ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ଟାଓ୍ବାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ, ନାକେଦମ ହେଲେ…

ପାଇକମାଳ,୨୦।୯(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକ କର୍ଲାମାଳ ଗ୍ରାମରେ ଘଟିଛି ଏକ ଅଜବ ଘଟଣା। ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଉଚ୍ଚଶକ୍ତି ସମ୍ପୂର୍ଣ୍ଣ ବିଦ୍ୟୁତ ଟାଓ୍ବାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯେତେ ବୁଝାଇଲେ ମଧ୍ୟ ସେ ଶୁଣି ନ ଥିଲେ। ଶେଷରେ ବିଭାଗୀୟ ଅଧିକାରୀମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା।
ସୂଚନାନୁଯାୟୀ, କର୍ଲାମାଳ ଗ୍ରାମର ଯୁବକ ନାରାୟଣ ରଣା(୧୮)ଙ୍କ ବାପା ଉଗ୍ରସେନ ରଣା ଓ ମା’ ଦାଦନ ଖଟି ଯାଇଥିଲେ। ହେଲେ ସନ୍ଧ୍ୟାରେ ନାରାୟଣ ଘର ନିକଟରେ ଥିବା ଏକ ବିଦ୍ୟୁତ ଟାଓ୍ବାର ଉପରେ ଚଢ଼ିଯାଇ ଆତ୍ମହତ୍ୟା କରିବେ ବୋଲି ସମ୍ପର୍କୀୟଙ୍କୁ ଧମକ ଦେଇଥିଲେ। ଖବର ପାଇ ପାଇକମାଳ ପୋଲିସ, ଦମକଳ କର୍ମଚାରୀ, ଓ ବିଦ୍ୟୁତ ବିଭାଗ କର୍ମଚାରୀ  ତଥା ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ବୁଝା ସୁଝା କଲେ ମଧ୍ୟ ସେ ତଳକୁ ଓଲ୍ଲାଇ ନ ଥିଲେ। ବିଦ୍ୟୁତ ବିଭାଗୀୟ ଏସଡିଓ ଟାୱାର ଲାଇନ କାଟିଥିଲେ। ଏହା ଜାଣିବା ପରେ ସେ ଟାଓ୍ବାରର ପୁରା ଉପରକୁ ଚଢ଼ି ଯାଇଥିଲେ। ସମ୍ପର୍କୀୟ ମାନେ ବହୁତ ବୁଝାସୁଝା କରିବା ପରେ ସେ ତଳକୁ ଓଲ୍ଲାଇଥିଲେ। ତେବେ ସେ ଘରେ ଏକାକୀ ଥିବା ବେଳେ ନିଶା ଶକ୍ତ ହୋଇ ଏପରି ପାଗଳାମି କରିଥିବା ପରିବାରଲୋକେ କହିଛନ୍ତି।