ଇଂଲଣ୍ଡଠାରୁ ହାରିଲା ଭାରତ


ଭୁବନେଶ୍ୱର, ୩।୧୨(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ୱାଲର୍‌ଡ ଲିଗ୍‌ ଫାଇନାଲର ଶନିବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଇଂଲଣ୍ଡଠାରୁ ଭାରତ ହାରିଯାଇଛି। ଏକଦା ୦-୨ରେ ପଛୁଆ ରହି ସଫଳ ପ୍ରତ୍ୟାବର୍ତ୍ତନ କରିଥିବା ଭାରତ ଶେଷ ମୁହୂର୍ତ୍ତ ଗୋଲ ବରଣ ଯୋଗୁ ୨-୩ ଗୋଲରେ ପରାଜିତ ହୋଇଛି। ଶୁକ୍ରବାର ଏହାର ପ୍ରଥମ ମ୍ୟାଚରେ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ କଡା ଟକ୍କର ଦେଇ ୧-୧ରେ ମ୍ୟାଚ ଡ୍ର ରଖିଥିବା ଭାରତ କିନ୍ତୁ ପ୍ରଥମ ତିନୋଟି କ୍ବାର୍ଟରରେ ଦକ୍ଷତା ଅନୁସାରେ ଖେଳିପାରି ନ ଥିଲା। ଶେଷ କ୍ବାର୍ଟରରେ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ବିଜୟ ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଟୁର୍ନାମେଣ୍ଟରେ ଭାରତର ଏହା ପ୍ରଥମ ପରାଜୟ। ଅନ୍ୟପକ୍ଷରେ ନିଜ ପ୍ରଥମ ମ୍ୟାଚରେ ଜର୍ମାନୀଠାରୁ ୦-୨ ଗୋଲରେ ହାରିଥିବା ଇଂଲଣ୍ଡ ଏହି ମ୍ୟାଚରେ ଘରୋଇ ଭାରତକୁ ହରାଇ ମନୋବଳ ଦୃଢ଼ କରିଛି। ଭାରତର ହରମନପ୍ରୀତ ସିଂ ଜୁନିୟର ପ୍ଲେୟର ଅଫ ଦି ମ୍ୟାଚ ଏବଂ ଇଂଲଣ୍ଡର ସାମ୍‌ ୱାର୍ଡ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ପ୍ରଥମ ମ୍ୟାଚ ହାରି ଚାପରେଥିବା ଇଂଲଣ୍ଡ କିନ୍ତୁ ଏହି ମ୍ୟାଚରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିଥିଲା। ଷ୍ଟାଡିୟମଭରା ଦର୍ଶକଙ୍କ ସମର୍ଥନ ସତ୍ତ୍ବେ ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ପ୍ରଥମ କ୍ବାର୍ଟରରେ କୌଣସି ଦଳ ଗୋଲଦେଇ ପାରି ନ ଥିଲେ। ଦ୍ୱିତୀୟ କ୍ବାର୍ଟରରେ ଅଗ୍ରଣୀ ପାଇଁ ଉଦ୍ୟମ ଭିତରେ ୨୫ତମ ମିନିଟରେ ଇଂଲଣ୍ଡ ପାଇଁ ସୁଯୋଗ ଆସିଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ନରରୁ ଗୋଲ ହୋଇପାରି ନ ଥିଲେ ହେଁ ବଲ୍‌ ଗୋଲପୋଷ୍ଟରୁ ବାହାରି ଆସୁଥିବାବେଳେ ଡେଭିଡ ଗୁଡ୍‌ଫିଲ୍ଡ ଚତୁରତାର ସହ ତାହାକୁ ଗୋଲରେ ପରିଣତ କରିଥିଲେ। ଏହି ଫିଲ୍ଡଗୋଲ ବଳରେ ଇଂଲଣ୍ଡ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୧-୦ରେ ଅଗ୍ରଣୀଲାଭ କରିଥିଲା। ତୃତୀୟ କ୍ବାର୍ଟରରେ ଅର୍ଥାତ ମ୍ୟାଚର ୪୨ତମ ମିନିଟରେ ସାମ୍‌ ୱାର୍ଡ ଏକ ଫିଲ୍ଡ ଗୋଲଦେଇ ଇଂଲଣ୍ଡର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇବା ସହ ଭାରତ ଉପର ଚାପ ପ୍ରୟୋଗ କରିଥିଲେ। ୪୩ତମ ମିନିଟରେ ଭିଡିଓ ରେଫରାଲ ଆବେଦନ କରି ପେନାଲ୍ଟି କର୍ନର ପାଇଥିବା ଭାରତ କିନ୍ତୁ ସୁଯୋଗର ସଦୁପଯୋଗ କରିପାରି ନ ଥିଲା। ରୂପିନ୍ଦର ପାଲ ସିଂଙ୍କ ଶଟ୍‌କୁ ସହଜରେ ଇଂଲଣ୍ଡ ଗୋଲକିପର ସେଭ୍‌ କରି ଦେଇଥିଲେ। ଶେଷ କ୍ବାର୍ଟରରେ କିନ୍ତୁ ଅସଲ ଖେଳ ହୋଇଥିଲା। ୪୭ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ରୂପିନ୍ଦର ଗୋଲରେ ପରିଣତ କରିପାରି ନ ଥିଲେ ହେଁ ଆକାଶଦୀପ ସିଂ ଗୋଲ କରି ମ୍ୟାଚରେ ଉଷ୍ମତା ଭରିଥିଲେ। ୫୦ତମ ମିନିଟରେ ରୂପିନ୍ଦର ଗୋଲ ଦେବାରେ ସକ୍ଷମ ହେବାରୁ ସ୍କୋର ୨-୨ରେ ପହଞ୍ଚତ୍ଥିଲା। ମାତ୍ର ଭାରତର ଏହି ଖୁସି ଶେଷ ପର୍ଯ୍ୟନ୍ତ ତିଷ୍ଠିପାରି ନ ଥିଲା। ୫୭ତମ ମିନିଟରେ ସାମ୍‌ ୱାର୍ଡ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରି ଇଂଲଣ୍ଡ ବିଜୟ ସମ୍ଭାବନାକୁ ବଢ଼ାଇ ଦେଇଥିଲେ। ଅବଶିଷ୍ଟ ୩ ମିନିଟର ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଭାରତ ଗୋଲଟି ପରିଶୋଧ କରିପାରି ନ ଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri