କାଠଗଡ଼ାରେ ଋଣପ୍ରଦାନକାରୀ,ଆୟକର ବିଭାଗ; କ୍ୟାଫେ କଫି ଡେ ମାଲିକ ଭି.ଜି.ସିଦ୍ଧାର୍ଥ ନିଖୋଜ

ନୂଆଦିଲ୍ଲୀ,୩୧-୭: କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌.କ୍ରିଷ୍ଣାଙ୍କ ଜ୍ୱାଇଁ ଭି.ଜି.ସିଦ୍ଧାର୍ଥ ସୋମବାର ରାତିରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜାଖୋଜି କରିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଥିବା ବେଳେ ସେ ଆମତ୍ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ନିଖୋଜ ହେବା ପଛରେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଓ ଶେୟାରଧାରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ତାଙ୍କର ଶେଷ ପତ୍ରକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତାଙ୍କୁ ଋଣପ୍ରଦାନକାରୀ ଓ ଆୟକର ବିଭାଗ କ୍ରମାଗତ ଚାପ ପକାଇ ଚାଲିଥିଲେ ବୋଲି ସିଦ୍ଧାର୍ଥ ତାଙ୍କ ପତ୍ରରେ ଦର୍ଶାଇଛନ୍ତି। ଏହି ଚାପକୁ ସେ ଆଉ ସହିପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କର ଏହି ପତ୍ର ଆୟକର ବିଭାଗ ଓ ଋଣପ୍ରଦାନକାରୀଙ୍କୁ କାଠଗଡାରେ ଛିଡା କରିଛି।
କଫି କିଙ୍ଗ ଭାବେ ପରିଚିତ ସିଦ୍ଧାର୍ଥଙ୍କୁ ସୋମବାର ରାତିରେ ବେଙ୍ଗାଲୁରୁରୁ ମଙ୍ଗଲୁରୁ ଯାଉଥିବା ବେଳେ ଦକ୍ଷିଣ କନ୍ନଡ ଜିଲ୍ଲାର କୋଟେପୁରା ଅଞ୍ଚଳରେ ଅବସ୍ଥିତ ନେତ୍ରାବତୀ ନଦୀ ପୋଲ ଉପରେ ଶେଷ ଥର ପାଇଁ ଦେଖାଯାଇଥିଲା। ଡ୍ରାଇଭରଙ୍କ କହିବାନୁଯାୟୀ କୌଣସି ବ୍ୟକ୍ତିଙ୍କ ସହ ଫୋନରେ ଆଲୋଚନା କରୁଥିବା ବେଳେ ଗାଡ଼ିରୁ ଓହ୍ଲାଇ ବୁଲିବାକୁ ଯାଉଛନ୍ତି କହି ସେ ଆଗକୁ ବଢ଼ିଥିଲେ। ଏହାପରେ ଡ୍ରାଇଭର ତାଙ୍କର ଆଉ କୌଣସି ଖୋଜ ଖବର ନ ପାଇଁ ଘରକୁ ଫେରିବା ପୂର୍ବରୁ ସମସ୍ତଙ୍କୁ ଜଣାଇଥିଲେ। ଚାପଗ୍ରସ୍ତ ସିଦ୍ଧାର୍ଥ ନଦୀକୁ ଡେଇଁ ଆମତ୍ହତ୍ୟା କରିଛନ୍ତି ବୋଲି ପୋଲିସ ଆଶଙ୍କାବ୍ୟକ୍ତ କରିଛି। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଖୋଜିବା ପାଇଁ ଏନ୍‌ଡିଆର୍‌ଏଫ୍‌, କୋଷ୍ଟଗାର୍ଡ, ହୋମଗାର୍ଡ, ଅଗ୍ନିଶମ ସେବା ଓ କୋଷ୍ଟାଲ ପୋଲିସ ସହାୟତା ନିଆଯାଉଛି।
କର୍ମଚାରୀଙ୍କୁ ଭାବବିହ୍ବଳ ଚିଠି
ସିସିଡି ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥ ନିରୁଦ୍ଦିଷ୍ଟ ହେବା ପରେ ତାଙ୍କର ପତ୍ର ସାମ୍ନାକୁ ଆସିଛି। ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଓ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଏହି ପତ୍ରରେ ସେ ଦର୍ଶାଇଛନ୍ତି ଯେ, ଦୀର୍ଘ ୩୭ ବର୍ଷ ଧରି ସବୁପ୍ରକାର ଚେଷ୍ଟା ସତ୍ତ୍ୱେ ସେ ଏକ ଲାଭଜନକ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ବିଫଳ ହୋଇଛନ୍ତି। ନିଜ କମ୍ପାନୀ ପାଇଁ ସେ ସବୁକିଛି କଷ୍ଟ ସହିଛନ୍ତି। ତେବେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବ୍ୟକ୍ତିମାନଙ୍କୁ ସେ ନିରାଶ କରିଥିବାରୁ ଦୁଃଖିତ ବୋଲି ସିଦ୍ଧାର୍ଥ ଲେଖିଛନ୍ତି। ଆଉ ଚାପ ସହିପାରିବି ନାହିଁ ବୋଲି ଉଲ୍ଲେଖ କରି ସେ ଲେଖିଛନ୍ତି ଯେ, କିଛି ମାସ ପୂର୍ବେ ଜଣେ ଋଣପ୍ରଦାନକାରୀ ତଥା ଘରୋଇ ଇକ୍ୟୁଟି ପାର୍ଟନର ଶେୟାର କିଣିବା ଲାଗି ତାଙ୍କୁ ବାଧ୍ୟ କରିଥିଲେ। ଜଣେ ବନ୍ଧୁଙ୍କ ଠାରୁ ପ୍ରଚୁର ଅର୍ଥ ଆଣି ସେ ଶେୟାର କିଣିଥିଲେ। ତେବେ ଅନ୍ୟ ଋଣପ୍ରଦାନକାରୀ ମଧ୍ୟ ସମାନ ଦାବି ଜଣାଇଛନ୍ତି। ଏହାଛଡ଼ା ଆୟକର ବିଭାଗର ଜଣେ ପୂର୍ବତନ ଡିଜି ତାଙ୍କୁ ଅଯଥା ହଇରାଣ ହରକତ କରିଛନ୍ତି। ସଂଶୋଧିତ ରିଟର୍ନ ଦାଖଲ କରିବା ସତ୍ତ୍ୱେ ମାଇଣ୍ଡଟ୍ରି ସହ ୨ ଥର ଚୁକ୍ତି କରିବାକୁ ଉଦ୍ୟମ କରି ସେ ବିଫଳ ହୋଇଥିଲେ। କାରଣ ଆୟକର ଡିଜି ତାଙ୍କ କମ୍ପାନୀ ଶେୟାରକୁ ଜବତ କରି ଏହାକୁ ପ୍ରତିଥର ରୋକିଥିଲେ। ଫଳରେ ସେ ନଗଦ ସଙ୍କଟର ସାମ୍ନା କରିଥିଲେ। ସେ ତାଙ୍କର ସମସ୍ତ ଆର୍ଥିକ କାରବାର ନିଜେ କରୁଥିଲେ। ଏ ସମ୍ପର୍କରେ ବୋର୍ଡ, କର୍ମଚାରୀ ଏପରିକି ପରିବାର ସଦସ୍ୟଙ୍କୁ ଲୁଚାଇଥିଲେ ବୋଲି ଦର୍ଶାଇ ସିଦ୍ଧାର୍ଥ ଏଥିପାଇଁ ସେ ଆଇନ ଦୃଷ୍ଟିରୁ ନିଜେ ହିଁ ଦାୟୀ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କର ସମସ୍ତ ସମ୍ପତ୍ତି ସମ୍ପର୍କରେ ପତ୍ରରେ ଜଣାଇ ବକେୟା ଋଣ ଏହାଦ୍ୱାରା ପରିଶୋଧ ହୋଇଯିବ ବୋଲି ଦର୍ଶାଇଛନ୍ତି।
ସ୍ବାକ୍ଷରକୁ ନେଇ ଆୟକର ବିଭାଗର ସନ୍ଦେହ
ସିଦ୍ଧାର୍ଥଙ୍କ ପତ୍ର ଉପରେ ଆୟକର ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସେ ମାର୍ଚ୍ଚ ୧୮ରେ ୧୦ ଟଙ୍କାର ଫେସ୍‌ ଭାଲ୍ୟୁରେ ୯୮୦ ଟଙ୍କା ପ୍ରତି ଶେୟାର ମୂଲ୍ୟରେ ସଫ୍ଟଓ୍ବେୟାର କମ୍ପାନୀ ମାଇଣ୍ଡଟ୍ରିରେ ଥିବା ତାଙ୍କର ମୋଟ ୨୦ ପ୍ରତିଶତ ଶେୟାରକୁ ମୁମ୍ବାଇର ଲାର୍ସେନ ଆଣ୍ଡ ଟୁବ୍‌ରୋ(ଏଲ୍‌ଆଣ୍ଡଟି)କୁ ବିକ୍ରି କରିଦେଇଥିଲେ। ୨୦୧୭ ସେପ୍ଟେମ୍ବରରେ ଆୟକର ବିଭାଗ ପକ୍ଷରୁ ତାଙ୍କ ଅଫିସ୍‌ରେ ଚଢ଼ାଉ କରାଯାଇଥିଲା। ସିଦ୍ଧାର୍ଥଙ୍କ ଅଭିଯୋଗର ଜବାବରେ ଆୟକର ବିଭାଗ କହିଛି ଯେ, ଚଢ଼ାଉ ଓ ଖାନତଲାସ କରାଯିବା ପରେ ବଳିଷ୍ଠ ପ୍ରମାଣ ଭିତ୍ତିରେ ତାଙ୍କ କମ୍ପାନୀର ଶେୟାରକୁ ଜବତ କରାଯାଇଥିଲା। ଏଥିପାଇଁ ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ପାଳନ କରାଯାଇଛି। ମାଇଣ୍ଡଟ୍ରି ଶେୟାର ବିକି ସିଦ୍ଧାର୍ଥ ୩୩୦୦ କୋଟି ଟଙ୍କା ପାଇଥିବା ବେଳେ ଆୟକର ବାବଦରେ ମାତ୍ର ୪୬ କୋଟି ଟଙ୍କା ଦେଇଥିଲେ। କିନ୍ତୁ ସର୍ବନିମ୍ନ ଆୟକର ବାବଦରେ ତାଙ୍କୁ ୩୦୦ କୋଟି ଟଙ୍କା ଦେବାର ଥିଲା। ତେବେ ସିଦ୍ଧାର୍ଥଙ୍କ ସ୍ବାକ୍ଷରକୁ ନେଇ ଆୟକର ବିଭାଗ ସନ୍ଦେହ ପ୍ରକାଶ କରିଛି। କାରଣ ଏହା ନିକଟରେ ଥିବା ତାଙ୍କର ସ୍ବାକ୍ଷର ସହ ପତ୍ରରେ ଥିବା ସ୍ବାକ୍ଷର ମେଳ ଖାଉନି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଷ୍ଟକ୍‌ ମାର୍କେଟକୁ ସୂଚନା
ସିସିଡି ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ନିଖୋଜ ସମ୍ପର୍କରେ କମ୍ପାନୀ ପକ୍ଷରୁ ଷ୍ଟକ୍‌ ମାର୍କେଟକୁ ଜଣାଇ ଦିଆଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛିି ଯେ, ଅଦ୍ୟାବଧି ଯୋଗ୍ୟ ନେତୃତ୍ୱ ଅଧୀନରେ ଏହା ଚାଲିଛି। ଏହି ଟିମ୍‌ ଭବିଷ୍ୟତରେ ତା’ର କାମ କରିଦେଖାଇବ। ସିଦ୍ଧାର୍ଥଙ୍କ ନିଖୋଜ ହେବା ଖବର ପ୍ରଚାରିତ ହେବା ପରେ କାଫେ କଫି ଡେ ଏଣ୍ଟରପ୍ରାଇଜେସ୍‌ ଶେୟାର ମୂଲ୍ୟ ୨୦% ଲୋୟର ସର୍କିଟ ଛୁଇଁଥିଲା। ଏହା ୫୨ ସପ୍ତାହର ସର୍ବନିମ୍ନ ସ୍ତର ୧୫୪.୦୫ ଟଙ୍କା ପ୍ରତି ଶେୟାରରେ ପହଞ୍ଚତ୍ୟାଇଛି।
୫ ଲକ୍ଷରୁ କୋଟିପତି ବ୍ୟବସାୟୀ
କର୍ନାଟକର ଚିକମଙ୍ଗଲୁରରେ ଜନ୍ମିତ ସିଦ୍ଧାର୍ଥଙ୍କ ପରିବାର କଫି ଚାଷ ସହ ଜଡ଼ିତ। ପରିବାର ନିକଟରେ ୧୫ ହଜାର ଏକର କଫି ବଗିଚା ରହିଛି। ତେବେ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସମ୍ପତ୍ତିର ସହାୟତା ନ ନେଇ ସେ ତାଙ୍କର କଫି ଚେନ୍‌ ସୃଷ୍ଟି କରିଥିଲେ। ମେଙ୍ଗାଲୁରୁ ୟୁନିଭର୍ସିିଟିରୁ ଇକୋନୋମିକ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇରେ ପହଞ୍ଚତ୍ଥିଲେ। ଜେଏମ ଫାଇନାନ୍ସିଆଲ ସର୍ଭିସେସ୍‌ରେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ କାର୍ଯ୍ୟାରମ୍ଭ କରିଥିଲେ। ସେହିଠାରୁ ଶେୟାର ମାର୍କେଟ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ତେବେ ବେଶି ଦିନ ଚାକିରି ନ କରି ସେ ମୁମ୍ବାଇରୁ ମାଙ୍ଗାଲୋର ଫେରି ଆସିଥିଲେ। ପିତାଙ୍କ ଠାରୁ ମାତ୍ର ୫ ଲକ୍ଷ ଟଙ୍କା ନେଇ ସେ ନିଜର ବ୍ୟବସାୟ ଆରମ୍ଭ କରି ପରେ କୋଟିପତି ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ସେ ବ୍ୟବସାୟିକ କ୍ୟାରିୟର ଆରମ୍ଭରେ ସିବାନ ସିକ୍ୟୁରିଟିଜ ନାମରେ ଫାଇନାନ୍ସିଆଲ କମ୍ପାନୀ ଖୋଲିିଥିଲେ। ପରେ ଏହାର ନାମ ଓ୍ବେ୨ଓ୍ବେଲ୍‌ଥ ସିକ୍ୟୁରିଟିଜ ରଖାଯାଇଥିଲା। ଏହା ଦେଶର ବଡ଼ ଫାଇନାନ୍ସିଆଲ ଏବଂ ଷ୍ଟକ୍‌ ବ୍ରୋକିଂ କମ୍ପାନୀ ହୋଇଥିଲା। ଏହାପରେ ସେ କର୍ନାଟକରେ କଫି ଚେନ୍‌ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। କଫି କିଙ୍ଗ ଭାବେ ସେ ପ୍ରସିଦ୍ଧି ଲାଭ କରିଥିଲେ। ଆଜି ତାଙ୍କ ନିକଟରେ ୧୭୫ କ୍ୟାଫେର ଚେନ୍‌ ରହିଥିବା ବେଳେ ୬୦ ହଜାରରୁ ଊର୍ଦ୍ଧ୍ୱ ଭେଣ୍ଡିଂ ମେଶିନ ରହିଛି। ଏହାଛଡ଼ା ଅଷ୍ଟ୍ରିଆ, କରାଚୀ, ଦୁବାଇ ଓ ଚେକ୍‌ ରିପବ୍ଲିକ୍‌ରେ ତାଙ୍କ କମ୍ପାନୀର ଆଉଟଲେଟ୍‌ ରହିଛି। କଫି ଛଡ଼ା ସେ ମାଇଣ୍ଡଟ୍ରି, ଗ୍ଲୋବାଲ ଟେକ୍ନୋଲୋଜି ଭେଞ୍ଚର୍ସ ଲିମିଟେଡ, ଡାର୍କ ଫରେଷ୍ଟ ଫର୍ନିଚର କମ୍ପାନୀ, ସିକାଲ ଲଜିଷ୍ଟିକ୍ସରେ ମଧ୍ୟ ସେ ନିବେଶ କରିଥିଲେ। ସେ ୩ ହଜାର ଜମିରେ କଦଳୀ ଚାଷ କରି ବିଦେଶକୁ କଦଳୀ ରପ୍ତାନି କରୁଥିଲେ।
ଭାରତ ଲାଇସେନ୍ସ ରାଜ୍‌ରୁ ଇନ୍ସପେକ୍ଟର ରାଜ୍‌ରେ ବଦଳି ଯାଇଛି
ଭି.ଜି.ସିଦ୍ଧାର୍ଥଙ୍କ ନିଖୋଜ ପାଇଁ ଆୟକର ବିଭାଗକୁ ଦାୟୀ କରାଯାଉଥିବା ବେଳେ ନିଜ ପ୍ରତିକ୍ରିୟାରେ ବାୟୋକନ ମୁଖ୍ୟ କିରଣ ମଜୁମଦାର ସ’ କହିଛନ୍ତି ଯେ, ଭାରତ ବର୍ତ୍ତମାନ ଲାଇସେନ୍ସ ରାଜ୍‌ରୁ ଇନ୍ସପେକ୍ଟର ରାଜ୍‌କୁ ବଦଳି ଯାଇଛି। ଏହାକୁ ନେଇ ସମସ୍ତେ ଚିନ୍ତିତ। ଭାରତକୁ ସ୍ବଚ୍ଛ କରିବାକୁ ଉଦ୍ୟମ ହେଉଛି। ତେବେ ଏହାକୁ ପର୍ଯ୍ୟାୟକ୍ରମେ କରାଯିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri