ଭାରତରେ ବ୍ୟବସାୟ ଆଶା କମ୍‌


ନୂଆଦିଲ୍ଲୀ,୮-୧୧(ପି.ଟି.)-ଭାରତୀୟ ଅର୍ଥନୀତି ବର୍ତ୍ତମାନ ବହୁ ପଛରେ ପଡିଯାଇଛି। ଗ୍ରାଣ୍ଟ ଥର୍ନଟନ୍‌ର ଇଣ୍ଟର୍‌ନ୍ୟାଶ୍‌ନାଲ ବିଜ୍‌ନେସ୍‌ ରିପୋର୍ଟ(ଆଇବିଆର୍‌)ରୁ ଏହା ସ୍ପଷ୍ଟ ହୋଇଛି। ଗ୍ରାଣ୍ଟ ଥର୍ନଟନ୍‌ ଯୁକ୍ତରାଷ୍ଟ୍ର ଆମେରିକାଭିତ୍ତିକ ଏକ ସଂସ୍ଥା, ଯାହାକି ଘରୋଇ, ସାର୍ବଜନୀନ ଏବଂ ସରକାରୀ କମ୍ପାନୀଗୁଡିକୁ ବୀମା, ଟିକସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପରାମର୍ଶ ପ୍ରଦାନ କରିଥାଏ। ଏହା ପକ୍ଷରୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରଗୁଡିକୁ ନେଇ ଏକ ତାଲିକା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ବଜାରଗୁଡିକର ବିଜ୍‌ନେସ୍‌ ଅପ୍ଟିମିଜମ୍‌ ଦୃଷ୍ଟିରୁ ସେମାନଙ୍କୁ ର଼୍ୟାଙ୍କ ପ୍ରଦାନ କରାଯାଇଛି। ବିଭିନ୍ନ ରାଷ୍ଟ୍ରରେ କମ୍ପାନୀଗୁଡିକ ଆସନ୍ତା ୧୨ ମାସ ପାଇଁ କିଭଳି ବ୍ୟବସାୟିକ ଆଶା ରଖିଛନ୍ତି ତାହାକୁ ଅନୁଧ୍ୟାନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆସନ୍ତା ୧୨ ମାସ ପାଇଁ ଭାରତୀୟ କମ୍ପାନୀଗୁଡିକର ବ୍ୟବସାୟିକ ଆଶା ଅତ୍ୟନ୍ତ କମ୍‌ ରହିଛି। ଉକ୍ତ ଦୃଷ୍ଟିକୋଣରୁ ସେପ୍ଟେମ୍ବର ତ୍ରୈମାସ ପାଇଁ ପ୍ରସ୍ତୁତ ଏହି ବିଜ୍‌ନେସ୍‌ ଅପ୍ଟିମିଜମ୍‌ ତାଲିକାରେ ଭାରତ ସପ୍ତମ ସ୍ଥାନକୁ ଖସିଆସିଛି। ଏହାର ପୂର୍ବ ତ୍ରୈମାସରେ ଏହା ଦ୍ୱିତୀୟ ସ୍ଥାନରେ ଥିଲା। ତେବେ ତାଲିକାରେ ଇଣ୍ଡୋନେସିଆ ପ୍ରଥମ ସ୍ଥାନରେ ଥିବାବେଳେ ଫିନ୍‌ଲାଣ୍ଡ ଦ୍ୱିତୀୟ, ନେଦର୍‌ଲାଣ୍ଡ ତୃତୀୟ, ଫିଲିପାଇନ୍ସ ଚତୁର୍ଥ, ଅଷ୍ଟ୍ରିଆ ପଞ୍ଚମ ଏବଂ ନାଇଜେରିଆ ଷଷ୍ଠ ସ୍ଥାନରେ ରହିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ଆର୍ଥିକବର୍ଷର ଜୁନ୍‌ ତ୍ରୈମାସରେ ଭାରତର ୬୯% ବ୍ୟବସାୟିକ ସଂସ୍ଥା ଲାଭ ଆଶା ରଖିଥିବାବେଳେ ସେପ୍ଟେମ୍ବର ତ୍ରୈମାସରେ ଏହା ୫୪%କୁ ଖସିଆସିଛି। ବିକ୍ରି ମୂଲ୍ୟ ଏବଂ ରପ୍ତାନି ବଢ଼ିବା ନେଇ ଆଶା ମଧ୍ୟ ଭାରତୀୟ କମ୍ପାନୀଗୁଡିକର କମିଛି। ଅର୍ଥନୀତିରେ ଥିବା ସମସ୍ୟା ଯୋଗୁ ରେଟିଂ ହ୍ରାସ ପାଇଥିବା ଗ୍ରାଣ୍ଟ ଥର୍ନଟନ୍‌ ଇଣ୍ଡିଆ ଏଲ୍‌ଏଲ୍‌ପି ପାର୍ଟନର ହରୀଶ ଏଚ୍‌ଭି ପ୍ରକାଶ କରିଛନ୍ତି। ତେବେ ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସଂସ୍କାର ପଦକ୍ଷେପ ଯୋଗୁ ବିଶ୍ୱ ବ୍ୟାଙ୍କର ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ର଼୍ୟାଙ୍କିଙ୍ଗ୍‌ରେ ଏହା ୩୦ଟି ସ୍ଥାନ ଉପରକୁ ଉଠିଥିବାବେଳେ ଆସନ୍ତା କିଛି ତ୍ରୈମାସରେ ଭାରତୀୟ ବ୍ୟବସାୟରେ ପୁଣି ଆଶା ଫେରିବ ବୋଲି ସେ କହିଛନ୍ତି। ଆସନ୍ତା ୧୨ ମାସରେ ମାନବସମ୍ବଳ ବଢ଼ାଇବାର ଆବଶ୍ୟକତା ଅଛି ବୋଲି ଅଧିକାଂଶ ଭାରତୀୟ କମ୍ପାନୀ ଆଶାପ୍ରକାଶ କରିଛନ୍ତି। ତେବେ ପ୍ଲାଣ୍ଟ, ମେଶିନେରୀ, ଗବେଷଣା ଓ ବିକାଶ କ୍ଷେତ୍ରରେ ନିବେଶ ଆଶା ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ଅଧିକ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅର୍ଥ ଏବଂ ଦକ୍ଷ ମାନବ ସମ୍ବଳ ଅଭାବ ଭାରତୀୟ କମ୍ପାନୀଗୁଡିକ ଅନୁଭବ କରୁଥିବା ଏଥିରେ କୁହାଯାଇଛି। ସୂଚନାଯୋଗ୍ୟ, ବିଶ୍ୱର ୩୬ଟି ଅର୍ଥନୀତିକୁ ନେଇ ଆଇବିଆର୍‌ ପ୍ରସ୍ତୁତ ହୋଇଥାଏ। ୧୦,୦୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟିକ ସଂସ୍ଥାର ମତାମତ ଏବଂ ଆଶାକୁ ଅନୁଧ୍ୟାନ କରି ଏହାକୁ ପ୍ରସ୍ତୁତ କରାଯାଇଥାଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri