ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ଖଜୁରୀପଡ଼ା ଥାନା ଆର୍.ନୂଆଗାଁ ପଞ୍ଚାୟତ ଖଲିବେରଣା ଗ୍ରାମର ଦୁର୍ଯ୍ୟୋଧନ ବଗର୍ତ୍ତୀ (୩୫)। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।
ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ଦିନ ଦୁର୍ଯ୍ୟୋଧନ ଚିକେନ ଖାଇବା ପାଇଁ ତାଙ୍କ ବାପା ଦାଶରଥି ବଗର୍ତ୍ତୀଙ୍କୁ ଟଙ୍କା ମାଗିଥିଲେ। ବାପାଙ୍କ ପାଖରେ ଟଙ୍କା ନ ଥିବାରୁ ସେ କିଛି ଧାନ ବିକି ଚିକେନ କିଣିବାକୁ ପରାମର୍ଶ ଦେଇଥିଲେ। ଧାନ ବିକ୍ରି କରି ଚିକେନ ଆଣି ଖାଇବା ପରେ ସେହିଦିନ ସାରେ ଦୁର୍ଯ୍ୟୋଧନ ଘରୁ ବାହାରକୁ ଯାଇଥିଲେ, ମାତ୍ର ଆଉ ଫେରି ନ ଥିଲେ। ଦୁଇ ଦିନ ଧରି ଖୋଜାଖୋଜି କରିବା ପରେ ମଧ୍ୟ ଦୁର୍ଯ୍ୟୋଧନଙ୍କ କୌଣସି ପତ୍ତା ନ ମିଳିବାରୁ ପରିବାର ପକ୍ଷରୁ ଖଜୁରୀପଡ଼ା ଥାନାରେ ଏତଲା ଦିଆଯାଇଥିଲା। ବୁଧବାର ସକାଳେ ଚୂନଘାଟି ଜଙ୍ଗଲରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଟିକାବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁର୍ଯ୍ୟୋଧନଙ୍କର ବୋଲି ଚିହ୍ନଟ କରିଥିଲା। ମୃତକଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ଟିକାବାଲି ପୋଲିସ କେସ ନଂ ୦୫/୨୫ପ୍ରକାରେ ଏକ ମାମଲା ରୁଜୁ କରିଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବୌଦ୍ଧରୁ ଏକ ସାଇଣ୍ଟିଫିକ ଟିମ ଆସି ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ଛାନଭିନ ଆରମ୍ଭ କରିଛି।
ଟିକାବାଲି ଥାନା ଅଧିକାରୀଣୀ ପ୍ରଜ୍ଞା ରିତାମ୍ବର କରଙ୍କ ସୂଚନା ଅନୁଯାୟୀ ମୃତଦେହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ମାମଲାରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଖୁବଶୀଘ୍ର ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡ଼ୁଥିଲେ ମଧ୍ୟ ହତ୍ୟାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି।