ଉତ୍ତରାଧିକାର

ଆକାର ପଟେଲ
୧୯୪୮ ମସିହାରେ ହିନ୍ଦୁ କୋଡ୍‌ ବିଲ୍‌ ଉପସ୍ଥାପନ କରିବା ଅବସରରେ ବି.ଆର୍‌. ଆମ୍ବେଡ଼କର କହିଥିଲେ ଯେ, ଏହି ବିଲ୍‌ ଦ୍ୱାରା ଯେଉଁ ମୌଳିକ ପ୍ରସଙ୍ଗର ସମାଧାନ କରିବାକୁ ଚେଷ୍ଟା କରାଯାଇଛି, ତାହା ହେଉଛି ଉତ୍ତରାଧିକାର। ହିନ୍ଦୁ ଉତ୍ତରାଧିକାର ଆଇନ ଆସିଛି ଦୁଇଟି ପରମ୍ପରାରୁ: ମିତାକ୍ଷରା ଓ ଦାୟଭାଗ। ପ୍ରଥମଟି ଅନୁସାରେ ଜଣେ ହିନ୍ଦୁ ପୁରୁଷଙ୍କ ସମ୍ପତ୍ତି ତାଙ୍କର ନୁହେଁ। ପିତା, ପୁତ୍ର, ନାତି ଓ ଅଣନାତି ସମସ୍ତଙ୍କର ଏଥିରେ ଅଧିକାର ରହିଛି। ଏହି ଚାରିଜଣଙ୍କର ସମ୍ପତ୍ତି ଉପରେ ଜନ୍ମଗତ ଅଧିକାର ରହିଛି। ଏହି ଚାରିଜଣଙ୍କ ମଧ୍ୟରୁ ଜଣେ ମରିଗଲେ ଅବଶିଷ୍ଟ ତିନିଜଣ ସେହି ସମ୍ପତ୍ତିର ମାଲିକ ହେବେ। ଯେତେବେଳେ ସମ୍ପତ୍ତି କହିଲେ ମୁଖ୍ୟତଃ ଜମିକୁ ବୁଝାଯାଉଥିଲା ସେହି ସମୟରୁ ଏବଂ ଯୌଥ ପରିବାର ପରମ୍ପରାରୁ ଏହି ଆଇନ ଆସିଛି। ପରିବାର ବିଭାଜିତ ହୋଇ ଛୋଟ ବା ଅଣୁ ପରିବାର ହେବାବେଳେ ସମ୍ପତ୍ତିର ବିଭାଜନ ସହଜ ହୋଇ ନ ଥାଏ। କିନ୍ତୁ ଯେହେତୁ ସମ୍ପତ୍ତିର ମାଲିକାନା ଯୁଗ୍ମଭାବରେ ରହିଛି, ଉକ୍ତ ଚାରିଜଣଙ୍କ ମଧ୍ୟରୁ ଯେ କେହି ବିଭାଜନ ପାଇଁ ଦାବି କରିପାରିବେ। ଦାୟଭାଗ ଅନୁସାରେ ଜଣେ ହିନ୍ଦୁ ପୁରୁଷଙ୍କର ସମ୍ପତ୍ତି ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ହୋଇପାରେ। ଏହି ସମ୍ପତ୍ତିକୁ ସେ ଯାହାକୁ ଇଚ୍ଛା ଦେଇପାରିବେ ବା ବିକ୍ରି କରିପାରିବେ। ଯଦି ତାଙ୍କର ବାପା, ଜେଜେବାପା ଓ ପୁଅ ବଞ୍ଚିଥାନ୍ତି, ତେବେ ତାଙ୍କର ମୃତ୍ୟୁ ପରେ ସେମାନେ ଆପେ ଆପେ ସେହି ଜମିର ମାଲିକ ହୋଇପାରିବେ ନାହିଁ।
ଆମ୍ବେଡ଼କର ଚାହୁଁଥିଲେ ଦାୟଭାଗ ବ୍ୟବସ୍ଥାକୁ ସାରା ଭାରତରେ ପ୍ରବର୍ତ୍ତନ କରିବା ପାଇଁ। ସେ ମଧ୍ୟ ଏଥିରେ ପରିବାରର ମହିଳାଙ୍କ ଉତ୍ତରାଧିକାର ସମ୍ପର୍କିତ ଆଉ କିଛି ପରିବର୍ତ୍ତନ ଚାହୁଁଥିଲେ। କିନ୍ତୁ ଏହି ବିଲ୍‌ ପାସ୍‌ ହୋଇପାରିଲା ନାହିଁ ଏବଂ ଆମ୍ବେଡ଼କର ଇସ୍ତଫା ଦେଲେ। ଏହା ଗୃହୀତ ହୋଇ ନ ପାରିବାର କାରଣ ଆମ ସମ୍ବିଧାନ ସଭା ରକ୍ଷଣଶୀଳ ଥିଲା। ସମ୍ବିଧାନ ସଭାର ସଦସ୍ୟମାନେ ବିଲ୍‌କୁ ସମର୍ଥନ ନ କରିବାର କାରଣ ହେଲା, ଏଥିରେ ମହିଳାଙ୍କ ସମ୍ପତ୍ତିଗତ ଉତ୍ତରାଧିକାର କଥା ଅଧିକ କୁହାଯାଇଥିଲା। ଏହା ସେମାନଙ୍କ ପାଇଁ ଗ୍ରହଣୀୟ ନ ଥିଲା। ସେମାନଙ୍କ ଯୁକ୍ତି ଥିଲା ଝିଅମାନେ ବାହା ହୋଇଗଲା ବେଳେ ଯୌତୁକ ନିଅନ୍ତି। ପୁଣି ବାହା ହୋଇ ସେମାନେ ଅନ୍ୟ ଘରକୁ ଯାଆନ୍ତି ଏବଂ ସେହି ଘରର ସମ୍ପତ୍ତି ମଧ୍ୟ ଭୋଗ କରନ୍ତି। ତା’ ସହ ଯଦି ସେମାନଙ୍କୁ ପୈତୃକ ସମ୍ପତ୍ତିରୁ ଭାଗ ଦିଆଯାଏ, ତେବେ ପ୍ରତ୍ୟେକଙ୍କ ଭାଗରେ କମ୍‌ ସମ୍ପତ୍ତି ପଡ଼ିବ। ଆମ ଧାର୍ମିକ ପରମ୍ପରାରେ ଆଜିଯାଏ କୌଣସି ସଂସ୍କାର ଅଣାଯାଇ ପାରିନାହିଁ। ବ୍ରିଟିଶ ସରକାର ବି କିଛି ସଂସ୍କାର ଆଣି ନ ଥିଲେ। କାରଣ ବ୍ରିଟିଶ ସରକାର କିଛି ସଂସ୍କାର ଆଣିବାକୁ ଚାହିଁଲେ ସେମାନେ ଆମ ପରମ୍ପରାରେ ହସ୍ତକ୍ଷେପ କରୁଛନ୍ତି ବୋଲି କହି ଭାରତୀୟମାନେ ପ୍ରତିକ୍ରିୟା ପ୍ରକାଶ କରୁଥିଲେ। ୧୮୨୯ ମସିହାରେ ସତୀ ପ୍ରଥାର ଉଚ୍ଛେଦ ହେଲା ଏବଂ ୧୮୫୦ରେ ଧର୍ମ ପରିବର୍ତ୍ତନକାରୀଙ୍କ ସମ୍ପତ୍ତି ଅଧିକାର ନେଇ ଏକ ଆଇନ ଆସିଲା। କିନ୍ତୁ ୧୮୫୭ ସିପାହି ବିଦ୍ରୋହରେ ଲକ୍ଷାଧିକ ଲୋକ ମରିବା ପରେ ବ୍ରିଟିଶ ସରକାର ନିଷ୍ପତ୍ତି ନେଲେ ଯେ ସେମାନେ କୌଣସି ଧାର୍ମିକ ପରମ୍ପରା ବା ବିବାଦୀୟ ପ୍ରସଙ୍ଗରେ ହାତ ଦେବେ ନାହିଁ। କାରଣ ଏହାଦ୍ୱାରା ଭାରତକୁ ଶାସନ ଓ ଲୁଟ୍‌ କରିବାର ସେମାନଙ୍କ ମୂଳ ଉଦ୍ଦେଶ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। କଂଗ୍ରେସ ଦ୍ୱାରା ଆମ ସମ୍ବିଧାନର ଧାରା ୧୭ ଜରିଆରେ ଅସ୍ପୃଶ୍ୟତା ଦୂର ହେଲା। ୧୯୨୦ ପୂର୍ବରୁ କୌଣସି ଦଳିତ ମନ୍ଦିରରେ ପ୍ରବେଶ କରିବା ଲାଗି ଚେଷ୍ଟା କଲେ ଭୟଙ୍କର ପ୍ରତିକ୍ରିୟା ଓ ପ୍ରତିରୋଧ ପ୍ରକାଶ ପାଉଥିଲା। ସେହି ରକ୍ଷଣଶୀଳତା ହିଁ ଆମ୍ବେଡ଼କରଙ୍କ ଉତ୍ତରାଧିକାର ସଂସ୍କାରକୁ ବାଧା ଦେଲା। ଏଠାରେ କହିବାର କଥା ଯେ ଏହା ଥିଲା କଂଗ୍ରେସ ସମ୍ବିଧାନ ସଭା। ସେ ସଭାରେ ଭାଜପା ପରି କୌଣସି ଦଳର ଉପସ୍ଥିତି ନ ଥିଲା। ତେବେ ନେହେରୁ ସରକାରରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କଠାରୁ ସୀମିତ ହିନ୍ଦୁତ୍ୱର ସ୍ବର ଶୁଭୁଥିଲା। (ଏହି ମୁଖାର୍ଜୀ ଜନସଂଘ ପ୍ରତିଷ୍ଠା କରିଥିଲେ ଯାହାର ପରବର୍ତ୍ତୀ ରୂପ ହେଉଛି ଭାଜପା।) ଏମ୍‌ପି ଓ ଏମ୍‌ଏଲ୍‌ଏମାନଙ୍କ ରକ୍ଷଣଶୀଳ ମନୋବୃତ୍ତି ସତ୍ତ୍ୱେ କଂଗ୍ରେସ ସଂସ୍କାର ଆଣିପାରିଥିଲା। କାରଣ ନେହେରୁଙ୍କ ଭଳି ବ୍ୟକ୍ତି ଏହି ଦଳର ନେତା ଥିଲେ ଯାହାଙ୍କର ଉଦାରବାଦୀ ଦୃଷ୍ଟିକୋଣ ଥିଲା। ଦକ୍ଷିଣ ଏସିଆରେ ଏକମାତ୍ର ଭାରତର ହିଁ ଧର୍ମନିରପେକ୍ଷ ଓ ଉଦାରବାଦୀ ସମ୍ବିଧାନ ରହିଛି। ଆଫଗାନିସ୍ତାନ ଓ ପାକିସ୍ତାନ ପରି ଇସ୍‌ଲାମିକ ଦେଶରେ କୌଣସି ଅଣମୁସଲମାନ ସର୍ବୋଚ୍ଚ ପଦରେ ରହିପାରିବେ ନାହିଁ। ମାଳଦ୍ୱୀପ ମଧ୍ୟ ଏକ ଇସ୍‌ଲାମିକ ରାଷ୍ଟ୍ର। ଶ୍ରୀଲଙ୍କାର ସମ୍ବିଧାନ ବୌଦ୍ଧଧର୍ମକୁ ପ୍ରାଥମିକତା ଦେଇଛି ଏବଂ ବାଂଲାଦେଶୀ ସମ୍ବିଧାନ ‘ବିସ୍‌ମିଲ୍ଲାଃ ଇର୍‌ ରହମାନ ଇର୍‌ ରହିମ୍‌’ ଉକ୍ତିରୁ ଆରମ୍ଭ ହୋଇଛି। ଭୁଟାନର ସରକାର ଓ ଧର୍ମ ଉଭୟ ବୌଦ୍ଧ ରାଜାଙ୍କ ଦ୍ୱାରା ନିୟନ୍ତ୍ରିତ। ୨୦୦୮ ପର୍ଯ୍ୟନ୍ତ ନେପାଳ ଏକ ହିନ୍ଦୁ ରାଷ୍ଟ୍ର ଥିଲା।
କେବଳ ଭାରତ ହେଉଛି ସମ୍ବିଧାନ ଅନୁଯାୟୀ ଧର୍ମନିରପେକ୍ଷ। ହିନ୍ଦୁ ସଂଖ୍ୟାବହୁଳତା ଯୋଗୁ ଏହା ସମ୍ଭବ ହୋଇନାହିଁ। ନେପାଳ ମଧ୍ୟ ହିନ୍ଦୁ ସଂଖ୍ୟାବହୁଳ ଦେଶ। ବ୍ରିଟିଶମାନେ ଦେଶ ଛାଡ଼ି ଗଲାବେଳେ କେହି ଭାରତୀୟମାନଙ୍କୁ ପଚାରି ନାହିଁ ଯେ ସେମାନେ ହିନ୍ଦୁରାଷ୍ଟ୍ର ଚାହାନ୍ତି କି ନା। କେବଳ କଂଗ୍ରେସ ଯୋଗୁ ଭାରତ ଏକ ଧର୍ମନିରପେକ୍ଷ ସାଧାରଣତନ୍ତ୍ରରେ ପରିଣତ ହୋଇଛି। କିନ୍ତୁ ଏବେ ଆଉ ଏକ ଦଳ ଦେଶରେ ପ୍ରଭାବଶାଳୀ ହେବାରେ ଲାଗିଛି। ତେଣୁ ଆଗାମୀ ଦିନରେ ନେହେରୁ ଓ କଂଗ୍ରେସର ଲିଗାସୀ (ଉତ୍ତରାଧିକାର ଭାବେ ପ୍ରାପ୍ତ ଧର୍ମନିରପେକ୍ଷ ନୀତି) ବଳବତ୍ତର ରହିବ କି ନା ତାହା ସମୟ କହିବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri