ପଟ୍ଟାଙ୍ଗି,୧୧।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଥାନା ଅଧୀନ ତଳଗୋଲୁର ପଞ୍ଚାୟତ ବଡ଼ଡଙ୍ଗର ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଏକ ତେନ୍ତୁଳି ଗଛରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜାନି ଆପାନ୍ନା।
ମିଳିଥିବା ସୂଚନା ମୁତାବକ, ଜାନି ଗ୍ରାମ ନିକଟରେ ଥିବା ଏକ ତେନ୍ତୁଳି ଗଛରେ ଚଢି ତେନ୍ତୁଳି ତୋଳୁଥିଲେ। ସେତିକିବେଳେ ସେ ଭାରସାମ୍ୟ ହରାଇ ତଳେ ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ସୁଙ୍କି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ
ସେ ଆଖି ବୁଜି ଦେଇଥିଲେ। ସୁଙ୍କି ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷେ ଜାନିଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଭାଙ୍ଗି ପଡିଛନ୍ତି। ରୋଜଗାର ଯୋଗାଇ ଦେଉଥିବା ତେନ୍ତୁଳି ଗଛ ମୋ ପାଇଁ କାଳ ହେଲା ବୋଲି କୋହ ଭରା କଣ୍ଠରେ ପ୍ରକାଶ କରିଛନ୍ତି।


