ଦ୍ୱିତୀୟ ଦିବସରେ ୧୭ ଉଇକେଟର ପତନ


ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)- କିଟ୍‌ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ବମ୍ବେ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ନିର୍ଣ୍ଣାୟକ ମୋଡ଼ ନେଇଛି। ଗୋଟିଏ ଦିନର ଖେଳପରେ ପିଚ୍‌ ଆଶ୍ଚର୍ଯ୍ୟଜନକଭାବେ ବୋଲରଙ୍କୁ ସହାୟକ ହୋଇଛି। ଫଳରେ ଗୁରୁବାର ଦ୍ୱିତୀୟ ଦିବସରେ ୧୭ଟି ଉଇକେଟର ପତନ ଘଟିଛି। ବମ୍ବେ ପ୍ରଥମ ଇନିଂସରେ ୨୮୯ ରନରେ ଅଲଆଉଟ ହୋଇଥିବାବେଳେ ଓଡ଼ିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୪୫ ରନରେ ସୀମିତ ରହିଛି। ଦ୍ୱିତୀୟ ଦିନ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ବମ୍ବେ ଦ୍ୱିତୀୟ ଇନିଂସରେ ୫୮ ରନ ମଧ୍ୟରେ ୩ଟି ଉଇକେଟ ହରାଇଛି। ଖେଳ ଆହୁରି ଦୁଇଦିନ ବାକିଥିବାରୁ ମ୍ୟାଚରୁ ଫଳାଫଳ ମିଳିବା ଏକପ୍ରକାର ନିଶ୍ଚିତ ହୋଇ ଯାଇଛି। ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୬୪/୬ରୁ ଖେଳ ଆରମ୍ଭ କରିଥିବା ବମ୍ବେ ଦ୍ୱିତୀୟ ଦିବସ ସକାଳେ ଆଉ ୨୫ ରନ ଯୋଗ କରି ଅବଶିଷ୍ଟ ୪ଟି ଉଇକେଟ ହରାଇଥିଲା। ଅଧିନାୟକ ଆଦିତ୍ୟ ତାରେ ୩୨ ରନ କରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ବଲ୍‌ରେ ଆଉଟ ହୋଇଥିବାବେଳେ ଆକାଶ ପାର୍କର ୧୩, ଧାଓ୍ବଲ କୁଲକର୍ନୀ ୧ ଓ ଶାର୍ଦ୍ଦୁଳ ଠାକୁର ୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ବସନ୍ତ ମହାନ୍ତି ସର୍ବାଧିକ ୪ଟି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ବିପ୍ଳବ ସାମନ୍ତରାୟ ୨ଟି ଲେଖାଏ ଏବଂ ଧୀରାଜ ସିଂ ଗୋଟିଏ ଉଇକେଟ ନେଇଥିଲେ। ଓଡ଼ିଶା ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ଧାଓ୍ବଲ କୁଲକର୍ନୀ ଓ ଶାର୍ଦ୍ଦୁଳ ଠାକୁର ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଏପରିକି ଦଳର ସ୍କୋରବୋର୍ଡରେ ରନ ଉଠିବା ପୂର୍ବରୁ ୩ ଜଣ ଖେଳାଳି ଆଉଟ ହୋଇ ସାରିଥିଲେ। ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା ଓ ଶୁଭ୍ରାଂଶୁ ସେନାପତି ଡକ୍‌(୦)ରେ ଆଉଟ ହୋଇଥିଲେ। ଫଳରେ ଓଡ଼ିଶା ସ୍କୋର ୦/୩ ହୋଇ ଯାଇଥିଲା। ଅଧିନାୟକ ଗୋବିନ୍ଦ ପୋଦ୍ଦାର ମଧ୍ୟ ୨ ରନରେ ଆଉଟ ହେବାରୁ ୩ ଓଭର ମଧ୍ୟରେ ମାତ୍ର ୨ ରନରେ ଓଡ଼ିଶା ୪ର୍ଥ ଉଇକେଟ ହରାଇଥିଲା। ଏଠାରେ ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ଶାନ୍ତନୁ ମିଶ୍ର ଓ ବିପ୍ଳବ ସାମନ୍ତରାୟ ସତର୍କତାର ସହ ବମ୍ବେ ବୋଲିଂର ମୁକାବିଲା କରି ଓଡ଼ିଶାକୁ ଲଜ୍ଜାଜନକ ସ୍ଥିତିରୁ ମୁକୁଳାଇଥିଲେ। ୫ମ ଉଇକେଟରେ ୯୩ ରନର ଭାଗୀଦାରି ପରେ ଶାନ୍ତନୁ ବ୍ୟକ୍ତିଗତ ୩୬ ରନକରି ଆଉଟ ହୋଇଥିଲେ। ୧୪୯ ମିନିଟ କ୍ରିଜରେ ରହିଥିବା ଶାନ୍ତନୁ ୯୫ଟି ବଲ୍‌ର ସମ୍ମୁଖୀନ ହୋଇ ନିଜ ଇନିଂସ ମଧ୍ୟରେ ୬ ଚୌକା ମାରିଥିଲେ। ଉଇକେଟ କିପର ସୌରଭ ରାଓ୍ବତ (୦) ଖାତା ଖୋଲିବା ପୂର୍ବରୁ ବିଜୟ ଗୋହିଲଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇଥିଲେ। ଶେଷଭାଗରେ ଦୀପକ ବେହେରା ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ ହେଁ ବସନ୍ତ ମହାନ୍ତି (୦), ସୂର୍ଯ୍ୟକାନ୍ତ ପ୍ରଧାନ(୪) ଓ ଧୀରାଜ ସିଂ(୦)ଙ୍କ ବିଫଳତା ଯୋଗୁ ଓଡ଼ିଶା ୫୦.୫ ଓଭରରେ ୧୪୫ ରନରେ ଅଲଆଉଟ ହୋଇ ଯାଇଥିଲା। ଦଳର ୬ ଜଣ ବ୍ୟାଟ୍ସମ୍ୟାନ ଡକ୍‌(୦)ରେ ଆଉଟ ହୋଇଥିଲେ। ୨୨୧ ମିନିଟ କ୍ରିଜରେ କଟାଇଥିବା ଅଭିଜ୍ଞ ବିପ୍ଳବ ସାମନ୍ତରାୟ ୧୨୯ ବଲ୍‌ର ସମ୍ମୁଖୀନ ହୋଇ ୧୦ ଚୌକା ସହାୟତାରେ ସର୍ବାଧିକ ୭୨ ରନ କରି ଅପରାଜିତ ରହିଥିଲେ। ବମ୍ବେ ପକ୍ଷରୁ ଅଭିଷେକ ନାୟାର ଓ ଗୋହିଲ ୩ଟି ଲେଖାଏ ଏବଂ ଧାଓ୍ବଲ ଓ ଶାର୍ଦ୍ଦୁଳ ୨ଟି ଲେଖାଏ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ୧୪୪ ରନରେ ଅଗ୍ରଣୀଲାଭ କରିଥିବା ବମ୍ବେ ଦ୍ୱିତୀୟ ଇନିଂସ ଆରମ୍ଭରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୩୬ ଥିବାବେଳେ ଅଖିଳ ହେରଓ୍ବାଦକର ୩ ରନ କରି ରନ ଆଉଟ ହୋଇଥିଲେ। ଅଜିଙ୍କ୍ୟ ରାହାନେ ଖାତା ଖୋଲିବା ପୂର୍ବରୁ ବସନ୍ତ ମହାନ୍ତିଙ୍କ ବଲ୍‌ରେ ଏଲବିଡବଲ୍ୟୁ ଆଉଟ ହୋଇଥିଲେ। ଦ୍ରୁତ ଖେଳିଥିବା ପୃଥ୍ବୀ ଶ’ ୪୫ ବଲ୍‌ରୁ ୪୬(୭ ଚୌକା) ରନ କରିଥିବାବେଳେ ଦୀପକ ବେହେରାଙ୍କ ବଲ୍‌ରେ ବିପ୍ଳବଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ସୂର୍ଯ୍ୟକୁମାର ଯାଦବ ୯ ଓ ନାଇଟ ଓ୍ବାଚ୍‌ମ୍ୟାନ ଧାଓ୍ବଲ କୌଣସି ରନ ନ କରି ଅପରାଜିତ ରହିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ଓ ଦୀପକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri