Posted inଫୁରସତ

ଫନୀ ପ୍ରକୋପରେ ବିବର୍ଣ୍ଣ ଉପକୂଳ ଓଡ଼ିଶା: ବାରମ୍ବାର ଘଟୁଛି ପ୍ରାକୃତିକ ବିପର୍ଯ୍ୟୟ, କିପରି ଅଛି ବାତ୍ୟା ପରର ଜୀବନ

ଉପକୂଳ ଓଡ଼ିଶାରେ ଏମିତି କିଛି ଗାଁ ଅଛି, ଯେଉଁଠାରେ ଲୋକେ ବାରମ୍ବାର ବନ୍ୟାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି । ପୁଣି ଅଣ୍ଟା ଭିଡି ଛିଡା ହୁଅନ୍ତି । ତେବେ କେମିତିଥାଏ ତାଙ୍କ ବାତ୍ୟା ପରର ଜୀବନ….

ଉପକୂଳ ଓଡ଼ିଶାରେ ବାରମ୍ବାର ଘଟୁଛି ପ୍ରାକୃତିକ ବିପର୍ଯ୍ୟୟ। କେବଳ ମଣିଷ ନୁହେଁ ଜୀବଜନ୍ତୁ ଭୋଗୁଛନ୍ତି ନାହିଁ ନ ଥିବା ଅସୁବିଧା। କେହିଭାବି ନ ଥିଲେ ଫନୀ ଏମିତି ଓଡ଼ିଶାର କିଛି ଅଞ୍ଚଳକୁ ବିବର୍ଣ୍ଣ କରିଦେବ। ଏଟିଏମ, ମୋବାଇଲ, ପେଟ୍ରୋଲପମ୍ପ ସବୁକିଛି ଅଚଳ ହୋଇଗଲା। ସଞ୍ଜ ନଇଁଲେ ଗାଁରୁ ସହର ଚାରିଆଡ଼ କେବଳ ଘନଅନ୍ଧାର। ବାସହରାଙ୍କ କ୍ରନ୍ଦନ ସୂଚାଇ ଦେଉଥିଲା ଫନୀର ଭୟଙ୍କର ପ୍ରକୋପକୁ । କିନ୍ତୁ ଓଡ଼ିଶାର ଉପକୂଳରେ ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି ଲୋକମାନେ ବାରମ୍ବାର ଝଡ଼ବର୍ଷାର ସମ୍ମୁଖୀନ ହୋଇ ଜୁଝିଥାନ୍ତି ପ୍ରାକୃତିକ ବିପର୍ଯ୍ୟୟ ସହ।….


ବାତ୍ୟାର ୭ଦିନ ପରେ ଆମେ ପହଁଞ୍ଚିଥିଲୁ ବାତ୍ୟା ପ୍ରପୀଡିତ ଏକ ଅଞ୍ଚଳରେ। ମେ ମାସର ଦ୍ୱିତୀୟ ଶନିବାର। ସକାଳୁ ସକାଳୁ ଆକାଶ ଥିଲା ସଫା, ଟାଣଖରାର ତାତି ଚାଇଁଚାଇଁ ମାରୁଥିଲା। ସୋରଣ ଚିଲିକାକୂଳରୁ ପ୍ରାୟ ୩୦କିମି ଦୂର ଉପକୂଳବର୍ତ୍ତୀ ତରାପି,ବରଡ଼ି, ବାଲିଆ, ବଉଳାବନ୍ଧ, ନଇରୀ, ଗଙ୍ଗାଧରପୁର, କୁମାଣ୍ଡଳ, ପଞ୍ଚୁପଲ୍ଲୀ, ସିଙ୍ଗେଶ୍ୱର ଗାଁଦେଇ ଯାଉଥିବାବେଳେ ଚିଲିକାକୂଳ ଥିଲା ଶୂନଶାନ୍‌ । ବାଲୁଗାଁଠାରୁ ନଂ. ୧୬ ଜାତୀୟ ରାଜପଥରେ ରମ୍ଭା ଅଭିମୁଖେ ଯିବାବେଳେ ରାସ୍ତାକଡ଼ରେ ଠାଏ ଠାଏ ଡାଳପତ୍ର ଗଦାହୋଇଥିବା ଦେଖିବାକୁ ମିଳୁଥିଲା। ପାଲୁର ଜଙ୍କସନ୍‌ଠାରୁ ଦିଗଭାଙ୍ଗି ନନ୍ଦଳା, ପାଇକେରାପୁର, ରାମଲେଙ୍କା, ମାଲୁଦ ଦେଇ ପ୍ରାୟ୪୦କିମିଦୂର ଯିବାପରେ ପଡ଼ିଲା କୃଷ୍ଣପ୍ରସାଦଗଡ଼। ଏମିତିରେ ବାରିହୋଇ ପଡ଼ୁଥିଲା ଫନୀରେ ପୀଡ଼ିତ ଗାଁଗୁଡ଼ିକର ଦୁର୍ଦ୍ଦଶା। ଚିଲିକା ଚାରିଛକରୁ ସିପିଆ-ବଡ଼ଝାଡ଼ଗାଁର ଚିଲିକା ଘେରିବନ୍ଧ ବାଟରେ ପ୍ରାୟ୧୨କିମିଦୂର ଖୀରିସାହିରେ ପହଁଞ୍ଚିଲାବେଳକୁ ଅପରାହ୍ନ ୩ଟା ହୋଇସାରିଥିଲା ।


ଚିଲିକା ଘେରିଛି ସମୁଦ୍ର ଚାହିଁଛି- ଖୀରିସାହିକୁ:ଏଠାର ପରିସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସାହିଭିତରକୁ ପ୍ରବେଶମାତ୍ରେ ନଜର ପଡ଼ିଥିଲା ବାତ୍ୟାରେ ଭଙ୍ଗିଯାଇଥିବା ଏକ କୁଡ଼ିଆଘର ସମ୍ମୁଖରେ ଜଣେ ବୃଦ୍ଧା ଟିଣଚୁଲାରେ ରୋଷେଇ କରୁଥିବା ବେଳେ ତାକୁ ଘେରି ରହିଥିଲେ କେତେଜଣ କୁନିକୁନି ପିଲା। ସେମାନେ ହାତରେ ଡେକ୍‌ଚି, ଥାଳି ଓ ଢାଙ୍କୁଣୀଧରି ଅପେକ୍ଷା କରିଥାନ୍ତି ମୁଠେ ଭାତ ପାଇଁ। ଏମିତି ବାତ୍ୟାପୀଡ଼ିତ ଭୋକିଲା ମଣିଷଙ୍କ କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ଗାଁରେ। କାଳିଆମା କୁହନ୍ତି, ବାତ୍ୟାର ଗୋଟିଏ ଦିନ ପୂର୍ବରୁ ମୋ ସ୍ବାମୀ କୁରୁମାୟାଙ୍କ ଦେହ ଅସୁସ୍ଥ ଥିଲେ ବି ବହୁକଷ୍ଟରେ ତାଙ୍କୁନେଇ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳକୁ ପଳାଇଥିଲୁ। ତା’ ପରେ ରାତିରେ ଝଡ଼ପବନ ହେଲା ପୁଣି ସକାଳେ ବଡ଼ବାତ୍ୟାରେ ଘର, ଗଛ ସବୁ ଭାଙ୍ଗିଗଲା। ପାଖରେ ଥିବା ଝିଅ ଓ ତା’ର ଗୋଟିଏ ୫ବର୍ଷର ପୁଅ। ଘରେ ଖାଇବାକୁ କିଛିବି ନାହିଁ । କରମକୁ ଆଦରି ପଡ଼ିଛି। ପୋଡ଼ାମୁହଁା ଫନୀମାଡ଼ରେ ବାଲିକୁଦାରେ ଠିଆହୋଇଥିବା ଝାଟିମାଟିର କାନ୍ଥଟି ଭୁଶୁଡ଼ିଯାଇ ମାଟିରେ ମିଶିଯାଇଛି। ଅଞ୍ଚଳ ବେହେରା କୁହନ୍ତି, ମୋ ଘରକୁ ଫନୀ ଭାଙ୍ଗିଦେଲାା ଆମେ ଗରିବଲୋକ ଆଜ୍ଞା, ସବୁବେଳେ ଏମିତି ବନ୍ୟା ବାତ୍ୟା ଆମ ଉପରେ ଦାଉ ସାଧୁଛି। ଏହି ଅଞ୍ଚଳରେ ପ୍ରଥମେ ଫନୀ ସମୁଦ୍ରକୁ ଓହ୍ଲେଇ ଆସି ବାଟଭାଙ୍ଗି ପଳାଇଛିା। ତାର ପ୍ରଥମ ଚୋଟରେ ଚାରିଆଡ଼ ନାହିଁ ନ ଥିବା ଦୁର୍ଦ୍ଦଶା ଘଟାଇଛିି। ଗାଁର ଚାଳ,ଆଜବେଷ୍ଟସ, ଛପର ଉଡ଼େଇ ଦେଇଛି, ଘରଭାଙ୍ଗିଛି,ବଡ଼ବଡ଼ ନଡ଼ିଆ, ଝାଉଁ, କାଜୁ ପୋଲାଙ୍ଗ ଗଛ ମୋଡ଼ିମାଡ଼ି ଭାଙ୍ଗି ଦେଇଛିା ସେ ଯିବାପରେ ଏବେ ମାଟିତଳୁ ନିଜର ନିଖୋଜ ଜିନିଷପତ୍ରକୁ ଖୋଜୁଛି। ଯେଉଁ ସ୍ଥାନରେ ବିଶ୍ରାମ ନେଉଥିଲୁ ଏବେ ତାହା ସ୍ବପ୍ନ ପାଲଟିଛି। କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁରା ଗ୍ରା.ପ.ର ଖୀରିସାହିର ଜଣେ ଗ୍ରାମବାସୀ କାଳୁଚରଣ ବେହେରା କୁହନ୍ତି, ଆମ ଗାଁର ଲୋକସଂଖ୍ୟା ପ୍ରାୟ୧୨ଶହ, ଘର ସଂଖ୍ୟା୨ଶହ ୯୦ହେବ। ବାପ ଗୋଷିବାପ ଅମଳରୁ ଚିଲିକାରେ ରୋଜଗାର କରୁଛୁ। ଆମେ ତେଲୁଗୁ ନୋଳିଆ ସମ୍ପ୍ରଦାୟର। ଗୋଟିଏ ଟିପାରେ ୧୨ରୁ ୧୫ଜଣ ସମୁଦ୍ରକୁ ଯାଇଥାଉ । ୨୦୧୩ ଫାଇଲିନରେ କ୍ଷତିଗ୍ରସ୍ତ ହେଲୁ, ପୁଣି ଫନୀ ଅଧିକ ଦୁଃଖବଢାଇ ଦେଇଛି। ଟିପା (ସମୁଦ୍ରଡ଼ଙ୍ଗା) ରଖିନାହିଁ ସବୁ ଭାଙ୍ଗିରୁଜି ଦେଇଛି । ବାତ୍ୟା ଆସିବା ପୂର୍ବରୁ ପିଲାଙ୍କୁ କାନ୍ଧରେ ବସାଇ ଚିଲିକା ପାଣିରେ ପଶି ନିକଟସ୍ଥ ଗାଁକୁ ପାର ହେଉଥିଲାବେଳେ ଡଙ୍ଗା ବି ପଲଟିଯାଇଥିଲା। ପୁଣି ଗାଁ କୁ ଜଗିଥିବା ଏକ ବାଲିବନ୍ଧରେ ଘାଇ ହେବାରୁ ରାତି ଅଧରେ ଗାଁରେ ପାଣି ପଶିଯିବାରୁ ସଙ୍ଗେସଙ୍ଗେ ସେଠାରେ ଲୋକମାନେ ପହଁଞ୍ଚି ଘାଇରେ ବନ୍ଧ ବାନ୍ଧିଥିଲୁ। ରିଙ୍ଗବନ୍ଧ ପାଇଁ ପ୍ରଶାସନ ଓ ବିଧାୟକଙ୍କୁ ଜଣାଇ ନିରାଶ ହୋଇଛୁ। ନାରାୟଣ ବେହେରା କୁହନ୍ତି, ଆମଗାଁ, ଚିଲିକା ଓ ସମୁଦ୍ର ପେଟରେ ରହିଛି। ସମୁଦ୍ର ପ୍ରାୟ ୧କିମି ଦୂର । ଚିଲିକା ଗାଁକୁ ଘେରି ରହିଛି। ଗାଁର ସଭାପତି ତାତ ବେହେରା କୁହନ୍ତି, ବର୍ଷର ସବୁ ସମୟରେ ଆମେ ଝଡ଼ବର୍ଷାର ସମ୍ମୁଖୀନ ହେଉଛୁ। ଯେତେ ବିପଦ ଆସିଲେ ବି ଜୀବନମରଣ ସହ ସଂଗ୍ରାମକରି ରହିବାକୁ ପଡ଼େ। ଗାଁର ପୂର୍ବ ଓ ପଶ୍ଚିମପଟେ ଲୁଣା ରିଙ୍ଗବନ୍ଧର ଆବଶ୍ୟକତା ରହିଛି। ସମସ୍ତଙ୍କୁ ବାତ୍ୟା ନିରୋଧୀ ଛାତଘର ଦରକାର ପଡ଼ୁଛି। ଜୀବନ ବଞ୍ଚିଛି ହେଲେ ସବୁବର୍ଷ ଘର ଭାଙ୍ଗୁଛି ପୁଣି ସଜଡ଼ା ଯାଉଛି।


ତିନିପଟେ ଚିଲିକା ଗୋଟେ ପଟେ ସମୁଦ୍ର ଘେରିଛି ବ୍ରହ୍ମପୁରାକୁ-: ଜହ୍ନିକୁଦ ଓ ସାତପଡ଼ାଠାରୁ ଜଳପଥରେ ପ୍ରାୟ ୧ଘଣ୍ଟା ସମୟ ଲାଗେ ବ୍ରହ୍ମପୁରା। ତିନିପଟକୁ ଘେରି ରହିଛି ଚିଲିକା ଜଳ ଓ ପୂର୍ବପଟକୁ ରହିଛି ସମୁଦ୍ର ।
ଫନୀ ଭୂମିପାତର ପ୍ରଥମ ଫଣା ଏହି ଅଞ୍ଚଳରେ ଟେକିଥିଲା। ପୂର୍ବାହ୍ନରେ ପୁରୀ ବାଲୁକାଖଣ୍ଡ ଆଡ଼କୁ ଗତିକରିିଥିଲା । ହେମନ୍ତ ମଲିକ କୁହନ୍ତି, ପୂର୍ବରୁ ରେଡିଓ, ଟିଭି, ମୋବାଇଲ୍‌ ଓ ଖବର କାଗଜରୁ ସମ୍ଭାବ୍ୟ ବାତ୍ୟା ବିଷୟରେ ଅବଗତ ହୋଇଥିବାରୁ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲୁ। ସେଦିନଥିଲା ୨ ତାରିଖ ରାତି ପ୍ରାୟ ୩ଟା ହେବ । ବାରିପଟୁ ସମୁଦ୍ରର ସୁସୁ ବିକଟାଳ ଗର୍ଜନରେ ଆମେ ଭୟଭୀତ ହୋଇପଡ଼ିଥିଲୁ। ବିଶ୍ୱରଞ୍ଜନ ଜେନା କୁହନ୍ତି, ଆମଗାଁର ଲୋକସଂଖ୍ୟା ପ୍ରାୟ ୫ହଜାର, ୧୧ଟି ଓ୍ବାର୍ଡ, ଅଧିକାଂଶ ମତ୍ସ୍ୟଜୀବୀ । ପ୍ରତିବର୍ଷ ସାମୁଦ୍ରିକ ଝଡ଼ବର୍ଷାଯୋଗୁଁ ଏହି ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ଘଟିଥାଏ । ବ୍ରହ୍ମପୁରା-୫ଟା ଓ୍ବାର୍ଡ, ଘର ୭ଶହ, ଲୋକସଂଖ୍ୟା-୩ହଜାର, ଅଙ୍ଗନଓ୍ବାଡି ୨ଟିି, ସ୍କୁଲ ୩ଟା ରହିଛି। ଫନୀରେ ସମ୍ପୂର୍ଣ୍ଣଭାବେ ପ୍ରାୟ୨ଶହ ଘର ଭାଙ୍ଗିରୁଜି ଯାଇଛି। ଅନେକଗଛ ଘରର ଛପର, କାନ୍ଥ ନଷ୍ଟ ହୋଇଛି। ୩ଶହରୁ ଅଧିକ ଗୃହପାଳିତ ପଶୁଙ୍କ ଜୀବନ ହାନି ଘଟିଛି । ଗାଁ ସଭାପତି କୃଷ୍ଣଚନ୍ଦ୍ର ଜେନା କୁହନ୍ତି, ୨୦୧୦ରେ ଗାଁକୁ ବିଦ୍ୟୁତ୍‌ ଆସିଥିଲା, ଏବେ ଖୁଣ୍ଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ପାନୀୟଜଳର ସୁବ୍ୟବସ୍ଥା ନାହିଁ। ମହାପ୍ରଭୁଙ୍କ ଗୋପନ ଆଶ୍ରୟସ୍ଥଳୀ ବି କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାର କିଛିଦିନପରେ ଗାଁକୁ ବିଭିନ୍ନ ବର୍ଗର ଲୋକଙ୍କ ସୁଅ ଛୁଟୁଛି। ଏଠାରୁ ବାହାରି ଚିଲିକାର ରାଜହଂସରେ ପହଁଞ୍ଚିଲା ବେଳକୁ ଅପରାହ୍ନ ୫ଟାହେବ। ରାଜହଂସରେ ଫନୀ ତାଣ୍ଡବରେ ଲକ୍ଷ ଲକ୍ଷ ଝାଉଁଗଛ ଭାଙ୍ଗି ଧ୍ୱଂସ ହୋଇଯାଇଛି। ଫନୀର ଫଣାରେ ନୀଳାମ୍ବୁ ଚିଲିକାର ଜୈବବିବିଧତାରେ ପରିବର୍ତ୍ତନ ହୋଇଛି। ଏଠାରୁ ଫେରିଲାବେଳକୁ ସନ୍ଧ୍ୟା ହୋଇସାରିଥାଏ। ଅନ୍ଧାରରେ ଚିଲିକାଛାତିରେ ଆଗକୁ ଆଗ ଡଙ୍ଗା ମାଡ଼ିଚାଲିଥିଲା ନିକଟସ୍ଥ ଏକ ସ୍ଥଳଭାଗକୁ। ପରଦିନ ସକାଳେ ନୂଆପଡ଼ା ଗ୍ରା:ପ ଗୁରୁବାଇ ହରିଜନସାହିକୁ ଯାଇଦେଖିଥିଲୁ ଫନୀର ଭୟଙ୍କର ରୂପରେ ଏଠାରେ ସମସ୍ତଙ୍କ ଘର ଭାଙ୍ଗିଯାଇଥିଲା। ଯୋଗୀ ନାୟକ କୁହନ୍ତି, ଆମସାହି ଲୋକ ସଂଖ୍ୟା ପ୍ରାୟ୧୦୦। ଚଳଣି ମୂଲମଜୁରି। ଘର ୨୫ଟି,ଏଥିରେ ୨ଟି ଛେଳି ମରିଯାଇଛି। ଚୁମୁକି ନାୟକ କୁହନ୍ତି, ବାତ୍ୟାରେ ଆମର ସବୁ ସରିଯାଇଛି। ଘରେ ଚୁଲି ଜଳିଲାନାହିଁ। ଭୋକିଲା ରହିଲୁ ଦୁଇଦିନ । ପ୍ରଦୀପ ନାୟକ କୁହନ୍ତି, ରାଶନକାର୍ଡ ନାହିଁ। ସେଥିପାଇଁ ଏଯାଏ ଆମକୁ କିଛି ସହାୟତା ମିଳିପାରି ନାହିଁ। ଦିଲୀପ ନାୟକ, ସୁକୁମାରୀ ନାୟକ କୁହନ୍ତି, ଫାଇଲିନ ବାତ୍ୟାଠାରୁ ଜରିପଲିଥିନ ତଳେ ଜୀବନ ବିତାଉଛୁ। ଗୁରୁବାଇର ଚିଲିକାନାସିଠାରେ କେଉଁ କାଳୁରୁ ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ ଐତିହାସିକ ଲୋଟଣୀ ବରଗଛଟି ଫନୀବାତ୍ୟାରେ ଭାଙ୍ଗି ଭୂମିରେ ଲୋଟିପଡ଼ିଛି।


ଜହ୍ନିକୁଦରୁ ଭେସେଲ ଚଳାଚଳ ହୁଏ ସାତପଡ଼ାଜେଟିକୁ:ଏହି ଗାଁରେ ବି ଦେଖିଲୁ ଫନୀ ପ୍ରଭାବରେ କ୍ଷତିଗ୍ରସ୍ତଙ୍କ ପରିସ୍ଥିତି । ନୂଆପଡ଼ା ଗ୍ରା:ପ- ମୁଦୁଲି ସାହିର ଗୋବର୍ଦ୍ଧନ ମୁଦୁଲି କୁହନ୍ତି, ‘ଆମର ୧ବଖରା ଆଜବେଷ୍ଟସ ଘର। ଅଇଁଠା ମୁଦୁଲି, ସଠିଆ ମୁଦୁଲିଙ୍କ ଘର ଭାଙ୍ଗିଛି। ତରେଇସାହି, ବାଲିସାହି, ପଲେଇସାହି, ବ୍ରାହ୍ମଣସାହି, ମହାନ୍ତିସାହିର ଅନେକଘର ଭାଙ୍ଗିଯାଇଛି। ଲୋକସଂଖ୍ୟା ପ୍ରାୟ୧୬୦୦ଶହ। ସେଦିନ ଡଙ୍ଗା ଜଗିବାକୁ ଜେଟିଠାରେ ଥିଲି, ସମସ୍ତ ସାମଗ୍ରୀ ଭାସିଗଲା। ଫନୀର ରୂପରେ ଏଠି ଚିଲିକା ପାଣି ଧୂଆଁପରି ଉଠୁଥିଲା। ମଝିରେ ମଝିରେ ବର୍ଷାମିଶା ଘୂର୍ଣ୍ଣିଝଡ଼ରେ ଏପଟେଥିବା ଭେସଲକୁ ସେପଟ ତଣ୍ଡାକଡ଼କୁ ପ୍ରାୟ ୪କିମି ଉଡ଼ାଇ ନେଇଥିଲା।’ ଚିଲିକା ଭିତରେ ଥିବା ବ୍ରହ୍ମପୁରା ଗ୍ରା:ପର ମଇଁଷା ଗାଁ। ଭୋଟର ପ୍ରାୟ-୮୦୦, ଲୋକସଂଖ୍ୟା ପ୍ରାୟ୧୬୦୦, ସାହି ପ୍ରାୟ ୧୦ଟି। ସୈରୀନ୍ଦ୍ରି ଦାସ କୁହନ୍ତି, ଡାକ୍ତରଖାନା ପଛପଟ ରାସ୍ତା ନଷ୍ଟ ହୋଇଛି। ଚିଲିକାପାଣି ଫୁଲି ରିଙ୍ଗବନ୍ଧ ପାରହୋଇ ଗାଁକୁ ପଶିଥିଲା। ନଈତଳ ବନ୍ଧ ନଷ୍ଟ ହୋଇଛି। ଗାଁରେ ଗଛ,ଘରସବୁ ଭାଙ୍ଗିଯାଇଛି। ସାମୁଦ୍ରିକ ପବନର ବେଗ ବଢିଲେ ଏଠି ଲୋକଙ୍କ ମନରେ ଛନକା ପଶୁଛି।


ଓଡ଼ିଶାର ଗୋଆ-: ଓଡ଼ିଶାର ଗୋଆ କୁହାଯାଉଥିବା ସାତପଡ଼ା ପର୍ଯ୍ୟଟନ କ୍ଷେତ୍ରରେ ମତ୍ସ୍ୟଜୀବୀଙ୍କ ଦୁର୍ଦ୍ଦଶା ବଢିଯାଇଛି। ଫନୀମାଡ଼ରେ ବାଙ୍କୀଜଳ, ନାଉବାଡ଼ି, ବଉଳପାଟଣା, ଭୋଇସାହି, ବଳଭଦ୍ରପୁର, ଚାରିଘରିଆ ଓ ସାତପଡ଼ା ମତ୍ସ୍ୟ ବ୍ୟବସାୟ କେନ୍ଦ୍ରର ବ୍ୟାପକ କ୍ଷତିହୋଇଛି। ସ୍ଥଳଭାଗରେ ସାତପଡ଼ା -ବ୍ରହ୍ମଗିରି ରାସ୍ତାରେ କିଛିଦୂର ଆସିବାପରେ ପଡ଼ିଲା ବଳଭଦ୍ରପୁର ଗାଁ। ଏହିଗାଁ ଭିତରକୁ ଯିବାରେ ଜାଣିଲୁ ଏଠି ବି ଫନୀ ଲୋକଙ୍କୁ ବାସହରା କରାଇଛି। ଡଙ୍ଗା ଭାଙ୍ଗି ଦେଇଛି। ମଧୁସୂଦନ ଜାଲି କୁହନ୍ତି, ଏଠାର ଘର ୩୨୦, ଲୋକସଂଖ୍ୟା ୧୨ଶହ । ଟିଣଘର ଉଡ଼ିଯାଇଛି। ସାହିରେ ସୁରକ୍ଷିତ ରହିଛିି ରାମେଶ୍ୱରଙ୍କ ମନ୍ଦିର। ସନ୍ତୋଷଜାଲି କୁହନ୍ତି, ଆମର ଚାରିବଖରା ଚାଳଘର ଭାଙ୍ଗିଛି।କୁରୁପାଳର ସୁବାସ ଜେନା କୁହନ୍ତି, ଏହି ଅଞ୍ଚଳର ଲୋକଙ୍କ ପାଇଁ ବାତ୍ୟାନିରୋଧକ ବାସଗୃହ ଦରକାର।


ଭୋଇସାହିର ଦୁଃଖ-: ସାତପଡ଼ା ଗ୍ରା:ପର ଭୋଇସାହିର ସବୁଠାରୁ ଅଧିକ କ୍ଷତି ଘଟିଛି। ପ୍ରାୟ ସମସ୍ତଙ୍କ ଘର ଭାଙ୍ଗିଯାଇଛି। ସୁଲୋଚନା ଭୋଇ କୁହନ୍ତି, ଏଠିଘର ସଂଖ୍ୟା ୧୧୦, ଲୋକସଂଖ୍ୟା-ପ୍ରାୟ୪୫୦ହେବ। ଜୀବିକା ମାଛ ଧରିବା। ପ୍ରାୟ ୭୦ଖଣ୍ଡ ଡଙ୍ଗା ଭାସିଯାଇଛି। ବହୁଡଙ୍ଗା ନିଖୋଜ ରହିଛି। ବାତ୍ୟା ପୂର୍ବଦିନ ନିକଟସ୍ଥ ପଞ୍ଚାୟତ କଲେଜରେ ରହିଥିଲୁ। ରବି ଦାଶ କୁହନ୍ତି, ଗାଁ ର ସମସ୍ତଙ୍କ ଘର ମାଟିରେ ମିଶିଛି , ଜୀବିକା ବି ଯାଇଛି। ଝଙ୍କାଳିଆ ବରଗଛ ଆଉ ଦେଖିବାକୁ ଏହି ଅଞ୍ଚଳରେ ମିଳିବ ନାହିଁ। କୃଷ୍ଣପ୍ରସାଦ ବ୍ଲକ ପଣସପଦା ଗ୍ରାପ, ଗୋଲା ଗାଁର ସନ୍ତୋଷ ବେହେରା କୁହନ୍ତି, ଆମଗାଁରେ ପ୍ରାୟ ଘର ୨୭୦ ହେବ, ଲୋକ ୨ହଜାର। ସମସ୍ତଙ୍କ ଚାଳ, ଆଜବେଷ୍ଟସ ଘର ବାତ୍ୟାରେ ଭାଙ୍ଗି ଯାଇଛି। ସୀମାଞ୍ଚଳ ବେହେରା କୁହନ୍ତି , ସେଦିନ ବାହାରେ ଅଣଚାଷ ପବନ ବହୁଥିଲା। ପବନର ବେଗ ଧୀରେଧୀରେ ବଢିଲା, ସୁ ସୁ ଶବ୍ଦ ତୁହାକୁ ତୁହା ବର୍ଷା ସମୁଦ୍ର ଲହରି ଭାଙ୍ଗିଲା ପରି ଶୁଭୁଥିଲା। ଘୁଘୁଶବ୍ଦରେ ଗଛ ଉପାଡ଼ି ଭୂଇଁରେ କଚାଡ଼ି ହୋଇପଡ଼ୁଥାଏ। ଆମ ଗାଁ ସମୁଦ୍ର ନିକଟରେ । ଭୟରେ ଜୀବନ ରକ୍ଷା ପାଇଁ ବାତ୍ୟା ଆଶ୍ରୟସ୍ଥଳକୁ ଯାଇଥିଲୁ ;ଯ ସେଠି ଜାଗାମିଳିଲା ନାହିଁ। କତାଶିିଳ୍ପଘରେ ରହିଲୁ।
ସମୁଦ୍ର ମୁହଁା ଗାଁ ଅରଖକୁଦ-:ସାତପଡ଼ାରୁ ପ୍ରାୟ ୨୩କିମି ଦୂର ବ୍ରହ୍ମଗିରି ଅଭିମୁଖେ ଯିବାବେଳେ ରାସ୍ତାରେ ଗଛପଡ଼ି ରାସ୍ତା ଅବରୋଧ ଥିଲା। ଯଦୁପୁର ଛକରୁ ପ୍ରାୟ ୪କିମି ଦୂର ଅରଖକୁଦ ସାହିରେ ପହଁଞ୍ଚିଲାବେଳକୁ ଲୋକଙ୍କୁ ରନ୍ଧନ ଖାଦ୍ୟ ପରଷା ଯାଉଥିଲା। କିଛି ଯୁବକ ସାହିରେ ଜାଲ ସିଉଁୁଥିଲେ। ପବିତ୍ର ବେହେରା କୁହନ୍ତି, ଆମ ଗାଁକୁ ଲାଗି ପ୍ରାୟ୫୦ମିଟର ଦୂରରେ ଚିଲିକା ଓ ୫ଶହ ମିଟର ଦୂରରେ ସମୁଦ୍ର । ପୂରା ଗାଁମୁହଁା ହୋଇ ସମୁଦ୍ରମୁହାଣ ରହିଛି। ଏହି ଗାଁର ୧୬୪୫ଟି ପରିବାର,ଗାଁରେ ୯୬୦ ରାଶନକାର୍ଡଧାରୀ । ଗ୍ରା:ପରେ ପ୍ରାୟ୧୦ହଜାର ଲୋକ ରହୁନ୍ତି। ଗାଁକୁ ଘେରିଛି ଲୁଣାବନ୍ଧ। ପଶ୍ଚିମରେ-ବାତ୍ୟା ଆଶ୍ରୟସ୍ଥଳୀ, ଉତ୍ତରରେ-ହରି ସହଦେବଙ୍କ ମନ୍ଦିର, ଦକ୍ଷିଣରେ ସମୁଦ୍ର ମୁହାଣ, ପୂର୍ବରେ ସାମୁଦ୍ରିକ ଥାନା। ସଞ୍ଜୟ ବେହେରା କୁହନ୍ତି, ଫନୀ ମାଡ଼ରେ ଗାଁ ଭିତରକୁ ପାଣିପଶିଛି। ମଙ୍ଗଳାସାହି, ଲକ୍ଷ୍ମୀନାରାୟଣ ସାହି, ଭାଗବତସାହି, ହରଚଣ୍ଡୀସାହି ଓ ନୂଆସାହି ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅରଖକୁଦଠାରୁ ସିପକୁଦ ମଧ୍ୟରେ ଦୁଇଟି ନୂଆମୁହାଣ ସୃଷ୍ଟି ହୋଇଛି। ସମୁଦ୍ର କୂଳରେ ୮ରୁ ୧୦ଫୁଟର ଜୁଆର ଆସିଥିଲା। ଫନୀର ରୂପ ଘଣ୍ଟାପ୍ରତି ୧୫୦ରୁ୨ଶହ ବେଗରେ ପବନ ତୁହାକୁ ତୁହା ବର୍ଷାସହ ମାଡ଼ଦେଉଥିଲା। ଏହି ବାତ୍ୟାରେ ଅଞ୍ଚଳର ନାହିଁ ନଥିବାକ୍ଷତି ହୋଇଛି। ଅଲିପୁରର ଟୁନା ସ୍ବାଇଁ କୁହନ୍ତି, ଏହି ଅଞ୍ଚଳ ବାତ୍ୟା ପ୍ରବଣ ଅଞ୍ଚଳ।୨୦୧୩ ଫାଇଲିନ କ୍ଷତିଠାରୁ ଏହାବଳି ଯାଇଛି। ଗାଁରେ କୋଠାଘରକୁ ଛାଡ଼ିଦେଲେ ଆଜବେଷ୍ଟସ, ଚାଳ , ଟାଇଲି ଛପର ନ ଥିଲା। ବାରିହୋଇପଡ଼ୁଥିଲା ଗରିବଘରର ଦୁଃଖ। ବାସହରାଙ୍କ ମୁହଁରେ ଶୁଖିଯାଇଥିଲା ଆଖିର ଲୁହ । ବାଷ୍ପରୁଦ୍ଧକଣ୍ଠ, ଛାତିର କୋହକୁ ବଢାଇଦେଇଥିଲା। ଦିନରେ ଟାଣଖରା ଓ ସଞ୍ଜ ନଇଁଲେ ଘନ ଅନ୍ଧାର ରାତିରେ ସାମୁଦ୍ରିକ ପବନର ସୁସୁଶଦ୍ଦ ଏବେ ବି ଡରାଉଛି। ଅନ୍ୟପକ୍ଷେ ଫନୀରେ ପ୍ରାୟ୪୩ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।
ପୁରୀ,ଭୁବନେଶ୍ୱର, ଖୋର୍ଦ୍ଧା ରେଳଷ୍ଟେଶନ ଭାଙ୍ଗିଯାଇଛି। ଏହି ବାତ୍ୟାରେ ପୂରୀ ଶ୍ରୀ ମନ୍ଦିର, ଅଲରାନାଥ, ମା ରାମଚଣ୍ଡୀ, କାଳିଜାଈ, ବାଲିହରଚଣ୍ଡୀ, ମଙ୍ଗଳାଯୋଡ଼ି ପଯର୍‌ୟଟନ କେନ୍ଦ୍ର, ଖଣ୍ଡଗିରି, ଧଉଳି ଓ ଚିଲିକାର ପ୍ରକୃତି ନିବାସ ରାଜହଂସର ବ୍ୟାପକ କ୍ଷତି ଘଟିଛି। ହସ୍ତକଳା କାରିଗରି ଗାଁ ରଘୁରାଜପୁରର ଶିଳ୍ପ ପ୍ରଭାବିତ ହୋଇଛି। ପୁରୀ ଓ କୋଣାର୍କ ରାସ୍ତାପାର୍ଶ୍ୱରେ ୮୭ଶହ ହେକ୍ଟର ପରିମିତ ବାଲୁକାଖଣ୍ଡ ଝାଉଁଜଙ୍ଗଲ ଉଜୁଡ଼ି ଯାଇଛି। ବନ୍ୟପ୍ରାଣୀଙ୍କ ଅବସ୍ଥା ବି ସନ୍ଦେହଜନକ ।


ଚାରିଆଡ଼େ ଖାଁଖାର୍ଁ ଲାଗୁଛି। ପୁରୀ,ଖୋଦ୍ଧା, କଟକ,କେନ୍ଦ୍ରାପଡ଼ା,ଜଗତ୍‌ସିଂହପୁର,ଯାଜପୁର,ମୟୂରଭଞ୍ଜ ଜିଲା ସମେତ ରାଜଧାନୀ ଭୁବନେଶ୍ୱରରେ ଫନୀର ପ୍ରକୋପ ଦେଖିବାକୁ ମିଳିଥିବା ବେଳେ ପୁରୀ,ଗୋପ ନିମାପଡ଼ା, ସାକ୍ଷୀଗୋପାଳ, ସାତଶଙ୍ଖ, କୋଣାର୍କ, ବୀରହରେକୃଷ୍ଣପୁର,ଟାଙ୍ଗୀ,ଚିଲିକା, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ ଅଞ୍ଚଳରେ ବ୍ୟାପକ ଧନଜୀବନ କ୍ଷତିଘଟିଛି। ଲୋକମାନେ ନିଜ ଭିଟାମାଟିର ଭଙ୍ଗାବାସଗୃହ ସଜାଡ଼ିବାକୁ ଉଦ୍ୟମ କରିଛନ୍ତି। ଏପରି ପରିସ୍ଥିତିରେ ସରକାରୀ ଓ ବେସରକାରୀସ୍ତରରେ ଫନୀ ପୀଡ଼ିତଙ୍କ କ୍ଷୟକ୍ଷତିକୁ ଆକଳନକରି କିପରି ଭରଣା କରାଯାଇପାରିବ ତାହା ସମସ୍ତଙ୍କ ପାଇଁ ଚନ୍ତାର ବିଷୟ ହୋଇଛି।

– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri