ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୁତ୍ତମାନେ ରବିବାର ବସ୍ ମାଲିକ ଆଇଗିଣିଆର ବିମ୍ବାଧର ସୁନ୍ଦରାୟଙ୍କୁ ଗୁଳି ମାଡ଼ କରିବା ସହ ଗୋଡେଇ ଗୋଡେଇ ହାଣିଥିଲେ। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସିଜୁଆର ଡମ୍ବରୁ ଜୟସିଂହ(୨୬) ଓ ବରମୁଣ୍ଡାର ସ୍ବରୂପାନନ୍ଦ ସ୍ବାଇଁ(୨୪)। ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ୨୦ରୁ ଊର୍ଦ୍ଧ୍ୱ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ବିମ୍ବାଧରଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବାରୁ ସେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ମୁତାବକ ରବିବାର ସକାଳେ ବିମ୍ବାଧରଙ୍କ ପୁତୁରା ଲକି ତମାଣ୍ଡୋରେ ଥିବା ଜିମ୍ ସେଣ୍ଟରକୁ ଯାଇଥିଲେ। ସେଠାରେ ସିଜୁଆର ଡମ୍ବରୁ ସହିତ କୌଣସି କାରଣକୁ ନେଇ ତାଙ୍କର ବଚସା ହୋଇଥିଲା। ଡମ୍ବୁରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ସେ ଘରେ ଜଣାଇବା ପରେ ବିମ୍ବାଧର ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ। ପୋଲିସ ଡମ୍ବରୁକୁ ଖୋଜିବାରୁ ସେ ପ୍ରତିଶୋଧ ପରାୟଣ ହୋଇପଡିଥିଲା। ଅପରାହ୍ଣ ପ୍ରାୟ ୨ଟା ବେଳେ ଆଇଗିଣିଆ ଦୁର୍ଗାମଣ୍ଡପ ନିକଟରେ ଥିବା କ୍ଲବ ସମ୍ମୁଖରେ ବିମ୍ବାଧର ବସିଥିଲେ। ଏହି ସମୟରେ ସିଜୁଆର ୨୫ରୁ ଉର୍ଦ୍ଧ୍ୱ ଯୁବକ ହାତରେ ବନ୍ଧୁକ, ଖଣ୍ଡା, ଭୁଜାଲି, ଲୁହାରଡ ଓ ଲାଠି ଧରି ସେଠାରେ ପହଞ୍ଚତ୍ ଆତଙ୍କ ଖେଳାଇଥିଲେ। ସେମାନେ ଲକିଙ୍କୁ ଖୋଜିବା ସହିତ କ୍ଲବରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ବିମ୍ବାଧର ଏହାର ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ଆକ୍ରମଣ କରିଥିଲେ। ବିମ୍ବାଧର ଫୋନ୍ କରି ସାହିର କେତେଜଣ ଯୁବକଙ୍କୁ ଘଟଣାସ୍ଥଳକୁ ଡାକିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ଉପରକୁ ହୋଇଥିଲା ଗୁଳିମାଡ଼। ସୌଭାଗ୍ୟ ଗୁଳିଟି ମୋବାଇଲ ଫୋନରେ ବାଜିଥିଲା। ଫଳରେ ନିଶ୍ଚିତ ମୃତ୍ୟୁରୁ ବିମ୍ବାଧର ବର୍ତ୍ତି ଯାଇଥିବାବେଳେ ଫୋନଟି ଫୁଟିଯାଇଥିଲା। ଏହାପରେ ଯୁବକମାନେ ବିମ୍ବାଧରକୁ ଗୋଡ଼େଇ ଗୋଡ଼େଇ ହାଣି ପକାଇଥିଲେ।


