ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ମୃତକ ହେଲେ ଟିଟୁ ଦୋରା(୩୪) । ମୃତଦେହକୁ ସୋମବାର ଦିଗପହଣ୍ଡି ପୋଲିସ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜବତ କରିଛନ୍ତି ।

ଖବର ଅନୁସାରେ, ରବିବାର ରାତି ପ୍ରାୟ ସାଢ଼େ ୭ ଟାରେ ସେ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ଖାଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତର ଏନେଇ ପୋଲିସକୁ ସୂଚନା ଦେଇଥିଲେ। ଟିଟୁଙ୍କ ଭାଇ ମିଟୁ ଦୋରା ସୋମବାର ସକାଳେ ଏନେଇ ଦିଗପହଣ୍ଡି ଥାନାରେ ଲିଖିତ ଭାବେ ଜଣାଇବା ପରେ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଅପମୃତ୍ୟୁ ମାମଲା ନଂ.୫୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି ।

ତଦନ୍ତକାରୀ ଅଧିକାରୀ ଏଏସଆଇ ଦିଲ୍ଲୀପ କୁମାର ଗୋରଡ଼ା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି ।

 

Dharitri – Odisha’s No.1 Odia Daily

Share