ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଗୁରୁବାର ସକାଳ ପ୍ରାୟ ୮ ଟାରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି । ତେବେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରିନାହିଁ । ଗତ ପ୍ରାୟ ୩ ଦିନ ହେଲା ମୃତଦେହଟି ପଡ଼ିଥିବା ନେଇ କିଛି ଛେଳି ଚରାଳି ଜାଣିଥିଲେ ମଧ୍ୟ ଭୟଭୀତ ହୋଇ କାହାରିକୁ ଜଣାଇନଥିଲେ ।
ଗୁରୁବାର ସକାଳେ କୋଟିନଡ଼ା ଗ୍ରାମର ସାମାଜିକ କର୍ମୀ ଉମାକାନ୍ତ ବିଷୋୟୀ ଏନେଇ ପୋଲିସକୁ ସୂଚନା ଦେବା ସହ ଲିଖିତ ଏତଲା ଦେଇଥିଲେ । ଏହାପରେ ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ୧/୨୬ ଅନୁଯାୟୀ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି । ଯୁବକଙ୍କ ପେଟର ଅନ୍ତ ବୁଜୁଳା ବାହାରି ପଡ଼ିଥିବାରୁ ତାଙ୍କୁ ହତ୍ୟା କରାଯିବା ପରେ ମୃତଦେହକୁ ଫୋପାଡି ଦିଆଯାଇଥିବା ସମ୍ପୃକ୍ତ ଅଞ୍ଚଳରେ ଲୋକେ ସନ୍ଦେହ କରିଛନ୍ତି । ଯୁବକ ଜଣକ ଧୂସର ରଙ୍ଗର ପ୍ୟାଣ୍ଟ ଏବଂ ଧଳା ନାଲି କଲର ଫୁଲ ଚେକ୍ ସାର୍ଟ ପିନ୍ଧିଥିବା ଜଣାପଡ଼ିଛି ।
ମୁଣ୍ଡର କିଛି ଅଂଶ ଓ ଶରୀରର ବିଭିନ୍ନ ଅଂଶକୁ ବନ୍ୟଜନ୍ତୁ ଖାଇ ଦେଇଛନ୍ତି । ମୃତଦେହଟି ପ୍ରାୟ ୧୦ ଦିନ ପୂର୍ବର ହୋଇଥିବା ଅନୁମାନ କରାଯାଉଛି। ମୃତ ଯୁବକ ଜଣକ କୋଟିନଡ଼ା ଗ୍ରାମ କିମ୍ବା ଆଖପାଖ ଅଞ୍ଚଳର ହୋଇନଥିବାରୁ ତାଙ୍କ ପରିଚୟ ଜଣାପଡିନାହିଁ । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।


