ଆମାଜନ ନିଆଁ : ବିଶ୍ୱ ପାଇଁ ବିପଦ

ଡ. ଦେବାନନ୍ଦ ବେଉରା
ପୃଥିବୀର ବୃହତ୍ତମ ବୃଷ୍ଟିପୁଷ୍ଟ ଜଙ୍ଗଲ ଆମାଜନ ବର୍ତ୍ତମାନ ଜଳୁଛି। ସାରା ବିଶ୍ୱ ଏଥିପାଇଁ ଚିନ୍ତିତ। ଏତେ ବଡ଼ ଆମାଜନ ଜଙ୍ଗଲର ପ୍ରାୟ ୫୦ ପ୍ରତିଶତ ପ୍ରଚଣ୍ଡ ଅଗ୍ନିର ଆଁରେ କବଳିତ। ଦକ୍ଷିଣ ଆମେରିକାର ୪୦ ପ୍ରତିଶତ ଅଞ୍ଚଳକୁ ଘେରି ରହିଥିବା ଏହି ଜଙ୍ଗଲ ଯୁକ୍ତରାଷ୍ଟ୍ର ଆମେରିକା କ୍ଷେତ୍ରଫଳର ପ୍ରାୟ ଦୁଇତୃତୀୟାଂଶ ହେବ। କୁହାଯାଉଛି ଯେ ୨୦୧୩ ମସିହା ପରେ ଆମାଜନରେ ଜଙ୍ଗଲ ନିଆଁ ସର୍ବାଧିକ ରହିଛି, ଯାହା ପୂର୍ବବର୍ଷ ତୁଳନାରେ ୮୦ ପ୍ରତିଶତରୁ ଅଧିକ। ଏଥିସହିତ ୟୁରୋପୀୟ ସଂଘର ଉପଗ୍ରହ ‘କୋପରନିକସ୍‌’ ଦ୍ୱାରା ଆମାଜନ ଜଙ୍ଗଲ ନିଆଁର ତଥ୍ୟ ଆସିଛି। ସମଗ୍ର ବ୍ରାଜିଲ ସହିତ ପୂର୍ବ ଆଟଲାଣ୍ଟିକ ତଟ ପର୍ଯ୍ୟନ୍ତ ଧୂଆଁ ବ୍ୟାପୁଥିବା କଥା ଏହା ଦର୍ଶାଇଛି। ପାଖାପାଖି ବ୍ରାଜିଲର ଅର୍ଦ୍ଧାଧିକ ଅଞ୍ଚଳକୁ ଧୂମମୟ କରି ଏହା ପଡ଼ୋଶୀ ପେରୁ, ବଲିଭିଆ ଏବଂ ପାରାଗୁଏ ଆଡ଼କୁ ବ୍ୟାପିବା ଆରମ୍ଭ କରିଛି।
ଦକ୍ଷିଣ ଆମେରିକାର ୫.୫ ନିୟୁତ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ବିଶ୍ୱର ବୃହତ୍ତମ ଗ୍ରୀଷ୍ମମଣ୍ଡଳୀୟ ବୃଷ୍ଟିପୁଷ୍ଟ ଜଙ୍ଗଲ ଆମାଜନ ବିଶ୍ୱ ପରିବେଶକୁ ପରିପୁଷ୍ଟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ପ୍ରାକୃତିକ ଘାତ ପ୍ରତିଘାତ ସତ୍ତ୍ୱେ ଏହା ୫୫ ନିୟୁତ ବର୍ଷ ଧରି ନିଜର ସ୍ଥିତି ବଜାୟ ରଖିପାରିଛି। ପୃଥିବୀର ସର୍ବାଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତି ଏହିଠାରେ ଦେଖାଯାନ୍ତି। ବିଶ୍ୱରେ ପରିଚିତ ପ୍ରତି ଦଶଟି ମଧ୍ୟରୁ ଅନୂ୍ୟନ ଗୋଟିଏ ପ୍ରଜାତି ଆମାଜନ ଜଙ୍ଗଲରେ ବାସ କରୁଥିବା ଦେଖିବାକୁ ମିଳେ, ଯାହା ଏକ ଉତ୍କୃଷ୍ଟ ତଥା ଅସମାନ୍ତରାଳ ଜୈବବିବିଧତାର ପରିଚାୟକ। ପ୍ରତି ଦୁଇଦିନରେ ଏଠାରେ ଗୋଟେ ନୂଆ ଜୀବ ପ୍ରଜାତି ଆବିଷ୍କୃତ ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଅମ୍ଳଜାନ ଆମାଜନ ଜଙ୍ଗଲ ନିର୍ଗତ କରିଥାଏ। ଯେଉଁଥିପାଇଁ ତାକୁ ପୃଥିବୀର ଫୁସ୍‌ଫୁସ୍‌ କୁହାଯାଏ। କିନ୍ତୁ ବିଭିନ୍ନ ବାଟରେ ଜଙ୍ଗଲ କ୍ଷୟ ସାଙ୍ଗକୁ ଜଙ୍ଗଲ ନିଆଁ ଆମାଜନର ପରିସଂସ୍ଥାର ଅବକ୍ଷୟ କରିବା ସହିତ ବିଶ୍ୱ ପରିବେଶକୁ ବିପଦ ପହଞ୍ଚାଇ ଚାଲିଛି।
ଆମାଜନ ଜଙ୍ଗଲ ଅଙ୍ଗାରକାମ୍ଳ ବାଷ୍ପର ଏକ ବଡ଼ ଶୋଷକ ଭାବେ ପରିଚିତ। ଜୀବାଶ୍ମ ଜାଳେଣି ଯଥା କୋଇଲା, ପେଟ୍ରୋଲିୟମ୍‌ ଏବଂ ପ୍ରାକୃତିକ ଗ୍ୟାସ୍‌ର ଦହନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳକୁ ଶୋଷଣ କରି ଏହା ପରିବେଶକୁ ବିଶୁଦ୍ଧ ରଖିବାରେ ସାହାଯ୍ୟ କରିଥାଏ। ଆଲୋକଶ୍ଳେଷଣ ପ୍ରକ୍ରିୟାରେ ପ୍ରଚୁର ଅଙ୍ଗାରକାମ୍ଳକୁ ବ୍ୟବହାର କରି ବୃକ୍ଷଲତା ବଢ଼ିବା ସହିତ ଜୀବନରକ୍ଷାକାରୀ ଅମ୍ଳଜାନ ନିର୍ଗତ କରିଥାନ୍ତି। ପ୍ରତ୍ୟକ୍ଷ ଭାବେ ଏହି ସୁବିସ୍ତୃତ ବୃଷ୍ଟିପୁଷ୍ଟ ଜଙ୍ଗଲ ବିଶ୍ୱତାପନକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଶ୍ୱ ବନ୍ୟପ୍ରାଣୀ ପାଣ୍ଠିର କହିବା କଥା ହେଉଛି ସାମ୍ପ୍ରତିକ ଜଙ୍ଗଲ ନିଆଁ ପୂର୍ବରୁ ଅନ୍ୟ ବାଟରେ ଜଙ୍ଗଲ କ୍ଷୟ ପାଇଁ ଆମାଜନ ବାର୍ଷିକ ଭିତ୍ତିରେ ପ୍ରାୟ ୫୦୦ ନିୟୁତ ଟନ୍‌ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ଅବଶୋଷଣ କରିଥାଏ। ନିଆଁର ଆଁକୁ ଆସିଯିବା ପରେ ଏହି ଜଙ୍ଗଲ ଅଙ୍ଗାରକାମ୍ଳର ଶୋଷକ ହେବା ପରିବର୍ତ୍ତେ ଉତ୍ପନ୍ନର ଏକ ବଡ଼ ଉତ୍ସ ହେବାରେ ଲାଗିଛି। ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ପୃଥିବୀର ଯିଏ ରକ୍ଷାକବଚ ସାଜି ଆସିଥିଲା ତାହା ଏବେ ଅତ୍ୟଧିକ ଅଙ୍ଗାରକାମ୍ଳ ଗ୍ୟାସ୍‌ ଛାଡ଼ି ଜଳବାୟୁ ସନ୍ତୁଳନ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି।
ଆମାଜନ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଏଠାକାର କୃଷକ ଏବଂ ଗୋପାଳନ ଫାର୍ମମାନଙ୍କୁ ଦାୟୀ କରାଯାଇଛି। କୃଷି ଏବଂ ଗୋପାଳନ ପାଇଁ ଆବଶ୍ୟକ କ୍ଷେତ୍ର ଯୋଗାଡ଼ରେ ଏମାନେ ଜଙ୍ଗଲ ସଫା କରନ୍ତି, ଯେଉଁଥିରେ ନିଆଁ ଲଗେଇ ଜଙ୍ଗଲ ପୋଡ଼ିକୁ ଆପଣେଇଥାନ୍ତି। ବର୍ତ୍ତମାନ ସେଠାରେ ସବୁଜିମା ଶୁଷ୍କ ଥିବାରୁ ସେମାନଙ୍କ ପାଇଁ ଏବେ ନିଆଁ ଲଗେଇବାର ଉତ୍କୃଷ୍ଟ ସମୟ। ଜଙ୍ଗଲ ସଫାକରି ଗୋଚାରଣ ଭୂମି ସୃଷ୍ଟି କରିବା ସେମାନଙ୍କର ଉଦ୍ଦେଶ୍ୟ। ଆଇଏନ୍‌ପିଇର ବରିଷ୍ଠ ବୈଜ୍ଞାନିକ ଆଲବର୍ଟ ସେଜରଙ୍କ କହିବା ଅନୁସାରେ ୯୯ ପ୍ରତିଶତ ଜଙ୍ଗଲ ନିଆଁ ମନୁଷ୍ୟକୃତ। ଉଦ୍ଦେଶ୍ୟମୂଳକ ଭାବେ ହେଉ କିମ୍ବା ଦୁର୍ଘଟଣାଜନିତ ଉଭୟ କ୍ଷେତ୍ରରେ ମଣିଷ ଅଭିଯୁକ୍ତ। କ୍ଷୁଦ୍ର କୃଷି ପାଇଁ ହେଉ ବା ଯାନ୍ତ୍ରିକ ତଥା ଆଧୁନିକ କୃଷିଭିତ୍ତିକ ବାଣିଜ୍ୟ ପ୍ରୋଜେକ୍ଟ ପାଇଁ ଜଙ୍ଗଲ ହଜିଯାଉଛି ନିଆଁର କରାଳ ଗର୍ଭରେ। ଗୋମାଂସର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଗୋପାଳନ ଫାର୍ମଗୁଡିକ ସମ୍ପ୍ରସାରିତ ହେବା ସହିତ ଚାରଣଭୂମି ପାଇଁ ଜଙ୍ଗଲ ସଫାର ମାଧ୍ୟମ ସାଜିଛି ଜଙ୍ଗଲ ନିଆଁ। ଏଣେ ଗୋସମ୍ପଦ ସମୁଦାୟ ପଶୁସମ୍ପଦ ନିର୍ଗତ କରୁଥିବା ସବୁଜଗୃହ ବାଷ୍ପ ମିଥେନର ୪୧ ପ୍ରତିଶତ ନିର୍ଗମନ କରନ୍ତି, ଯାହା ବିଶ୍ୱ ସମୁଦାୟ ମିଥେନ ନିର୍ଗମନର ୧୪.୫ ପ୍ରତିଶତ। ଏହି ପରିପ୍ରେକ୍ଷୀରେ ଆମାଜନ ଜଙ୍ଗଲରେ ନିଆଁ ପରୋକ୍ଷରେ ଗୋମାଂସ ଭକ୍ଷଣର ଚାହିଦା ବୃଦ୍ଧି ଯୋଗୁ ଘଟୁଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏଥିସହିତ କାଠମାଫିଆ, ଜମିମାଫିଆ ଓ ବେଆଇନ ଭାବେ ଜଙ୍ଗଲ ସଫାକରି କୃଷିଖେତ ସୃଷ୍ଟି କରିବାର ମାନସିକତା ଜଙ୍ଗଲ କ୍ଷୟକୁ ବିସ୍ଫୋରକ ସ୍ଥିତିକୁ ଠେଲିଦେଇଛି।
ପୃଥିବୀର କୋଣ ଅନୁକୋଣରେ ସଂଘଟିତ ହେଉଥିବା ପରିବେଶ ପରିପନ୍ଥୀ ପ୍ରକ୍ରିୟା ବିଶ୍ୱ ଜଳବାୟୁ ପରିବର୍ତ୍ତନ ପାଇଁ ଖୋରାକ ଯୋଗାଇ ଚାଲିଛି। ଏଣୁ ବିଶ୍ୱ ସମୁଦାୟ ୟାକୁ ଅଣଦେଖା କରିବାର ଅବକାଶ ଆଉ ନାହିଁ। ଆମାଜନ ପରି ବୃହତ୍‌ ଜଙ୍ଗଲ ପ୍ରଚଣ୍ଡ ଅଗ୍ନିର ଆଁକୁ ଠେଲି ହୋଇଯାଇଛି, ଯାହା ଜଙ୍ଗଲ କ୍ଷୟ, ଉତ୍ତାପ ବୃଦ୍ଧି, ଧୂମବଳୟ ପରିବ୍ୟାପ୍ତି ପରି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ବିଶ୍ୱ ଜଳବାୟୁ ପାଇଁ ଏହା ସଦ୍ୟତମ ବିପଦ ଭାବେ ଉଭା ହୋଇଛି। ବ୍ରାଜିଲ ସମେତ ସମଗ୍ର ବିଶ୍ୱବାସୀ ଏହାର ନିରାକରଣ ନିମିତ୍ତ ଏକମନ, ଏକପ୍ରାଣ ହୋଇ ଆଗେଇ ନ ଆସିଲେ ଭବିଷ୍ୟତ ପାଇଁ ଏହା ମରଣାନ୍ତକ ସାଜିବ।
ବିଭାଗୀୟ ମୁଖ୍ୟ, ଭୂତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ମୋ-୯୮୬୮୨୮୩୪୭୨


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri