କାଳ କବଳରେ କୋଣାର୍କ

ଡ.ପ୍ରଫୁଲ୍ଲ କୁମାର ସାହୁ

ଐତିହ୍ୟ ହେଉଛି ସଭ୍ୟତାର ପରିଚାୟକ। ଗୋଟିଏ ଜାତିର ଗର୍ବ ଓ ଗୌରବ। ସଭ୍ୟତା ଆରମ୍ଭରୁ ମଣିଷ ତା’ର କଳାବୋଧ ଓ ସର୍ଜନଶୀଳ ପ୍ରତିଭା ବଳରେ ଏମିତି କିଛି କୀର୍ତ୍ତି ସ୍ଥାପନ କରିଛି, ଯା’ର ସଂରଚନା ବୈଚିତ୍ର୍ୟ ଦେଖି ବିସ୍ମିତ ହୋଇଛି ବିଶ୍ବ। ପୃଥିବୀର୧୬୫ଟି ଦେଶରେ ଏମିତି ୧୦୫୨ଟି ସ୍ଥାପତ୍ୟ ରହିଛି, ଯାହାକୁ ମିଳିଛି ବିଶ୍ବ ଐତିହ୍ୟର ମାନ୍ୟତା।
ବିଶ୍ବ ଐତିହ୍ୟ ମାନ୍ୟତା ପାଇଥିବା ଭାରତର ୩୬ଟି ସ୍ଥାପତ୍ୟ ମଧ୍ୟରେ ରହିଛି କଳିଙ୍ଗ କଳାର ସର୍ବଶ୍ରେଷ୍ଠ ନିଦର୍ଶନ କୋଣାର୍କର ସୂର୍ଯ୍ୟମନ୍ଦିର। ଓଡ଼ିଶାର ଯେଉଁ ତିନୋଟି ବିଶାଳ ମନ୍ଦିରର ସ୍ବତନ୍ତ୍ର ପରିଚୟ ରହିଛି,ତାହା ହେଲା ଏକାଦଶ ଶତାବ୍ଦୀରେ ନିର୍ମିତ ଲିଙ୍ଗରାଜ ମନ୍ଦିର, ଦ୍ବାଦଶ ଶତାବ୍ଦୀର ଜଗନ୍ନାଥ ମନ୍ଦିର ଓ ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିର। ଏହି ତିନୋଟି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ମଧ୍ୟରେ ଏକମାତ୍ର କୋଣାର୍କକୁ ମିଳିଛି ବିଶ୍ବ ଐତିହ୍ୟର ମାନ୍ୟତା। ଉଦିିତ ସୂର୍ଯ୍ୟଙ୍କ କୋମଳ କିରଣରେ ସ୍ନାତ କୋଣାର୍କ ସ୍ଥାପତ୍ୟର ଏକ ଅନବଦ୍ୟ କୃତି। ସୂର୍ଯ୍ୟଦେବଙ୍କ ରଥର ଐତିହାସିକ ସ୍ମୃତି ସ୍ବରୂପ ଚବିଶଟି ଚକକୁ ନେଇ ଅଭିକଳ୍ପିତ ଏହି ବିଶାଳ ରଥାକୃତି ମନ୍ଦିରକୁ ଟାଣୁଛନ୍ତି ସାତଟି ଚପଳ ଚଞ୍ଚଳ ଅଶ୍ବ। ଭାରତୀୟ ଉପମହାଦେଶର ପୂର୍ବ ଉପକୂଳରେ ଗଙ୍ଗବଂଶୀୟ ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ବାରା ନିର୍ମିତ ୨୨୯ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରର ସର୍ବାଙ୍ଗରେ ଝଟକୁଛି ସୂକ୍ଷ୍ମ କାରୁକାର୍ଯ୍ୟ। ତ୍ରୟୋଦଶ ଶତାବ୍ଦୀର ରାଜବଂଶୀୟ ରୁଚିର ଶ୍ରେଷ୍ଠ ନିଦର୍ଶନ ହୋଇ ଛିଡାହୋଇଛି ତା’ର ଶୈଳ୍ପିକ ନୈପୂଣ୍ୟ, ଆକାର, ଅନୁପାତ ଓ ସ୍ଥାପତ୍ୟ ଭିତ୍ତିକ ଅଳଂକରଣ। କୋଣାର୍କ କେବଳ ଧର୍ମ, ମୋକ୍ଷ ଓ ପରମାର୍ଥର ତୀର୍ଥ ସ୍ଥଳୀ ନୁହେଁ,ଏହା ଅମ୍ଳାନ ସୌନ୍ଦର୍ଯ୍ୟର ଏକ ନନ୍ଦନ ବନ। ରମ୍ୟ କଳାର ଚାରୁ ଚିତ୍ରଶାଳା। ଯୁଗ ଯୁଗ ଧରି ସେ ସେମିତି ଠିଆ ହୋଇଛି ଅନାସକ୍ତ ଭାବରେ, ଅଥଚ ଅଗଣିତ ଦର୍ଶକ ଆସି ତା’ର ଅନିନ୍ଦ୍ୟ ରୂପ ଲାବଣ୍ୟକୁ ଉପଭୋଗ କରିଚାଲିଛନ୍ତି ବିମୁଗ୍ଧ ଚିତ୍ତରେ। ତା’ର ନାମକରଣ ପଛରେ ବି ରହିଛି ଭୌଗୋଳିକ ତାତ୍ପର୍ଯ୍ୟ। ଗୋଟିଏ କୋଣରେ ନିର୍ମିତ ହୋଇ ଥିବାରୁ ଅର୍କ କ୍ଷେତ୍ରର ନାମ କୁଆଡେ କୋଣାର୍କ। ମନ୍ଦିରର ଅତ୍ର ତତ୍ର ସର୍ବତ୍ର ବି ଦେଖିବାକୁ ମିଳେ ଜ୍ୟାମିତିକ ଢାଞ୍ଚାର ନମୁନା। ସତ୍ୟ ଓ ବାସ୍ତବତାର ଭାବ ନିର୍ଯାସ ହେଉଛି ମଣିଷର ସୌନ୍ଦର୍ଯ୍ୟବୋଧ, ଯାହାକୁ ଭାବନିଷ୍ଟ ଭାବେ ପ୍ରକାଶ କରିଛି ଭାରତୀୟ ସ୍ଥାପତ୍ୟ କଳା।
ବିଶେଷ କରି ପ୍ରକୃତି ଓ ପୁରୁଷର ସଂବେକାତ୍ମକ ସମ୍ପର୍କକୁ ପରମାର୍ଥ ଭାବନା ଭିତରେ ବ୍ୟକ୍ତ କରିବାର ପରମ୍ପରା ଭାରତୀୟ କଳାକୁ ଆଣିଦେଇଛି ଏକ ସ୍ବତନ୍ତ୍ର ପରିଚୟ। କୁହାଯାଏ ନରନାରୀଙ୍କ ମିଳିତ ରୂପ ଯେମିତି ଆଦିମ, ସେମିତି ପବିତ୍ର। ମନ୍ଦିର ଗାତ୍ରରେ ଖୋଦିତ ନଗ୍ନ ନଟନଟୀଙ୍କ ଯୌନ ଲୀଳା ସେହି ପବିତ୍ର ଭାବନାର ଏକ କଳାତ୍ମକ ପରିପ୍ରକାଶ। ଜୀବନର ଏହି କୋମଳ ତଥା ଗୋପନ ମାଧୁର୍ଯ୍ୟକୁ ଏତେ ସ୍ପଷ୍ଟ ଭାବେ ଚିତ୍ରିତ କରିବା ହିଁ ଓଡିଆ କଳା ନୈପୁଣ୍ୟର ବିଶେଷତ୍ୱ। କେବଳ ମଣିଷ ନୁହେଁ,ସବୁ ପ୍ରକାର ପ୍ରାଣୀମାନଙ୍କ କାମ କ୍ରୀଡ଼ାକୁ ଏଠାରେ ଚିତ୍ରିତ କରାଯାଇଛି ଅତି ସ୍ବାଭାବିକ ଢଙ୍ଗରେ। ଅନେକ ଦର୍ଶକ ହୁଏତ ଏହାକୁ ଯୌନ ଜାନ୍ତବତା ଭାବି ଆମୋଦିତ ହୁଅନ୍ତି, ମାତ୍ର ଏଭଳି ସ୍ଥୂଳ ଦୃଷ୍ଟିରେ ନ ଥାଏ କଳାର ଭାବସତ୍ତାକୁ ଉପଲବ୍ଧି କରିବାର ଉନ୍ମୁଖତା। ମନ୍ଦିର ଅଭ୍ୟନ୍ତରରେ ପ୍ରବେଶ କରି ଦେବତାଙ୍କ ବିଗ୍ରହ ଦେଖିବା ପାଇଁ ମଣିଷ ମନର ଅନ୍ତକରଣରେ ଯେଉଁ ଚିତ୍ତଶୁଦ୍ଧି ଆବଶ୍ୟକ, ତା’ର ଏକ ପରୀକ୍ଷଣ ହେଉଛି ମନ୍ଦିର ବହିର୍ଭାଗରେ ଥିବା ଯୌନଲୀଳା ସଂଦର୍ଶନଜନିତ ପ୍ରତିକ୍ରିୟା। ଏହି ଦୃଷ୍ଟିରୁ ପ୍ରାଚୀନ ମୂଲ୍ୟବୋଧ,ଭାରତୀୟ ଜ୍ଞାନବିଜ୍ଞାନ ତଥା ଦାର୍ଶନିକ ଚେତନା ଆଧାରରେ ଏସବୁ ଚିତ୍ରର ଶିଳ୍ପତତ୍ତ୍ବ ତଥା ବୃହତ୍ତର ବ୍ୟଞ୍ଜନାକୁ ଉପଲବ୍ଧି ନ କରି ତାକୁ ଅଶ୍ଳୀଳ ବୋଲି ଇଙ୍ଗିତ କରିବାର ଅର୍ଥ ଆମର ଅଜ୍ଞତା ଓ ଦାୟିତ୍ୱହୀନତା। କଲ୍ୟାଣମୟୀ ନାରୀର ନାନା ପ୍ରକାର ରୂପ ତଥା ଆମ ସମାଜ ଜୀବନର ପ୍ରତିଟି କଥା ରୂପାୟିତ ହୋଇଛି କୋଣାର୍କ ଗାତ୍ରରେ। କେଉଁଠି ଉତ୍ସବମୁଖର ଗ୍ରାମୀଣ ଜୀବନ ଚିତ୍ର ଖୋଦିତ ହୋଇଛି ତ କେଉଁଠି ପ୍ରଦର୍ଶିତ ହୋଇଛି ଯୁଦ୍ଧ ଭୂମିରେ ବିଜୟ କୌଶଳ। ଏସବୁ ଚିତ୍ରରେ ପ୍ରଦର୍ଶିତ ପ୍ରତ୍ୟେକଟି ମୁଦ୍ରା ହେଉଛି ସମଗ୍ର ବିଶ୍ବର ସୃଷ୍ଟି, ବିକାଶ ଓ ପ୍ରଳୟ ଉପରେ ପର୍ଯ୍ୟବସିତ ଏକ ବିରାଟ ଭାବବୃତ୍ତର ସାଙ୍କେତିକ ରୂପ। ସଂପୂର୍ଣ୍ଣ ଭେଦାଭେଦ ବିବର୍ଜିତ ଏ ପରିକଳ୍ପନାରେ ନାଁ ଅଛି ସାଂପ୍ରଦାୟିକ ସଂକୀର୍ଣ୍ଣତା ନା ଧାର୍ମିକ ବିଭେଦତା। ସେଥିପାଇଁ କୁହାଯାଏ ବିଶ୍ବରେ କୋଣାର୍କ ହେଉଛି ଏକମାତ୍ର ଅସାମ୍ପ୍ରଦାୟିକ ମନ୍ଦିର। କବି ଦୃଷ୍ଟିରେ ଏହା ଏକ ମନ୍ଦିର ନୁହେଁ, ବରଂ ପ୍ରସ୍ତର ଗାତ୍ରରେ ଲିଖିତ ଏକ ମହାକାବ୍ୟ। ବିଶ୍ବ କବି ରବୀନ୍ଦ୍ର ନାଥଙ୍କ ଭାଷାରେ ପଥର ଏଠି ମଣିଷଠାରୁ ଅଧିକ ମୁଖର। ତେଣୁ ତା’ର ଯୁଗୋତୀର୍ଣ୍ଣ କଳା ନୈପୁଣ୍ୟକୁ ନେଇ ଲେଖାଯାଇଛି ଅନେକ କାବ୍ୟ କବିତା। ସେଥି ମଧ୍ୟରୁ ସବୁଠାରୁ ସୁଖପାଠ୍ୟ ହେଉଛି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ‘ଧର୍ମପଦ’। ଏକ କିମ୍ବଦନ୍ତୀକୁ ଆଧାର କରି ସେ ତ୍ୟାଗର ଯେଉଁ ଉଚ୍ଚ ଆଦର୍ଶ ସୃଷ୍ଟି କରିଛନ୍ତି, ତା’ ଧର୍ମପଦକୁ ଆଣିଦେଇଛି ଅବିଶ୍ବସନୀୟ ପାଠକୀୟ ଆଦୃତି। ରୋମାଣ୍ଟିକ କବି ମାୟାଧର ମାନସିଂହ କିନ୍ତୁ କୋଣାର୍କକୁ ଏକ ବିଗତ ଯୌବନା ସୁନ୍ଦରୀ ନାରୀ ସହିତ ତୁଳନା କରି ଲେଖିଛନ୍ତି -‘ହେ କୋଣାର୍କ ବିଗତ ଯୌବନା, ମୌନ ଦୁଃଖେ ସୈକତ ଶୟନା,ସସଅଂଗେ ଅଂଗେ ଚୁମ୍ବିବାକୁ ନିରବଧି କରଇ ଭାବନା ତୋହରେ ଗୋ ଗତ ଯଉବନା’।
ଅନ୍ୟପକ୍ଷରେ ମନ୍ଦିର ଗଢିବା କିମ୍ବା ଐତିହ୍ୟ ସୁରକ୍ଷାକୁ କେବେ ସହଜ ଦୃଷ୍ଟିରେ ଦେଖନ୍ତିନି ସୌଖୀନ ସାମ୍ୟବାଦୀମାନେ। ସେଥିପାଇଁ କବି ସଚ୍ଚି ରାଉତରାୟ କୋଣାର୍କର ସୌନ୍ଦର୍ଯ୍ୟରେ ଅଭିଭୂତ ହେବା ପରିବର୍ତ୍ତେ ମାନବବାଦୀ ଦୃଷ୍ଟିଭଙ୍ଗୀ ନେଇ ପଢିଛନ୍ତି ମନ୍ଦିର ନିର୍ମାଣ ପଛରେ ଥିବା ଲକ୍ଷେ ବେନାମୀ ଜୀବନର କରୁଣ କାହାଣୀ। କବିଙ୍କ ଭାଷାରେ-‘ତୁମେ ଦେଖିଅଛ ଶିଳାରେ ତା’ର ତ ରମ୍ୟ କଳାର ରୂପ, ମୁଁ ଦେଖିଛି ତହିଁ କୋଟି କଙ୍କାଳ ଭଗ୍ନ ବୁକୁର ସ୍ତୂପ’। ମାତ୍ର କୋଣାର୍କକୁ ଯିଏ ଯେଉଁ ଦୃଷ୍ଟିରେ ଦେଖୁନା କାହିଁକି, କଳିଙ୍ଗ ସ୍ଥାପତ୍ୟ ଧାରାରେ କୋଣାର୍କର ସ୍ଥାନ କେବଳ ଶୀର୍ଷରେ ନୁହେଁ,ଏହା ବିଶ୍ବର ବିସ୍ମୟ।
ଏହାର କାରୁକାର୍ଯ୍ୟ କେବଳ ଆମକୁ ବିଭୋର କରେନି, ପ୍ରସ୍ତର ଗାତ୍ରରେ ସ୍ଥାପତ୍ୟର ବ୍ୟାଖ୍ୟାନ ଶୈଳୀ ଆମ ଆଗରେ ଖୋଲିଦିଏ ଐତିହ୍ୟର ଏକ ଅମୂଲ୍ୟ ବାତାୟନ।
ତେଣୁ କୋଣାର୍କ ସହିତ ସ୍ବତଃ ଯୋଡି ହୋଇ ରହିଛି ଓଡ଼ିଶାର ଭାବାବେଗ, ସ୍ବାଭିମାନ ଓ ଇତିହାସ। ମାତ୍ର ବିଡମ୍ବନାର ବିଷୟ ଅବିଶ୍ବସ୍ତ ଦାୟାଦଙ୍କ ଦୟାରୁ ତା’ର ଅସ୍ତିତ୍ୱକୁ ନେଇ ଏବେ ସୃଷ୍ଟି ହୋଇଛି ସଂକଟ।
୧୩ଶ ଶତାବ୍ଦୀର ମନ୍ଦିର ରୂପେ ଯାହା ଆଜି ବିଦ୍ୟମାନ, ତା’ ହେଉଛି ପ୍ରକୃତରେ ସୂର୍ଯ୍ୟମନ୍ଦିରର ମୁଖଶାଳା (୧୨୮ଫୁଟ) ବା ଜଗମୋହନ। ସୁରକ୍ଷା ଅଭାବରୁ ଧ୍ବଂସ ପାଇସାରିଛି ୨୨୯ ଫୁଟ ଉଚ୍ଚତା ବିଶିଷ୍ଟ ମୁଖ୍ୟ ମନ୍ଦିର। ଏବେ ଓଡ଼ିଶାବାସୀଙ୍କ ପାଇଁ ଆହୁରି ଅସନ୍ତୋଷର କାରଣ ହୋଇଛି ମରାମତି ନାଁରେ ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳରେ ଲାଗୁଛି ସମତଳ ପଥର। ଏହାଦ୍ବାରା କାଳକ୍ରମେ ଏକ ସମତଳ ପଥର ସ୍ତୂପରେ ପରିଣତ ହୋଇଯିବ ବିଶ୍ବବିଖ୍ୟାତ କୋଣାର୍କ ମନ୍ଦିର। କାଳର କରାଳ ଗତିରେ ହଜିଯିବ କଳିଙ୍ଗ ସ୍ଥାପତ୍ୟର ଅସଲ ଖାନଦାନି। ଆମେ ଜାଣିରଖିବା ଉଚିତ ବିଶ୍ବ ଐତିହ୍ୟ ଭାବରେ କୋଣାର୍କ କେବଳ ଆମ ରାଜ୍ୟ ବା ରାଷ୍ଟ୍ରର ନୁହେଁ,ଏହା ସମଗ୍ର ବିଶ୍ବର ସମ୍ପତ୍ତି। ବିଶ୍ବବ୍ୟାପୀ ଏଭଳି ଐତିହ୍ୟର ସୁରକ୍ଷା ନିମନ୍ତେ ରହିଛି ଆନ୍ତର୍ଜାତିକ ସଂଗଠନ ୟୁନେସ୍କୋ।
୧୯୫୯ ମସିହାର କଥା। ଇଜିପ୍ଟର ନୀଳ ନଦୀ ଉପରେ ଚାଲିଥାଏ ପୃଥିବୀର ଅନ୍ୟତମ ବୃହତ୍‌ ନଦୀବନ୍ଧ ଯୋଜନା ଆସ୍ବାନ ଡ୍ୟାମର ନିର୍ମାଣ କାର୍ଯ୍ୟ। ଏହାଦ୍ବାରା ଜଳମଗ୍ନ ହେବାକୁ ଯାଉଥିବା ବିସ୍ତୃତ ଅଞ୍ଚଳ ମଧ୍ୟରେ ରହିଥାଏ ତିନି ହଜାର ବର୍ଷର ପ୍ରାଚୀନ ଓ ଅତିକାୟ ମନ୍ଦିର ଆବୁ ସିମ୍ବେଲ। ଇଜିପ୍ଟ ସରକାରଙ୍କ ଅନୁରୋଧ କ୍ରମେ ଏହି ଯମଜ ମନ୍ଦିରକୁ ନୀଳନଦୀ ଗର୍ଭରୁ ଉଦ୍ଧାର କରିବା ଦାୟିତ୍ୱ ବହନ କରେ ୟୁନେସ୍କୋ। ଏକ ଅବିଶ୍ବସନୀୟ ଆନ୍ତର୍ଜାତିକ ପ୍ରୟାସ ବଳରେ ମନ୍ଦିର ଦ୍ବୟକୁ ଅତି ସୂକ୍ଷ୍ମ ଭାବେ କାଟି କୋଡିଏରୁ ତିରିଶ ଟନ୍‌ ବିଶିଷ୍ଟ ବ୍ଲକରେ ପରିଣତ କରି ଦିଆଗଲା ଏବଂ ତାକୁ ବୋହିନେଇ ରଖାଗଲା ୬୫ ମି.ରୁ ଅଧିକ ଉଚ୍ଚରେ ଥିବା ଏକ ନିରାପଦ ସ୍ଥାନରେ। ସେଠାରେ ଆଧୁନିକ ଯନ୍ତ୍ରପାତି ଓ ପ୍ରାବିଧିକ ଜ୍ଞାନକୌଶଳ ବଳରେ ପଥରକୁ ଖଞ୍ଜି ଆବୁ ସିମ୍ବଲକୁ ପୁନଃ ସ୍ଥାପନ କରାଗଲା ଅବିକଳ ଭାବରେ। ଷାଠିଏ ବର୍ଷ ତଳେ ଯଦି ଏଭଳି ଚମକପ୍ରଦ ଉପଲବ୍ଧି ସମ୍ଭବ ହୋଇ ପାରିଛି, ତେବେ ପ୍ରାବିଧିକ ଉତ୍କର୍ଷର ଶୀର୍ଷରେ ଥାଇ ଆଜି କାହିଁକି ରକ୍ଷା କରାଯାଇ ପାରିବନି କୋଣାର୍କର ଚିରନ୍ତନତା ? ଏ ପ୍ରଶ୍ନ ସହିତ ଯୋଡି ହୋଇ ରହିଛି ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନ।
ଅଧ୍ୟାପକ,ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,ପଡ଼ିଆବେଡ଼ା,ମୟୂରଭଞ୍ଜ ।
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri