ଲୋକଙ୍କ ଉପରେ ବୋଝ ଲଦି ଲାଭରେ ବ୍ୟାଙ୍କ


ଭୁବନେଶ୍ୱର,୨୦।୮(ବ୍ୟୁରୋ):ବ୍ୟାଙ୍କଗୁଡିକ ନିୟମିତ ବ୍ୟବଧାନରେ ନେଉଥିବା ବିଭିନ୍ନ ନିଷ୍ପତ୍ତି ଯୋଗୁ ସାଧାରଣ ଜମାକାରୀଙ୍କୁ ବ୍ୟାଙ୍କିଙ୍ଗ ସେବା ଅଡୁଆ ହେଉଛି। ଏପଟେ ସରକାର ନାରାବାଜି କରୁଛନ୍ତି ଯେ, ଦେଶର ପ୍ରତି କୋଣରେ ବ୍ୟାଙ୍କ ସେବା ପହଞ୍ଚିବ ଏବଂ ଲୋକେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସ୍ରୋତରେ ସାମିଲ ହେବେ। କିନ୍ତୁ ସରକାରଙ୍କ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରୁଛି ସର୍ବସାଧାରଣଙ୍କ ସେବାରେ ନିୟୋଜିତ ବ୍ୟାଙ୍କଗୁଡିକର ନାନାବିଧ ନିଷ୍ପତ୍ତି। ଯଦି ଗ୍ରାହକ ସନ୍ତୁଷ୍ଟିକୁ ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ପ୍ରମୁଖ ସଂସ୍କାର ବୋଲି ଗଣନା କରାଯାଉଛି ତା’ହେଲେ ଦେଶର ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବୋଲାଉଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହି ସଂସ୍କାର ଏଜେଣ୍ଡାକୁ ଧୂଳିସାତ୍‌ କରିବାରେ ସବୁଠାରୁ ଆଗରେ ରହିଛି। କିଛି ଦିନ ହେବ ବ୍ୟାଙ୍କ ଏହାର ଗ୍ରାହକଙ୍କ ଉପରେ ସର୍ବନିମ୍ନ ବାଲାନ୍ସ କଟକଣା ଲଗାଇଛି। ଅର୍ଥାତ୍‌ ନିର୍ଦ୍ଦିଷ୍ଟ ପରିମାଣର ସର୍ବନିମ୍ନ ବାଲାନ୍ସ ଖାତାରେ ନ ରହିଲେ ଗ୍ରାହକଙ୍କଠାରୁ ବ୍ୟାଙ୍କ ଜରିମାନା କଷିବ। ଏହି କଟକଣା ଲଗାଇ ବ୍ୟାଙ୍କ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୈମାସରେ ଜରିମାନା ଆକାରରେ ୨୩୫.୦୬ କୋଟି ଟଙ୍କା ସଂଗ୍ରହ କରିଛି। ୩୮୮.୭୪ ଲକ୍ଷ ଆକାଉଣ୍ଟରୁ ଏହା ସଂଗ୍ରହ ହୋଇଛି। ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟରୁ ଏହା ଜଣାଯାଇଛି। ଏତେ ମାତ୍ରାରେ ଜରିମାନା ହାସଲ କରି ବ୍ୟାଙ୍କ ଲାଭବାନ ହୋଇଛି ସତ କିନ୍ତୁ ଅତି ସାଧାରଣ ତଥା ନିମ୍ନବର୍ଗର ଗ୍ରାହକଙ୍କ ପାଇଁ ଏହା କେଉଁ ମାତ୍ରାରେ ଶୋଷଣ ତାହା ବିଚାର କରାଯିବା ଦରକାର। ନିମ୍ନ ଆୟବର୍ଗକାରୀଙ୍କୁ ଶୋଷଣ ଅତି ନିମ୍ନ ଆୟବର୍ଗଙ୍କ ପାଇଁ ଏହା ଅତ୍ୟନ୍ତ ଶୋଷଣକାରୀ ନିଷ୍ପତ୍ତି। କାରଣ ଏମାନଙ୍କ ମାସିକ ଆୟ ଯାହା ରହୁଛି ଆନୁଷଙ୍ଗିକ ଖର୍ଚ୍ଚ ପରେ ସେଥିରେ କିଛି ବଳିଲେ ସିନା ସେମାନେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବେ। ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନ ଥିବା କଲେଜ୍‌ ପଢ଼ୁଆ ଛାତ୍ରୀଛାତ୍ରଙ୍କୁ ମଧ୍ୟ ବିଚାରକୁ ନିଆଯାଇପାରେ। ବ୍ୟାଙ୍କିଙ୍ଗ ପାଇଁ ଏଠାରେ ରହି କୋଚିଂ ନେଉଥିବା ଜଣେ ଛାତ୍ର ଅମିତ ଦାଶ କୁହନ୍ତି, ଘରଭଡା, ଖାଇବା ଖର୍ଚ୍ଚ ଏବଂ ଟ୍ୟୁଶନ୍‌ ଫି’ ଦେବା ପରେ ସର୍ବନିମ୍ନ ବାଲାନ୍ସ କଥା ଭାବିବା ସମ୍ଭବ ନୁହେଁ। ଏଭଳି କ୍ଷେତ୍ରରେ ବ୍ୟାଙ୍କ ଜୋର ଜବରଦସ୍ତ ମୁଣ୍ଡ ଉପରେ ଏହାର ନିଷ୍ପତ୍ତି ଲଦିଦେବା କେତେ ଦୂର ଯଥାର୍ଥ ତାହା ଆମେ ବୁଝିପାରୁନାହୁଁ। ଗ୍ରାହକ ହରାଇବା ଆଶଙ୍କା ୟୁନାଇଟେଡ୍‌ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନର ଓଡ଼ିଶା ଆବାହକ ଜ୍ୟୋତିଭୂଷଣ ମହାପାତ୍ର କୁହନ୍ତି, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅର୍ଥାତ୍‌ ରାଷ୍ଟ୍ରର ହିତ ପାଇଁ କାର୍ଯ୍ୟ କରୁଥିବା ବ୍ୟାଙ୍କ। ଜନସାଧାରଣଙ୍କ ଅର୍ଥ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ଋଣ ପ୍ରଦାନ କରିବା ପର୍ଯ୍ୟନ୍ତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରକ୍ରିୟା ଯେତେ ସୁଦୃଢ ହେବ ଅର୍ଥନୀତି ପାଇଁ ସେତେ ଲାଭଦାୟକ। କିନ୍ତୁ ସର୍ବନିମ୍ନ ଜମା ବଜାୟ ରଖିବାକୁ ଏକ ରକମ ବାଧ୍ୟ କରିବା, ନିର୍ଦ୍ଦିଷ୍ଟ ଥର ଟଙ୍କା ଉଠାଣ ଓ ଜମାରେ ଶୁଳ୍କ ଆଦାୟ କରିବା, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌, ଚେକବୁକ୍‌ ଇସ୍ୟୁ ଭଳି ଅତି ଜରୁରୀ କାର୍ଯ୍ୟରେ ଜନସାଧାରଣଙ୍କ ଉପରେ ଦେୟ ଲାଗୁ କରିବା ଦ୍ୱାରା ବ୍ୟାଙ୍କର ସ୍ବଳ୍ପ ମିଆଦୀ ଲାଭ ହୋଇପାରେ। କିନ୍ତୁ ଦୀର୍ଘମିଆଦୀ ସୂତ୍ରରେ ଦେଖିଲେ ଆଗକୁ ନିଶ୍ଚିତ ବ୍ୟାଙ୍କଗୁଡ଼ିକ ବୃହତ୍‌ ସଂଖ୍ୟାରେ ଗ୍ରାହକ ହରାଇବା ଆଶଙ୍କା ରହିଛି। ରିଗ୍ରେସିଭ୍‌ ପଲିସି ସେହିଭଳି ନାଇଜର୍‌ର ଆସିଷ୍ଟାଣ୍ଟ ପ୍ରଫେସର ଇନ୍‌ ଇକୋନୋମିକ୍ସ ଅମରେନ୍ଦ୍ର ଦାସଙ୍କ କହିବାନୁସାରେ, ବ୍ୟାଙ୍କଗୁଡିକର ଏନ୍‌ପିଏ ବଢୁଛି। ବିଜୟ ମାଲ୍ୟାଙ୍କ ଭଳି ବ୍ୟବସାୟୀ ହଜାର ହଜାର କୋଟି ଟଙ୍କା ନେଇ ଅୟସ୍‌ କରୁଥିଲେ ମଧ୍ୟ ସରକାର କିଛି କରିପାରୁନାହାନ୍ତି। କିନ୍ତୁ ସାଧାରଣ ଲୋକ ସର୍ବନିମ୍ନ ଜମା ରାଶି ନ ରଖିଲେ ତାଙ୍କ ଉପରେ ଜରିମାନା ଲାଗୁଛି। ଏହା ଏକ ରିଗ୍ରେସିଭ୍‌ ପଲିସି ବୋଲି କୁହାଯିବ। ପୂର୍ବରୁ ସରକାର ଘୋଷଣା କରିଥିଲେ, ରୁପେ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ଲୋକଙ୍କୁ ୫୦୦୦ ଟଙ୍କାର ଓଭର ଡ୍ରାଫ୍ଟ ସୁବିଧା ଦିଆଯିବ। ଫଳରେ ସେମାନଙ୍କ ଖାତାରେ ଟଙ୍କା ନ ଥିଲେ ମଧ୍ୟ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରିବେ। କିିନ୍ତୁ ସେ ନୀତି ଗଲା କୁଆଡେ। ଯଦି ବ୍ୟାଙ୍କ ଖର୍ଚ୍ଚ ତୁଲାଇବାର ଅଛି ତେବେ ଋଣ ଖିଲାପକାରୀଙ୍କ ଠାରୁ ସୁଧ ମୂଳ ସବୁ ଆଦାୟ କରାଯାଉ। ଖାଲି ସେତିକି ନୁହେଁ ସର୍ବସାଧାରଣଙ୍କ ବ୍ୟାଙ୍କ ଭାବେ ଏକଦା ସ୍ବତନ୍ତ୍ର ମର୍ଯ୍ୟାଦା ଲାଭ କରିଥିବା ଏସ୍‌ବିଆଇ ସାଧାରଣ ସେବାଗୁଡିକରେ ସେବା ଦେୟ ବଢ଼ାଇ ଜନସାଧାରଣଙ୍କୁ ଅନେକ ମାତ୍ରାରେ ଅସନ୍ତୁଷ୍ଟ କରିଛି। ନିକଟରେ ବ୍ୟାଙ୍କ ଏହାର ସଞ୍ଚୟ ଖାତା ଉପରେ ସୁଧ ହାର କମାଇ ପ୍ରମାଣିତ କରିଛି ଯେ, ବ୍ୟାଙ୍କ ଆଉ ସାଧାରଣ ଲୋକଙ୍କ ବ୍ୟାଙ୍କ ହୋଇ ରହିନାହିଁ। ଆର୍ଥିକ ପରିଚାଳନା ନାଁରେ କଠୋର ନିଷ୍ପତ୍ତିଗୁଡିକ ଗ୍ରହଣୀୟ ନୁହେଁ ବୋଲି କ୍ଷୁଦ୍ର ଜମାକାରୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଭାରତର ବୃହତ୍‌ ଭାଗ ଲୋକଙ୍କ ହିତରେ ବ୍ୟାଙ୍କଗୁଡିକ ଆଉ କାର୍ଯ୍ୟ କରୁ ନ ଥିବା ଏଥିରେ ସ୍ପଷ୍ଟ ପ୍ରମାଣିତ ହେଉଥିବା ଏମାନେ ପ୍ରକାଶ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri