Posted inଫୁରସତ

ବ୍ୟକ୍ତିତ୍ୱ: ବଲିଉଡ୍‌ର ବିଖ୍ୟାତ ଗାୟିକା ହେମଲତା

ଓଡ଼ିଆ ଫିଲ୍ମ ‘ଅଭିଳାଷ’ର ଗୋଟିଏ ଅତି ଲୋକପ୍ରିୟ ଗୀତ ହେଉଛି ‘ଚଗଲା ପବନ ଚଗଲା – ଚଗଲି ମନ ମୋ ଚଗଲି’। ତେବେ ହୁଏତ ଖୁବ୍‌ କମ୍‌ଲୋକ ଏକଥା ଜାଣିଥିବେ ଯେ ଏହି ଗୀତଟିକୁ ଗାଇଥିଲେ ବଲିଉଡ୍‌ର ଜଣେ ବିଖ୍ୟାତ ଗାୟିକା। ସେ ହେଉଛନ୍ତି ହେମଲତା। ଏହାକୁ ବାଦଦେଲେ ତାଙ୍କର ଆଉଏକ ସୁନ୍ଦର ଓଡ଼ିଆ ଡୁଏଟ୍‌ ମଧ୍ୟ ରହିଛି। ପ୍ରଣବ ପଟ୍ଟନାୟକଙ୍କ ସହିତ ସେ ଗାଇଥିଲେ ‘ତୁନିତୁନି କଥା ଲାଗେ ଭାରି ମିଠା’। ଗୀତ ଦୁଇଟି ଓଡ଼ିଆ ଫିଲ୍ମ ଦୁନିଆର ଦୁଇଟି ମାଇଲ୍‌ଖୁଣ୍ଟ। ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା, ନେପାଳି, ଭୋଜପୁରୀ, ଉର୍ଦ୍ଦୁ, ହରିଆନ୍‌ଭି, ପଞ୍ଜାବୀ, ବ୍ରଜଭାଷା, ରାଜସ୍ଥାନୀ, ମାଲୟାଲମ୍‌ ଆଦି ଭାଷାର ଗୀତ ଗାଇ ସେ ଭାରତୀୟ ସଙ୍ଗୀତ ଦୁନିଆରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସକ୍ଷମ ହୋଇଛନ୍ତି। ୧୯୭୦ ଦଶକରେ ସେ ନିଜର ସୁଲଳିତ କଣ୍ଠସ୍ବର ପାଇଁ ଅତି ପ୍ରସିଦ୍ଧ ଥିଲେ। ଆଉ ସେହି ସମୟକୁ ହିଁ ହେମଲତାଙ୍କ ଜୀବନର ଏକ ସୁବର୍ଣ୍ଣଖଣ୍ଡ ବୋଲି ବର୍ଣ୍ଣନା କରାଯାଇଥାଏ। ଶାସ୍ତ୍ରୀୟ ସଙ୍ଗୀତରେ ସେ ଥିଲେ ଜଣେ ତାଲିମପ୍ରାପ୍ତ କଣ୍ଠଶିଳ୍ପୀ। ଫିଲ୍ମଠୁ ଆରମ୍ଭ କରି କନସର୍ଟ, ଟେଲିଭିଜନ, ରେକର୍ଡ, କ୍ୟାସେଟ୍‌ ଆଦିରେ ମଧ୍ୟ ସେ କଣ୍ଠଦାନ କରିଥିଲେ। ୧୯୭୭ରୁ ୧୯୮୧ ମଧ୍ୟରେ ସେ ପାଞ୍ଚଥର ଫିଲ୍ମ ଫେୟାର ବେଷ୍ଟ ଫିମେଲ ପ୍ଲେବ୍ୟାକ୍‌ ସିଙ୍ଗର ପାଇଁ sମନୋନୀତ ହୋଇଥିଲେ। ‘ଚିତଚୋର’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ରବୀନ୍ଦ୍ର ଜୈନ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କେ.ଜେ.ୟେସୁଦାସଙ୍କ ସହିତ ଡୁଏଟ୍‌ ଗାନ କରିଥିଲେ। ଗୀତଟି ଥିଲା ‘ତୁ ଜୋ ମେରେ ସୁର ମେଁ’।

ପିଲାବେଳ : ୧୯୫୪ ମସିହା ଅଗଷ୍ଟ ମାସ ୧୬ ତାରିଖରେ ହାଇଦ୍ରାବାଦର ଏକ ରକ୍ଷଣଶୀଳ ମାରଓ୍ବାଡ଼ି ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ହେମଲତା। ବାପା ପଣ୍ଡିତ ଜୟଚନ୍ଦ ଭଟ୍ଟ ଏବଂ ମା’ ଅମ୍ବିକା ଭଟ୍ଟ। ତାଙ୍କର ପିତୃଦତ୍ତ ନାମ ଥିଲା ଲତା ଭଟ୍ଟ। ପଣ୍ଡିତ ଜୟଚନ୍ଦ ଭଟ୍ଟ ଥିଲେ ଜଣେ ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତଜ୍ଞ। ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ମଧ୍ୟ ହେମଲତା କଲିକତାରେ ବଢ଼ିଥିଲେ। କଲିକତାରେ ହିଁ ତାଙ୍କ ଶୈଶବ ଯୌବନ ଅତିବାହିତ ହୋଇଥିଲା। ପିଲାଟି ବେଳୁ ସେ ଥିଲେ ଜଣେ ସୁରିଲା ଗାୟିକା। ତାଙ୍କୁ ଯେତେବେଳେ ମାତ୍ର ସାତବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ଭିତରେ ଯେ ଜଣେ ପ୍ରସିଦ୍ଧ ଗାୟିକା ହେବାର କଳା ଲୁଚି ରହିଛି ତାହାକୁ ଆବିଷ୍କାର କରିଥିଲେ ତାଙ୍କ ବାପାଙ୍କ ପାଖକୁ ଗୀତ ଶିଖିବା ପାଇଁ ଆସୁଥିବା ଜଣେ ଛାତ୍ର। ତାଙ୍କ ନାମ ଗୋପାଲ ମଲିକ। ସେ ତାଙ୍କୁ ଏକ ଗୀତ ଆସରରେ ମଧ୍ୟ ଗାଇବାକୁ ସୁଯୋଗ ଦେଇଥିଲେ। ସେଇ ସାତବର୍ଷ ବୟସରେ ହିଁ କଲିକତାର ରବୀନ୍ଦ୍ର ଷ୍ଟାଡ଼ିୟମଠାରେ ଆୟୋଜିତ ସଙ୍ଗୀତ ଆସରରେ ଗୀତ ଗାଇ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ ହେମଲତା। ଏହାପରେ ତାଙ୍କ ବାପା ମନସ୍ଥ କରିଥିଲେ ଯେ ଝିଅକୁ ନେଇ ସେ ମୁମ୍ବାଇ (ତତ୍କାଳର ବମ୍ବେ) ଚାଲିଯିବେ।

ବମ୍ବେ ଆସିବା ପୂର୍ବରୁ : ଝିଅର ସଙ୍ଗୀତ କ୍ୟାରିଅର ପାଇଁ ତାଙ୍କ ବାପା ବମ୍ବେ ଯିବାକୁ ପ୍ରସ୍ତୁତ ହେଉଥିଲେ। ତେବେ ତାଙ୍କ ବାପା ଜୟଚନ୍ଦ ଭଟ୍ଟଙ୍କର ଜଣେ ନିୟମିତ ଛାତ୍ର ଥିଲେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଦିବଂଗତ ରବୀନ୍ଦ୍ର ଜୈନ। ସେ ପ୍ରତ୍ୟେକ ଦିନ ଜୟଚନ୍ଦଙ୍କ ନିକଟକୁ ଗୀତ ଗାଇବା ପାଇଁ ଆସୁଥିଲେ। ରବୀନ୍ଦ୍ର ଜୈନ ପିଲାବେଳୁ ଥିଲେ ଜଣେ ସଙ୍ଗୀତ କମ୍ପୋଜର। ଗୀତ ଶିଖିବା ସହିତ ସେ ବଙ୍ଗଳା ଗୀତ ସବୁ କମ୍ପୋଜ କରୁଥିଲେ। ସେ ଯେଉଁ ବଙ୍ଗଳା ଗୀତ ସବୁର ସ୍ବର କରୁଥିଲେ ସେସବୁକୁ ଅଭ୍ୟାସ କରି ଗାଉଥିଲେ ହେମଲତା। ହେମଲତାଙ୍କୁ ସେତେବେଳେ ୧୨ବର୍ଷ ବୟସ। ରବୀନ୍ଦ୍ର ଜୈନଙ୍କ ସ୍ବରରେ ଫୋକ୍‌ ସଙ୍ଗୀତର ମିଶ୍ରଣ ରହୁଥିଲା। ସେହିହେତୁ ପିଲାବେଳୁ ରବୀନ୍ଦ୍ର ଜୈନଙ୍କ ଗୀତ ସବୁକୁ ଅଭ୍ୟାସ କରିଥିବାରୁ ହେମ୍‌ଲତାଙ୍କ କଣ୍ଠରେ ଫୋକ୍‌ ମ୍ୟୁଜିକ୍‌ର ଯେଉଁ ଲାଳିତ୍ୟ ତାହା ଦାନା ବାନ୍ଧି ଯାଇଥିଲା; ଯାହା ଭବିଷ୍ୟତରେ ତାଙ୍କ ପାଇଁ କାମରେ ଲାଗିଲା।

ବମ୍ବେରେ ଷ୍ଟ୍ରଗଲ୍‌ : ସଙ୍ଗୀତରେ କ୍ୟାରିଅର କରିବାକୁ ବମ୍ବେ ଆସିବା ପରେ ସେ ପ୍ରଥମେ ଓସ୍ତାଦ ରଇସ୍‌ ଖାନ୍‌ଙ୍କ ନିକଟରୁ ଗଜଲ୍‌ରେ ତାଲିମ୍‌ ନେଲେ। ସଙ୍ଗୀତ ନିର୍ଦ୍ଦେଶକ ନୌସାଦ ଅଲୀ ହେମଲତାଙ୍କ କଣ୍ଠସ୍ବର ଶୁଣି ଖୁବ୍‌ ଖୁସି ହୋଇଥିଲେ ଏବଂ କଣ୍ଠସ୍ବର ପରିପକ୍ୱ ହେବା ପର୍ଯ୍ୟନ୍ତ ସେ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ସେ ହେମଲତାଙ୍କୁ ଏକ ପାଞ୍ଚବର୍ଷିଆ ଚୁକ୍ତି କରାଇଥିଲେ। ଚୁକ୍ତି ଅନୁଯାୟୀ ହେମଲତା ତାଙ୍କଠୁ ପ୍ଲେବ୍ୟାକ୍‌ ସିଙ୍ଗିଙ୍ଗର ତାଲିମ ନେବେ। ଆଉ ସେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରମୋଟ୍‌ କରିବେ। ସେତେବେଳେ ବମ୍ବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୌସାଦ ଅଲ୍ଲୀଙ୍କ ଦ୍ୱାରା ପ୍ରମୋଟ୍‌ ହେବା କିିଛି କମ୍‌ ବଡ଼କଥା ନ ଥିଲା। କାରଣ ସବୁ ବଡ଼ବଡ଼ ସଙ୍ଗୀତ ନିର୍ଦ୍ଦେଶକମାନେ ନୌସାଦ ଅଲ୍ଲୀଙ୍କ ଦ୍ୱାରା ତାଲିମ୍‌ ପ୍ରାପ୍ତ କଣ୍ଠଶିଳ୍ପୀମାନଙ୍କୁ ହିଁ ଅଗ୍ରାଧିକାର ଭିତ୍ତିରେ ଗୀତ ଗାଇବାକୁ ନେଉଥିଲେ। ନୌସାଦ ଅଲ୍ଲୀଙ୍କ ଦ୍ୱାରା ପ୍ରମୋଟ୍‌ କରାଯିବା ପରେ ସଙ୍ଗୀତ ନିର୍ଦ୍ଦେଶିକା ଉଷା ଖାନ୍ନାଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଆଉ ସେ ଉଷା ଖାନ୍ନାଙ୍କ ସଙ୍ଗୀତ ନିର୍ଦ୍ଦେଶିତ ‘ରୂପ ରୁପୈୟା’ ଫିଲ୍ମ ପାଇଁ କଣ୍ଠଦାନ କରିଥିଲେ।

ରବୀନ୍ଦ୍ର ଜୈନ : ସତୁରି ଦଶକର ପ୍ରଥମ ଭାଗରେ ରବୀନ୍ଦ୍ର ଜୈନ ବମ୍ବେରେ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଆସିଲେ। ଆଗରୁ ହେମଲତା ରବୀନ୍ଦ୍ର ଜୈନଙ୍କ ଶତାଧିକ ଗୀତ ରେକର୍ଡ଼ କରି ସାରିଥିଲେ। ତେଣୁ ରବିନ୍ଦ୍ର ଜୈନ ବମ୍ବେ ଆସିବା ପରେ ହେମଲତା ହିଁ ତାଙ୍କ ପାଇଁ ପାଲଟିଗଲେ ଏକ ଆସେଟ୍‌। ପ୍ରାଥମିକ ପର୍ଯ୍ୟାୟରେ ରବୀନ୍ଦ୍ରଙ୍କୁ ଯେଉଁ ସ୍ବଳ୍ପ ବଜେଟ୍‌ର ଫିଲ୍ମ ମିଳୁଥିଲା ସେଥିରେ ସେ ହେମଲତାଙ୍କୁ ଗାୟିକା ଭାବରେ ନେଉଥିଲେ। ସେସବୁ ମଧ୍ୟରେ ଥିଲା କାଞ୍ଚ ଔର ହୀରା, ରାଖ୍‌ ଔର ଚିଙ୍ଗାରି, ଗୀତ୍‌ ଗାତା ଚଲ, ସଲାଖେଁ ଏବଂ ତପସ୍ୟା ଆଦି ଫିଲ୍ମ। ତେବେ ଏସବୁ ଫିଲ୍ମ ହେମଲତାଙ୍କ ପାଇଁ ସେତେ ବେଶି ମାଇଲେଜ୍‌ ଆଣିପାରି ନ ଥିଲା। ୧୯୭୧ରେ ରବୀନ୍ଦ୍ରଙ୍କ ହାତକୁ ଆସିଲା ଏକ ଫିଲ୍ମ ‘ଫକିରା’। ଏହି ଫିଲ୍ମରେ ଗୋଟିଏ ଗୀତ ପଡ଼ିଥିଲା ହେମଲତାଙ୍କ ଭାଗରେ। ତାହା ଥିଲା ‘ସୁନ୍‌ କେ ତେରି ପୁକାର’। ଗୀତଟି ଜବରଦସ୍ତ ହିଟ୍‌ ହୋଇଥିଲା। ଆଉ ଉଭୟ ରବୀନ୍ଦ୍ର ଜୈନ ଏବଂ ହେମ୍‌ଲତାଙ୍କ ଫିଲ୍ମ କ୍ୟାରିୟରକୁ ଏକ ଦିଶା ମିଳି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ମହଙ୍ଗା ଫଳ: ମୂଲ୍ୟ ଜାଣିଲେ ଉଡିଯିବ ହୋଶ୍‌

ସାଧାରଣତଃ ମହଙ୍ଗା ଜିନିଷ କିଣିବାକୁ ହେଲେ ଲୋକେ ବିଳାସପୂର୍ଣ୍ଣ କାର, ସୁନା ଏବଂ ହୀରା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଜାପାନରେ ଏକ ତରଭୁଜ ଅଛି,...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

Post Officeର ଜବରଦସ୍ତ ସ୍କିମ୍‌: ମାସିକ ୫୫୫୦ ଟଙ୍କା ରୋଜଗାର ଗ୍ୟାରେଣ୍ଟି

ପୋଷ୍ଟ ଅଫିସ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସଞ୍ଚୟ ଯୋଜନା ପ୍ରଦାନ କରେ। ପୋଷ୍ଟ ଅଫିସ ଏକ ଉଲ୍ଲେଖନୀୟ ଯୋଜନା ହେଉଛି, ମାସିକ ଆୟ ଯୋଜନା...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri