କାହିଁ ସେ ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର
ପୂର୍ବକାଳରେ ଏକ ଗ୍ରାମରେ ରହୁଥିଲେ ଜଣେ କର୍ମକାଣ୍ଡବିତ୍‌ ପଣ୍ଡିତ। କିନ୍ତୁ ବିବାହର କେଇଟା ଦିନ ଭିତରେ ଜଣାପଡିଲା ଯେ ତାଙ୍କର ପତ୍ନୀ ଅତ୍ୟନ୍ତ ମୁଖରା। ଅଯଥା କଥାକୁ ଗଣ୍ଠି ପକେଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଝଗଡ଼ା କରେ। କିନ୍ତୁ ପଣ୍ଡିତ ପତ୍ନୀକୁ ଖୁବ୍‌ ଭଲ ପାଉଥିଲେ ଏବଂ ତାଙ୍କୁ ତାଗିଦ୍‌ କରିବା ପାଇଁ ତାଙ୍କ ଜିଭ ଲେଉଟୁ ନ ଥିଲା। ହଠାତ୍‌ ଦିନେ ସେ ସ୍ତ୍ରୀ ଅସାଧ୍ୟ ବ୍ୟାଧିର ଶିକାର ହୋଇ ଶଯ୍ୟାଶାୟୀ ହୋଇପଡିଲା। ତା’ର ଶେଷକାଳ ଉପସ୍ଥିତ ଜାଣି ପଣ୍ଡିତେ ମର୍ମାହତ ହୋଇପଡିଲେ। ତା’ର ଶରୀରକୁ ଦାଣ୍ଡଦୁଆରେ ଶୁଆଇ ଦେଇ ସୂର୍ଯ୍ୟ ଦେବତାଙ୍କୁ ଆକୁଳ ପ୍ରାର୍ଥନା କଲେ। ”ହେ ପ୍ରଭୁ, ମୁଁ ପ୍ରତିଦିନ ଯଥାସମ୍ଭବ ନିଷ୍ଠାର ସହିତ ତୁମକୁ ଅର୍ଘ୍ୟଦାନ କରେ। କେବେ କିଛି ମାଗେନା। ଆଜି ପରିସ୍ଥିତିରେ ପଡି ମାଗିବାକୁ ବାଧ୍ୟ ହେଉଛି। ଏଇ ସ୍ତ୍ରୀ ମୋର ଜୀବନଠାରୁ ବଳି ପ୍ରିୟ। ତା’ର ମୃତ୍ୟୁ ହେଲେ ମୁଁ ବି ଜୀବନ୍ମୃତ ପରି ହୋଇଯିବି। ମୋ ଆୟୁର ଅର୍ଦ୍ଧେକ ବିନିମୟରେ ଏହାକୁ ଜୀବନଦାନ ଦିଅ। ଆଶ୍ଚର୍ଯ୍ୟର କଥା ସ୍ତ୍ରୀଲୋକଟି କ୍ରମେ ସୁସ୍ଥ ଅନୁଭବ କଲା ଏବଂ ଦିନ କେଇଟା ଭିତରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲା। ପଣ୍ଡିତଙ୍କ ଖୁସି କହିଲେ ନ ସରେ। ହେଲେ ସ୍ତ୍ରୀଲୋକଟିର ପ୍ରକୃତି ଯେମିତିକୁ ସେମିତି, ଏଥରକ ସେ ଜିଦ୍‌ କଲା ଘରେ ସେ ଆଉ ରହିବନି। ଯେମିତି ହେଲେ ଜନପଦକୁ ଚାଲିଯିବ। ଅଗତ୍ୟା ପଣ୍ଡିତେ ସସ୍ତ୍ରୀକ ଘର ଛାଡିଲେ। ଥରେ ନୌକାରେ ନଦୀ ପାର ହେଉଥିବା ବେଳେ ଯୁବ ନାବିକଟି ସୁମଧୁର କଣ୍ଠରେ ଗାଉଥିବା ଗୀତଟିଏ ଶୁଣି ପଣ୍ଡିତଙ୍କ ସ୍ତ୍ରୀ ଏତେ ମୁଗ୍ଧ ହୋଇଗଲେ ଯେ ତାଙ୍କୁ ସାଙ୍ଗରେ ନେବା ପାଇଁ ଜିଦ୍‌ କଲେ। ପଣ୍ଡିତେ ରାଜି ହେଲେ। ଲୋକଟିର ଦୁଇଗୋଡ ଛୋଟା ଥିବାରୁ ସେ ଚାଲିବାକୁ ଅସମର୍ଥ ଥିଲା। ସ୍ତ୍ରୀଙ୍କ ପରାମର୍ଶରେ ସେମାନେ ତାକୁ ଏକ ଟୋକେଇରେ ବସେଇ ମୁଣ୍ଡେଇ ନେଲେ। କିଛିଦିନ ସାଥୀ ହୋଇ ରହିଲା ପରେ ସ୍ତ୍ରୀଲୋକଟି ନାବିକ ପ୍ରତି ଏତେ ଆକୃଷ୍ଟ ହୋଇପଡିଲା ଯେ ତା’ ସହିତ ଆଜୀବନ କଟେଇବା ପାଇଁ ଦୁହେଁ ସଲାସୁତରା କରି ଦିନେ ପଣ୍ଡିତଙ୍କୁ ଏକ କୂଅ ଭିତରକୁ ଠେଲିଦେଇ ଅନ୍ୟତ୍ର ଚାଲିଗଲେ। କିଛିଦିନ ପରେ ରାଜାଙ୍କ ଦରବାରରେ ପହଞ୍ଚି ସ୍ତ୍ରୀଲୋକଟି କାନ୍ଦି କାନ୍ଦି ରାଜାଙ୍କୁ ନିଜର ଦୁଃଖ ଜଣେଇଲା। ”ମହାରାଜ, ଇଏ ମୋର ପ୍ରିୟ ପତିଦେବ। ସେ ଚଳତ୍‌ଶକ୍ତିହୀନ ହୋଇଥିବାରୁ ଜଣେ ଦୁଶ୍ଚରିତ୍ର ଲୋକ ମୋ ଉପରେ କୁନଜର ପକେଇଲା। ତା’ର ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ଆମେ ଆପଣଙ୍କର ଶରଣାପନ୍ନ। ଦୟାକରି ଆମକୁ ଆଶ୍ରୟ ଦିଅନ୍ତୁ। ରାଜା ତା’ର ଅନୁରୋଧ ରକ୍ଷା କଲେ। ଏଣେ ବାଟୋଇଙ୍କ ଦ୍ୱାରା କୂଅରୁ ଉଦ୍ଧାର ପାଇ ପଣ୍ଡିତ ନିଜର ସ୍ତ୍ରୀକୁ ଖୋଜି ଖୋଜି ଯାଇ ରାଜଦରବାରରେ ପହଞ୍ଚିଲେ। ତାଙ୍କୁ ଦେଖି ସ୍ତ୍ରୀଲୋକଟି ଚିତ୍କାର କରି ଉଠିଲା, ”ମହାରାଜ! ଏଇ ହେଉଛି ସେହି ଦୁଷ୍ଟ ଲୋକ ଯାହା ବିଷୟରେ ମୁଁ କହୁଥିଲି।“ ରାଜା ପଣ୍ଡିତଙ୍କୁ ବାନ୍ଧି ପକେଇବାକୁ ହୁକୁମ୍‌ ଦେଲେ। ଶେଷରେ ପଣ୍ଡିତଙ୍କୁ ଦଣ୍ଡାଦେଶ ହେବା ପୂର୍ବରୁ ପଣ୍ଡିତେ ଶେଷ ଇଚ୍ଛା ପୂରଣ ପାଇଁ ଅନୁରୋଧ କଲେ। ରାଜା ତାଙ୍କ ଅନୁରୋଧ ରକ୍ଷା କଲେ। ପଣ୍ଡିତେ କହିଲେ, ”ମହାରାଜ ଏ ସ୍ତ୍ରୀଲୋକଟି ମୋ ନିକଟରେ ଧାରୁଆ ରହିଯାଇଛି। ତା’ଠାରୁ ମୋର କିଛି ପାଇବାର ଅଛି। ଅନ୍ତତଃ ସେତକ ମୋତେ ଫେରେଇ ଦେଉ।“ ପଣ୍ଡିତଙ୍କ ପରାମର୍ଶରେ ସେ ସ୍ତ୍ରୀଲୋକଟିକୁ ତଳେ ଶୁଆଇ ଦିଆଗଲା। ତା’ର ମୁଣ୍ଡ ଉପରେ ହାତ ରଖି ପଣ୍ଡିତେ ସୂର୍ଯ୍ୟ ଦେବତାଙ୍କୁ ଲକ୍ଷ୍ୟ କରି ପ୍ରାର୍ଥନା କଲେ, ”ହେ ପ୍ରଭୁ, ଏ ଅପାତ୍ରରେ ଦାନ ଦେଇ ମୁଁ ଅନୁତପ୍ତ। ଶେଷଥର ପାଇଁ ଅନୁରୋଧ କରୁଛି, ଏ ସ୍ତ୍ରୀଲୋକଟିକୁ ଦେଇଥିବା ମୋର ଅଧା ଆୟୁଷ ମତେ ଫେରେଇଦିଅ।“ ପଣ୍ଡିତଙ୍କ ମୁହଁରୁ କଥା ସରିନି ସ୍ତ୍ରୀଲୋକଟି ଦେହରୁ ଜୀବନ ଚାଲିଗଲା। ରାଜା ସବୁକଥା ଜାଣି ନାବିକଟିକୁ ଦଣ୍ଡ ଦେଲେ ଏବଂ ପଣ୍ଡିତଙ୍କୁ ପୁରସ୍କୃତ କଲେ।
ଦୁଷ୍ଟା ଓ ଦୁଶ୍ଚରିତ୍ରା ସ୍ତ୍ରୀଲୋକ ବିଷୟରେ ଶାସ୍ତ୍ରରେ ଅଛି,
”ଦୁଷ୍ଟା ଭାର୍ଯ୍ୟା ଶଠଂ ମିତ୍ରଂ ଭୃତ୍ୟଶ୍ଚୋତ୍ତରଦାୟକଃ।
ସସର୍ପେ ଚ ଗୃହେ ବାସୋ ମୃତ୍ୟୁରେବ ନ ସଂଶୟଃ।ା“
ଅର୍ଥାତ୍‌ ଦୁଷ୍ଟା ଭାର୍ଯ୍ୟା, ଠକ ବନ୍ଧୁ, ମୁହଁରେ ଜବାବ ଦେଉଥିବା ଚାକର, ଘରେ ରହିଥିବା ସାପ- ନିଃସନ୍ଦେହରେ ଏମାନେ ମୃତ୍ୟୁର କାରଣ ହୋଇଥାନ୍ତି। ଆଜିକାଲି ଯେତେ ସବୁ ଅପମୃତ୍ୟୁ ଘଟୁଛି ତା’ର ଏକ ପ୍ରମୁଖ କାରଣ ପାରିବାରିକ ଅବୁଝାମଣା। କେଉଁଠି ବୃଥା ଆତ୍ମାଭିମାନ ତ କେଉଁଠି ପରକୀୟା ପ୍ରୀତି। କେଉଁଠି ସାମାନ୍ୟ କଥାରେ ସ୍ତ୍ରୀ ଅନ୍ୟମାନଙ୍କୁ କୋର୍ଟକୁ ଟାଣୁଛି ତ କେଉଁଠି ଅବୋଧ ଶିଶୁକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରୁଛି। ପୁଣି କେଉଁଠି ପ୍ରେମିକ ସହ ମିଶି ପତିକୁ ହତ୍ୟା କରିବାର ମୁଖ୍ୟ ଆୟୁଧ ପାଲଟୁଛି। କଥା କଥାକେ ଛାଡପତ୍ରର ଧମକ। ଗୋ, କନ୍ୟା, ଭୂମି ଭାଗ୍ୟରେ ଥିଲେ ମିଳେ ବୋଲି କୁହାଯାଏ। କିନ୍ତୁ ଯାହା ଭାଗ୍ୟରେ ରାହାବାଳି ସ୍ତ୍ରୀଟିଏ ମିଳେ ତା’ ଜୀବନ ଦୁର୍ବିଷହ ହୋଇପଡ଼େ। ଏ ବିଷୟରେ ଏକ ରୋଚକ ଘଟଣା- ଆମେରିକାର ଟେନେସାରେ ରୁହନ୍ତି ହେଡେନ ବାଡିୟର୍‌ ନାମକ ଜଣେ ୫୧ ବର୍ଷୀୟ ପ୍ରୌଢ଼। ଥରେ ସେ କାମ କରୁଥିବା ଫାର୍ମରୁ ଏକ ଟ୍ରକ୍‌ ଚୋରି କଲାବେଳେ ପୋଲିସ ହାବୁଡରେ ପଡିଲେ। ଅନୁସନ୍ଧାନରୁ ଜଣାପଡିଲା ଯେ ନିଜ ପତ୍ନୀର ଦୌରାତ୍ମ୍ୟରୁ ରକ୍ଷା ପାଇବା ପାଇଁ ସେ ଜେଲ୍‌ରେ ରହିବାକୁ ପସନ୍ଦ କରୁଥିଲେ ଏବଂ ସେଥିପାଇଁ ଜାଣିଶୁଣି ଚୋରି କଲେ। ଅଧୁନା ନାରୀ ନିର୍ଯାତନା ବଢି ଚାଲିଥିବା ବେଳେ ପୁରୁଷଙ୍କ ପ୍ରତି ନିର୍ଯାତନା ବି କମ୍‌ ନୁହେଁ। ଏପରି ଅବ୍ୟବସ୍ଥାର ମୂଳ କାରଣ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ବୁଝାମଣାର ଅଭାବ। କାହିଁ ସେ ବୈକୁଣ୍ଠ ସମାନ ଘର ଯେଉଁଠି ପରସ୍ପର ପ୍ରତି ନିରନ୍ତର ସ୍ନେହ ଥାଏ? କାହାନ୍ତି ସେ ଗୃହିଣୀ ଯାହାଙ୍କ ପାଇଁ କୁହାଯାଉଥିଲା, ‘ଘରକୁ ସୁନ୍ଦର ଘରଣୀ’।
୯୦୪ ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri