ଏବେ ଭଲରେ ଅଛୁ

ପ୍ରକାଶ ତ୍ରିପାଠୀ
ଗତ ଦଶହରା ଛୁଟି ସମୟରେ କିଛିଦିନ କାଟିଥିଲି ମୋ ଗାଁରେ। ମହାଷ୍ଟମୀରେ ଗାଁ ଠାକୁରାଣୀଙ୍କ ପୀଠରେ ଜନ୍ତାଳ ଓ ଦଶହରାରୁ କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ପୂଜାକୁ ମନଭରି ଉପଭୋଗ କରିଥିଲି। ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବରେ ଆଲେକା ସଜ୍ଜା, ଡିଜେ, ବାଣଫୁଟା ସାଙ୍ଗକୁ ଗାଁର ନବଯୁବକମାନଙ୍କର ବିରାମଶୂନ୍ୟ ନୃତ୍ୟ ଗାଁ ପରିବେଶକୁ ମତୁଆଲା କରିଥିଲା ତ ନିଶ୍ଚିତ, ହେଲେ ମୁଁ ତଉଲୁଥିଲି ମୋ କିଶୋର/ଯୁବାବସ୍ଥାରେ ମୋ ଗାଁ ଜୀବନ ସହ ବର୍ତ୍ତମାନର ସ୍ଥିତିକୁ। ଭସାଣି ପରଦିନ କିଛି ନବଯୁବକଙ୍କ ସହ ଗାଁ କୋଠଘରେ କଟିଥିଲା କିଛି ମୁହୂର୍ତ୍ତ। ମୋର ଅତୀତର ସ୍ମୃତିମନ୍ଥନକୁ ବିଶ୍ୱାସକୁ ନେଉ ନ ଥିଲେ ମୋ ଗାଁର କିଶୋର ଓ ଯୁବକମାନେ। ବିଶ୍ୱାସ କରିପାରୁ ନ ଥିଲେ ସେମାନଙ୍କ ନିଜ ଗାଁ ଦିନେ ଏପରି ଥିଲା ବୋଲି। ସେମାନେ ବିଶ୍ୱାସ କରିପାରୁ ନ ଥିଲେ ଯେ ଗତ ସତୁରିଦଶକରେ ମୋ ଗାଁଠାରୁ ମୁଖ୍ୟରାସ୍ତା (ଭୁବନେଶ୍ୱରକୁ ଯାଇଥିବା ମୁଖ୍ୟ ସଡ଼କ) ମାତ୍ର ଦୁଇ ବା ଅଢ଼େଇ କିମି ହେଲେ ମଧ୍ୟ ପକ୍କା ରାସ୍ତା ତ ଦୂରର କଥା, ମାଟି ରାସ୍ତାଟିଏ ବି ନ ଥିଲା। ଗୋଟିଏ ପଟେ ଧାନ ବିଲ ହିଡ ଉପରେ ଚାଲିଚାଲି ଗଲେ ମୁଖ୍ୟ ରାସ୍ତା ଦୁଇକିମି ପଡୁଥିଲା ବେଳେ ଅନ୍ୟପଟରେ ନାଳ ପାର ହୋଇ ଜଙ୍ଗଲ ଭିତରେ ଗଲେ ଅଢ଼େଇ କି.ମି. ପଡିଥାଏ। ପ୍ରାଥମିକ ସ୍କୁଲ ଥିଲା ମାଟିକାନ୍ଥର ଚାଳଘର। ବିନା ଚପଲରେ ସ୍କୁଲ ଯାଉଥିଲୁ। କାଖରେ କନା ବ୍ୟାଗ୍‌ ଓ ତାଳପତ୍ର ଚଟି ଏବଂ ହାତରେ କାଳିଦୁଆତ। କେତେବେଳେ ଝର କଲମରୁ କାଳି ବୋହି ଆଙ୍ଗୁଠି କାଳି ହୋଇଯାଏ ତ କେତେବେଳେ ଶାର୍ଟର ପକେଟ ଓ ବହିବସ୍ତାନି। ସ୍କୁଲରେ ଦୁଷ୍ଟାମି କଲେ, ପାଠ ନ କହିପାରିଲେ ଅବା ହୋମ୍‌ଓ୍ବାର୍କ ନ କରି ଯାଇଥିଲେ ମାଡ଼ ଖାଇ ନୋଳା ଫାଟିଯାଉଥିଲା। ବିଧା, ଗୋଇଠା, ଚାପୁଡା, ବେତ ବା ଯେକୌଣସି ଗଛର ଛାଟିଆରେ ମାଡ଼ ସାଙ୍ଗକୁ କାନମୋଡ଼ା, ଆଣ୍ଠୁମାଡ଼ି ବସିବା, ଏକ ଗୋଡ଼ରେ ଛିଡ଼ା ହେବା, ଚୁଟି ଭିଡ଼ାଯିବା ଭଳି ଅନେକ ମାନସିକ ଓ ଶାରୀରିକ ଯନ୍ତ୍ରଣା ମିଳୁଥିଲା। ଅନେକ ପିଲା ତ ମାଡ଼ ଭୟରେ ସ୍କୁଲକୁ ଯିବାବେଳେ କାନ୍ଦୁଥିଲେ ଓ ଆଉ କିଛି ଅଧାରୁ ପାଠପଢ଼ା ଛାଡ଼ି ଦେଉଥିଲେ।
ଗାଁରେ ସେତେବେଳେ ପ୍ରାୟ ସମସ୍ତ ଘର ଚାଳଛପର ଥିଲା। ଶୋଇବା ଘର ଓ ଗୁହାଳ ଭିତରେ କୌଣସି ଫରକ ନ ଥିଲା। ବେଳେ ବେଳେ ଗାଁ ଚାଳଘରେ ନିଆଁ ଲାଗିଯାଇ ଗୋଟେ ଗୋଟେ ଗାଁ ଓ ସାହି ଛାରଖାର ହୋଇଯାଉଥିଲା। ସେଥିପାଇଁ କୁହାଯାଉଥିଲା ‘ଘର ପୋଡ଼ିଠାରୁ ବିପତ୍ତି ନାହିଁ, ଘୋଡ଼ାଚଢ଼ାଠାରୁ ସମ୍ପତ୍ତି ନାହିଁ।’ ଘର ପୋଡ଼ିରୁ ବର୍ତ୍ତିବା ପାଇଁ ସେତେବେଳେ ଲୋକେ ଟାଇଲ ଛପର ଘରର ସ୍ବପ୍ନ ଦେଖନ୍ତି। କାରଣ ଛାତଘର ପାଇଁ ଆବଶ୍ୟକ ଅର୍ଥ ଓ କଞ୍ଚାମାଲ ଯୋଗାଡ଼ କରିବା ସେମାନଙ୍କ ପାଇଁ ସହଜ ନ ଥିଲା। ସେଥିପାଇଁ କୁହାଯାଉଥିଲା ‘ଟାଇଲ ଛପର ଘର, ନିଆଁକୁ ନ ଥାଏ ଡର।’
ଗାଁରେ ସେତେବେଳେ ଖୁବ୍‌ କମ୍‌ ଲୋକଙ୍କ ଚଳିବା ଭଲ ଥିଲା। ଅନେକ ପରିବାର ଦୁଇଓଳି ପେଟପୂରା ଖାଇବାକୁ ପାଉ ନ ଥିଲେ। ପିନ୍ଧିବାକୁ ପୋଷାକପତ୍ର ବି ଯଥେଷ୍ଟ ନ ଥିଲା। ଗୋଟେ ଚିରିଗଲେ ଆଉ ଗୋଟେ କିଣାଯାଉଥିଲା। ଚିକିତ୍ସା ସୁବିଧା ନ ଥିଲା। ଉପଯୁକ୍ତ ଚିକିତ୍ସା ନ ପାଇ ଅନେକ ଲୋକ ଅଳ୍ପ ବୟସରୁ ମୃତ୍ୟୁବରଣ କରୁଥିଲେ। ଅଚିହ୍ନା ରୋଗରେ ଅମୁକ ଲୋକ ମରିଗଲା ବୋଲି ଶୁଣୁଥିଲୁ। ଅଳ୍ପ କିଛି ଲୋକଙ୍କ ଘରେ ସାଇକେଲ ଥିଲା। ଗାଁରେ ଗୋଟିଏ ନଳକୂପ ଓ ଗୋଟିଏ ମାଟି ନନ୍ଦକୂଅ ପିଇବା ପାଣି ଯୋଗାଇବାର ସାଧନ ଥିଲା। ସ୍ନାନ ଓ ଶୌଚାଦି କାର୍ଯ୍ୟ ଧାନଗହୀରରେ ଥିବା ପୋଖରୀରେ ସମ୍ପନ୍ନ ହେଉଥିଲା।
ଗାଁକୁ କଦବା କେମିତି ଚାରିଚକିଆ ଗାଡ଼ିଟିଏ ଆସିଲେ ଗାଁ ପିଲାଏ ଅତି ଖୁସିରେ ତା’ ପଛରେ ଧୂଳି ଧୂସରିତ ହୋଇ ଦୌଡୁଥିଲେ। ଗାଁରେ ବିଜୁଳି ଆଲୁଅ ନ ଥିଲା। ସମସ୍ତଙ୍କ ଘରେ ଡିବିରି ଓ ଲଣ୍ଠନ। ପାରିବାରିକ ଉତ୍ସବ ଯଥା ବାହାଘର, ବ୍ରତଘର, ଶୁଦ୍ଧି କ୍ରିୟା ଆଦି ତଥା ବିଭିନ୍ନ ପର୍ବପର୍ବାଣିରେ ଗାଁରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କିରୋସିନିର ପେଟ୍ରୋମାକ୍ସ ଲାଇଟ୍‌ରେ ସମ୍ପନ୍ନ ହେଉଥିଲା। ଘରେ ମନୋରଞ୍ଜନର ମୁଖ୍ୟ ଓ ଏକମାତ୍ର ଖୋରାକ୍‌ ଯୋଗାଉଥିଲା ରେଡିଓ, ତାହା ଅଧିକାଂଶଙ୍କ ଘରେ ନ ଥିଲା। ଗାଁଟା ଯାକର ଲୋକ ଗୋଟିଏ ଜାଗାରେ ଠୁଳ ହୋଇ ରେଡିଓ ଶୁଣୁଥିଲେ। ସମ୍ପର୍କୀୟ ଓ ବନ୍ଧୁ ପରିଜନଙ୍କଠାରୁ ଭଲମନ୍ଦ ଖବର ପାଉଥିଲୁ ଡାକ ଚିଠିରୁ। ବନ୍ଧୁଟିଏ ଘରୁ ବିଦାୟ ନେଲାବେଳେ କହୁଥିଲୁ ଘରେ ପହଞ୍ଚି ଚିଠିରେ ଜଣାଇବ। ସେହି ଚିଠି ପାଉ ପାଉ ଲାଗିଯାଏ ଛଅ-ସାତ ଦିନ। ଘର ପାଇଁ ଆସବାବପତ୍ର କିଣିବା ଲାଗି ଯିବାକୁ ପଡୁଥିଲା ବଡ଼ ସହର ଭୁବନେଶ୍ୱରକୁ କିମ୍ବା ଅପେକ୍ଷା କରିବାକୁ ପଡୁଥିଲା ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ମେଳଣ ବା ଯାତ୍ରା ମହୋତ୍ସବକୁ। ଝିଅମାନଙ୍କୁ ଉଚ୍ଚତର ଶିକ୍ଷା ପାଇଁ ସୁଯୋଗ ଦିଆଯାଉ ନ ଥିଲା। ଚାଷ-ବାସ ହଳ ଲଙ୍ଗଳ ଓ ବଳଦ ଯୋଗେ ହେଉଥିଲା ଏବଂ ତଳି ପକାଇବାଠାରୁ ଅମଳ ପର୍ଯ୍ୟନ୍ତ ସବୁ କାମ ହାତରେ କରିବାକୁ ପଡୁଥିଲା। ବଳଦଟଣା ଶଗଡ଼ ହିଁ ଥିଲା ପରିବହନର ମୁଖ୍ୟ ସାଧନ। ଦୂର ସହର (କଟକ ଅବା ଭୁବନେଶ୍ୱର) ଯିବା ପାଇଁ ଦିନକୁ ଗୋଟିଏ ବସ୍‌ ମିଳୁଥିଲା। ତିରିଶ-ଚାଳିଶ କିମି ଦୂରରେ ଥିଲା କଲେଜ। କୋଡିଏ ତିରିଶ କିଲୋମିଟର ଦୂର ସ୍ଥାନକୁ ଲୋକେ ଚାଲି ଚାଲି ଯାଉଥିଲେ। କାଠ, ବାଉଁଶ ନିର୍ମିତ ଖେଳନା, ପୁରୁଣା ଟାୟାର, ନଡ଼ିଆ ଷଢ଼େଇ ଆଦି ଥିଲା ଛୋଟପିଲାଙ୍କ ଖେଳର ସାଧନ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ମନୋରଞ୍ଜନ, ଖେଳକୁଦ ସବୁଥିରେ ଗାଁ ଥିଲା ପଛୁଆ ଓ ଅନୁନ୍ନତ। ମୋ ପିଲା ବେଳର ସମୟ ଅର୍ଥାତ୍‌ ସତୁରି ଦଶକ ଓ ଅଶୀ ଦଶକର ପ୍ରଥମାର୍ଦ୍ଧର ବୃତ୍ତାନ୍ତ ଶୁଣି ମୋ ଗାଁର ନବଯୁବକମାନେ କେବଳ ଆଶ୍ଚର୍ଯ୍ୟ ହେଲେ ନାହିଁ, ବିଶ୍ୱାସ ମଧ୍ୟ କରିପାରିଲେ ନାହିଁ ଯେ, ସେମାନଙ୍କ ଆଦରର ଗାଁ ଏପରି ଦୁରବସ୍ଥାରେ ଥିଲା। ସେମାନେ ମୁକ୍ତକଣ୍ଠରେ ସ୍ବୀକାର କରିଥିଲେ ଯେ, ସେମାନେ ଆମ ଅପେକ୍ଷା ଏକ ଉନ୍ନତ ଓ ସମୃଦ୍ଧ ଗାଁରେ ବାସ କରୁଛନ୍ତି। ସେମାନଙ୍କ ମତରେ ଗାଁକୁ ଏବେ ବିଭିନ୍ନ ଆଡୁ ଉନ୍ନତ ପକ୍କା ସଡ଼କ ନିର୍ମାଣ ହୋଇଛି। ପ୍ରାଥମିକ ବିଦ୍ୟାଳୟ ଏକ ପକ୍କା ଘର ଓ ପିଲାମାନେ ସ୍କୁଲ ବ୍ୟାଗ୍‌, ସ୍କୁଲ ଡ୍ରେସ, ପାଦରେ ଜୋତା ଓ ହାତରେ ପାଣିବୋତଲ ଧରି ସ୍କୁଲ ଯାଉଛନ୍ତି। ତାଙ୍କ ପକେଟରେ ଏବେ ଅନ୍ତର୍ଜାତୀୟ ବ୍ରାଣ୍ଡର ଉନ୍ନତ ଡଟ୍‌ପେନ୍‌। ସ୍କୁଲ ଏବେ ଦଣ୍ଡମୁକ୍ତ ଅଞ୍ଚଳ। ଘରେ ଘରେ ଏବେ ଏକାଧିକ ବାଇକ୍‌ ସାଙ୍ଗକୁ କିଛି କିଛି ଘରେ ଚାରିଚକିଆ ଯାନ ବି ଦେଖିବାକୁ ମିଳିଲାଣି। ଗାଁରେ ଏବେ ଭଡାଟ୍ୟାକ୍ସି ବି ଉପଲବ୍ଧ ହେଲାଣି। ଘର ଆସବାବପତ୍ର ସହ ସମସ୍ତ ସୌଖୀନ ଜିନିଷ ନିକଟସ୍ଥ ଦୋକାନ ବଜାରରେ ମିଳୁଛି। ଘରେ ବସି ଗାଁର ଯୁବଗୋଷ୍ଠୀ ଫ୍ଲିପ୍‌କାର୍ଟ, ଆମାଜନ ଭଳି ନେଟ୍‌ ମାର୍କେଟିଂ ସଂସ୍ଥାରୁ ମନପସନ୍ଦର ଜିନିଷ ପାଉଛନ୍ତି। ଚାଷବାସରେ ଏବେ ଟ୍ରାକ୍ଟର, ପାଓ୍ବାରଟିଲର ସାଙ୍ଗକୁ ତଳିରୁଆ ଓ ଧାନକଟା ପାଇଁ ମେଶିନ ଉପଯୋଗ ହେଉଛି। ଖାଲି ପେଟରେ ଶୋଇବା ଏବେ ଅତୀତ। ଘରେ ଘରେ ରଙ୍ଗିନ ଟିଭିରେ ଶହ ଶହ ଦେଶବିଦେଶର ଚ୍ୟାନେଲ। ସବୁ ଘର ବିଦ୍ୟୁତ୍‌ ଆଲୋକରେ ସୁଶୋଭିତ। ଚାଳଘର ଏବେ ଗାଁରେ ଖୋଜିବାକୁ ପଡୁଛି। ଘର ଭିତରେ ଟ୍ୟାପ୍‌ ଖୋଲିଲେ ପାଣି, ଘରେ ଘରେ ଓ୍ବାଟର ଫିଲ୍ଟର ଓ ଶୌଚାଳୟ, ପିଲାରୁ ବୁଢ଼ା ସମସ୍ତଙ୍କ ହାତରେ ଏବେ ସ୍ମାର୍ଟଫୋନ୍‌। ଟିପ ଅଗରେ ସାରା ବିଶ୍ୱ। ବିଶ୍ୱର କୋଣ ଅନୁକୋଣରେ ଘଟୁଥିବା ଟିକିନିଖି ଘଟଣା ଜାଣିବାକୁ ଆଉ ଅପେକ୍ଷା କରିବାକୁ ପଡୁନି। ଗାଁରେ ପିଲାଙ୍କ ହାତରେ ଇଲେକ୍ଟ୍ରୋନିକ୍ସ ଖେଳନା। ଘରେ ଘରେ ଅନେକ ବୈଦ୍ୟୁତିକ ସାମଗ୍ରୀ, ରୋଷେଇ ଘରେ ଗ୍ୟାସ୍‌ ଓ ଗାଁର ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତ। ଯୁବଗୋଷ୍ଠୀଙ୍କ ପାଇଁ ଉନ୍ନତ ଖେଳ ଉପକରଣ ସହଜ ଓ ସୁଲଭ। ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ, ଗମନାଗମନ, ମନୋରଞ୍ଜନରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି ଗ୍ରାମାଞ୍ଚଳରେ। ଅନ୍ତର୍ଜାତୀୟ ବ୍ରାଣ୍ଡର ଜିନ୍‌ ପ୍ୟାଣ୍ଟ, ଟି-ଶାର୍ଟ, କାନରେ ଇୟର ଫୋନ୍‌, ପକେଟରେ ସ୍ମାର୍ଟଫୋନ ରଖି ଚବିଶ ଘଣ୍ଟା ସୋସିଆଲ ମିଡିଆରେ ଯୋଡିହୋଇ ରହିଥିବା ଆଜିର ଗ୍ରାମ୍ୟ ଯୁବକମାନେ ଆମ ସତୁରି ଦଶକର ନାହିଁ ନାହିଁର ଗାଁକୁ କାହିଁକି ବା ପସନ୍ଦ କରିବେ?
ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ତଥା ସ୍ବିଡେନର ପ୍ରତିଷ୍ଠିତ ସାମ୍ବାଦିକ ଲାସେବର୍ଗ ମଧ୍ୟ ଏହା ସ୍ବୀକାର କରିଛନ୍ତି ଯେ, ଭାରତର ଗାଁଗୁଡିକ ଆଶାତୀତଭାବେ ବିକଶିତ ହୋଇଛି। ନବେ ଦଶକର ଆରମ୍ଭରୁ ମୁକ୍ତ ଅର୍ଥନୀତି ଓ ଜଗତୀକରଣକୁ ଆପଣେଇ ତୃତୀୟ ବିଶ୍ୱରୁ ବିକାଶଶୀଳ ରାଷ୍ଟ୍ରକୁ ଲମ୍ଫ ପ୍ରଦାନ କରିଛି ଭାରତ। ସତୁରି ଦଶକରେ ସେ ଭାରତ ଆସି ଗ୍ରାମାଞ୍ଚଳର ସ୍ଥିତି ସମ୍ପର୍କରେ ଏକ ଫଟୋଚିତ୍ର ସମ୍ବଳିତ ଆଲେଖ୍ୟ ପ୍ରସ୍ତୁତ କରିଥିଲେ। ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକରେ ଭାରତର ଦାରଦ୍ର୍ୟକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଥିଲା। ଏହାର ପଚିଶବର୍ଷ ପରେ ସେ ପୁଣି ଭାରତ ଆସିଥିଲେ। ଯେତେବେଳେ ସେ ପଚିଶବର୍ଷ ତଳର ଗାଁର ଫଟୋଗୁଡିକୁ ସେହି ଗାଁର ଲୋକମାନଙ୍କୁ ଦେଖାଇଲେ, ସେତେବେଳେ ସେମାନେ ତାହାକୁ ବିଶ୍ୱାସ କରିପାରି ନ ଥିଲେ। ମାଟିକାନ୍ଥ ଘର, ଗାଁ ଦାଣ୍ଡରେ ଖେଳୁଥିବା ଅଧା ଲଙ୍ଗଳା ପିଲାଙ୍କ ଫଟୋକୁ ଦେଖି କେବଳ ଆଶ୍ଚର୍ଯ୍ୟ ହୋଇ ନ ଥିଲେ ବରଂ କହିଥିଲେ ସାମ୍ବାଦିକ ବନ୍ଧୁ ଭୁଲ୍‌ରେ ସେମାନଙ୍କ ଗାଁକୁ ଆସିଯାଇଛନ୍ତି। ପଚିଶବର୍ଷ ତଳେ ସେମାନଙ୍କ ଗାଁ ଏତେ ଅନୁନ୍ନତ ଥିଲା ଓ ସେମାନେ ଏତେ ଗରିବ ଥିଲେ ବୋଲି ସହଜରେ ଗ୍ରହଣ କରି ନ ଥିଲେ। ଲାସେ ବର୍ଗଙ୍କ ଭଳି ମୁଁ ବି ମୋ ଗାଁର ବିକାଶକୁ ସ୍ବୀକାର କରୁଛି। କେବଳ ମୋ ଗାଁ ନୁହେଁ, ଭାରତର ପ୍ରାୟ ସାଢ଼େ ଛଅଲକ୍ଷ ଗାଁରେ ଘଟିଛି ବୈପ୍ଳବିକ ପରିବର୍ତ୍ତନ। ଗର୍ବରେ ଆମେ କହିପାରୁଛୁ, ଏବେ ଆମେ ଗାଁରେ ଭଲରେ ଅଛୁ।
ମୋ-୯୪୩୭୨୩୨୪୬୩, ଇ ମେଲ-Prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri