଦେବାକୁ ହେଲେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଡ଼ିବ। ଏଥିପାଇଁ ଶିକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରିବାକୁ ହେବ। ଏବେ ଆମ ସରକାର ପ୍ରତିବର୍ଷ ପ୍ରତି ଶିଶୁ ପାଇଁ ମାତ୍ର ୭୧୨୪ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏ କ୍ଷେତ୍ରରେ କର୍ନାଟକ ୮୧୧୨, ତେଲଙ୍ଗାନା ୯୫୭୨, ତାମିଲନାଡୁ ୧୦୦୭୧, ମହାରାଷ୍ଟ୍ର ୧୦୨୫୫, କେରଳ ୧୧୫୭୪ ଓ ହିମାଚଳ ପ୍ରଦେଶ ୧୭୯୨୧ ଟଙ୍କା ଖର୍ଚ୍ଚ କରୁଛନ୍ତି। ଦିଲ୍ଲୀ ଭଳି ରାଜ୍ୟରେ ସରକାରୀ ବିଦ୍ୟାଳୟର ସଫଳତା ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି। ଆମର ଶିକ୍ଷାମନ୍ତ୍ରୀ ମଧ୍ୟ ନିକଟରେ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ଫେରିଛନ୍ତି। ଆମ ରାଜ୍ୟରେ ମଧ୍ୟ ଶିକ୍ଷକମାନଙ୍କ ପ୍ରୟାସରେ ଅନେକ ବିଦ୍ୟାଳୟ ଆକର୍ଷଣର କେନ୍ଦ୍ର ହୋଇପାରିଛି। ଏହି ପ୍ରୟାସକୁ ପ୍ରଶଂସା କରିବା ସହ ବ୍ୟାପକ ପ୍ରୟୋଗ କରାଯିବାର ଆବଶ୍ୟକତା ରହିଛି।
ପରିବାରର ମୁଖ୍ୟ ପିଲାଙ୍କ ପଢ଼ିବାକୁ ନେଇ ଚିନ୍ତିତ ହେବା ରାଜନୈତିକ ଇଚ୍ଛାଶକ୍ତିରେ ପରିବର୍ତ୍ତିତ ହେଲେ ରାଜ୍ୟର ଲକ୍ଷାଧିକ ଶିଶୁ ବିକାଶ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଏହା ଆଗାମୀ ଦିନରେ ସେମାନଙ୍କୁ ଏକ ସମ୍ମାନାସ୍ପଦ ଜୀବନ ବଞ୍ଚତ୍ବାରେ ସହାୟକ ହେବ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪, ghasirampanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri