ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)।
ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର ଜଣେ ଯୁବତୀ ୨୦୨୧ ମସିହାରେ ସମ୍ବଲପୁର ଜିଲା ଭୋଜପୁର ଗ୍ରାମ ବସଷ୍ଟାଣ୍ଡ ଠାରେ ଠିଆ ହୋଇଥିବା ବେଳେ ଝାରସୁଗୁଡ଼ା ଜିଲା କୁଲାବିରା ଥାନା କୁଲିହାମାଲ ଗ୍ରାମର ଭେଙ୍କଟେଶ ସୁନାନୀ ମୋବାଇଲରେ ରିଚାର୍ଜ ନ ଥିବା କହି ମୋବାଇଲ ମାଗି ନେଇ ଯୁବତୀର ନମ୍ବର ନେଇଥିଲା। ତା’ ପରଠାରୁ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଫୋନ ଯୋଗେ କଥାବାର୍ତ୍ତା ହେଉହେଉ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ ପରିବାର ପକ୍ଷରୁ ବିବାହ ପାଇଁ ରାଜି ହୋଇ ୨୦୨୨ ଡିସେମ୍ବର ୭ ତାରିଖ ଦିନ ନିର୍ବନ୍ଧ ହୋଇଥିଲା। ଏହା ପରେ ଯୁବତୀର ଅନିଚ୍ଛା ସତ୍ତ୍ୱେ ଭେଙ୍କଟେଶ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।
ଯୁବତୀଜଣଙ୍କ ୨୦୨୩ ମସିହାରେ ଅଗଷ୍ଟ ୧୫ ତାରିଖରେ ଗର୍ଭବତୀ ଥିବା ଯୁବକଙ୍କୁ କହିଲା। ମାତ୍ର ବିବାହ ପୂର୍ବରୁ ଛୁଆ ହେବା ମନା କରି ଏବଂ ବିଭିନ୍ନ ଆଳ ଦେଖାଇ ଯୁବକଜଣଙ୍କ ବଟିକା ଖୁଆଇ ଗର୍ଭପାତ କରିଥିଲେ। ଏହା ପରଠାରୁ ବିବାହ କଥା କହିଲେ ଯୁବକଜଣଙ୍କ ନାନାଦି ବାହାନା କରି ଓ ସରକାରୀ ଚାକିରି ପରେ ବିବାହ କରିବି କହି ସବୁକଥାକୁ ଅଣଦେଖା କରି ଚାଲିଥିଲା । ବର୍ଷ ଧରି ଶାରୀରିକ ସମ୍ପର୍କ ପରେ ଯୁବତୀକୁ ବିବାହ ପାଇଁ ମନା କରିବା ଅଭିଯୋଗରେ ନ୍ୟାୟ ପାଇବା ପାଇଁ ଯୁବତୀଜଣଙ୍କ ଗତ ଗୁରୁବାର ଦିନ ରିଆମାଳ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ରିଆମାଳ ଥାନା ପୋଲିସ ୧୨୧/୨୬ରେ ଏକ ମାମଲା ରୁଜୁ କରି ଫେରାର ଥିବା ଭେଙ୍କଟେଶକୁ ଗିରଫ କରି କୋର୍ଟଚାଲାଣ କରିଥିଲା। କିନ୍ତୁ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଛି ଥିବା ପୋଲିସ ସୂଚନା ଦେଇଛି।
Dharitri – Odisha’s No.1 Odia Daily