କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ପଞ୍ଚାୟତର ଯୋଲକୋ ଗ୍ରାମ ନିକଟରେ ପ୍ରବାହିତ ନଦୀରେ ରହିଛି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଗତ ୨୦୧୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦଘାଟନ ହୋଇଥିଲା। ଏହା ଲଇତରା,ଜୋଲକୋ, କରଳାଭା ତିନି ଗ୍ରାମର ପ୍ରାୟ ୧୦୫୦ ଏକର ଜମିକୁ ଜଳସେଚନ ପାଇଁ ବ୍ୟବସ୍ଥା କରା ଯାଇଥିଲା। କିନ୍ତୁ ଲଇତରା ପଞ୍ଚାୟତ ଅଞ୍ଚଳର ଚାଷୀମାନଙ୍କ ଜମିକୁ ଜଳସେଚନର ସୁବିଧା ପାଇଁ ଏହି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପୂର୍ବ ସରକାର ପକ୍ଷରୁ କରାଯାଇଥିଲା l
ତେବେ ରେତ ନଦୀଟି ଚିରସ୍ରୋତାବିହୀନ ହେତୁ ରବି ଋତୁ ସମୟରେ ଏହି ପ୍ରକଳ୍ପ ଚାଲୁ ନ ଥିଲା l ବିଶେଷ କରି ବର୍ଷା ଋତୁରେ ଚାଲୁରହୁଥିଲା l ଯଦ୍ୱାରାକି ଚାଷୀମାନଙ୍କ ଗଡାନିଆ ଜମି ମାନଙ୍କରେ ପାଣି ମଡ଼ାଇବା ପାଇଁ କାମରେ ଆସୁଥିଲା l ଏଥିପାଇଁ ଚାଷୀମାନେ ଉପକୃତ ମଧ୍ୟ ହେଉଥିଲେ l ଚଳିତ ବର୍ଷ ଖରିଫ ଋତୁ ସମୟ ହୋଇଥିଲେ ବି ଏହି ପ୍ରକଳ୍ପ ଚାଳୁ ନ ହୋଇ ବନ୍ଧହୋଇ ପଡ଼ିଥିଲା l ଏଣୁ ଚାଷୀମାନଙ୍କ ବର୍ତ୍ତମାନ ଧାନରେ ସାର ପ୍ରୟୋଗ ସହ ରୁଆ,ବେଉଷଣ କାର୍ଯ୍ୟ ଅଟକି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l
ପାଞ୍ଚ ବର୍ଷ ହେଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପରୁ ଚାଷୀମାନେ ନିଜର ଚାଷ ଜମିକୁ ଜଳସେଚନ କରିପାରୁଥିଲେ। ପ୍ରକଳ୍ପ ନିର୍ମାଣ କାମ କରିଥିବା ସମ୍ପୃକ୍ତ କମ୍ପାନୀର ପାଞ୍ଚ ବର୍ଷ ମିଆଦ ପୁରିଗଲା ପରେ ତାହାର ରକ୍ଷଣାବେକ୍ଷଣା ପାଇଁ ବର୍ତ୍ତମାନ ଅନ୍ୟ କୈାଣସି କମ୍ପାନୀ ଦାୟିତ୍ବ ନେବା ପାଇଁ ଆସି ନାହାନ୍ତି। ଯଦ୍ୱାରା ପ୍ରକଳ୍ପ ଏବେ ଅଚଳ ହୋଇପଡିଛି ଏବଂ ବର୍ତ୍ତମାନ କିପରି ତାହା କାର୍ଯ୍ୟକ୍ଷମ ହେବ। ସେନେଇ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ କହି ପାରୁନାହାନ୍ତି ବୋଲି ଲଇତରା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ପାଣି ପଞ୍ଚାୟତ ମହଲରେ ଅଭିଯୋଗ ପ୍ରକାଶ ପାଉଛି । ପ୍ରକଳ୍ପର ବିଭିନ୍ନ ସମସ୍ୟାକୁ ନେଇ ଚାଷୀ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକଳ୍ପର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କିପରି ଓ କେବେ ହେବ ଏବଂ ସରକାର ପ୍ରକଳ୍ପକୁ ସ୍ବୀକୃତି ପ୍ରାପ୍ତ କମ୍ପାନୀ ଦ୍ବାରା କେବେ ସୁଚାରୁରୂପେ ପରିଚାଳନା କରିବେ ସେ ବିଷୟରେ ଚାଷୀମାନଙ୍କ ପକ୍ଷରୁ କିଛିଦିନ ତଳେ ସମ୍ପୃକ୍ତ ବିଭାଗ ଠାରେ ଦୃଷ୍ଟି ଆକର୍ଷଣ କରାଯାଇଥିବା ସୂଚନା ମିଳିଛି।
ଅପରପକ୍ଷେ ଏହି ମେଗା ପ୍ରୋଜେକ୍ଟ ଚାଳୁ ନ ହୋଇ ମଧ୍ୟ ବିଦ୍ୟୁତ ବିଲ ଅଯଥାରେ ବିଲ ପୈଠ କରାଯାଉଛି l ବର୍ତ୍ତମାନ ଖରିଫ ଋତୁ ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପର ପାଇପ ଲାଇନ ଗୁଡିକ କିପରି ଯଥାଶୀଘ୍ର ମରାମତି କାମ ହୋଇପାରିବ ଓ ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଲଇତରା ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତର ସଭାପତି ଓ ସଦସ୍ୟଙ୍କ ପକ୍ଷରୁ ଦାବି ହେଉଛି । ଏ ସଂକ୍ରାନ୍ତରେ ଦାୟିତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କୁ ପଚାରିବାରୁ କିଛି ଦିନ ପରେ ମରାମତି କରାଯିବ ବୋଲି ପ୍ରକାଶ କରିଥିଲେ।


