Posted inଖେଳ

ପାକିସ୍ତାନକୁ ହରାଇଲା ଭାରତ

ମାଞ୍ଚେଷ୍ଟର, ୧୭।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପର ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ମହା ମୁକାବିଲାରେ ଭାରତର ବିଜୟ ଧ୍ୱଜା ଉଡ଼ିଛି। ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଏହି ବିଜୟ ଆଣି ଦେଇଛି। ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେଭିଓ୍ବେଟ ମୁକାବିଲାରେ ଭାରତ ୮୯ ରନରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୩୬ ରନ କରିଥିଲା। ଜବାବରେ ପାକିସ୍ତାନ ୩୫ ଓଭରରେ ୧୬୬ ରନ ମଧ୍ୟରେ ୬ ଉଇକେଟ ହରାଇ ପରାଜୟ ଆଡ଼କୁ ମୁହାଁଉଥିବାବେଳେ ବର୍ଷା ହୋଇଥିଲା। ଖେଳ କିଛି ସମୟ ବନ୍ଦ ରହିବାପରେ ଡକଓ୍ବର୍ଥ ଲୁଇସ ନିୟମ ଲାଗୁ ହୋଇଥିଲା। ୪୦ ଓଭରରେ ପାକିସ୍ତାନ ସମ୍ମୁଖରେ ୩୦୨ ରନର ଟାର୍ଗେଟ ରଖା ଯାଇଥିଲା। ମାତ୍ର ପାକିସ୍ତାନ ଏହି ଓଭର ମଧ୍ୟରେ ୨୧୨ ରନ କରିବାକୁ ସକ୍ଷମ ହୋଇଥିଲା। ଏଥିସହ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡ ଅପରିବର୍ତ୍ତିତ ରହିଛି। ପୂର୍ବରୁ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ୬ଟି ଯାକ ମୁକାବିଲାରେ ଭାରତ ବିଜୟୀ ହୋଇଥିଲା। ଏବେ ଏହି ସଂଖ୍ୟା ୭ରେ ପହଞ୍ଚତ୍ଛି।
ମେଘୁଆ ପାଗ ଏବଂ ପିଚ୍‌ରେ ଅର୍ଦ୍ରତାକୁ ଦୃଷ୍ଟିରେ ରଖି ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପାକିସ୍ତାନ। ମାତ୍ର ଏହି ମହା ମୁକାବିଲାରେ ଚାପର ବଶବର୍ତ୍ତୀ ହୋଇ ନ ଥିଲେ ଟିମ୍‌ ଇଣ୍ଡିଆର ଦୁଇ ଦକ୍ଷ ଓପନର। ଶିଖର ଧାଓ୍ବନଙ୍କ ଅନୁପସ୍ଥିତିରେ ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ହୋଇଥିଲେ ଲୋକେଶ ରାହୁଲ। ସୁଯୋଗର ଭରପୁର ସଦ୍‌ବ୍ୟବହାର କରିଥିଲେ ଏହି ଷ୍ଟାଇଲିଶ୍‌ ବ୍ୟାଟ୍ସମ୍ୟାନ। ଉଭୟ ରୋହିତ ଓ ରାହୁଲ ପାକ୍‌ ବୋଲରଙ୍କୁ ସଫଳତାର ସହିତ ମୁକାବିଲା କରି ଶତକୀୟ ଭାଗୀଦାରି ଗଢ଼ିବା ସହ ଭାରତର ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ବିଶେଷ କରି ୩୪ ବଲ୍‌ରୁ ୫୦ ଓ ୮୫ ବଲ୍‌ରୁ ୧୦୦ ରନ ପୂରଣ କରି ପାକିସ୍ତାନ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ସାଜିଥିଲେ ରୋହିତ। ୨୪ତମ ଓଭରରେ ଯାଇ ପାକ୍‌ ବୋଲରମାନେ ଏହି ଯୋଡ଼ି ଭାଙ୍ଗିବାରେ ସକ୍ଷମ ହୋଇଥିଲେ। ୨୩.୫ ଓଭରରେ ଦଳୀୟ ସ୍କୋର ୧୩୬ ହୋଇଥିବାବେଳେ ରାହୁଲ ବ୍ୟକ୍ତିଗତ ୫୭ ରନ କରି ଓ୍ବାହାବ ରିଆଜଙ୍କ ବଲ୍‌ରେ ବାବର ଆଜମଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ୭୮ ବଲ୍‌ର ସମ୍ମୁଖୀନ ହୋଇଥିବା ରାହୁଲ ନିଜ ଇନିଂସ ମଧ୍ୟରେ ୩ ଚୌକା ଓ ୨ ଛକା ମାରିଥିଲେ। ଗୋଟିଏ ରନ୍‌ଆଉଟ ସୁଯୋଗ ଛାଡ଼ିଦେଲେ ରୋହିତ-ରାହୁଲ ଯୋଡ଼ି ଅତି ସୁନ୍ଦରଭାବେ ଭାରତୀୟ ଇନିଂସ ଗଢ଼ିଥିଲେ। ଅଧିନାୟକ ବିରାଟ କୋହଲି କ୍ରିଜରେ ଯୋଗ ଦେବାରେ ପାକିସ୍ତାନ ବୋଲରଙ୍କ ଦୁର୍ଦ୍ଦଶା ଅଧିକ ବଢ଼ିଥିଲା। ଦୁଇ ବ୍ୟାଟ୍ସମ୍ୟାନ ରନହାର ବଢ଼ାଇବା ସହ ଭାରତକୁ ଲକ୍ଷ୍ୟ ପଥରେ ଆଗେଇ ନେଇଥିଲେ। ଚମତ୍କାର ଖେଳୁଥିବା ରୋହିତ ଦଳୀୟ ସ୍କୋର ୩୮.୨ ଓଭରରେ ୨୩୪ ହୋଇଥିବାବେଳେ ହାସନ ଅଲୀଙ୍କ ବଲ୍‌ରେ ଏକ ସ୍କୁପ୍‌ ଶଟ୍‌ ଖେଳିବାକୁ ଯାଇ ଓ୍ବାହାବ ରିଆଜଙ୍କ ହାତରେ ଧରା ପଡ଼ି ଯାଇଥିଲେ। କ୍ୟାରିୟରର ୨୪ତମ ଶତକ ହାସଲ କରିଥିବା ରୋହିତ ୧୧୩ଟି ବଲ୍‌ର ସମ୍ମୁଖୀନ ହୋଇ ୧୪ ଚୌକା ଓ ୩ ଛକା ସହାୟତାରେ ୧୪୦ ରନ ସ୍କୋର କରିଥିଲେ। ରୋହିତ ଓ କୋହଲି ଦ୍ୱିତୀୟ ଉଇକେଟରେ ୯୮ ରନ ଯୋଗ କରିଥିଲେ। ମିଡଲ ଅର୍ଡରରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ରନ ସଂଗ୍ରହ ଚକ୍କରରେ ୧୯ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୨୬ ରନକରି ଆଉଟ ହୋଇଯାଇଥିଲେ। ତେବେ କୋହଲି ଓ ପାଣ୍ଡ୍ୟାଙ୍କୁ ଯୋଡ଼ିରୁ ୫୧ ରନ ସଂଗୃହୀତ ହୋଇଥିଲା। ମହେନ୍ଦ୍ର ସିଂ ଧୋନୀ ବିଫଳ ହେବା ଦଳକୁ ଶକ୍ତ ଝଟ୍‌କା ଲାଗିଥିଲା। ସେ ମାତ୍ର ୧ ରନ କରି ଅମିରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୧୧,୦୦୦ ରନ ପୂରଣ କରିଥିବା ଅଧିନାୟକ ବିରାଟ ଭାରତ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ୪୬.୪ ଓଭରରେ ଭାରତ ସ୍କୋର ୩୦୫/୪ ହୋଇଥିବାବେଳେ ବର୍ଷା ହୋଇଥିଲା। ଏଥିପାଇଁ ୧୫ ମିନିଟ ଖେଳ ବାଧାପ୍ରାପ୍ତ ହୋଇଥିଲା। ତେବେ ଓଭର ସଂଖ୍ୟା କମା ନ ଯାଇ ପୁଣି ଖେଳ ଆରମ୍ଭ ହୋଇଥିଲା। ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବାରୁ ସମ୍ଭବତଃ ଏକାଗ୍ରତା ହରାଇଥିଲେ କୋହଲି। ସେ ୬୫ ବଲ୍‌ରୁ ୭ ଚୌକା ସହାୟତାରେ ୭୭ ରନ କରିଥିବାବେଳେ ଅମିରଙ୍କ ଏକ ବାଉନ୍ସରରେ ପରାସ୍ତ ହୋଇଥିଲେ। ଉଇକେଟ କିପର ସର୍ଫରାଜ ଅହମଦଙ୍କୁ କ୍ୟାଚ ଦେଇଥିବା ଅନୁଭବ କରି ସେ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ଅମ୍ପାୟରଙ୍କ ନିଷ୍ପତ୍ତିକୁ ଅପେକ୍ଷା ନ କରିବା ତାଙ୍କ ପାଇଁ ବଡ଼ ଭୁଲ ଥିଲା। ଅମ୍ପାୟର ଦ୍ୱନ୍ଦ୍ୱରେ ଥିବାର କିଛି କହି ନ ଥିଲେ। ରିପ୍ଲେରେ ବଲ୍‌ ବ୍ୟାଟ୍‌ରେ ବାଜି ନ ଥିବା ପରିଲକ୍ଷିତ ହୋଇଥିଲା। ସେତେବେଳକୁ ଦଳୀୟ ସ୍କୋର ୪୭.୪ ଓଭରରେ ୩୧୪ହୋଇଥିଲା। ଶେଷଭାଗରେ ବିଜୟ ଶଙ୍କର ଓ କେଦାର ଯାଦବ ଦ୍ରୁତ ରନ ସଂଗ୍ରହ କରି ନ ପାରିବାରୁ ଭାରତ ସ୍କୋର ୫୦ ଓଭରରେ ୩୩୬/୫ରେ ସୀମିତ ହୋଇଥିଲା। ବିଜୟ ଶଙ୍କର ୧୫ ବଲ୍‌ରୁ ୧୫(୧ ଚୌକା) ଓ କେଦାର ୮ ବଲ୍‌ରୁ ୯(୧ ଚୌକା) ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ଅମିର ୩ଟି ଏବଂ ହାସନ ଅଲୀ ଓ ଓ୍ବାହାବ ରିଆଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୩୩୭ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ପାକିସ୍ତାନ ମାତ୍ର ୧୩ ରନରେ ଓପନର ଇମାମ-ଉଲ-ହକ୍‌ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଇମାମ ୭ ରନ କରିଥିବାବେଳେ ବିଜୟ ଶଙ୍କରଙ୍କ ବଲ୍‌ରେ ଏଲବିଡବଲ୍ୟୁ ଆଉଟ ହୋଇଥିଲେ। ଫକର ଜମନ ଓ ବାବର ଆଜମ ଦ୍ୱିତୀୟ ଉଇକେଟ ଯୋଡ଼ିରେ ଶତକୀୟ ଭାଗୀଦାରି ଗଢ଼ି ଭାରତ ପାଇଁ ବିପଦ ସୃଷ୍ଟି କରିଥିଲେ। ମାତ୍ର ୨୪ତମ ଓଭରର ଶେଷ ବଲ୍‌ରେ ବାବର ଆଜମ୍‌ଙ୍କୁ କ୍ଲିନ ବୋଲ୍ଡ କରି ପ୍ରତୀକ୍ଷାର ଅବସାନ ଘଟାଇଥିଲେ ବାମହାତୀ ସ୍ପିନର କୁଲଦୀପ ଯାଦବ। ୫୭ ବଲ୍‌ ଖେଳିଥିବା ବାବର ୩ ଚୌକା ଓ ୧ ଛକା ସହାୟତାରେ ୪୮ ରନ ସ୍କୋର କରିଥିଲେ। ଫକର ଓ ବାବର ଦ୍ୱିତୀୟ ଉଇକେଟ ଭାଗୀଦାରିରେ ୧୦୪ ରନ ଯୋଗ କରିଥିଲେ। ବାବର ଆଉଟ ହେବାପରେ କ୍ରିଜ୍‌ରେ ଜମିରହିଥିବା ଫକରଙ୍କ ଉପରେ ରନ ହାର ବଢ଼ାଇବାର ଚାପ ପଡ଼ିଥିଲା। ଫଳରେ ସେ ଆଉ ଅଧିକ ସମୟ ତିଷ୍ଠି ନ ପାରି ବ୍ୟକ୍ତିଗତ ୬୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ସେ ୭୫ ବଲ୍‌ ଖେଳି ନିଜ ଇନିଂସ ମଧ୍ୟରେ ୭ ଚୌକା ଓ ୧ ଛକା ମାରିଥିଲେ। ଫକର ଆଉଟ ହେବାସହ ପାକିସ୍ତାନର ବିଜୟ ଆଶା ମଉଳିଥିଲା। ଆବଶ୍ୟକ ରନ ହାର କ୍ରମେ ବଢ଼ି ଚାଲିଥିବାରୁ ଦ୍ରୁତ ହାରରେ ରନ ସଂଗ୍ରହ ଜରୁରୀ ହୋଇ ପଡ଼ିଥିଲା। ଏହି ପରିସ୍ଥିତିରେ ମିଡଲ ଅର୍ଡରରେ ମହମ୍ମଦ ହାଫିଜ(୯) ଓ ଅଭିଜ୍ଞ ସୋଏବ ମଲିକ(୦)ଙ୍କ ବିଫଳତା ପାକିସ୍ତାନ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଥିଲା। ହାଫିଜ୍‌ଙ୍କୁ ବିଜୟଶଙ୍କରଙ୍କ ହାତରେ କ୍ୟାଚ କରାଇ ଏବଂ ସୋଏବଙ୍କୁ କ୍ଲିନ ବୋଲ୍ଡ କରି ପାକିସ୍ତାନକୁ ଡବଲ୍‌ ଝଟ୍‌କା ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଅଧିନାୟକ ସର୍ଫରାଜ ଅହମଦ ମଧ୍ୟ ଅଧିକ ସମୟ କ୍ରିଜରେ ରହିପାରି ନ ଥିଲେ। ସେ ୩୦ ବଲ୍‌ରୁ ମାତ୍ର ୧୨ ରନ କରି ବିଜୟଶଙ୍କରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୩୫ ଓଭର ବେଳକୁ ପାକିସ୍ତାନ ୬ ଉଇକେଟ ହରାଇ ୧୬୬ ରନ କରିଥିବାବେଳେ ବର୍ଷାଯୋଗୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ପରେ ୪୦ ଓଭରରୁ ୩୦୨ ରନ ଟାର୍ଗେଟ ହେବାରୁ ପାକିସ୍ତାନକୁ ୩୦ ବଲ୍‌ରେ ୧୩୬ ରନ ଆବଶ୍ୟକ ହେଉଥିଲା। ଯାହାକି ଅସମ୍ଭବ ଥିଲା। କାରଣ ପ୍ରତି ବଲ୍‌ରେ ଚୌକା ହେଲେବି ପାକିସ୍ତାନ ମ୍ୟାଚ ଜିତିବା ସମ୍ଭବ ନ ଥିଲା। ହାମ୍‌ଷ୍ଟ୍ରିଙ୍ଗ୍‌ ଇଞ୍ଜୁରି ପାଇଁ ଭୁବନେଶ୍ୱର କୁମାର ମାତ୍ର ୨.୪ ଓଭର ବୋଲିଂ କରି ପାରିଥିଲେ। ଏହା ଭାରତ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ମ୍ୟାଚରେ ସବୁ ଭାରତୀୟ ବୋଲର ଭଲ ବୋଲିଂ କରିଥିବାବେଳେ ବିଜୟ ଶଙ୍କର, ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ୨ଟି ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri