ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର ହୋଲି ଉତ୍ସବ ଦିନ ମାରାଣାନ୍ତକ ଆକ୍ରମଣ ଘଟଣା ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲିଟିଛି । ସୂଚନା ଅନୁସାରେ ଲୁହାଖାନରେ ଯୁବକମାନେ ରଙ୍ଗ ଖେଳିବା ପରେ ନିଶାଅବସ୍ଥାରେ କଳହ ହୋଇଥିଲା । ଉକ୍ତ ଗାଁର ଶୁଭମ ଓ ମାଟୂପାଲି ଗାଁର ନକୁଳ ନାମକ ଦୁଇ ଜଣ ଯୁବକ ଉକ୍ତ ଗାଁର ଶମ୍ଭୁ ନାମକ ଯୁବକଙ୍କୁ ଆକ୍ରମଣ କରିବା ସହ ଅନଲାଇନରେ ମଗାଇଥିବା ଏକ ବନ୍ଧୁକକୁ ମୁଣ୍ଡରେ ପିଟିଥିଲେ । ଫଳରେ ଶମ୍ଭୁ ଗୁରୁତର ହୋଇଥିଲେ ।
ଏହାପରେ ପରିବାର ଲୋକେ ଉଦ୍ଧାର କରି ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନେଇଥିଲେ। ପରେ ଏ ନେଇ ପୋଲିସକୁ ଖବର ଦେବାରୁ ଦେଓଗାଁ ଥାନାରୁ ଏସଆଇ ଦୀପକ ଡୁଙ୍ଗ ଡୁଙ୍ଗଙ୍କ ନେତୃତ୍ୱରେ ପୋଲିସ ଟିମ ଘଟଣା ସ୍ଥଳକୁ ପହଞ୍ଚି ଉକ୍ତ ଦୁଇ ଜଣ ଯୁବକ ଶୁଭମ ଓ ନକୁଳକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛି । ଏହାସହ ଏହି ଘଟଣାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିବା ନେଇ ସୂଚନା ରହିଛି ।
ତେବେ ଶମ୍ଭୁ ଆହତ ହେବା ପରେ ଉକ୍ତ ଅଭିଯୁକ୍ତଙ୍କ ପରିବାର ଓ ସହଯୋଗୀ ମାନେ ଶୁଭମ ଘରକୁ ଆସି ଆକ୍ରମଣ କରିଥିବା ତାଙ୍କ ମା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଭାଇଚାରାର ପର୍ବ ହୋଲି ଦିନ ଯୁବକମାନେ ନିଶା କାରବାରରେ ଲିପ୍ତ ରହି ଏଭଳି ଅଶାନ୍ତି ପରିବେଶ ସୃଷ୍ଟି କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲିଟିଛି ।

