ସାହିତ୍ୟର ସଂକଳ୍ପ

ଅରୁଣ କୁମାର ପଣ୍ଡା

ହଁ ,ଶହେବାର କହିବି, ସାହିତ୍ୟ ଗୋଟାଏ ସାଧନା-ସାଧନାର ଧାରା। ଏହି ଶବ୍ଦଟିକୁ କିଏ କେବେ ଉଦ୍ଭାବନ କରିଥିଲା କେଜାଣି, ସାହିତ୍ୟ କହିବା ବେଳକୁ ବୋଧ ହେଉଛି, ଏକ ସହିତ ସେ ଅନେକ, ଏକାଧିକ ଲୋକଙ୍କ ଏକତ୍ର ସମାବେଶ, ସ୍ବଭାବ, ପ୍ରଭାବ ଓ ବିଭାବର ଆଦାନପ୍ରଦାନ-ବିଜ୍ଞାନ, ପ୍ରଜ୍ଞାନ ଓ ଅଭିଜ୍ଞାନର ସ୍ବର ଏକତ୍ର। ‘ସାହିତ୍ୟ ସାଧନ ନୁହେଁ, ସାଧନା!’ଏହି ଅଭିବ୍ୟକ୍ତି ଥିଲା ଶତାୟୁ ସାହିତ୍ୟ ସାଧକ ସ୍ବର୍ଗତ ନିତ୍ୟାନନ୍ଦ ମହାପାତ୍ରଙ୍କର।
ସାହିତ୍ୟ କହିଲେ କଲମରୁ ନିର୍ଗତ କେତେଗୁଡିଏ ଗଦ୍ୟ, କବିତାର ସମାହାରକୁ ବୁଝାଏ ନାହିଁ। ସାହିତ୍ୟ ହୃଦୟକୁ ସ୍ପର୍ଶ କଲା ଭଳି ସମାଜକୁ ସଂସ୍କାରିତ କରିବା ପାଇଁ ତଥା ଚେତନାର ଊର୍ଦ୍ଧ୍ୱଗତି ପାଇଁ ହୃଦୟର ନିଚ୍ଛକ ଅଭିବ୍ୟକ୍ତି। ଏହି ସାଧନାଦୀପ୍ତ ଅଭିବ୍ୟକ୍ତିର ରସ ଆସ୍ବାଦନର ସୁଯୋଗ ଦେଇଥିଲେ ବ୍ୟାସ, ବାଲ୍ମୀକି, କାଳିଦାସ, ଭବଭୂତିଙ୍କ ପରି ମହାନ୍‌ ସାଧକଗଣ ଏବଂ ଆଧୁନିକ କାଳରେ ରୁଷୋ, ଭଲଟାଏର, ମାଜିନି, ଗାରିବାଲ୍‌ଡିଙ୍କ ପରି ଅନେକ ପାଶ୍ଚାତ୍ୟ ସାରସ୍ବତ ସାଧକ। ଆଧ୍ୟାତ୍ମିକ ସାହିତ୍ୟ କ୍ଷେତ୍ରରେ ସ୍ବାମୀ ବିବେକାନନ୍ଦ, ସ୍ବାମୀ ରାମତୀର୍ଥ, ଶ୍ରୀଅରବିନ୍ଦ, ଶ୍ରୀଶଙ୍କର ଦେବ ଏବଂ ସର୍ବପଲ୍ଲୀ ଡ. ରାଧାକ୍ରିଷ୍ଣନଙ୍କ ପରି ଆହୁରି ଅନେକଙ୍କୁ ଆମେ ସାହିତ୍ୟ ସାଧକ ତାଲିକାର ଆଗ ଧାଡ଼ିରେ ରଖିପାରିବା।
ଓଡ଼ିଶାର ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କଲାଭଳି ସାହିତ୍ୟ ସାଧକଙ୍କ ଅଭାବ ମଧ୍ୟ ନାହିଁ। ସେମାନଙ୍କ ମଧ୍ୟରେ ଆଦିକବି ସାରଳା ଦାସ, ଅଚ୍ୟୁତ, ଅନନ୍ତ, ଜଗନ୍ନାଥ, ବଳରାମ, ଯଶୋବନ୍ତ ଓ ଭୀମ ଭୋଇଙ୍କ ପରି ପ୍ରାଚୀନ ଏବଂ ମଧ୍ୟଯୁଗୀୟ କବି, ଲେଖକଙ୍କଠାରୁ ଆରମ୍ଭ କରି ବିଂଶଶତାବ୍ଦୀର ମହାନ୍‌ ବହୁ ସ୍ରଷ୍ଟା ଅଛନ୍ତି।
କୁହାଯାଇପାରେ ଯେ ଭାରତୀୟ ସାହିତ୍ୟ ସହିତ ଓଡ଼ିଆ ସାହିତ୍ୟ ବିବିଧ ଭାବରେ ପ୍ରଗତିର ଶୀର୍ଷ ସ୍ପର୍ଶ କରିପାରିଛି। ଓଡିଆ ସାହିତ୍ୟର ଉତ୍ତରଣରେ ପୂର୍ବସୂରୀମାନଙ୍କ ସହିତ ବର୍ତ୍ତମାନ ପିଢ଼ିର ସାଧନାରତ ସାହିତ୍ୟ ପ୍ରତିଭାମାନଙ୍କର ଯଥେଷ୍ଟ ଯୋଗଦାନ ରହିଛି। ସାହିତ୍ୟର ଉତ୍ତରଣ ଅର୍ଥ ସମାଜର ଉତ୍ତରଣ। ପ୍ରଖ୍ୟାତ କବି, ସାଧକ, ଶିକ୍ଷାବିତ ଡକ୍ଟର ମାୟାଧର ମାନସିଂହଙ୍କ ମତରେ କବି ଓ ଲେଖକ, ସମାଜର ଦଶଜଣରୁ ଜଣେ ନୁହନ୍ତି, ସେ ଦଶଜଣର ମୁଖପାତ୍ର। ଖଡ୍‌ଗଧାରୀ ବୀର ଜନତାର କଲ୍ୟାଣ ପାଇଁ ଯୁଦ୍ଧଭୂମିରେ ମଥା ପାତିଦିଏ ଅକାତରେ। ଲେଖନୀଧାରୀ କବି ମଧ୍ୟ ଠିକ୍‌ ସେହିପରି ଦେଶ ଓ ଜାତିର ଆହ୍ବାନରେ କାରା ଓ ମୃତ୍ୟୁବରଣ କରେ। ରୁଷିଆ ଓ ଅନ୍ୟାନ୍ୟ ଅନେକ ଦେଶ ଯେଉଁଠି ଜନତା ବର୍ଷ ବର୍ଷ ଧରି ପ୍ରତିଷ୍ଠିତ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଯୁଦ୍ଧ କରି ଆସିଛି, ସେଠି ବହୁ କବି ଓ ଲେଖକ ଜାତୀୟ ଚେତନାର ମୁଖପାତ୍ର ଭାବରେ କଠୋର ଦୁଃଖ ବରଣ କରିଛନ୍ତି। ଦାନ୍ତେ ଏଥିପାଇଁ ତାଙ୍କ ପ୍ରିୟନଗରୀ ଫ୍ଲୋରେନ୍ସରୁ ନିର୍ବାସିତ ହୋଇଥିଲେ। ଦସ୍ତୋଭସ୍କି ଫାଶୀଖୁଣ୍ଟରେ ଝୁଲିବାକୁ ଯାଇଥିଲେ। ବରେଣ୍ୟ କବି ଓ ସାହିତ୍ୟ ସ୍ରଷ୍ଟାମାନଙ୍କର ଏହି ନିର୍ଯାତନାର କରୁଣ କାହାଣୀ ସମାଜର ଏହି ଗୋଷ୍ଠୀର ମର୍ଯ୍ୟାଦା ବଢାଇଦେଇଛି। ଆଧୁନିକ ପ୍ରତ୍ୟେକ ଲେଖକ ଓ କବି ଏହି ମର୍ଯ୍ୟାଦାକୁ ତାଙ୍କ ଚେତନାରେ ଚିର ଜାଗ୍ରତ କରି ରଖିବା ଉଚିତ।
ଲେଖକ, କବି ଏବଂ ସମଗ୍ର ସାହିତି୍ୟକ ଗୋଷ୍ଠୀଙ୍କଠାରୁ ଦେଶ ଓ ଜାତି ବହୁତ କିଛି ଆଶା କରେ। କେବଳ ଗପ, କବିତା ଲେଖିବା, ଆବିଳ ପ୍ରେମର ପରିସ୍ଫୁଟନ, ଦୁର୍ବୋଧ୍ୟ ତଥା ଦ୍ୱ୍ୟର୍ଥବୋଧକ ଶାବ୍ଦିକ ଅଳଙ୍କାରରେ ସୁଶୋଭିତ ରଚନା କେବେ ସାହିତ୍ୟର ଆନ୍ତରିକ ଚେତନାକୁ ପ୍ରକଟିତ କରି ନ ପାରେ। ଏକବିଂଶ ଶତାବ୍ଦୀର ସାହିତ୍ୟ ସତେ ଯେପରି ଲକ୍ଷ୍ୟହୀନ ହୋଇପଡିଛି। ସରସ୍ବତୀଙ୍କ ବରପୁତ୍ରମାନଙ୍କଠାରୁ ସମାଜ ଅନେକ କିଛି ଆଶାକରେ। ପ୍ରଗତିଶୀଳ ଅର୍ଥ ନୁହେଁ ମର୍ଯ୍ୟାଦାର ସବୁ ସୀମାକୁ ଲଙ୍ଘନ କରିବା। ଏହା ଜଣେ ଲେଖକ ସଦା ମନେରଖିବା ଆବଶ୍ୟକ।
ପ୍ରଖ୍ୟାତ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ମତରେ ତିନିପ୍ରକାର ଚେତନାରୁ ତିନି ପ୍ରକାରର ସାହିତ୍ୟ। ଜଣେ ମଣିଷ ଯେଉଁ ଭୂମିରେ ବିଚରଣ କରୁଥାଏ ତା’ର ଯାବତୀୟ ସର୍ଜନାତ୍ମକତା ସେହି ଭୂମିର ହୋଇ ରହିଥାଏ, ଜିଜ୍ଞାସା ଓ ସମୀକ୍ଷା ମଧ୍ୟ ସେହି ଭୂମିର ହୋଇ ରହିଥାଏ। ସାହିତ୍ୟର ଦୁଇଟି ପାର୍ଶ୍ୱ-ଗୋଟିଏ ସାହିତ୍ୟ-ଲେଖକର ପାର୍ଶ୍ୱ ଓ ଆରଟି ସାହିତ୍ୟ-ପାଠକର ପାର୍ଶ୍ୱ। ଯାବତୀୟ ସାହିତ୍ୟ ଲେଖିବାକୁ କାଳେ କାଳେ ଏକ ସର୍ଜନାତ୍ମକ ପ୍ରକ୍ରିୟା ରୂପେ ବୁଝାଯାଇ ଆସିଛି। ସାହିତ୍ୟର ଯଥାର୍ଥ ପାଠକକୁ ମଧ୍ୟ ସର୍ଜନାତ୍ମକ ହେବାକୁ ପଡିଥାଏ। ଯେମିତି ସବୁ ମଣିଷ ଲେଖକ ହୋଇପାରନ୍ତି ନାହିଁ, ସେମିତି ସବୁ ମଣିଷ ପାଠକ ମଧ୍ୟ ହୋଇପାରନ୍ତି ନାହିଁ। ଆପଣାକୁ ଦେବା ଲାଗି ରାଜି ହୋଇଗଲେ ସାରସ୍ବତ ସାଧନାରୁ କାର୍ପଣ୍ୟ ଦୂର ହୁଏ ଏବଂ ଲେଖକର ଲେଖନୀ ପ୍ରବହମାନ ହୁଏ। ପାଠକ ମଧ୍ୟ ସେହି ଅନୁରୂପ ନିଜକୁ ଉନ୍ମୁକ୍ତ କରିବା ଆବଶ୍ୟକ। ସାହିତ୍ୟର ସଂକଳ୍ପ କେବଳ ବର୍ତ୍ତମାନକୁ ନୁହେଁ ଭବିଷ୍ୟତକୁ ମଧ୍ୟ ଉଚ୍ଚତର ଚେତନା ଆଡକୁ ନେଇଯିବା। ସାହିତ୍ୟ ସର୍ବାଗ୍ରେ ଏହି ଲକ୍ଷ୍ୟରେ ଅନୁପ୍ରାଣିତ ହେଲେ ଏହାର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜ୍ୱଳ, ଏଥିରେ ସନ୍ଦେହ ନାହିଁ।
ମର୍କତନଗର, କଟକ, ମୋ-୯୪୩୭୨୭୦୬୦୫


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri