ଆଉଚ୍(ଫ୍ରାନ୍ସ),୧୭ା୭: ୧୯ ବର୍ଷୀୟ ଇଟାଲିଆନ ସାଇକ୍ଲିଷ୍ଟ ସାମୁଏଲ ପ୍ରିଭିଟେରା ଟୁର ଅଫ୍ ଦି ଆଓଷ୍ଟେ ଭ୍ୟାଲି-ମଣ୍ଟ ବ୍ଲାଙ୍କ ବେଳେ ସାଇକେଲରୁ ଖସି ପ୍ରାଣ ହରାଇଛନ୍ତି। ଏ ନେଇ ଇଟାଲିଆନ ସାଇକ୍ଲିଂ ଫେଡେରେଶନ ପକ୍ଷରୁ ଗୁରୁବାର କୁହାଯାଇଛି।
ଅନୁଷ୍ଠିତ ରେସ୍ର ପ୍ରଥମ ପର୍ଯ୍ୟାୟ ବେଳେ ଉତ୍ତର-ପଶ୍ଚିମ ଇଟାଲୀରେ ଫ୍ରାନ୍ସ ଓ ସୁଇଜରଲାଣ୍ଡ ସୀମା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରିଭିଟେରା ହାଗେନ୍ସ ବର୍ତ୍ତମାନ ଜାୟକୋ ଦଳ ଲାଗି ରାଇଡ୍ କରୁଥିଲେ। ରେସ୍ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ, କେଉଁଭଳି ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପବ୍ଲିକ ସେଫ୍ଟି ଅଥରିଟି ଘଟଣାର ତଦନ୍ତ କରୁଛନ୍ତି।
ତେବେ ଏକ ଇଟାଲିଆନ ରିପୋର୍ଟ ମୁତାବକ, ପ୍ରିଭିଟେରା ଫିନିଶ୍ ଲାଇନଠାରୁ ପାଖାପାଖି ୩୫ କିମି ଦୂରରେ ପାହାଡରୁ ଖସିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ବେଳେ ତାଙ୍କର ବେଗ ଘଣ୍ଟା ପ୍ରତି ୭୦ କିମି ଥିଲା। ଦୁର୍ଘଟଣା ବେଳେ ତାଙ୍କ ପାଖରେ ହେଲମେଟ ନ ଥିଲା ବୋଲି ଏଥିରେ ଦର୍ଶାଯାଇଛି। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଘଟଣା ଯୋଗୁ ଆୟୋଜକଙ୍କ ପକ୍ଷରୁ ଟୁର ଅଫ୍ ଭ୍ୟାଲି ଡି’ଆଓଷ୍ଟାର ଦ୍ୱିତୀୟ ପର୍ଯ୍ୟାୟକୁ ବାତିଲ କରି ଦିଆଯାଇଥିଲା ଏବଂ ଶୁକ୍ରବାର ତୃତୀୟ ପର୍ଯ୍ୟାୟ ପ୍ରି ସେଣ୍ଟ ଡିଡିଅରରୁ କୋଲ ଡୁ ଗ୍ରାନ ସାନ ବର୍ନାଡୋ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।


