ଖୋର୍ଦ୍ଧା,୭।୨(ପ୍ରଭାତ ପାଣିଗ୍ରାହୀ): ଦନ୍ତା ହାତୀ ନେଲା ଜଣେ ଯୁବକଙ୍କ ଜୀବନ। ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଯୁବକ ହେଲେ ଖଡିପଦର ଗ୍ରାମର ଶଙ୍କର ରାଉତରାୟ ବୋଲି ଜଣାପଡିଥିବା। ଖୋର୍ଦ୍ଧା ବନଖଣ୍ଡ ଟାଗିଂ ରେଜ ଜଂକିଆ ଥାନା ଅନ୍ତର୍ଗତ ଖଡିପଦର ଗ୍ରାମ ନିକଟରେ ଦନ୍ତାହାତୀ ଆକ୍ରମଣ କରିଛି । ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ନୂଆ ଜଗନ୍ନାଥ ସଡକ ଉପରେ ଟାୟାର ଜାଳି ଅବରୋଧ କରିଛନ୍ତି ।
ସୂଚନାରୁ ଜଣାପଡିଛି ଯେ, ଆଜି ଭୋର ସମୟରେ ଶଙ୍କର ଏକ ସାଇକେଲ ଯୋଗେ ଖଡିପଦର ରାସ୍ତାରେ ଯାଉଥିବା ସମୟରେ ଦନ୍ତା ହାବୁଡରେ ପଡିଥିଲେ। ଦନ୍ତା ଶଙ୍କରକୁ ହଠାତ ଆକ୍ରମଣ କରିଥିଲା। ଦନ୍ତା ଆକ୍ରମଣରେ ଶଙ୍କର ମୁଣ୍ଡଟି ଶରୀରୁ ଅଲଗା ହୋଇଯାଇଥିଲା । ପରିବାର ଲୋକେ ଓ ସ୍ଥାନୀୟ ଲୋକେ ହାତୀ ଉପଦ୍ରବରୁ ରକ୍ଷା ପାଇବା ନିମନ୍ତେ ମୃତକକୁ କ୍ଷତିପୂରଣ ଦେବା ଦାବିରେ ନୂଆ ଜଗନ୍ନାଥ ସଡକ ଅବରୋଧ କରି ପ୍ରତିବାଦ କରିଛନ୍ତି ।ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର ଅଟକି ରହିଛି । ବନବିଭାଗ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ଅସନ୍ତୋଷ ଦେଖାଦେଇଛି ।