ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣଙ୍କ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଲୁକାପଡା ଗ୍ରାମର କେଶରୀ ମାଝୀଙ୍କ ପୁଅ ପଦ୍ମନ ମାଝୀ(୨୩) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ୪ ମାସ ତଳେ ପଦ୍ମନ ଗୋଆକୁ କାମ କରିବାକୁ ଯାଇଥିଲେ ଏବଂ ସେଠାରୁ ଗତ ୩୧ ତାରିଖ  ରାତିରେ ଦେଭୋଗ ଥାନାର କେନ୍ଦୁପାଟି ଗ୍ରାମର ଶୋଭାଲାଲ ମାଝୀଙ୍କ ସହିତ କୋକସରା ଥାନା ଜୟନ୍ତପୁର ପଞ୍ଚାୟତର ଏନଗୁଡା ଗାଁର ସମ୍ପର୍କୀୟ ଘରକୁ ଆସିଥିଲେ। ଗତ ୧ ତାରିଖ ଦିନ ଖାଇସାରି ରାତିରେ ଶୋଇବା ପରେ ଘରୁ କେଉଁଆଡେ ଚାଲି ଯାଇଥିଲେ। ଏହା ପରେ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଆଜି  ସକାଳେ ଗାଁ ନିକଟସ୍ଥ ଏକ ଗଛରେ ପଦ୍ମନଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଏହାପରେ ପରିବାର ଲୋକେ କୋକସରା ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରଛି। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ହେବାପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share