Posted inଫୁରସତ

ଇକୋ ଭିଲେଜ: ମୁଦୁଲିଗାଡ଼ିଆ

ଢାଉ ରଙ୍ଗର କାନ୍ଥରେ ଧଳା ରଙ୍ଗର ଝୋଟି । ରାସ୍ତାଘାଟ ସୁନ୍ଦର ପରିଚ୍ଛନ,ଘରେ ଘରେ ଶୌଚାଳୟ, ଗ୍ୟାସ୍‌ ଆଉ ବିଶୁଦ୍ଧ ପିଇବା ପାଣି। ପଲିଥିନ, ପ୍ଲାଷ୍ଟିକ୍‌ ଏଠି ପୂରା ମନା। ଇଏ ହେଲା ନୟାଗଡ ଜିଲାର ଇକୋ ଫ୍ରେଣ୍ଡଲି ଗାଁ ମୁଦୁଲିଗାଡ଼ିଆ…
ପ୍ରାକୃତିକ ପରିବେଶ ଭିତରେ ରହିଛି ଗାଁଟି। ଚାରିଆଡ଼େ ସଫାସୁତୁରା, ପ୍ରତିଟି ଘର ଢାଉ ରଙ୍ଗରେ ଲିପାଯାଇ ତା’ ଉପରେ ପଡ଼ିଛି ସୁନ୍ଦର ସୁନ୍ଦର ଚିତ୍ର। ଅଳିଆ ଆବର୍ଜନା ପକାଇବା ପାଇଁ ରହିଛି ଡଷ୍ଟବିନ୍‌। ଘରେ ଘରେ ଶୌଚାଳୟ। ରୋଷେଇ ପାଇଁ ଗ୍ୟାସ୍‌ ସହିତ ପିଇବା ଲାଗିି ବିଶୁଦ୍ଧ ପାଣି। ପ୍ଲାଷ୍ଟିକ ପଲିଥିନ ଏଠାରେ ସମ୍ପୂର୍ଣ୍ଣ ନିଷେଧ। ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତରେ ରହିଛି ଏହି ଇକୋ ଭିଲେଜ୍‌ ମୁଦୁଲିଗାଡ଼ିଆ। ଗ୍ରାମର ମୋଟ ୩୫ଟି ପରିବାର। ସମସ୍ତେ ପ୍ରାୟ ଦିନମଜୁରିଆ। ଆଉ କିଛି ଲୋକ ନିଜର ସ୍ବଳ୍ପ ଜମିରେ ଚାଷବାସ କରିବା ସହ ଗୋମହିଷାଦି ପାଳନ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ଗ୍ରାମର ଲୋକେ ଆଗରୁ ଜଙ୍ଗଲ ଉପର ନିର୍ଭର କରି ଆସୁଥିଲେ। କିନ୍ତୁ ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଜଙ୍ଗଲ ଓ ପରିବେଶ ସୁରକ୍ଷା ଏବେ ଗାଁ ଲୋକଙ୍କ ବ୍ରତ ପାଲଟି ଯାଇଛି।
ଇକୋଫ୍ରେଣ୍ଡଲି ଗାଁ ପାଇଁ ପ୍ରୟାସ
ମୁଦୁଲିଗାଡ଼ିଆ ଗାଁଟି ସାତକାଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଛାମୁଣ୍ଡିଆ ବନାଞ୍ଚଳ ମଧ୍ୟରେ ରହିଛି। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୫ ବର୍ଷ ପୂର୍ବେ ଗ୍ରାମର ଏକ ପରିବେଶ ବିକାଶ ସମିତି ଗଠନ (ଇଡିସି) କରାଯାଇଥିଲା। ଗତ ୨୦୧୫ରେ ଏହି ଗାଁ ନିକଟ ସାଉଥ ବଡ଼ମୂଳ ମଙ୍ଗାନାସୀଠାରେ ନୟାଗଡ଼ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ସାତକୋଶିଆ ସ୍ୟାଣ୍ଡ ରିସର୍ଟ ନାମରେ ଏକ ପରିବେଶ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ କରାଗଲା। ଏବଂ ଗାଁରେ ଗଠନ ହୋଇଥିବା ପରିବେଶ ବିକାଶ ସମିତି (ଇଡିସି)କୁ ପର୍ଯ୍ୟଟନ କେନ୍ଦ୍ରର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରାଗଲା। ସେହି ଦିନୁ ଗ୍ରାମର ଇଡିସି କମିଟିର ୨୬ ଜଣ ସଭ୍ୟାସଭ୍ୟ ଓ ବନ୍ୟପ୍ରାଣୀ ବିଭାଗ ମିଳିତ ପରିଚାଳନାରେ ପର୍ଯ୍ୟଟନ କେନ୍ଦ୍ରଟି ପରିଚାଳିତ ହୋଇଆସୁଛି। ପର୍ଯ୍ୟଟନ କେନ୍ଦ୍ରର ସମୁଦାୟ ଆୟରୁ ପରିଚାଳନା କମିଟିର ଦରମା ବାବଦକୁ ୩୫%, ଗ୍ରାମ୍ୟ ଫଣ୍ଡ (ଇଡିସି ଫଣ୍ଡ)କୁ ୧୦%, ପର୍ଯ୍ୟଟକଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ୨୫%, ଉନ୍ନୟନ ବାବଦକୁ ୧୦%, ବ୍ୟାଘ୍ର ପ୍ରକଳ୍ପ ବାବଦକୁ ୧୦% ଓ ସରକାରଙ୍କ କର୍ପସ ଫଣ୍ଡ ବାବଦକୁ ୧୦ ପ୍ରତିଶତ ଅର୍ଥ ଦିଆଯାଉଛି। ଗତବର୍ଷ ଏହି ପର୍ଯ୍ୟଟନ କେନ୍ଦ୍ରରେ ୧ କୋଟି ୩୦ ଲକ୍ଷ ଟଙ୍କା ଆୟ ହୋଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ତେବେ ଗାଁର ଇଡିସି ଫଣ୍ଡକୁ ଯାଉଥିବା ୧୦% ଅର୍ଥରେ ଗ୍ରାମବାସୀ ଗ୍ରାମର ଅଭାବ ଅସୁବିଧା ଦୂର କରିବା ସହ ଏକ ମନ୍ଦିର ମଧ୍ୟ ନିର୍ମାଣ କରିଛନ୍ତି। ଯଦିଓ ଗଁାର ଚତୁଃପାର୍ଶ୍ୱରେ ପ୍ରାକୃତିକ ପରିବେଶ ଭରି ରହିଥିଲା କିନ୍ତୁ ଗଁାରେ ସ୍ବଚ୍ଛ ଓ ନିର୍ମଳ ପରିବେଶ ନ ଥିଲା। ତେବେ ମୁଦୁଲିଗାଡ଼ିଆ ଗ୍ରାମକୁ ଏକ ସ୍ବଚ୍ଛ, ସୁନ୍ଦର, ଓ ପରିବେଶ ଅନୁକୂଳ କରିବା ପାଇଁ ଗତ ଅକ୍ଟୋବର ୧ ତାରିଖରେ ଇଡିସି ତରଫରୁ ଏକ ବୈଠକ କରାଯାଇ ପ୍ରସ୍ତାବ ନିଆଯାଇଥିଲା। ତେବେ ଇଡିସିର କୋଠ ଫଣ୍ଡରୁ ୩ ଲକ୍ଷ ୯୫ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଇକୋଭିଲେଜ ବାବଦରେ ଖର୍ଚ୍ଚ କରାଯାଇଥିବା କମିଟି ସୂଚନା ଦେଇଛି। ଗ୍ରାମରେ ଛୋଟବଡ଼ ଧନୀଗରିବ ଭେଦଭାବ ଭୁଲି ସମାନ ମନୋଭାବ ସୃଷ୍ଟି କରିବା ପାଇଁ ସମସ୍ତ ଘରକୁ ଗୋଟିଏ ରଙ୍ଗରେ ରଙ୍ଗାଯାଇଛି। ଏଥିସହ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ପ୍ରତିଟି ଘରେ ବିଭିନ୍ନ ଆକୃତିର ଝୋଟି ଚିତା ଓ ଚିତ୍ର କରାଯାଇଛି। ଗଁାର ପରିବେଶକୁ ସ୍ବଚ୍ଛ ସୁନ୍ଦର ରଖିବା ପାଇଁ ଗ୍ରାମର ମହିଳାମାନେ ପ୍ରତିଦିନ ସକାଳୁ ଗଁା ଚାରିପାଖ ସଫାସୁତରା କରିଥାନ୍ତି। ଅଳିଆ ଆବର୍ଜନାଗୁଡ଼ିକ ଡଷ୍ଟବିନ୍‌ରେ ପକାଇଥାନ୍ତି। ପ୍ରତି ପରିବାରକୁ ପାଇଖାନା ନିର୍ମାଣ କରାଯିବା ସହ ବାହ୍ୟମଳତ୍ୟାଗକୁ ବାରଣ କରାଯାଇଛି। ସେହିପରି ଜଙ୍ଗଲର ନିର୍ଭରଶୀଳତାକୁ କମାଇବା ପାଇଁ ପ୍ରତି ପରିବାର ଗ୍ୟାସ୍‌ ବ୍ୟବହାର କରୁଛନ୍ତି। ପ୍ରତି ପରିବାରକୁ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଗ୍ରାମବାସୀଙ୍କ ତରଫରୁ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାରକୁ ବର୍ଜନ କରାଯାଇଛି। ଗ୍ରାମକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଥିବା ଗଛ ମୂଳେ ସିମେଣ୍ଟ ପିଣ୍ଡି ନିର୍ମାଣ କରାଯାଇ ଗଛଗୁଡ଼ିକ ରଙ୍ଗବେରଙ୍ଗର ଆଲୋକରେ ସଜାଯାଇଛି।
ସାତକୋଶିଆ ସ୍ୟାଣ୍ଡ ରିସର୍ଟ
ଇକୋ ଭିଲେଜ୍‌ ମୁଦୁଲିଗାଡ଼ିଆ ଗ୍ରାମର ଅନତି ଦୂରରେ ରହିଛି ପରିବେଶ ପର୍ଯ୍ୟଟନ କେନ୍ଦ୍ର ସାତକୋଶିଆ ସ୍ୟାଣ୍ଡ ରିସର୍ଟ। ଗତ ୨୦୧୫ ମସିହାରେ ସାଉଥ୍‌ ବଡ଼ମୂଳ ମଙ୍ଗାନାସୀଠାରେ ବନ୍ୟପ୍ରାଣୀ ବିଭାଗ ତରଫରୁ ଆରମ୍ଭ କରାଯାଇଥିବା ସାତକୋଶିଆ ପ୍ରାକୃତିକ ପରିବେଶ ପର୍ଯ୍ୟଟନ କେନ୍ଦ୍ରରେ ରହିଛି ୪ଟି ଶୀତତାପ ନିୟନ୍ତ୍ରିତ ତମ୍ବୁ କଟେଜ, ଓ ୩ଟି ଶୀତତାପ ନିୟନ୍ତ୍ରିତ କଟେଜ ଏବଂ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ରହିଛି ୧୨ଟି ସୁଇଚ୍‌କଟନ ଟେଣ୍ଟ। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଦେଶୀ ସ୍ବାଦିଷ୍ଟ ଖାଦ୍ୟ, ସାତକୋଶିଆ ଗଣ୍ଡରେ ନୌକାବିହାର ସମୟରେ କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀଙ୍କୁ ଦେଖିବାର ମଜା, ସନ୍ଧ୍ୟାରେ ଲୋକନୃତ୍ୟ, କ୍ୟାମ୍ପଫାୟାର, ଖେଳ ସୁବିଧା, ଲାଇବ୍ରେରୀ, ଜଙ୍ଗଲ ଟ୍ରେକିଂ, ସାଇକେଲିଂ ଓ ମହାନଦୀରେ ସୁରକ୍ଷିତ ସନ୍ତରଣ ବ୍ୟବସ୍ଥା ରହିଛି। ଏଥିସହ ଗତବର୍ଷ କ୍ୟାନୋପିଓ୍ବାକ ବା ଟ୍ରିଓ୍ବାକ୍‌ ଓଡ଼ିଶାରେ ପ୍ରଥମକରି ଏହି ପର୍ଯ୍ୟଟନ କେନ୍ଦ୍ରରେ କରାଯାଇଥିବା ବେଳେ ଚଳିତବର୍ଷ ଇକୋ ଭିଲେଜ୍‌ ମୁଖ୍ୟ ଆକର୍ଷଣ ପାଲଟିଛି। ପ୍ରତିଦିନ ଏଠାକୁ ବହୁସଂଖ୍ୟାରେ ରାଜ୍ୟ, ଦେଶ ଓ ଦେଶବାହାରୁ ବହୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି।
ପରିବେଶ ବିକାଶ ସମିତି କ’ଣ କରେ ସାରାଦିନ
ଇକୋ ଭିଲେଜ ମୁଦୁଲିଗାଡିଆ ଗ୍ରାମରେ କାର୍ଯ୍ୟ କରୁଥିବା ପରିବେଶ ବିକାଶ ସମିତିରେ ମୋଟ ୨୬ ଜଣ ସଭ୍ୟାସଭ୍ୟ ଅଛନ୍ତି। ସେଥି ମଧ୍ୟରୁ ୯ ଜଣ ମହିଳା ଥିବାବେଳେ ୧୭ ଜଣ ପୁରୁଷ ସଭ୍ୟ ରହିଛନ୍ତି। ଇଡିସିର ମହିଳା ସଭ୍ୟାମାନେ ସକାଳ ୫.୩୦ ମି.ରୁ ୬ଟା ପର୍ଯ୍ୟନ୍ତ ଗାଁର ପରିବେଶକୁ ସଫାସୁତରା କରନ୍ତି। ଇଡିସି କମିଟି ସଭ୍ୟାସଭ୍ୟଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ପ୍ରତି କଟେଜରେ ୨ ଜଣ ସଭ୍ୟାସଭ୍ୟ, ଡାଇନିଂରେ ଜଣେ, ଇକୋ ଗାଇଡ୍‌ରେ ଜଣେ ଓ ସୁପର ଭିଜନରେ ୩ ଜଣ ସଭ୍ୟାସଭ୍ୟ ନିୟୋଜିତ ହୋଇଥାନ୍ତି। ଦାୟିତ୍ୱରେ ଥିବା ଇଡିସି ସଭ୍ୟାସଭ୍ୟମାନେ ସକାଳ ୬.୩୦ମି.ରୁ ୭ଟା ମଧ୍ୟରେ କଟେଜର ସଫାସୁତୁରା କରନ୍ତି। କଟେଜ ଦାୟିତ୍ୱରେ ଥିବା ଇଡିସି ସଭ୍ୟାମାନେ ନିଜ ନିଜ ପର୍ଯ୍ୟଟକଙ୍କ ଚାହିଦା ମୁତାବକ ସେବା ଯୋଗାଇଥାନ୍ତି। ସେହିପରି ୨ ଜଣ ସଭ୍ୟ ଗେଟ୍‌ରେ ରହି ପର୍ଯ୍ୟଟକଙ୍କୁ ଫୁଲଚନ୍ଦନ ଦେଇ ସ୍ବାଗତ କରି ବୁକିଂ ହୋଇଥିବା କଟେଜରେ ପହଞ୍ଚାଇଥାନ୍ତି। ରାତି ୧୦ଟା ପରେ ମହିଳା ସଭ୍ୟାସଭ୍ୟମାନେ ପର୍ଯ୍ୟଟନ କେନ୍ଦ୍ରରୁ ନିଜ ଘରକୁ ଯାଇଥାନ୍ତି। ଇଡିସିର ସଭ୍ୟାସଭ୍ୟମାନେ ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ଓ ସେବା ଯୋଗାଇଥାନ୍ତି। ପର୍ଯ୍ୟଟକ ଏଠାରେ ପହଞ୍ଚିବାଠାରୁ ପର୍ଯ୍ୟଟନ କେନ୍ଦ୍ର ଛାଡିବା ପର୍ଯ୍ୟନ୍ତ ଉତ୍ତମଭାବେ ଦାୟିତ୍ୱ ସମ୍ପାଦନ କରିଥାନ୍ତି। ମହିଳା ଓ ପୁରୁଷ ସଭ୍ୟାସଭ୍ୟମାନଙ୍କ ମଧ୍ୟରେ ପ୍ରଭେଦ ନ ରଖି ପାରିଶ୍ରମିକ ଅର୍ଥକୁ ସମାନ ଭାବେ ବାଣ୍ଟି ନେଇଥାନ୍ତି। ମା’ ସାତଭଉଣୀ ଇଡିସିର ସୁପରିଚାଳନା ଓ ସେବା ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧିପାଇବାରେ ଲାଗିଛି।
ଏଠାକୁ କିପରି ଆସିବେ
ଭୁବନେଶ୍ୱରରୁ ବସ୍‌ ଯୋଗେ ବାଘମାରୀ କଣ୍ଟିଲୋ ରାସ୍ତାରେ ଭାୟା ଗଣିଆ ଦେଇ ଆସିବାକୁ ପଡ଼େ। ଭୁବନେଶ୍ୱରରୁ ଏହା ୧୧୮ କି.ମି. ଦୂର। ନୟାଗଡ଼ରୁ ଆସିଲେ ଦଶପଲ୍ଲା କିମ୍ବା ଖଣ୍ଡପଡ଼ା ଦେଇ ଗଣିଆ ପହଞ୍ଚିବା ପରେ ଭାୟା ଛାମୁଣ୍ଡିଆ ଦେଇ ଆସିବାକୁ ପଡ଼ିଥାଏ। ନୟାଗଡ଼ଠାରୁ ଏହା ୭୨ କି.ମି. ଦୂର ।
ସାତକୋଶିଆ ସ୍ୟାଣ୍ଡ ରିସର୍ଟରେ ରହଣି ପାଇଁ www.ecotourodisha.comରେ ବୁକିଂ କରିବାକୁ ପଡ଼ିଥାଏ।
ଲକ୍ଷ୍ୟ ଓ ଉଦ୍ଦେଶ୍ୟ
ଗ୍ରାମକୁ ଇକୋ ଭିଜେଜ୍‌ରେ ପରିଣତ କରିବା ଦ୍ୱାରା ଗଁାର ପରିବେଶ ସ୍ବଚ୍ଛ ନିର୍ମଳ ଓ ସୁନ୍ଦର ରହିବା ସହ ଗ୍ରାମବାସୀଙ୍କ ମନରେ ଏକତା ଓ ସମାନତା ଭାବ ସୃଷ୍ଟି ହେବ। ନିକଟରେ ଥିବା ସାତକୋଶିଆ ସ୍ୟାଣ୍ଡ ରିସର୍ଟ ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟକମାନେ ଇକୋ ଭିଲେଜ୍‌ ଦେଖିବା ପାଇଁ ଗଁାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇପାରିବେ। ଆବଶ୍ୟକ ବେଳେ ପର୍ଯ୍ୟଟକମାନେ ଇକୋ ଭିଲେଜ୍‌ରେ ରହିବା ସହ ଦେଶୀୟ ଖାଦ୍ୟ ମଧ୍ୟ ଖାଇପାରିବେ। ଯାହାଫଳରେ କି ଗ୍ରାମବାସୀଙ୍କ ରୋଜଗାର ବୃଦ୍ଧି ଘଟିବ। ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଗ୍ରାମବାସୀ ନିର୍ମାଣ କରିଛନ୍ତି। ପରେ ଅଞ୍ଚଳର ୩୬ଟି ଗ୍ରାମକୁ ଇକୋ ଭିଲେଜ୍‌ ଭାବେ ଗଢ଼ିତୋଳିବା ପାଇଁ ପ୍ରଚେଷ୍ଟା ରହିଛି ବୋଲି ପର୍ଯ୍ୟଟନ କେନ୍ଦ୍ରର ସାଇଡ ମ୍ୟାନେଜର ହରିହର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଓଡ଼ିଶାରେ ପ୍ରଥମ ଇକୋ ଭିଲେଜ୍‌ ହୋଇଥିବାରୁ ଏଠାକୁ ବହୁ ପର୍ଯ୍ୟଟକ ଦେଖିବା ପାଇଁ ଆସୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଇଡିସି ସଭାପତି ସୁମନ୍ତ କୁମାର ଦାଶ କୁହନ୍ତି,‘ସାତକୋଶିଆ ସ୍ୟାଣ୍ଡ ରିସର୍ଟ ଆମ ଗ୍ରାମର ପ୍ରତିଟି ପରିବାରକୁ ରୋଜଗାର ଦେଇଛି। ଏଥିସହ ପର୍ଯ୍ୟଟନ କେନ୍ଦ୍ର ଆୟରୁ ଗଁା କୋଠ ଫଣ୍ଡକୁ ଯାଉଥିବା ୧୦% ଅର୍ଥରେ ଆମେ ଇକୋଭିଲେଜ୍‌ କରିଛୁ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନାହିଁ।’ ଇଡିସିର ଆଉ ଜଣେ ସଭ୍ୟା ମଞ୍ଜୁଲତା ବେହେରା କୁହନ୍ତି, ଆମେ ମହିଳାମାନେ ଘରେ ବସିରହୁଥିଲୁ। କୌଣସି ରୋଜଗାର ମିଳୁ ନ ଥିଲା। ପର୍ଯ୍ୟଟନ କେନ୍ଦ୍ର ଯୋଗୁ ଆମ ଗଁାର ମହିଳାମାନେ ଏଠାରେ କାମ କରି ବେଶ୍‌ ରୋଜଗାର କରି ପରିବାର ପ୍ରତିପୋଷଣ କରିପାରିଛୁ। ପର୍ଯ୍ୟଟନ କେନ୍ଦ୍ରରୁ ଗଁା ଫଣ୍ଡକୁ ଯାଉଥିବା ୧୦% ଅର୍ଥରେ ଆମେ ଉନ୍ନତି କରିପାରିଛୁ। ସରକାରୀ ସହାୟତାକୁ ନିର୍ଭର ନ କରି ଆମେ ଏହି ଅର୍ଥରୁ ଗଁାର ଉନ୍ନତି କରିପାରିଛୁ।’
ଭିଲେଜ୍‌ ପାଇଁ ଗ୍ରାମବାସୀଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ। ଗ୍ରାମବାସୀ ତଥା ପରିବେଶ ବିକାଶ ସମିତିକୁ ମିଳୁଥିବା ୧୦ ପ୍ରତିଶତ ଅର୍ଥରେ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ ଗାଁକୁ ଆଜି ଓଡ଼ିଶାର ପ୍ରଥମ ଇକୋ ଭିଲେଜ କରି ଗଢିତୋଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri